ତୁର୍କୀରେ ଏକ ଷ୍ଟିଲ୍ କାରଖାନାରେ ଘଟିଛି ଭୟଙ୍କର ବିସ୍ଫୋରଣ। ଏହି ଦୁର୍ଘଟଣାରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଦୋଗାନ୍ ସୂଚନା ଦେଇଛନ୍ତି। ଏହି ଘଟଣା ପରେ କାରଖାନା ପରିସରରେ ଉଦ୍ଧାର କାର୍ଯ୍ୟ ସହ ତଦନ୍ତ ଆରମ୍ଭ ହୋଇଛି।
ସୂଚନା ଅନୁସାରେ, ସୋମବାର ତୁର୍କୀର ପଶ୍ଚିମ ଭାଗରେ ଥିବା ଇଜମିର ପ୍ରଦେଶର ଆଲିଆଗା ଅଞ୍ଚଳରେ ଅବସ୍ଥିତ HABAS ଆଇରନ୍ ଆଣ୍ଡ୍ ଷ୍ଟିଲ୍ ପ୍ଲାଣ୍ଟରେ ଏହି ବିସ୍ଫୋରଣ ଘଟିଥିଲା। ସ୍ଥାନୀୟ ସମୟ ଅନୁସାରେ ପ୍ରାୟ ଦିନ ୧୧ଟା ୪୬ ମିନିଟ୍ରେ ଏହି ଦୁର୍ଘଟଣା ଘଟିଥିବା ଇଜମିର ଗଭର୍ଣ୍ଣର ସୁଲେମାନ୍ ଏଲବାନ୍ କହିଛନ୍ତି। ବିସ୍ଫୋରଣ ପରେ କାରଖାନାରେ ଭୟଙ୍କର ନିଆଁ ଲାଗିଯାଇଥିଲା ଏବଂ ଆକାଶକୁ ଘନ କଳା ଧୂଆଁ ଉଠୁଥିବା ଦେଖାଯାଇଥିଲା।
ପ୍ରାଥମିକ ତଦନ୍ତ ଅନୁସାରେ, କାରଖାନାରେ ବଏଲର୍ ପରିବର୍ତ୍ତନ କାମ ଚାଲିଥିବା ସମୟରେ ଏକ ଓଭରହେଡ୍ କ୍ରେନ୍ ଖସି ଇଲେକ୍ଟ୍ରିକ୍ ଆର୍କ ଫର୍ଣ୍ଣେସ୍ ଭିତରେ ପଡ଼ିଯାଇଥିଲା। ଏହା ପରେ ଭୟଙ୍କର ବିସ୍ଫୋରଣ ଘଟିଥିବା ଅଧିକାରୀମାନେ କହିଛନ୍ତି। ସେହି ସମୟରେ କାରଖାନାରେ ନିୟମିତ ଉତ୍ପାଦନ ବନ୍ଦ ଥିଲା। ତଥାପି ମରାମତି କାମ ପାଇଁ ପ୍ରାୟ ୨୦୦ ଜଣ କର୍ମଚାରୀ ସେଠାରେ ଉପସ୍ଥିତ ଥିଲେ।
ବିସ୍ଫୋରଣର ଶବ୍ଦ ଏତେ ଜୋର୍ ଥିଲା ଯେ ଆଖପାଖ ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଭୂମିକମ୍ପ ହେବା ଭଳି ଅନୁଭବ ହୋଇଥିଲା। ବିସ୍ଫୋରଣ ପରେ କାରଖାନା ପରିସରରେ ନିଆଁ ଓ ଧୂଆଁ ଦେଖାଯାଇଥିଲା।
ଘଟଣା ପରେ ଅଗ୍ନିଶମ ବାହିନୀ, ଉଦ୍ଧାରକାରୀ ଦଳ ଓ ମେଡିକାଲ୍ ଟିମ୍ ତୁରନ୍ତ ପହଞ୍ଚିଥିଲେ। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲ୍କୁ ନିଆଯାଇଛି। ତୁର୍କୀ ରାଷ୍ଟ୍ରପତି ଏର୍ଦୋଗାନ୍ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଦୁର୍ଘଟଣାର କାରଣ, ସମ୍ଭାବ୍ୟ ଅବହେଳା ଓ ଦାୟୀ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ନ୍ୟାୟିକ ଏବଂ ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି। ଏହି ମାମଲାର ତଦନ୍ତ ପାଇଁ ଚାରିଜଣ ସରକାରୀ ଓକିଲଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି।
ତେବେ ଏହି ଦୁର୍ଘଟଣା ପରେ କାରଖାନାର ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। କିଛି ଶ୍ରମିକ ସଂଗଠନ କାରଖାନାରେ ପୂର୍ବରୁ ମଧ୍ୟ ଶ୍ରମିକଙ୍କ ସୁରକ୍ଷା ସମ୍ପର୍କିତ ସମସ୍ୟା ଥିବା ଅଭିଯୋଗ କରିଛନ୍ତି। ତେବେ ଏହି ବିସ୍ଫୋରଣ ପଛରେ ପ୍ରକୃତ କାରଣ କ’ଣ ଏବଂ ସୁରକ୍ଷା ନିୟମ ପାଳନରେ କୌଣସି ଅବହେଳା ହୋଇଛି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ବହୁପ୍ରତୀକ୍ଷିତ ଫିଲ୍ମ ରା...
ଶୀତଦିନ ଆସିବା ସହ ଏବେ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧିକୁ ନେଇ...
ଯାଜପୁର: କାଳୀପୂଜାକୁ ନେଇ ଉତ୍ସବମୁଖର ହୋଇଉଠିଛି ଯାଜପୁର ସ...
ମୁମ୍ବାଇ: ନିତେଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ '...
ମୁମ୍ବାଇ: ବକ୍ସ ଅଫିସରେ ଧମାଲ କରୁଛି ରଣବୀର କପୁରଙ୍କ ଅଭିନ...
ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ମୂଲ୍ୟବାନ କମ୍ପାନୀଗୁଡ଼ିକ ମ...
ଓଡ଼ିଶାରେ ଆଗାମୀ ପୌର ନିର୍ବାଚନକୁ ନେଇ ବଡ଼ ସୂଚନା ମିଳିଛି...
ବିଶ୍ୱ ବଜାରରେ ଅଶୋଧିତ ତୈଳ ଦରକୁ ନେଇ ଆସିଛି ବଡ଼ ଖବର। ଆମ...