ଚିକିତ୍ସା ବିଜ୍ଞାନ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଅପରେସନ୍ ଥିଏଟରର ଚିତ୍ର ମଧ୍ୟ ଆଗାମୀ ଦିନରେ ବଦଳିଯାଇପାରେ। ରୋବୋଟିକ୍ ଆର୍ମ, ଉନ୍ନତ କ୍ୟାମେରା ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଭଳି ପ୍ରଯୁକ୍ତି ଜଟିଳ ଅସ୍ତ୍ରୋପଚାରକୁ ନୂଆ ଦିଗ ଦେଉଛି।
ଏହାକୁ ନେଇ ଏବେ ଏକ ବଡ଼ ପ୍ରଶ୍ନ ଉଠୁଛି—ଭବିଷ୍ୟତରେ ହୃଦୟ ଅସ୍ତ୍ରୋପଚାର ମଣିଷ ଡାକ୍ତର କରିବେ ନା ରୋବୋଟ୍? ଏହାର ଉତ୍ତର ଦେଇ ଡାକ୍ତରମାନେ କହିଛନ୍ତି, ରୋବୋଟ୍ ଡାକ୍ତରଙ୍କ ସ୍ଥାନ ନେବ ନାହିଁ। ବରଂ ଡାକ୍ତରଙ୍କୁ ଅଧିକ ସଠିକତାର ସହ ଅସ୍ତ୍ରୋପଚାର କରିବାରେ ସହାୟତା କରିବ ।
SS Innovations International, Inc.ର ପ୍ରତିଷ୍ଠାତା, ଅଧ୍ୟକ୍ଷ ଓ CEO ଡା. ସୁଧୀର ଶ୍ରୀବାସ୍ତବ, ମେଦାନ୍ତା ଗୁରୁଗ୍ରାମର ରୋବୋଟିକ୍ ଓ ମିନିମାଲି ଇନଭେସିଭ୍ କାର୍ଡିଆକ୍ ସର୍ଜନ ଡା. ନୀତିନ କୁମାର ରାଜପୁତ ଏବଂ ମଣିପାଲ୍ ହସ୍ପିଟାଲ୍ ଜୟପୁରର ମୁଖ୍ୟ ହୃଦୟ ସର୍ଜନ ଡା. ଲଳିତ ମଲିକ ଏହି ପ୍ରଯୁକ୍ତିର ଭବିଷ୍ୟତ ଓ ଉପକାରିତା ବିଷୟରେ ନିଜ ମତ ରଖିଛନ୍ତି।
ପୂର୍ବରୁ ହୃଦୟରେ ବାଇପାସ୍ ସର୍ଜରୀ (CABG) କରିବା ପାଇଁ ଛାତିରେ ବଡ଼ କାଟ କରିବାକୁ ପଡ଼ୁଥିଲା। ଅନେକ କ୍ଷେତ୍ରରେ ଛାତିର ହାଡ଼କୁ ମଧ୍ୟ ଅଲଗା କରିବାକୁ ପଡ଼ୁଥିଲା। କିନ୍ତୁ ରୋବୋଟିକ୍ ସର୍ଜରୀ ଯୋଗୁଁ ଏବେ ପଞ୍ଜରା ହାଡ଼ ମଧ୍ୟରେ ଛୋଟ ଛୋଟ ଛିଦ୍ର କରି ଏଭଳି ଜଟିଳ ଅସ୍ତ୍ରୋପଚାର କରିବା ସମ୍ଭବ ହେଉଛି।
ଏଥିରେ ରୋବୋଟିକ୍ ଆର୍ମକୁ ରୋଗୀଙ୍କ ଛାତିର ଛୋଟ ଛିଦ୍ର ମାଧ୍ୟମରେ ପ୍ରବେଶ କରାଯାଏ। ଡାକ୍ତର ଏକ କନସୋଲ୍ରେ ବସି ଏହାକୁ ନିୟନ୍ତ୍ରଣ କରନ୍ତି। ଫଳରେ ଅଧିକ ସଠିକତାର ସହ ଅସ୍ତ୍ରୋପଚାର କରିବା ସହଜ ହୁଏ।
ଡା. ଶ୍ରୀବାସ୍ତବଙ୍କ କହିବା ଅନୁସାରେ, ଏହି ପଦ୍ଧତିରେ ଛାତି ଭିତରେ ଥିବା ଇଣ୍ଟରନାଲ୍ ମାମାରି ଆର୍ଟେରୀକୁ ବାଇପାସ୍ ପାଇଁ ବ୍ୟବହାର କରାଯାଇପାରେ। ଏହି ରକ୍ତନଳୀ ଦୀର୍ଘ ବର୍ଷ ଧରି ଖୋଲା ରହିପାରୁଥିବାରୁ ବାଇପାସ୍ ସର୍ଜରୀରେ ଏହାକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ।
ଛୋଟ କଟା ଯୋଗୁଁ ରୋଗୀ ଶୀଘ୍ର ସୁସ୍ଥ ହେବା ସହ ସାଧାରଣ ଜୀବନକୁ ଶୀଘ୍ର ଫେରିପାରନ୍ତି। ଆମେରିକାରେ ନିଜ ଅଭିଜ୍ଞତା ବିଷୟରେ କହି ଡା. ଶ୍ରୀବାସ୍ତବ କହିଛନ୍ତି, କିଛି ରୋଗୀ ଅସ୍ତ୍ରୋପଚାରର ୨୪ ଘଣ୍ଟା ମଧ୍ୟରେ ଡିସଚାର୍ଜ ହୋଇଥିବାବେଳେ ଅନେକ ରୋଗୀ ଦୁଇ ଦିନ ମଧ୍ୟରେ ଘରକୁ ଫେରିଥିଲେ।
ରୋବୋଟିକ୍ ହୃଦୟ ଅସ୍ତ୍ରୋପଚାରରେ ଏକ ନୂଆ ପଦକ୍ଷେପ ହେଉଛି ୫ଟି ଆର୍ମ ଏବଂ ଡୁଆଲ୍ କନସୋଲ୍ ବ୍ୟବସ୍ଥା। ପୂର୍ବରୁ ଅଧିକାଂଶ ରୋବୋଟିକ୍ ସିଷ୍ଟମ୍ରେ ଜଣେ ଡାକ୍ତର ୪ଟି ଆର୍ମକୁ ନିୟନ୍ତ୍ରଣ କରୁଥିଲେ। ଏହି କାରଣରୁ ଅପରେସନ୍ର ଅନେକ କାମ ଜଣେ ଡାକ୍ତରଙ୍କୁ ହିଁ କରିବାକୁ ପଡ଼ୁଥିଲା।
ନୂଆ ବ୍ୟବସ୍ଥାରେ ଦୁଇଜଣ ଡାକ୍ତର ଅଲଗା ଅଲଗା କନସୋଲ୍ରୁ ଏକାଠି ଅପରେସନ୍ରେ ଭାଗ ନେଇପାରିବେ। ଜଣେ ଡାକ୍ତର ୪ଟି ଆର୍ମ ନିୟନ୍ତ୍ରଣ କରୁଥିବାବେଳେ ଅନ୍ୟ ଡାକ୍ତର ପଞ୍ଚମ ଆର୍ମକୁ ନିୟନ୍ତ୍ରଣ କରି ସହାୟତା କରିପାରିବେ ।
ଟିସୁକୁ ଧରି ରଖିବା, ଅପରେସନ୍ ସ୍ଥାନକୁ ସ୍ପଷ୍ଟ କରିବା ଏବଂ ସିଲେଇ କାମରେ ଏହି ଅତିରିକ୍ତ ଆର୍ମ ସହାୟକ ହୋଇପାରିବ। ଫଳରେ ଜଟିଳ ଅସ୍ତ୍ରୋପଚାରକୁ ଅଧିକ ସହଜରେ କରିବା ସମ୍ଭାବନା ରହିଛି।
ରୋବୋଟିକ୍ ସର୍ଜରୀର ଅଗ୍ରଗତି ସତ୍ତ୍ୱେ ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି ଯେ ରୋବୋଟ୍ ନିଜେ ଅସ୍ତ୍ରୋପଚାର କରେ ନାହିଁ। ଏହା ଡାକ୍ତରଙ୍କ ନିୟନ୍ତ୍ରଣରେ କାମ କରୁଥିବା ଏକ ଉନ୍ନତ ଉପକରଣ ମାତ୍ର।
ଡା. ରାଜପୁତଙ୍କ ଅନୁସାରେ, ରୋବୋଟିକ୍ ସିଷ୍ଟମ୍ ଡାକ୍ତରଙ୍କ ହାତର ଗତିକୁ ରୋଗୀଙ୍କ ଶରୀର ଭିତରେ ଥିବା ଯନ୍ତ୍ରପାତି ମାଧ୍ୟମରେ ପହଞ୍ଚାଇଥାଏ। ଏହା ହାତର ସାମାନ୍ୟ କମ୍ପନକୁ କମାଇବା ସହ ଅପରେସନ୍ ସ୍ଥାନକୁ ବଡ଼ କରି ଦେଖାଇଥାଏ। ଫଳରେ ସୂକ୍ଷ୍ମ ଅସ୍ତ୍ରୋପଚାର ଅଧିକ ସଠିକତାର ସହ କରିବା ସମ୍ଭବ ହୁଏ।
ଏହି ପ୍ରକ୍ରିୟାରେ ପ୍ରାୟ ୮ରୁ ୧୦ ମିଲିମିଟର ଆକାରର ଛୋଟ ଛିଦ୍ର ମାଧ୍ୟମରେ ଯନ୍ତ୍ରପାତି ଛାତି ଭିତରକୁ ପ୍ରବେଶ କରାଯାଏ। ତେବେ ସବୁ ରୋଗୀଙ୍କ ପାଇଁ ରୋବୋଟିକ୍ ସର୍ଜରୀ ଉପଯୁକ୍ତ ନୁହେଁ। ରୋଗୀଙ୍କ ସ୍ୱାସ୍ଥ୍ୟ ଓ ଅବସ୍ଥା ଦେଖି ଡାକ୍ତର ନିଷ୍ପତ୍ତି ନେଇଥାନ୍ତି। କେତେକ କ୍ଷେତ୍ରରେ ପାରମ୍ପରିକ ବାଇପାସ୍ ସର୍ଜରୀ ହିଁ ଆବଶ୍ୟକ ହୋଇପାରେ ।
ରୋବୋଟିକ୍ ପ୍ରଯୁକ୍ତି ଯୋଗୁଁ ଭବିଷ୍ୟତରେ ଦୂରଦୂରାନ୍ତରେ ଥିବା ଡାକ୍ତରମାନେ ମଧ୍ୟ ଗୋଟିଏ ଅପରେସନ୍ରେ ଭାଗ ନେଇପାରିବେ। ଜଣେ ଡାକ୍ତର ଅପରେସନ୍ ଥିଏଟରରେ ଉପସ୍ଥିତ ଥିବାବେଳେ ଅନ୍ୟ ଜଣେ ଡାକ୍ତର ଅନ୍ୟ ସହରରେ ରହି ରୋବୋଟିକ୍ ଆର୍ମ ନିୟନ୍ତ୍ରଣ କରି ସହଯୋଗ କରିପାରିବେ ।
ଡା. ଶ୍ରୀବାସ୍ତବଙ୍କ କହିବା ଅନୁସାରେ, ତାଙ୍କ କମ୍ପାନୀ ଏପର୍ଯ୍ୟନ୍ତ ୩୦ରୁ ଅଧିକ କାର୍ଡିଆକ୍ ଟେଲିସର୍ଜରୀ କରିଛି। ଏହା ଦ୍ୱାରା ଭୌଗୋଳିକ ଦୂରତା ଥିଲେ ମଧ୍ୟ ବିଶେଷଜ୍ଞ ଡାକ୍ତରଙ୍କ ସହଯୋଗ ମିଳିବାର ସମ୍ଭାବନା ବଢ଼ିଛି।
ବିଶେଷକରି ଛୋଟ ସହରର ହସ୍ପିଟାଲ୍ଗୁଡ଼ିକରେ ଯେଉଁଠାରେ ସବୁବେଳେ ଅଭିଜ୍ଞ ହୃଦୟ ସର୍ଜନ୍ ଉପଲବ୍ଧ ନଥାନ୍ତି, ସେଠାରେ ଏହି ପ୍ରଯୁକ୍ତି ଉପକାରୀ ହୋଇପାରେ। ତେବେ ଏଭଳି ଅସ୍ତ୍ରୋପଚାରରେ ରୋଗୀଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେବା ଆବଶ୍ୟକ ।
ରୋବୋଟିକ୍ ସର୍ଜରୀର ବ୍ୟାପକ ବ୍ୟବହାର ପାଇଁ ସବୁଠାରୁ ବଡ଼ ପ୍ରତିବନ୍ଧକ ହେଉଛି ଏହାର ଖର୍ଚ୍ଚ। ଡା. ଶ୍ରୀବାସ୍ତବଙ୍କ କହିବା ଅନୁସାରେ, ଆମେରିକା ଭଳି ଦେଶ ତୁଳନାରେ ଭାରତରେ ରୋବୋଟିକ୍ ସର୍ଜରୀ ସିଷ୍ଟମ୍ର ସଂଖ୍ୟା କମ୍ ରହିଛି। ଏହାର ଏକ ପ୍ରମୁଖ କାରଣ ହେଉଛି ଏହି ଯନ୍ତ୍ରପାତିର ଅଧିକ ମୂଲ୍ୟ।
ତେବେ ଭାରତରେ ନିର୍ମିତ ରୋବୋଟିକ୍ ସିଷ୍ଟମ୍ ଏହି ଖର୍ଚ୍ଚ କମାଇବାରେ ସହାୟକ ହୋଇପାରେ। ଏହାଦ୍ୱାରା ହସ୍ପିଟାଲ୍ଗୁଡ଼ିକର ପ୍ରାରମ୍ଭିକ ନିବେଶ, ରକ୍ଷଣାବେକ୍ଷଣ ଓ ଅନ୍ୟାନ୍ୟ ଖର୍ଚ୍ଚ କମିବାର ସମ୍ଭାବନା ରହିଛି।
ଡା. ରାଜପୁତ କହିଛନ୍ତି, ଏହା ଟିୟର୍-୨ ଓ ଟିୟର୍-୩ ସହରର ହସ୍ପିଟାଲ୍ଗୁଡ଼ିକୁ ମଧ୍ୟ ରୋବୋଟିକ୍ ସର୍ଜରୀ ଆପଣାଇବାକୁ ଉତ୍ସାହିତ କରିପାରେ। ସରକାରୀ ହସ୍ପିଟାଲ୍ଗୁଡ଼ିକରେ ମଧ୍ୟ ଏଭଳି ସୁଲଭ ପ୍ରଯୁକ୍ତିର ଆବଶ୍ୟକତା ରହିଛି, କାରଣ ସେଠାକୁ ବହୁ ସଂଖ୍ୟାରେ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି।
ରୋବୋଟିକ୍ ପ୍ରଯୁକ୍ତି ଯେତେ ଉନ୍ନତ ହେଲେ ମଧ୍ୟ ମଣିଷ ଡାକ୍ତରଙ୍କ ଅଭିଜ୍ଞତା ଓ ନିଷ୍ପତ୍ତି ନେବାର କ୍ଷମତାର ବିକଳ୍ପ ନାହିଁ ବୋଲି ଡାକ୍ତରମାନେ ମତ ଦେଇଛନ୍ତି।
କେଉଁ ରୋଗୀଙ୍କୁ ଅସ୍ତ୍ରୋପଚାର ଆବଶ୍ୟକ, କେଉଁ ପଦ୍ଧତି ଉପଯୁକ୍ତ ଏବଂ ଅପରେସନ୍ ସମୟରେ କୌଣସି ଜଟିଳତା ଦେଖାଦେଲେ କିପରି ପଦକ୍ଷେପ ନିଆଯିବ—ଏସବୁ ନିଷ୍ପତ୍ତି ଡାକ୍ତରଙ୍କୁ ହିଁ ନେବାକୁ ପଡ଼ିଥାଏ।
ତେଣୁ ଭବିଷ୍ୟତରେ ରୋବୋଟ୍ ମଣିଷ ଡାକ୍ତରଙ୍କୁ ବଦଳାଇବା ଅପେକ୍ଷା ଡାକ୍ତରଙ୍କ କାମକୁ ଅଧିକ ସହଜ, ସଠିକ୍ ଓ ପ୍ରଭାବଶାଳୀ କରିବାରେ ସହାୟକ ହେବ। ଅର୍ଥାତ୍ ଅପରେସନ୍ ଥିଏଟରରେ ନିୟନ୍ତ୍ରଣ ରହିବ ଡାକ୍ତରଙ୍କ ହାତରେ, ରୋବୋଟ୍ କେବଳ ତାଙ୍କର ଏକ ଉନ୍ନତ ସହଯୋଗୀ ଭାବେ କାମ କରିବ ।
ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ନେଇ ଆକ୍ସନ୍ ମୋଡ୍‌ରେ...
କନ୍ଧମାଳ କାର୍ ଜଳି ମୃତ୍ୟୁ ଘଟଣାରେ ବଢ଼ୁଛି ରହସ୍ୟ! ପାଉଁଶ...
ନୂଆଦିଲ୍ଲୀ: ଶାନ୍ତି, ସ୍ୱାଧୀନତା ଓ ବିକାଶକୁ ପରସ୍ପରଠାରୁ...
ଟୋକିଓ: ଭାରତ ଓ ଜାପାନ ମଧ୍ୟରେ ପ୍ରତିରକ୍ଷା ଓ କୂଟନୈତିକ ସ...
ବାତ୍ୟା ‘ଅକଭାନ୍’ ପ୍ରଭାବରେ ଓଡ଼ିଶାରେ ବର୍ଷ...
ଜୟପୁର: ରାଜସ୍ଥାନରେ ହେବାକୁ ଥିବା ଜାତୀୟ ସାଂସ୍କୃତିକ ଓ ବ...
ଚେନ୍ନାଇ: ଶ୍ରୀଲଙ୍କାରେ LTTE ମୁଖ୍ୟ ଭେଲୁପିଲ୍ଲାଇ ପ୍ରଭାକ...
ବାତ୍ୟା ‘ଅକଭାନ୍’ ସମୟରେ ଯେପରି ମୋବାଇଲ୍ ଯୋ...