ଲଣ୍ଡନ୍: ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ନୂଆ ପଦକ୍ଷେପ ନେବାକୁ ଯାଉଛି ବ୍ରିଟେନ୍ ସରକାର । ମୁସଲିମ୍ ଛାତ୍ରଛାତ୍ରୀଙ୍କ ପାଇଁ ଶରିଆ ନୀତି ଅନୁସାରେ ସୁଧମୁକ୍ତ ଶିକ୍ଷା ଋଣ ବ୍ୟବସ୍ଥା ଆଣିବାକୁ ଯୋଜନା କରାଯାଉଛି। ଏହି ନୂଆ ଯୋଜନାର ନାମ ହେଉଛି Alternative Student Finance। ବ୍ରିଟେନ୍ର ଅନେକ ପ୍ରମୁଖ ବିଶ୍ୱବିଦ୍ୟାଳୟ ଏବେଠାରୁ ଏହା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସୂଚନା ଦେବା ଆରମ୍ଭ କରିଛନ୍ତି।
'ଦି ଟେଲିଗ୍ରାଫ୍'ର ରିପୋର୍ଟ ଅନୁସାରେ, ଇସଲାମୀୟ ଶରିଆ ନୀତିରେ ସୁଧ ନେବା ଓ ଦେବାକୁ ନିଷେଧ କରାଯାଇଛି। ଏହି କାରଣରୁ କିଛି ମୁସଲିମ୍ ଛାତ୍ରଛାତ୍ରୀ ପାରମ୍ପରିକ ଶିକ୍ଷା ଋଣ ନେବାକୁ ଅନିଚ୍ଛା ପ୍ରକାଶ କରୁଥିଲେ । ସେମାନଙ୍କ ଏହି ସମସ୍ୟାର ସମାଧାନ ପାଇଁ ସରକାର ଏକ ବିକଳ୍ପ ଋଣ ବ୍ୟବସ୍ଥା ଆଣିବାକୁ ଯାଉଛନ୍ତି।
୨୦୨୬-୨୭ ଶିକ୍ଷାବର୍ଷରୁ ଏହି ଯୋଜନା ଆରମ୍ଭ ହୋଇପାରେ। ତେବେ ବ୍ରିଟେନ୍ର ଶିକ୍ଷା ବିଭାଗ (Department for Education) ପକ୍ଷରୁ ଏପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଶୁଭାରମ୍ଭ ତାରିଖ ଘୋଷଣା କରାଯାଇନାହିଁ ।
ପାରମ୍ପରିକ ଶିକ୍ଷା ଋଣରେ ଛାତ୍ରଛାତ୍ରୀଙ୍କୁ ମୂଳ ଋଣ ସହ ସୁଧ ମଧ୍ୟ ପରିଶୋଧ କରିବାକୁ ପଡ଼ିଥାଏ। କିନ୍ତୁ ନୂଆ Alternative Student Finance ଯୋଜନାରେ ସୁଧ ବଦଳରେ ଛାତ୍ରଛାତ୍ରୀଙ୍କୁ ଏକ ନିର୍ଦ୍ଦିଷ୍ଟ ଅବଦାନ (Contribution) ଦେବାକୁ ପଡ଼ିବ ।
ଏହି ବ୍ୟବସ୍ଥା ଇସଲାମୀୟ ଅର୍ଥନୀତିର 'ତକାଫୁଲ୍' (Takaful) ନୀତି ଉପରେ ଆଧାରିତ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ପାରସ୍ପରିକ ସହଯୋଗ ଓ ଆର୍ଥିକ ସହଭାଗିତା ।
ଏହି ଯୋଜନାରେ ଛାତ୍ରଛାତ୍ରୀ ଯେଉଁ ଅର୍ଥ ପରିଶୋଧ କରିବେ, ତାହା ପାରମ୍ପରିକ ଶିକ୍ଷା ଋଣରେ ପରିଶୋଧ କରିବାକୁ ଥିବା ଅର୍ଥ ସହ ସମାନ ରହିବାକୁ ଯୋଜନା କରାଯାଇଛି। ତେବେ ଏଠାରେ ଏକ ବଡ଼ ପାର୍ଥକ୍ୟ ରହିଛି।
ପାରମ୍ପରିକ ଋଣରୁ ମିଳୁଥିବା ସୁଧ ଓ ପରିଶୋଧ ଅର୍ଥ ସରକାରୀ ଆର୍ଥିକ ବ୍ୟବସ୍ଥାକୁ ଯାଉଥିବା ବେଳେ, ନୂଆ ଯୋଜନାରେ ଛାତ୍ରଛାତ୍ରୀଙ୍କ ଅବଦାନକୁ ପୃଥକ୍ ଭାବେ ରଖାଯିବ। ଏହି ଅର୍ଥ ଭବିଷ୍ୟତରେ ଏହି ଯୋଜନାରେ ଶିକ୍ଷା ଋଣ ନେଉଥିବା ଅନ୍ୟ ଛାତ୍ରଛାତ୍ରୀଙ୍କୁ ସହାୟତା କରିବାରେ ବ୍ୟବହାର ହେବ ।
ଏହି ଯୋଜନା କେବଳ ମୁସଲିମ୍ ଛାତ୍ରଛାତ୍ରୀଙ୍କ ପାଇଁ ସୀମିତ ରହିବ ନାହିଁ। ଯେକୌଣସି ଧର୍ମର ଛାତ୍ରଛାତ୍ରୀ ଏଥିରେ ଆବେଦନ କରିପାରିବେ । ତେବେ ପାରମ୍ପରିକ ଶିକ୍ଷା ଋଣ ତୁଳନାରେ ଏଥିରେ କୌଣସି ଆର୍ଥିକ ରିହାତି କିମ୍ବା ବିଶେଷ ସୁବିଧା ମିଳିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।
ବ୍ରିଟେନ୍ର ଅନେକ ପ୍ରମୁଖ ବିଶ୍ୱବିଦ୍ୟାଳୟ ଏହି ନୂଆ ଋଣ ବ୍ୟବସ୍ଥା ସମ୍ପର୍କରେ ନିଜ ନିଜ ୱେବସାଇଟ୍ରେ ସୂଚନା ଦେଇଛନ୍ତି।
University of Bristol: ଏହାକୁ ଇସଲାମୀୟ ଅର୍ଥନୀତି ନୀତି ସହ ସମନ୍ୱିତ ସୁଧମୁକ୍ତ ସରକାରୀ ଶିକ୍ଷା ଋଣ ବୋଲି ବର୍ଣ୍ଣନା କରିଛି।
University of Leeds: ୨୦୨୬-୨୭ ଶିକ୍ଷାବର୍ଷରେ ଏହି ଋଣ ଉପଲବ୍ଧ ହୋଇପାରେ ବୋଲି ସୂଚନା ଦେଇଛି।
University College London: ଏହି ଋଣ ସୁଧ ଆଧାରିତ ହେବ ନାହିଁ ବୋଲି କହିଛି।
Newcastle University: ଏହାକୁ ସୁଧମୁକ୍ତ ଓ ଶରିଆ ଅନୁକୂଳ ଆର୍ଥିକ ବ୍ୟବସ୍ଥା ବୋଲି ଉଲ୍ଲେଖ କରିଛି।
De Montfort University: ଧାର୍ମିକ କାରଣରୁ ସୁଧଯୁକ୍ତ ଋଣ ନେଇପାରୁନଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହାକୁ ଏକ ବିକଳ୍ପ ବୋଲି କହିଛି।
ଇସଲାମୀୟ ଧାର୍ମିକ ନିୟମ ଅନୁସାରେ ସୁଧ ନେବା ଓ ଦେବାକୁ 'ରିବା' (Riba) କୁହାଯାଏ ଏବଂ ଏହା ନିଷିଦ୍ଧ। ଏହି କାରଣରୁ ବ୍ରିଟେନ୍ର କିଛି ମୁସଲିମ୍ ଛାତ୍ରଛାତ୍ରୀ ପାରମ୍ପରିକ ଶିକ୍ଷା ଋଣ ନେବାକୁ ଧାର୍ମିକ ଦୃଷ୍ଟିରୁ ଅନୁଚିତ ମନେ କରୁଥିଲେ ।
୨୦୨୧ରେ ପ୍ରାୟ ୩୯ ହଜାର ବ୍ରିଟିଶ୍ ମୁସଲିମ୍ଙ୍କୁ ନେଇ ହୋଇଥିବା ଏକ ସର୍ଭେରେ ୮୦ ପ୍ରତିଶତ ଛାତ୍ରଛାତ୍ରୀ ପାରମ୍ପରିକ ଶିକ୍ଷା ଋଣ ନେବାକୁ ନେଇ ଦ୍ୱନ୍ଦ୍ୱରେ ଥିବା କହିଥିଲେ। ସେହିପରି ୭୧ ପ୍ରତିଶତ ଛାତ୍ରଛାତ୍ରୀ ମତ ଦେଇଥିଲେ ଯେ, ବର୍ତ୍ତମାନର ଋଣ ବ୍ୟବସ୍ଥା ମୁସଲିମ୍ମାନଙ୍କ ପ୍ରତି ଅନୁକୂଳ ନୁହେଁ ।
ତେବେ ସମସ୍ତ ଇସଲାମୀୟ ଧର୍ମଗୁରୁ ପାରମ୍ପରିକ ଶିକ୍ଷା ଋଣକୁ ନିଷିଦ୍ଧ ବୋଲି ମାନନ୍ତି ନାହିଁ। କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ଏହି ଋଣ ବ୍ୟବସ୍ଥାକୁ ବ୍ରିଟେନ୍ର ଫତୱା କାଉନସିଲ୍ ସମର୍ଥନ କରିଥିବା ଉଲ୍ଲେଖ କରାଯାଇଛି।
ସୁଧମୁକ୍ତ ଶିକ୍ଷା ଋଣ ଯୋଜନାକୁ ନେଇ ବ୍ରିଟେନ୍ରେ ରାଜନୈତିକ ବିବାଦ ମଧ୍ୟ ଆରମ୍ଭ ହୋଇଛି। କିଛି ବିରୋଧୀ ନେତାଙ୍କ ମତରେ, ଧର୍ମ ଆଧାରରେ ପୃଥକ୍ ଆର୍ଥିକ ବ୍ୟବସ୍ଥା ଆଣିବା ଦ୍ୱାରା ସମାଜରେ ବିଭାଜନ ବଢ଼ିପାରେ ।
ରିଫର୍ମ ୟୁକେର ଶିକ୍ଷା ମୁଖପାତ୍ର ସୁଏଲା ବ୍ରାଭରମ୍ୟାନ୍ ଏହି ଯୋଜନାକୁ 'ଦୁଇ ସ୍ତରୀୟ ବ୍ୟବସ୍ଥା' ବୋଲି ସମାଲୋଚନା କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ଏଭଳି ଯୋଜନା ବ୍ରିଟେନ୍ରେ ସମାନ ଶିକ୍ଷା ବ୍ୟବସ୍ଥା ପରିବର୍ତ୍ତେ ପୃଥକ୍ ବ୍ୟବସ୍ଥା ସୃଷ୍ଟି କରିପାରେ ।
ଅନ୍ୟପଟେ ବ୍ରିଟେନ୍ ସରକାର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସରକାରଙ୍କ କହିବା ଅନୁସାରେ, ଏହି ଯୋଜନାର ଉଦ୍ଦେଶ୍ୟ କୌଣସି ଧର୍ମକୁ ବିଶେଷ ସୁବିଧା ଦେବା ନୁହେଁ। ବରଂ ଧାର୍ମିକ କାରଣରୁ ପାରମ୍ପରିକ ଋଣ ନେବାକୁ ଅନିଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷାର ସୁଯୋଗ ଦେବା ଏହାର ଲକ୍ଷ୍ୟ ।
ସରକାର ଏହି ଯୋଜନା ପ୍ରସ୍ତୁତ କରିବା ପାଇଁ Islamic Finance Council UKକୁ ୩ ଲକ୍ଷ ୬୫ ହଜାର ପାଉଣ୍ଡରୁ ଅଧିକ ଅର୍ଥ ଦେଇଥିବା ରିପୋର୍ଟରେ କୁହାଯାଇଛି। ତେବେ ଋଣର ଏକ ଅଂଶ ପରିଶୋଧ ନହେଲେ ସରକାରଙ୍କ ଉପରେ ଆର୍ଥିକ ବୋଝ ପଡ଼ିବାର ଆଶଙ୍କା ମଧ୍ୟ ରହିଛି ।
ଏବେ ଏହି ଯୋଜନା କେବେ ଆରମ୍ଭ ହେବ ଏବଂ ବ୍ରିଟେନ୍ର ଉଚ୍ଚଶିକ୍ଷା ବ୍ୟବସ୍ଥାରେ କେତେ ପରିବର୍ତ୍ତନ ଆଣିବ, ତାହା ଉପରେ ନଜର ରହିଛି ।
ଦୀପାବଳିର ଆଲୋକ ଓ ଉତ୍ସବ ମଧ୍ୟରେ ତାମିଲନାଡୁରେ ଖେଳିଯାଇଛି...
ଗଜପତି: ମଦ ବ୍ୟବସାୟକୁ କେନ୍ଦ୍ର କରି ବଚସା ଓ ପରେ ହତ୍ୟା ସ...
ଭୁବନେଶ୍ୱର/ବାଲେଶ୍ୱର: ଲାଞ୍ଚ ଅଭିଯୋଗରେ ଭିଜିଲାନ୍ସ ହାତରେ...
ନୂଆଦିଲ୍ଲୀ: ବାବ୍ରି ମସଜିଦ୍ ବିବାଦରୁ ବାଟଲା ହାଉସ୍ ଏନକାଉ...
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଆୟୋଜିତ ହେବାକୁ ଯାଉଛି ପଶ୍ଚିମ...
ନୂଆଦିଲ୍ଲୀ: ଜେଜେବାପାଙ୍କ ସମ୍ପତ୍ତିରେ ନାତିଙ୍କର କେତେ ଅଧ...
ନୂଆଦିଲ୍ଲୀ: ଡାକ୍ତର ହେବାର ସ୍ୱପ୍ନ ଦେଖୁଥିବା NEET ଉତ୍ତୀ...
ବେଆଇନ ତମାଖୁ ଓ ନିଷିଦ୍ଧ ଇ-ସିଗାରେଟ୍ ବିକ୍ରି ଉପରେ ପୋଲିସ...