ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ନେଇ ଆକ୍ସନ୍ ମୋଡ୍ରେ ରାଜ୍ୟ ସରକାର। ବିଶେଷକରି ପୁରୀ ଜିଲ୍ଲାରେ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରତ୍ୟେକ ଜୀବନକୁ ସୁରକ୍ଷିତ ରଖିବା ସହ ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ କରିବାକୁ ସରକାର ଓ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି।
ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟେଲିଫୋନ୍ ଯୋଗେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସହ ସିଧାସଳଖ କଥା ହୋଇ ଜିଲ୍ଲାର ସ୍ଥିତି, ଲୋକଙ୍କ ସ୍ଥାନାନ୍ତରଣ ଓ ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।
ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ବାତ୍ୟା ଦ୍ୱାରା ବ୍ରହ୍ମଗିରି, କୃଷ୍ଣପ୍ରସାଦ ଓ ପୁରୀ ସଦର ଅଞ୍ଚଳ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହି ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଉପରେ ପ୍ରଶାସନ ସ୍ୱତନ୍ତ୍ର ନଜର ରଖିଛି।
ଜିଲ୍ଲାରେ ପ୍ରାୟ ୨୫ ହଜାର ଅସୁରକ୍ଷିତ ବର୍ଗର ଲୋକଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ ସୁଦ୍ଧା ପ୍ରାୟ ୪୦ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି।
ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ପାଇଁ ପାନୀୟ ଜଳ, ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ଓ ଗୋ-ଖାଦ୍ୟର ବ୍ୟବସ୍ଥା କରାଯାଇଛି। ଏଥିସହ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟସେବା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଦଳ ମଧ୍ୟ ମୁତୟନ ହୋଇଛନ୍ତି।
ବାତ୍ୟା ମୁକାବିଲାରେ ମାତୃ ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦେଇଛି ପ୍ରଶାସନ। ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୧୩ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଯାହାଦ୍ୱାରା ବାତ୍ୟା ସମୟରେ କୌଣସି ଜରୁରୀକାଳୀନ ସ୍ଥିତି ଉପୁଜିଲେ ସେମାନଙ୍କୁ ତୁରନ୍ତ ଚିକିତ୍ସା ସେବା ମିଳିପାରିବ।
ଅନ୍ୟପଟେ, ପୁରୀରେ ରହୁଥିବା ହବିଷ୍ୟାଳି ମା'ମାନଙ୍କ ସୁରକ୍ଷାକୁ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ବିଶେଷ ଭାବେ ପଚାରି ବୁଝିଛନ୍ତି।
ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ତିନୋଟି ହବିଷ୍ୟାଳି ଶିବିରରେ ରହୁଥିବା ସମସ୍ତ ମା' ସୁରକ୍ଷିତ ଓ ସୁସ୍ଥ ଅଛନ୍ତି। ସେମାନଙ୍କ ଆବଶ୍ୟକତା ପୂରଣ ଓ ସୁରକ୍ଷା ପାଇଁ ସ୍ୱତନ୍ତ୍ର ପ୍ରଶାସନିକ ଟିମ୍ ନିୟୋଜିତ ଅଛି।
ତେବେ ଭକ୍ତ ଓ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହବିଷ୍ୟାଳି ମା'ମାନଙ୍କ ଦର୍ଶନକୁ ସାମୟିକ ଭାବେ ବନ୍ଦ ରଖାଯାଇଛି।
ବାତ୍ୟା ସମୟରେ ଶ୍ରୀମନ୍ଦିର ପରିସର ଓ ପରିକ୍ରମା ମାର୍ଗର ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସମ୍ଭାବ୍ୟ ବର୍ଷା ଯୋଗୁଁ ଜଳ ଜମାଟ ସମସ୍ୟାର ତୁରନ୍ତ ସମାଧାନ ପାଇଁ ବିଭିନ୍ନ ସ୍ଥାନରେ ଉଚ୍ଚ କ୍ଷମତାସମ୍ପନ୍ନ ପମ୍ପ ଓ ବାଲି ବସ୍ତା ମହଜୁଦ ରଖାଯାଇଛି।
ବାତ୍ୟାକୁ ନେଇ କୌଣସି ପ୍ରକାର ଗୁଜବରେ ବିଶ୍ୱାସ ନକରିବାକୁ ପୁରୀ ଜିଲ୍ଲା ପ୍ରଶାସନ ଲୋକଙ୍କୁ ଅନୁରୋଧ କରିଛି। କେବଳ ପ୍ରଶାସନ ପକ୍ଷରୁ ଜାରି ହେଉଥିବା ସରକାରୀ ସତର୍କ ସୂଚନା ଓ ନିର୍ଦ୍ଦେଶାବଳୀକୁ ଅନୁସରଣ କରିବାକୁ କୁହାଯାଇଛି।
ଶୂନ୍ୟ ମୃତାହତ ଲକ୍ଷ୍ୟ ନେଇ ପୁରୀ ଜିଲ୍ଲା ପ୍ରଶାସନର ଏହି ପ୍ରସ୍ତୁତି ଜାରି ରହିଛି।
୩୦ ଲକ୍ଷର ସୁନା ବିସ୍କୁଟ ଚୋରି କରି ଲୁଟ୍‌ର ନାଟକ! ନ...
ଭାରତୀୟ ବ୍ୟାଡମିଣ୍ଟନ୍‌ରେ ଆଉ ଜଣେ ଯୁବ ପ୍ରତିଭାଙ୍କ...
ଜୟପୁର: ରାଜସ୍ଥାନରେ ହେବାକୁ ଥିବା ଜାତୀୟ ସାଂସ୍କୃତିକ ଓ ବ...
ନୂଆଦିଲ୍ଲୀ: ଶାନ୍ତି, ସ୍ୱାଧୀନତା ଓ ବିକାଶକୁ ପରସ୍ପରଠାରୁ...
ୱାଶିଂଟନ୍/ନ୍ୟୁୟର୍କ:ଜେଫ୍ରି ଏପଷ୍ଟିନ୍ଙ୍କ ରହସ୍ୟମୟ ମୃତ୍ୟ...
ନୂଆଦିଲ୍ଲୀ: କ୍ରିକେଟ୍ ମଇଦାନରେ ବାପାଙ୍କ ନାଁର ପରିଚୟ ନୁହ...
ବାଲେଶ୍ୱରରେ ବଡ଼ ଧରଣର ନିଶାଦ୍ରବ୍ୟ ଜବତ: ୧୦.୨୩ କେଜି ବ୍ର...
ୱେଲିଂଟନ୍‌: ଲୋକପ୍ରିୟ ନିଷ୍ପତ୍ତି ନୁହେଁ, ଠିକ୍ ନିଷ...