ମୁମ୍ବାଇ:ତାମିଲ ସିନେମାରେ ଅନେକ ସୁପରଷ୍ଟାର ଆସିଛନ୍ତି, କିନ୍ତୁ ଅଭିନୟରେ ବିଭିନ୍ନ ପରୀକ୍ଷାନିରୀକ୍ଷା କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତାଙ୍କ ମଧ୍ୟରେ ସୂର୍ଯ୍ୟାଙ୍କ ସ୍ଥାନ ସ୍ୱତନ୍ତ୍ର । ଦୀର୍ଘଦିନ ଧରି ଏକ ବଡ଼ ଥିଏଟର ହିଟ୍କୁ ଅପେକ୍ଷା କରିଥିବା ସୂର୍ଯ୍ୟାଙ୍କ ପାଇଁ ୨୦୨୬ ଏକ ସ୍ମରଣୀୟ ବର୍ଷ ପାଲଟିଛି । ଏହି ବର୍ଷ ତାଙ୍କର ତିନୋଟି ଫିଲ୍ମ ହିଟ୍ ହୋଇଛି। 'କରୁପ୍ପୁ' ଓ 'ବିଶ୍ୱନାଥ ଆଣ୍ଡ ସନ୍ସ' ପରେ ଏବେ ଦୀପାବଳିରେ ରିଲିଜ୍ ହୋଇଥିବା 'ସିନ୍' ମଧ୍ୟ ବକ୍ସ ଅଫିସରେ ଜବରଦସ୍ତ ସଫଳତା ହାସଲ କରିଛି ।
ଏହି ଫିଲ୍ମ ଓପନିଂ ଓ୍ୱିକେଣ୍ଡରେ ପ୍ରାୟ ୧୫୦ କୋଟି ଟଙ୍କା ଗ୍ରସ୍ ଆୟ କରିଛି । ତେବେ ଏହି ସଫଳତା କେବଳ ବକ୍ସ ଅଫିସ୍ ରେକର୍ଡ ମଧ୍ୟରେ ସୀମିତ ନୁହେଁ । ଏହା ସୂର୍ଯ୍ୟାଙ୍କ ଅଭିନୟ ଯାତ୍ରାରେ ଏକ ନୂଆ ଅଧ୍ୟାୟ ବୋଲି କୁହାଯାଉଛି ।
ସୂର୍ଯ୍ୟାଙ୍କ ଅଭିନୟ ଯାତ୍ରାକୁ ଦେଖିଲେ ତାଙ୍କର ବିଭିନ୍ନ ରୂପ ସାମ୍ନାକୁ ଆସେ। ୨୦୦୩ରେ 'କାକ୍କା କାକ୍କା' ଫିଲ୍ମରେ ଜଣେ ଗମ୍ଭୀର ପୋଲିସ ଅଧିକାରୀ ଭାବେ ସେ ଦର୍ଶକଙ୍କ ମନ ଜିଣିଥିଲେ। ୨୦୦୫ରେ 'ଗଜିନୀ'ରେ ସ୍ମୃତିଶକ୍ତି ହରାଇଥିବା ଜଣେ ପ୍ରତିଶୋଧପରାୟଣ ବ୍ୟକ୍ତି ଭାବେ ତାଙ୍କ ଅଭିନୟ ବେଶ୍ ପ୍ରଶଂସିତ ହୋଇଥିଲା ।
ସେହିପରି 'ପେରାଝଗନ୍'ରେ ଭିନ୍ନ ଶାରୀରିକ ଗଠନର ଚରିତ୍ର, '୭ ଆମ୍ ଅରିଭୁ'ରେ ଷଷ୍ଠ ଶତାବ୍ଦୀର ଜଣେ ବୌଦ୍ଧ ସନ୍ନ୍ୟାସୀ ଏବଂ 'ମାଟ୍ରାନ୍'ରେ ଯାଆଁଳା ଭାଇଙ୍କ ଭୂମିକାରେ ନଜର ଆସିଥିଲେ ସେ ।
୨୦୧୬ରେ '୨୪' ଫିଲ୍ମରେ ବୈଜ୍ଞାନିକ, ତାଙ୍କ ପୁଅ ଓ ଖଳନାୟକ ଭଳି ତିନୋଟି ଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ। 'ସୁରାରାଇ ପୋଟ୍ରୁ' ପାଇଁ ଜାତୀୟ ପୁରସ୍କାର ହାସଲ କରିଥିବା ସୂର୍ଯ୍ୟା 'ଜୟ ଭୀମ୍'ରେ ମଧ୍ୟ ନିଜର ଅଭିନୟର ଦମ୍ ଦେଖାଇଥିଲେ ।
ଅନ୍ୟପଟେ 'ସିଙ୍ଗମ୍' ସିରିଜ୍ରେ ଜଣେ ଦମ୍ଦାର ପୋଲିସ ଅଧିକାରୀ ଭାବେ ତାଙ୍କର ଲୋକପ୍ରିୟତା ବଢ଼ିଥିଲା। ଏହା ବ୍ୟତୀତ 'ବିକ୍ରମ' ଫିଲ୍ମରେ ରୋଲେକ୍ସ ଭାବେ ମାତ୍ର କିଛି ମିନିଟ୍ର ଅଭିନୟ ମଧ୍ୟ ଦର୍ଶକଙ୍କ ମନରେ ଗଭୀର ପ୍ରଭାବ ପକାଇଥିଲା ।
ସୂର୍ଯ୍ୟାଙ୍କ ନୂଆ ଫିଲ୍ମ 'ସିନ୍'ର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏଥିରେ ସେ ନିଜର ପୁରୁଣା ମାସ୍ ହିରୋ ଇମେଜ୍କୁ ନିଜେ ମଜାକ କରିଛନ୍ତି ।
ତାମିଲ ଭାଷାରେ 'ସିନ୍ ପୋଡୁ'ର ଅର୍ଥ ହେଉଛି ଦେଖାଇବା, ଆଡ଼ମ୍ବର କରିବା କିମ୍ବା ନିଜକୁ ବଡ଼ କରି ଦେଖାଇବା। ଫିଲ୍ମର ନାମ ମଧ୍ୟ ଏହି ଧାରଣାକୁ ନେଇ ରଖାଯାଇଛି ।
ଜିଥୁ ମାଧବନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସୂର୍ଯ୍ୟା ଇନ୍ବରାଜ ନାମକ ଜଣେ ଡିଏସ୍ପିଙ୍କ ଭୂମିକାରେ ଅଭିନୟ କରିଛନ୍ତି। କିନ୍ତୁ ସେ ସାଧାରଣ ଫିଲ୍ମର ହିରୋଙ୍କ ଭଳି ସବୁବେଳେ ଆକ୍ସନ୍ କରୁନାହାନ୍ତି । ବରଂ ସେ ଜଣେ ଶାନ୍ତ, ଆରାମପ୍ରିୟ ଏବଂ କେତେବେଳେ ନିଜ କାମରେ ଅନ୍ୟମନସ୍କ ରହୁଥିବା ପୋଲିସ ଅଧିକାରୀ ଭାବେ ନଜର ଆସିଛନ୍ତି ।
ଫିଲ୍ମରେ ଏକ ଦୃଶ୍ୟରେ ତାଙ୍କ ସହକର୍ମୀମାନେ ଅପରାଧୀଙ୍କ ତଦନ୍ତ କରୁଥିବା ବେଳେ ସେ ରିଲ୍ସ ଦେଖିବାରେ ବ୍ୟସ୍ତ ରହୁଛନ୍ତି । ଆଉ ଏକ ଦୃଶ୍ୟରେ ବଡ଼ ଆକ୍ସନ୍ ସିନ୍ର ଦାୟିତ୍ୱ ଅଭିନେତ୍ରୀ ନଜରିଆଙ୍କ ଚରିତ୍ର ମାୟାଙ୍କୁ ଦେଇ ସେ ପଛରେ ରହିଯାଉଛନ୍ତି ।
ଏହିଭଳି ଦୃଶ୍ୟ ମାଧ୍ୟମରେ ଫିଲ୍ମଟି ପାରମ୍ପରିକ ମାସ୍ ହିରୋ ଇମେଜ୍କୁ ନୂଆ ଢଙ୍ଗରେ ଉପସ୍ଥାପନ କରିଛି । ସୂର୍ଯ୍ୟାଙ୍କ କମେଡି ଟାଇମିଂ ଓ ସ୍ୱାଭାବିକ ଅଭିନୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି ।
ଆହୁରି ପଢନ୍ତୁ: ବକ୍ସ ଅଫିସରେ 'ରାମାୟଣ'ର ରେକର୍ଡ ବ୍ରେକ୍! ୫ ଦିନରେ ୬୬୩ କୋଟି ଆୟ, 'ଧୁରନ୍ଧର-୨'କୁ ପଛରେ ପକାଇଲା
ଫିଲ୍ମର ଦ୍ୱିତୀୟ ଭାଗରେ ସୂର୍ଯ୍ୟାଙ୍କ ପୁରୁଣା ହିଟ୍ ଫିଲ୍ମଗୁଡ଼ିକର ଝଲକ ଦେଖିବାକୁ ମିଳିଛି । 'ଗଜିନୀ' ଓ 'କାକ୍କା କାକ୍କା' ଭଳି ଫିଲ୍ମକୁ ନେଇ ଛୋଟ ଛୋଟ ସନ୍ଦର୍ଭ ରହିଛି ।
ଏହାସହ 'ସିଙ୍ଗମ୍' ଫିଲ୍ମର ଲୋକପ୍ରିୟ ଡାଏଲଗ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି । ଏହି ସବୁ ଦୃଶ୍ୟ ପୁରୁଣା ଦର୍ଶକଙ୍କୁ ସୂର୍ଯ୍ୟାଙ୍କ ଫିଲ୍ମି ଯାତ୍ରାର ସ୍ମୃତି ମନେ ପକାଇଦେଉଛି ।
ଏହା କେବଳ ପୁରୁଣା ଫିଲ୍ମର ଦୃଶ୍ୟକୁ ପୁଣି ଦେଖାଇବା ନୁହେଁ, ବରଂ ସେହି ଚରିତ୍ରଗୁଡ଼ିକୁ ହାସ୍ୟରସ ସହିତ ନୂଆ ଭାବେ ଉପସ୍ଥାପନ କରିବାର ଏକ ପ୍ରୟାସ ।
'ସିନ୍'କୁ ନେଇ ଦର୍ଶକଙ୍କ ଉତ୍ସାହ ଅଧିକ ଥିଲେ ମଧ୍ୟ ଫିଲ୍ମଟି ସମ୍ପୂର୍ଣ୍ଣ ତ୍ରୁଟିମୁକ୍ତ ନୁହେଁ । ପ୍ରଥମ ଭାଗରେ କାହାଣୀ ନିଜର ଗତି ଧରିବାକୁ କିଛି ସମୟ ନେଇଛି। ଆହୁରି ଟାଇଟ୍ ସ୍କ୍ରିପ୍ଟ ହୋଇଥିଲେ ଫିଲ୍ମଟି ଅଧିକ ଭଲ ହୋଇପାରିଥାନ୍ତା ।
ତଥାପି ସୂର୍ଯ୍ୟାଙ୍କ ଅଭିନୟ, ତାଙ୍କର କମେଡି ଟାଇମିଂ ଏବଂ ସୁଶିନ୍ ଶ୍ୟାମଙ୍କ ସଙ୍ଗୀତ ଫିଲ୍ମକୁ ଆକର୍ଷଣୀୟ କରିଛି ।
ବଡ଼ ସୁପରଷ୍ଟାର ହେବା ପରେ ଅନେକ ଅଭିନେତା ନିଜର ହିରୋ ଇମେଜ୍କୁ ବଞ୍ଚାଇ ରଖିବା ପାଇଁ ଚେଷ୍ଟା କରନ୍ତି । କିନ୍ତୁ ସୂର୍ଯ୍ୟା ସେହି ଧାରାରୁ ଅଲଗା । 'ସୁରାରାଇ ପୋଟ୍ରୁ' ଓ 'ଜୟ ଭୀମ୍' ଭଳି ଫିଲ୍ମରେ ସେ କାହାଣୀକୁ ନିଜ ଷ୍ଟାରଡମ୍ଠାରୁ ଅଧିକ ଗୁରୁତ୍ୱ ଦେଇଥିଲେ ।
ଏବେ 'ସିନ୍'ରେ ମଧ୍ୟ ସେ ନିଜକୁ ଜଣେ ହାସ୍ୟରସପୂର୍ଣ୍ଣ, ସାଧାରଣ ଏବଂ ମଜାଦାର ଚରିତ୍ରରେ ଉପସ୍ଥାପନ କରିଛନ୍ତି । ଏଠାରେ ସେ ସବୁବେଳେ ନାୟକ ଭାବେ ନିଜର ପ୍ରଭାବ ଦେଖାଇବାକୁ ଚେଷ୍ଟା କରିନାହାନ୍ତି। ବରଂ ଅନ୍ୟ କଳାକାରଙ୍କୁ ମଧ୍ୟ ନିଜର ପ୍ରତିଭା ଦେଖାଇବାର ସୁଯୋଗ ଦେଇଛନ୍ତି ।
ତେଣୁ 'ସିନ୍'କୁ କେବଳ ସୂର୍ଯ୍ୟାଙ୍କ ଆଉ ଏକ ବକ୍ସ ଅଫିସ୍ ହିଟ୍ ଭାବେ ଦେଖିବା ଠିକ୍ ହେବ ନାହିଁ । ଦୀର୍ଘ ଦୁଇ ଦଶନ୍ଧି ଧରି ଭିନ୍ନ ଭିନ୍ନ ଚରିତ୍ରରେ ପରୀକ୍ଷା କରି ଆସୁଥିବା ଏହି ଅଭିନେତା ପୁଣିଥରେ ନିଜର ପୁରୁଣା ଯାଦୁକୁ ଫେରାଇ ଆଣିଛନ୍ତି ।
ନୂଆଦିଲ୍ଲୀ: ଦିଲ୍ଲୀ-NCRରେ ବାୟୁ ପ୍ରଦୂଷଣ ସ୍ଥିତିକୁ ନେଇ...
ଦୀପାବଳି ପରେ ଖସିବ ରାତି ତାପମାତ୍ରା ଭୁବନେଶ୍ୱର: ଦୀପା...
ବିଶ୍ୱ ବଜାରରେ ଅଶୋଧିତ ତୈଳ ଦରକୁ ନେଇ ଆସିଛି ବଡ଼ ଖବର। ଆମ...
ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ମୂଲ୍ୟବାନ କମ୍ପାନୀଗୁଡ଼ିକ ମ...
ଶୀତଦିନ ଆସିବା ସହ ଏବେ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧିକୁ ନେଇ...
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ପୁଣି ଚି...
ବେଙ୍ଗାଲୁରୁ: ବିଶ୍ୱର ଦୁଇଟି ବଡ଼ ମଦ ବଜାର ଆମେରିକା ଓ ଚୀନ...
ଶ୍ରୀନଗର: ଜମ୍ମୁ-କଶ୍ମୀରରେ ମସଜିଦ୍‌ଗୁଡ଼ିକରେ ଶୁକ୍ର...