ଭୁବନେଶ୍ୱର/ବାଲେଶ୍ୱର: ଲାଞ୍ଚ ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ORS ଅଧିକାରୀ ମନୀଷା ମିଶ୍ରଙ୍କ ବିରୋଧରେ ରାଜ୍ୟ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ବାଲେଶ୍ୱର ଜିଲ୍ଲା ବାଲିଆପାଳର ପୂର୍ବତନ ସବ୍-ରେଜିଷ୍ଟ୍ରାର ମନୀଷାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ପ୍ରୋବେସନ୍ ଅବଧି ଶେଷ ହେବା ପୂର୍ବରୁ ଲାଞ୍ଚ ମାମଲାରେ ଫସିବା ପରେ ତାଙ୍କ ବିରୋଧରେ ଏହି ପଦକ୍ଷେପ ନିଆଯାଇଛି।
ଭିଜିଲାନ୍ସ ସୂଚନା ଅନୁଯାୟୀ, ବାଲିଆପାଳ ଅଞ୍ଚଳର ଜଣେ ଜମି କ୍ରେତା ନିଜର ୦.୧୪ ଏକର ଜମିର ବିକ୍ରୟ ଦଲିଲ ରେଜିଷ୍ଟ୍ରି କରାଇବାକୁ ସବ୍-ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କ ନିକଟକୁ ଯାଇଥିଲେ। ଉକ୍ତ ଜମି ‘ବଜ୍ୟାପ୍ତି ସ୍ଥିତିବାନ’ ଶ୍ରେଣୀରେ ରେକର୍ଡ ହୋଇଥିଲା। ରାଜସ୍ୱ ବିଭାଗର ନିୟମ ଅନୁସାରେ ଏହି ଶ୍ରେଣୀର ଜମିକୁ ସ୍ଥିତିବାନ ଭାବେ ବିବେଚନା କରି ରେଜିଷ୍ଟ୍ରି କରାଯାଇପାରିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ଅଭିଯୋଗ ଅନୁସାରେ, ଜମି ରେଜିଷ୍ଟ୍ରି କରିବା ପାଇଁ ମନୀଷା ପ୍ରଥମେ ୧୦ ହଜାର ଟଙ୍କା ଦାବି କରିଥିଲେ। ଅଭିଯୋଗକାରୀ ଏତେ ଟଙ୍କା ଦେବାକୁ ଅସମର୍ଥତା ପ୍ରକାଶ କରିବା ପରେ ଶେଷରେ ୭ ହଜାର ଟଙ୍କାରେ କଥା ଛିଣ୍ଡିଥିବା କୁହାଯାଇଛି। ଏହାପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।
ଅଭିଯୋଗ ଆଧାରରେ ଭିଜିଲାନ୍ସ ଏକ ଯୋଜନାବଦ୍ଧ ଚଢ଼ଉ କରିଥିଲା। ନଭେମ୍ବର ୬ ତାରିଖରେ ମନୀଷା ଅଭିଯୋଗକାରୀଙ୍କଠାରୁ ୭ ହଜାର ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା।
ଏହି ଘଟଣାରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି। ଲାଞ୍ଚ ମାମଲା ସହିତ ଆୟଠାରୁ ଅଧିକ ସମ୍ପତ୍ତି ରହିଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ ପାଇଁ ତାଙ୍କ ସହ ସମ୍ପୃକ୍ତ ସ୍ଥାନରେ ଚଢ଼ଉ କରାଯାଇଥିଲା।
ମନୀଷା ମିଶ୍ର ୨୦୨୪ ମସିହାରେ ORS ଅଧିକାରୀ ଭାବେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ପ୍ରୋବେସନ୍ ଅବଧିରେ ତାଙ୍କୁ ବାଲିଆପାଳର ସବ୍-ରେଜିଷ୍ଟ୍ରାର ଭାବେ ଦାୟିତ୍ୱ ମିଳିଥିଲା। ଚାକିରିର ମାତ୍ର ଦୁଇ ବର୍ଷ ମଧ୍ୟରେ ଲାଞ୍ଚ ଅଭିଯୋଗରେ ଧରାପଡ଼ିବା ପରେ ଏବେ ରାଜ୍ୟ ସରକାର ତାଙ୍କୁ ସେବାରୁ ବରଖାସ୍ତ କରିଛନ୍ତି।
ଏହି ଘଟଣା ପରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ ବିଭାଗୀୟ କର୍ମଚାରୀଙ୍କୁ ଚିଠି ଲେଖି ସ୍ୱଚ୍ଛତା, ସଚ୍ଚୋଟତା ଓ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିବାକୁ ଆହ୍ୱାନ ଦେଇଥିଲେ।
♈ ମେଷ ରାଶି (Aries) ଏହି ସପ୍ତାହ ମେଷ ରାଶିର ବ୍ୟକ୍ତ...
ହାଇଦ୍ରାବାଦ: କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ସଂସଦୀୟ ଦଳର...
କଲ୍ଲାକୁରିଚି, ତାମିଲନାଡୁ: ତାମିଲନାଡୁରେ ଜଣେ ମହିଳା ଜିଲ୍...
କୋଲକାତା, ପଶ୍ଚିମବଙ୍ଗ: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍...
ଥିରୁବନନ୍ତପୁରମ୍: କେରଳରେ ବିଦ୍ୟୁତ୍ କିଣାକୁ ନେଇ ଚାଲିଥିବ...
ନୂଆଦିଲ୍ଲୀ: ଦେଶରେ ବାୟୁ ପ୍ରଦୂଷଣ ଏବେ ଏକ ଗମ୍ଭୀର ଜନସ୍ୱା...