ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଆୟୋଜିତ ହେବାକୁ ଯାଉଛି ପଶ୍ଚିମ ଉତ୍ତରପ୍ରଦେଶର ପ୍ରସିଦ୍ଧ ‘ମିନି କୁମ୍ଭ’ ମେଳା। ଗଢ଼ମୁକ୍ତେଶ୍ୱରର କାର୍ତ୍ତିକ ପୂର୍ଣ୍ଣିମା ଗଙ୍ଗାସ୍ନାନ ମେଳା ଏବଂ ତିଗ୍ରୀ ମେଳାରେ ପ୍ରାୟ ୩୦ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବା ଆଶା କରାଯାଉଛି । ଏହାକୁ ନଜରରେ ରଖି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ବୈଠକ କରି ମେଳାର ସମସ୍ତ ପ୍ରସ୍ତୁତି ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନଭେମ୍ବର ୧୭ରୁ ୨୬ ପର୍ଯ୍ୟନ୍ତ ଏହି ମେଳା ଚାଲିବାକୁ ଥିବାବେଳେ ନଭେମ୍ବର ୨୪ରେ ମୁଖ୍ୟ ଗଙ୍ଗାସ୍ନାନ ଅନୁଷ୍ଠିତ ହେବ ।
ମେରଠ, ବରେଲି, ଅମରୋହା, ହାପୁଡ଼, ମୁରାଦାବାଦ ସମେତ ବିଭିନ୍ନ ଜିଲ୍ଲାର ପ୍ରଶାସନିକ ଓ ପୋଲିସ ଅଧିକାରୀ ଏହି ବୈଠକରେ ଯୋଗ ଦେଇଥିଲେ ।
ସୁରକ୍ଷା ଓ ପରିମଳ ଉପରେ ଗୁରୁତ୍ୱ
ମେଳା ଅଞ୍ଚଳରେ ଶାନ୍ତିଶୃଙ୍ଖଳା ରକ୍ଷା ସହ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ପୋଲିସ ମୁତୟନ କରିବାକୁ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ମହିଳା ପୋଲିସ କର୍ମଚାରୀଙ୍କୁ ମଧ୍ୟ ସାମିଲ କରାଯିବ। ଏହାସହ ନଦୀର ଉଭୟ ପାର୍ଶ୍ୱରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (NDRF) ଓ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବଳ (SDRF) ଟିମ୍ ମୁତୟନ ହେବେ ।
ମେଳାରେ CCTV କ୍ୟାମେରା, ୱାଚ୍ ଟାୱାର, ପବ୍ଲିକ୍ ଆଡ୍ରେସ୍ ସିଷ୍ଟମ୍ ଓ ଅଗ୍ନିଶମ ଗାଡ଼ି ମୁତୟନ କରାଯିବ। ଏହାସହ ଟ୍ରାଫିକ୍ ନିୟନ୍ତ୍ରଣ, ପାର୍କିଂ ଓ ଯାତାୟାତ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ ।
ମେଳା ଅଞ୍ଚଳରେ ମଦ ଓ ନିଶାଦ୍ରବ୍ୟ ବିକ୍ରି ଉପରେ ସମ୍ପୂର୍ଣ୍ଣ ନିଷେଧ ଲଗାଇବାକୁ ମଧ୍ୟ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି । ଧାର୍ମିକ ଭାବନାକୁ ଆଘାତ ଦେବା ଭଳି କୌଣସି କାର୍ଯ୍ୟକଳାପକୁ ଅନୁମତି ନଦେବାକୁ ସେ କହିଛନ୍ତି ।
ଘାଟରେ ରହିବ ହସ୍ପିଟାଲ୍ ଓ ଆମ୍ବୁଲାନ୍ସ ବ୍ୟବସ୍ଥା
ଗଙ୍ଗାସ୍ନାନ ଘାଟରେ ପର୍ଯ୍ୟାପ୍ତ ପାଣି ଉପଲବ୍ଧ କରାଇବା ସହ ଆବଶ୍ୟକ ସ୍ଥାନରେ ନଦୀର ଜଳ ପ୍ରବାହକୁ ନିୟନ୍ତ୍ରଣ କରିବାକୁ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି । ପରିମଳ ବ୍ୟବସ୍ଥା ପାଇଁ ଅଧିକ ସଂଖ୍ୟାରେ ସଫେଇ କର୍ମଚାରୀ ନିୟୋଜିତ ହେବେ ।
ଶ୍ରଦ୍ଧାଳୁଙ୍କ ଚିକିତ୍ସା ପାଇଁ କମ୍ୟୁନିଟି ହେଲ୍ଥ ସେଣ୍ଟର (CHC) ସ୍ତରର ସୁବିଧା ଥିବା ଅସ୍ଥାୟୀ ହସ୍ପିଟାଲ୍ ନିର୍ମାଣ କରାଯିବ । ସେଠାରେ ଡାକ୍ତର, ମେଡିକାଲ୍ କର୍ମଚାରୀ, ଆମ୍ବୁଲାନ୍ସ ଓ ଜରୁରୀକାଳୀନ ସେବା ଉପଲବ୍ଧ ରହିବ । ଏହାସହ ପାନୀୟ ଜଳ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବାକୁ କୁହାଯାଇଛି ।
ସୋସିଆଲ୍ ମିଡିଆ ରିଲ୍ସ ଉପରେ କଟକଣା
ମେଳା ସମୟରେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀମାନେ ସୋସିଆଲ୍ ମିଡିଆ ପାଇଁ ରିଲ୍ସ ତିଆରି ନକରିବାକୁ ଯୋଗୀ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ମେଳା ପୂର୍ବରୁ ADG, IG, DIG ଓ SSP ସ୍ତରର ଅଧିକାରୀମାନେ ପୋଲିସ କର୍ମଚାରୀଙ୍କୁ ସୁରକ୍ଷା ଓ ଶୃଙ୍ଖଳା ସମ୍ପର୍କରେ ଆବଶ୍ୟକ ପରାମର୍ଶ ଦେବେ ।
ସୋସିଆଲ୍ ମିଡିଆରେ ଗୁଜବ ଓ ଭ୍ରମାତ୍ମକ ସୂଚନା ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ ସ୍ୱତନ୍ତ୍ର ଅଭିଯାନ ଚଳାଇବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଏହାସହ ମେଳା ଅଞ୍ଚଳରେ ବନ୍ୟଜନ୍ତୁ ଓ ଅସାମାଜିକ ତତ୍ତ୍ୱଙ୍କ ଉପରେ ନଜର ରଖାଯିବ। ଅଗ୍ନିଶମ ଗାଡ଼ି ପ୍ରସ୍ତୁତ ରହିବା ସହ କଣ୍ଟ୍ରୋଲ୍ ରୁମ୍ ୨୪ ଘଣ୍ଟା କାର୍ଯ୍ୟକ୍ଷମ ରହିବ ।
ଭକ୍ତିମୟ କାର୍ଯ୍ୟକ୍ରମ ସହ ଲେଜର ଓ ଡ୍ରୋନ୍ ଶୋ
ମେଳାରେ ଧାର୍ମିକ ଓ ସାଂସ୍କୃତିକ ପରିବେଶକୁ ଗୁରୁତ୍ୱ ଦେଇ ଶ୍ରୀମଦ୍ ଭାଗବତ କଥା, ରାସଲୀଳା, ରାମଲୀଳା ଓ ଭଗବାନ ଶିବଙ୍କୁ ନେଇ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ କହିଛନ୍ତି ଯୋଗୀ । ଏହାସହ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ଲେଜର ଶୋ ଓ ଡ୍ରୋନ୍ ଶୋ ଆୟୋଜନ କରାଯିବ ।
ଶ୍ରଦ୍ଧାଳୁଙ୍କ ଯାତାୟାତ ସୁବିଧା ପାଇଁ ଅତିରିକ୍ତ ବସ୍ ଚଳାଚଳ କରିବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ମୋଟାମୋଟି ଭାବେ ୩୦ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନକୁ ନଜରରେ ରଖି ଏହି ‘ମିନି କୁମ୍ଭ’ ମେଳାକୁ ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବାକୁ ଉତ୍ତରପ୍ରଦେଶ ସରକାର ପ୍ରସ୍ତୁତି ଚଳାଇଛନ୍ତି ।
ମୁମ୍ବାଇ:ତାମିଲ ସିନେମାରେ ଅନେକ ସୁପରଷ୍ଟାର ଆସିଛନ୍ତି, କି...
ଗଜପତି: ମଦ ବ୍ୟବସାୟକୁ କେନ୍ଦ୍ର କରି ବଚସା ଓ ପରେ ହତ୍ୟା ସ...
ମୁମ୍ବାଇ: ବଲିଉଡ୍‌ରେ ଏବେ ‘ରାମାୟଣ’ର...
ଫ୍ଲାଏ ଆଶ୍ ଟଙ୍କା ଆଦାୟକୁ ନେଇ ଗ୍ୟାଙ୍ଗୱାର୍ ଆଶଙ୍କା! ଗୁଳ...
୫ ଦିନରେ ୬୬୪ କୋଟି ଟଙ୍କା ଆୟ କଲା ‘ରାମାୟଣ’...
ଭୁବନେଶ୍ୱର/ବାଲେଶ୍ୱର: ଲାଞ୍ଚ ଅଭିଯୋଗରେ ଭିଜିଲାନ୍ସ ହାତରେ...
୧୨ ବର୍ଷୀୟା ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲା: ପୋଲିସ ଏନ...
ମୁମ୍ବାଇ:ଫିଲ୍ମ 'ରାମାୟଣ'ରେ ରାବଣ ଚରିତ୍ରରେ ନଜର...