ନୂଆଦିଲ୍ଲୀ: ଜେଜେବାପାଙ୍କ ସମ୍ପତ୍ତିରେ ନାତିଙ୍କର କେତେ ଅଧିକାର ରହିଛି? ବାପା ଉତ୍ତରାଧିକାର ସୂତ୍ରରେ ପାଇଥିବା ସମ୍ପତ୍ତିରେ ପୁଅ ଭାଗ ମାଗିପାରିବ କି? ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ପ୍ରଶ୍ନରେ ବଡ଼ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି ଯେ, ଜେଜେବାପାଙ୍କଠାରୁ ବାପା ଉତ୍ତରାଧିକାରରେ ପାଇଥିବା ସମ୍ପତ୍ତି ଉପରେ ନାତିଙ୍କର ଜନ୍ମଗତ ଅଧିକାର ନାହିଁ। ବାପା ଏହି ସମ୍ପତ୍ତିର ପୂର୍ଣ୍ଣ ମାଲିକ ହୋଇଥାନ୍ତି ଏବଂ ନିଜ ଇଚ୍ଛା ଅନୁସାରେ ଏହାର ପରିଚାଳନା କରିପାରିବେ ।
ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଅଗଷ୍ଟିନ୍ ଜର୍ଜ ମାସିହ ଓ ଜଷ୍ଟିସ୍ ସୁନିତା ଅଗ୍ରୱାଲଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ପ୍ରାୟ ୨୯ ବର୍ଷ ଧରି ଚାଲିଥିବା ଏକ ସମ୍ପତ୍ତି ବିବାଦର ଅନ୍ତ ଘଟାଇ ଜଣେ ପୁଅର ସମ୍ପତ୍ତି ବିଭାଜନ ଦାବିକୁ ଖାରଜ କରିଛନ୍ତି କୋର୍ଟ ।
ସୂଚନା ଅନୁସାରେ, ସମ୍ପୃକ୍ତ ବ୍ୟକ୍ତି ୧୯୯୭ ମସିହାରେ ନିଜ ବାପାଙ୍କ ସମ୍ପତ୍ତିରେ ଭାଗ ଦାବି କରି ମାମଲା ଦାୟର କରିଥିଲେ । ଏହି ସମ୍ପତ୍ତି ପୈତୃକ ବା ମିଳିତ ପରିବାରର ସମ୍ପତ୍ତି ବୋଲି ଦାବି କରି ସେ ଏହାର ବିଭାଜନ ଚାହିଁଥିଲେ। କିନ୍ତୁ ସୁପ୍ରିମକୋର୍ଟ ଏହି ଦାବିକୁ ଗ୍ରହଣ କରିନାହାନ୍ତି ।
ହିନ୍ଦୁ ଉତ୍ତରାଧିକାର ଆଇନର ଧାରା ୮ କ'ଣ କହୁଛି?
ସୁପ୍ରିମକୋର୍ଟ ହିନ୍ଦୁ ଉତ୍ତରାଧିକାର ଆଇନ, ୧୯୫୬ର ଧାରା ୮କୁ ଆଧାର କରି ଏହି ରାୟ ଦେଇଛନ୍ତି। ଏହି ଧାରା ଅନୁଯାୟୀ, ଜଣେ ହିନ୍ଦୁ ପୁରୁଷ ବିନା ଇଚ୍ଛାପତ୍ରରେ ମୃତ୍ୟୁବରଣ କଲେ ତାଙ୍କ ସମ୍ପତ୍ତି କିପରି ଉତ୍ତରାଧିକାରୀଙ୍କ ମଧ୍ୟରେ ବଣ୍ଟନ ହେବ, ତାହାର ନିୟମ ରହିଛି ।
କୋର୍ଟ କହିଛନ୍ତି ଯେ, ଧାରା ୮ ଅନୁଯାୟୀ ବାପା ନିଜ ବାପାଙ୍କଠାରୁ ଉତ୍ତରାଧିକାରରେ ପାଇଥିବା ସମ୍ପତ୍ତିର ପୂର୍ଣ୍ଣ ମାଲିକ ହୁଅନ୍ତି । ତାଙ୍କ ପୁଅଙ୍କର ସେହି ସମ୍ପତ୍ତି ଉପରେ ଜନ୍ମରୁ କୌଣସି ସ୍ୱତନ୍ତ୍ର ଅଧିକାର ସୃଷ୍ଟି ହୁଏନାହିଁ ।
ଏହାସହ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ହିନ୍ଦୁ ଉତ୍ତରାଧିକାର ଆଇନରେ Class I ଉତ୍ତରାଧିକାରୀଙ୍କ ତାଲିକାରେ ପୁଅର ପୁଅ ଅର୍ଥାତ୍ ନାତିଙ୍କୁ ସ୍ୱତନ୍ତ୍ର ଭାବେ ସାମିଲ କରାଯାଇନାହିଁ। ତେଣୁ ବାପା ଜୀବିତ ଥିବା ସମୟରେ ନାତି ଜେଜେବାପାଙ୍କ ସମ୍ପତ୍ତିରେ ସିଧାସଳଖ ଭାଗ ଦାବି କରିପାରିବେ ନାହିଁ ।
ପୁଅଙ୍କୁ ସମ୍ପତ୍ତିରୁ ବାଦ୍ ଦେଇପାରିବେ ବାପା!
ଖଣ୍ଡପୀଠ କହିଛନ୍ତି ଯେ, ଜଣେ ପୁଅ କିମ୍ବା ଝିଅ ନିଜ ବାପାଙ୍କଠାରୁ ସମ୍ପତ୍ତି ପାଇବା ପରେ ସେହି ସମ୍ପତ୍ତିର ପୂର୍ଣ୍ଣ ମାଲିକ ହୋଇଥାନ୍ତି । ସମ୍ପତ୍ତିଟି ପୂର୍ବରୁ ପୈତୃକ ଥିଲା କିମ୍ବା ନିଜସ୍ୱ ଥିଲା, ତାହା ଏହି ମାଲିକାନାକୁ ପ୍ରଭାବିତ କରେନାହିଁ ।
ଏପରି ସ୍ଥିତିରେ ସମ୍ପତ୍ତିର ମାଲିକ ନିଜ ଇଚ୍ଛା ଅନୁସାରେ ଏହାକୁ ବିକ୍ରି, ହସ୍ତାନ୍ତର କିମ୍ବା ଅନ୍ୟ ଭାବରେ ପରିଚାଳନା କରିପାରିବେ । ଏପରିକି ନିଜ ପୁଅଙ୍କୁ ମଧ୍ୟ ସମ୍ପତ୍ତିରୁ ବାଦ୍ ଦେଇପାରିବେ ।
୨୯ ବର୍ଷର ଆଇନଗତ ଲଢ଼େଇର ଅନ୍ତ
ଏହି ମାମଲାରେ ହାଇକୋର୍ଟଙ୍କ ପୂର୍ବ ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ, ଧାରା ୮କୁ ଏକ ସ୍ୱତନ୍ତ୍ର ଓ ସମ୍ପୂର୍ଣ୍ଣ ଆଇନଗତ ବ୍ୟବସ୍ଥା ଭାବେ ବୁଝିବା ଆବଶ୍ୟକ ।
ଯଦି ପୁଅ ଉତ୍ତରାଧିକାରରେ ମିଳିଥିବା ସମ୍ପତ୍ତିକୁ ନିଜ ମିଳିତ ପରିବାରର ସମ୍ପତ୍ତି ଭାବେ ଧରାଯାଏ, ତେବେ Class I ଉତ୍ତରାଧିକାରୀଙ୍କ ମଧ୍ୟରେ ପୁରୁଷ ଓ ମହିଳାଙ୍କ ପାଇଁ ଭିନ୍ନ ନିୟମ ସୃଷ୍ଟି ହେବ । ଏହା ଆଇନର ଉଦ୍ଦେଶ୍ୟ ସହ ମେଳ ଖାଉନାହିଁ ବୋଲି କୋର୍ଟ କହିଛନ୍ତି।
ତେବେ ଏହି ରାୟର ଅର୍ଥ ଏହା ନୁହେଁ ଯେ ପ୍ରତ୍ୟେକ ପୈତୃକ ସମ୍ପତ୍ତିରେ ନାତିଙ୍କର କୌଣସି ଅଧିକାର ନାହିଁ । ସମ୍ପତ୍ତିର ପ୍ରକୃତ ଆଇନଗତ ସ୍ଥିତି, ଏହା କିପରି ହସ୍ତାନ୍ତର ହୋଇଛି ଏବଂ ପରିବାରର ଅଧିକାର ଉପରେ ଆଧାର କରି ନିଷ୍ପତ୍ତି ଭିନ୍ନ ହୋଇପାରେ ।
ନୂଆଦିଲ୍ଲୀ: ଦେଶରେ ବାୟୁ ପ୍ରଦୂଷଣ ଏବେ ଏକ ଗମ୍ଭୀର ଜନସ୍ୱା...
ମୁମ୍ବାଇ:ଫିଲ୍ମ 'ରାମାୟଣ'ରେ ରାବଣ ଚରିତ୍ରରେ ନଜର...
ମୁମ୍ବାଇ:ତାମିଲ ସିନେମାରେ ଅନେକ ସୁପରଷ୍ଟାର ଆସିଛନ୍ତି, କି...
୫ ଦିନରେ ୬୬୪ କୋଟି ଟଙ୍କା ଆୟ କଲା ‘ରାମାୟଣ’...
ଭୁବନେଶ୍ୱର: ଆଜିକାଲି ଅନେକ ଲୋକ ନିଜ ସ୍ୱାସ୍ଥ୍ୟ ସମ୍ପର୍କର...
ନୂଆ ଟେକ୍ନୋଲୋଜି ଓ ସ୍ୱାସ୍ଥ୍ୟକୁ ଏକାଠି କରିବା ଉଦ୍ଦେଶ୍ୟର...
♈ ମେଷ ରାଶି (Aries) ଏହି ସପ୍ତାହ ମେଷ ରାଶିର ବ୍ୟକ୍ତ...
ନୂଆଦିଲ୍ଲୀ: କ୍ୟାନ୍ସର ଚିକିତ୍ସା କରାଉଥିବା ରୋଗୀ ଓ ସେମାନ...