ଲକ୍ଷ୍ନୌ: ନିର୍ବାଚନ ପୂର୍ବରୁ ପୁଣି ଚର୍ଚ୍ଚାକୁ ଆସିଛି ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ମଧ୍ୟରେ ଦୀର୍ଘ ୨୫ ବର୍ଷ ଧରି ଲାଗି ରହିଥିବା ସମ୍ପତ୍ତି ଓ ଦାୟିତ୍ୱ ବଣ୍ଟନ ବିବାଦ। ଏହାର ସମାଧାନ ପାଇଁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପୁଷ୍କର ସିଂହ ଧାମୀ ପୁଣି ଆଲୋଚନା ଆରମ୍ଭ କରିଛନ୍ତି। ନିକଟରେ ଲକ୍ଷ୍ନୌରେ ହୋଇଥିବା ବୈଠକରେ ଦୀର୍ଘଦିନର ବକେୟା ପ୍ରସଙ୍ଗଗୁଡ଼ିକର ସମାଧାନ ଉପରେ ଉଭୟ ନେତା ସହମତି ପ୍ରକାଶ କରିଛନ୍ତି।
ତେବେ ଏହି ପ୍ରସଙ୍ଗକୁ ନେଇ ଏକ ରାଜନୈତିକ ପ୍ରଶ୍ନ ମଧ୍ୟ ଉଠିଛି। ୨୦୦୦ ମସିହାରୁ ଲାଗି ରହିଥିବା ବିବାଦର ସମାଧାନ ପାଇଁ ପ୍ରତ୍ୟେକ ଥର ନିର୍ବାଚନ ପୂର୍ବରୁ କାହିଁକି ତତ୍ପରତା ଦେଖାଯାଉଛି ବୋଲି ସମାଲୋଚକମାନେ ପ୍ରଶ୍ନ କରୁଛନ୍ତି।
୬୫୯.୫ ହେକ୍ଟର ଜମି ହସ୍ତାନ୍ତର ପ୍ରସଙ୍ଗ
ବୈଠକରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଧାମୀ, ଉତ୍ତରପ୍ରଦେଶର ବିଭିନ୍ନ ବିଭାଗ ଅଧୀନରେ ଥିବା ୬୫୯.୫ ହେକ୍ଟର ଜମି ଉତ୍ତରାଖଣ୍ଡକୁ ହସ୍ତାନ୍ତର କରିବା ପ୍ରସଙ୍ଗ ଉଠାଇଥିଲେ। ଏହି ଜମି ହରିଦ୍ୱାରରେ ୬୧୫ ହେକ୍ଟର, ଚମ୍ପାୱତରେ ୩୨ ହେକ୍ଟର ଏବଂ ଉଧମ ସିଂହ ନଗରରେ ୧୨.୫ ହେକ୍ଟର ରହିଛି।
ଜମି ହସ୍ତାନ୍ତରରେ ବିଳମ୍ବ ଯୋଗୁଁ ଏହାର ରକ୍ଷଣାବେକ୍ଷଣରେ ସମସ୍ୟା ହେବା ସହ ଜବରଦଖଲ ଆଶଙ୍କା ବଢ଼ୁଥିବା ଉତ୍ତରାଖଣ୍ଡ ସରକାର କହିଛନ୍ତି।
ବ୍ୟାରେଜ୍, କେନାଲ ଓ ପୋଲ ମରାମତି ଦାବି
ଧାମୀ ବନବସା ବ୍ୟାରେଜ୍ ଏବଂ ନଗରା ବାଇପାସ୍ କେନାଲର ମରାମତି ପାଇଁ ମଧ୍ୟ ଦାବି କରିଛନ୍ତି। ଏହା ସହ ଝଙ୍କାଇୟା ଓ ସୁଖା ପୁଲ୍ ସମେତ ପୁରୁଣା ଏବଂ ଜରାଜୀର୍ଣ୍ଣ ପୋଲଗୁଡ଼ିକର ପୁନଃନିର୍ମାଣ ପ୍ରସଙ୍ଗ ଉଠାଇଛନ୍ତି। ସୀମାନ୍ତ ଅଞ୍ଚଳରେ ଯାତାୟାତ, ଜଳସେଚନ ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ଏହି ଭିତ୍ତିଭୂମି ଗୁରୁତ୍ୱପୂର୍ଣ୍ଣ।
ଏହାର ଉତ୍ତରରେ ଯୋଗୀ ଆଦିତ୍ୟନାଥ ଖୁବଶୀଘ୍ର ସକାରାତ୍ମକ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନା ଦେଇଛନ୍ତି। ଉତ୍ତରାଖଣ୍ଡର ଜଳସେଚନ ମନ୍ତ୍ରୀ ସତପାଲ ମହାରାଜ କହିଛନ୍ତି ଯେ, ବିଭାଗୀୟ ସ୍ତରରେ ସମାଧାନ ହୋଇପାରୁଥିବା ପ୍ରସଙ୍ଗଗୁଡ଼ିକୁ ତୁରନ୍ତ ନିଆଯିବ ଏବଂ ଜଟିଳ ମାମଲାଗୁଡ଼ିକର ସମାଧାନ ପାଇଁ ପୃଥକ ଭାବେ ଉଦ୍ୟମ ହେବ।
୨୦୦୦ରୁ ଲାଗି ରହିଛି ବିବାଦ
୨୦୦୦ ନଭେମ୍ବର ୯ରେ ଦୀର୍ଘ ରାଜ୍ୟ ଗଠନ ଆନ୍ଦୋଳନ ପରେ ଉତ୍ତରପ୍ରଦେଶରୁ ଅଲଗା ହୋଇ ଉତ୍ତରାଖଣ୍ଡ ଗଠନ ହୋଇଥିଲା। କିନ୍ତୁ ଦୁଇ ରାଜ୍ୟ ମଧ୍ୟରେ ବିଭିନ୍ନ ବିଭାଗର ସମ୍ପତ୍ତି, ଦାୟିତ୍ୱ ଓ ଆର୍ଥିକ ବକେୟା ବଣ୍ଟନ ସମ୍ପୂର୍ଣ୍ଣ ହୋଇପାରିନଥିଲା।
ଉତ୍ତରାଖଣ୍ଡ ସରକାର ଉତ୍ତରପ୍ରଦେଶ ପୁନର୍ଗଠନ ଆଇନ, ୨୦୦୦ ଆଧାରରେ ଯୁକ୍ତି ରଖୁଛନ୍ତି ଯେ, ଯେଉଁ ରାଜ୍ୟରେ ସମ୍ପତ୍ତି ରହିଛି, ସେହି ରାଜ୍ୟକୁ ଏହା ହସ୍ତାନ୍ତର କରାଯିବା ଉଚିତ।
୨୦୧୮ରେ ତତ୍କାଳୀନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତଙ୍କ ସମୟରେ ଜଳସେଚନ ସମ୍ପତ୍ତି ବଣ୍ଟନ ପାଇଁ ୭୫:୨୫ ଅନୁପାତର ଏକ ପ୍ରସ୍ତାବ ମଧ୍ୟ ଆସିଥିଲା। ଏଥିରେ ଉତ୍ତରାଖଣ୍ଡକୁ ଅଧିକ ଅଂଶ ଦେବାକୁ ପ୍ରସ୍ତାବ ରହିଥିଲା।
୨୦୨୧ରେ ହୋଇଥିଲା ବୁଝାମଣା
୨୦୨୧ ନଭେମ୍ବରରେ ଯୋଗୀ ଆଦିତ୍ୟନାଥ ଓ ପୁଷ୍କର ସିଂହ ଧାମୀଙ୍କ ମଧ୍ୟରେ ହୋଇଥିବା ବୈଠକରେ ଉତ୍ତରାଖଣ୍ଡରେ ଥିବା ଉତ୍ତରପ୍ରଦେଶ ଜଳସେଚନ ବିଭାଗର ୫,୭୦୦ ହେକ୍ଟର ଜମି ଏବଂ ୧,୭୦୦ଟି କୋଠାର ମିଳିତ ସର୍ଭେ ପାଇଁ ସହମତି ହୋଇଥିଲା। ଉତ୍ତରପ୍ରଦେଶ ପାଇଁ ଉପଯୋଗୀ ସମ୍ପତ୍ତି ସେଠାରେ ରଖି ଅବଶିଷ୍ଟ ସମ୍ପତ୍ତି ଉତ୍ତରାଖଣ୍ଡକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ହୋଇଥିଲା।
ଏହି ବୁଝାମଣାରେ ଦୁଇ ରାଜ୍ୟ ମଧ୍ୟରେ କିଛି ଆର୍ଥିକ ବକେୟାର ସମାଧାନ, ହରିଦ୍ୱାରର ଅଲକନନ୍ଦା ଗେଷ୍ଟ ହାଉସ୍ ଏବଂ କିଚ୍ଛାର ଜମି ହସ୍ତାନ୍ତର ସହ ବିଚାରାଧୀନ ମାମଲା ପ୍ରତ୍ୟାହାର ପାଇଁ ମଧ୍ୟ ସହମତି ହୋଇଥିଲା। ବନବସା ଓ କିଚ୍ଛାର କ୍ଷତିଗ୍ରସ୍ତ ବ୍ୟାରେଜ୍ର ପୁନଃନିର୍ମାଣ ପାଇଁ ମଧ୍ୟ ଯୋଜନା ରହିଥିଲା।
ତେବେ ପାଞ୍ଚ ବର୍ଷ ପରେ ମଧ୍ୟ ଜମି ଓ ଜଳସେଚନ ସମ୍ପତ୍ତି ସମ୍ପର୍କିତ ଅନେକ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇନଥିବାରୁ ପୁଣି ଏହି ପ୍ରସଙ୍ଗ ଉଠିଛି।
ନିର୍ବାଚନ ପୂର୍ବରୁ କାହିଁକି ବଢ଼ିଲା ତତ୍ପରତା?
ଆଗାମୀ ବିଧାନସଭା ନିର୍ବାଚନ ଦୃଷ୍ଟିରୁ ଏହି ବିବାଦର ରାଜନୈତିକ ଗୁରୁତ୍ୱ ମଧ୍ୟ ରହିଛି। ଉତ୍ତରାଖଣ୍ଡରେ ଥିବା ଜମି ଓ ସମ୍ପତ୍ତି ଉପରେ ନିଜ ରାଜ୍ୟର ନିୟନ୍ତ୍ରଣ ରହିବା ଦାବି ଦୀର୍ଘଦିନର। ଅନ୍ୟପଟେ, ଉତ୍ତରପ୍ରଦେଶ ସରକାର ମଧ୍ୟ ନିଜ ପାଇଁ ଉପଯୋଗୀ ସମ୍ପତ୍ତି ସୁରକ୍ଷିତ ରଖିବା ସହ ଆର୍ଥିକ ଦାୟିତ୍ୱର ସମାଧାନ ଚାହୁଁଛି।
ଉଭୟ ରାଜ୍ୟରେ BJP ସରକାର ଥିବାରୁ ଏହି ଆଲୋଚନାକୁ ପ୍ରଶାସନିକ ସମନ୍ୱୟ ଓ ଦୀର୍ଘଦିନର ବିବାଦର ସମାଧାନ ଭାବେ ମଧ୍ୟ ଦେଖାଯାଉଛି। ତେବେ ୨୫ ବର୍ଷର ପୁରୁଣା ବିବାଦର କେତେ ଅଂଶ ଏଥର ସମାଧାନ ହେବ, ତାହା ଉପରେ ଏବେ ନଜର ରହିଛି।
ନୂଆଦିଲ୍ଲୀ:ଭାରତ ଓ ନେପାଳ ମଧ୍ୟରେ ବନ୍ଧୁତା ଓ ଦ୍ୱିପାକ୍ଷି...
ବାୟୁ ପ୍ରଦୂଷଣ ବଢ଼ୁଥିବା ସମୟରେ ଅନେକ ଲୋକ ଘର ଭିତରର ବାୟୁ...
ପୁରୀ: ନିଜର ଦୃଢ଼ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ ଅଧ୍ୟବସା...
କେରଳ: ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା କ୍ଷେ...
ଅନେକ ସମୟରେ ଭରପେଟ ଖାଇବା ପରେ ମଧ୍ୟ କିଛି ଲୋକଙ୍କୁ ଖୁବ୍...
ଲକ୍ଷ୍ନୌ:ଦେଶରେ ଚାକିରି ଓ ନିଯୁକ୍ତିର ଧାରା ବଦଳୁଛି। ଆଗାମ...
ନୂଆଦିଲ୍ଲୀ:ଭାରତ ଓ ନେପାଳ ମଧ୍ୟରେ ରେଳ ସଂଯୋଗ କ୍ଷେତ୍ରରେ...
ଦାମୀ ଫେସିଆଲ୍ ନୁହେଁ, ଘରେ ତିଆରି କରନ୍ତୁ ଏହି ଜୁସ୍! ଗାଜ...