ଦୀପାବଳିର ଆଲୋକ ଓ ଉତ୍ସବ ମଧ୍ୟରେ ତାମିଲନାଡୁରେ ଖେଳିଯାଇଛି ରକ୍ତର ହୋଲି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ରବିବାରଠାରୁ ସୋମବାର ଭୋର ପର୍ଯ୍ୟନ୍ତ ମୋଟ ୧୦ଟି ହତ୍ୟା ଘଟଣା ରିପୋର୍ଟ ହୋଇଛି। ଏହି ସମସ୍ତ ଘଟଣା ପରସ୍ପର ସହ ଜଡ଼ିତ ନଥିବା ପୋଲିସ ସ୍ପଷ୍ଟ କରିଛି। ମୃତକଙ୍କ ମଧ୍ୟରେ ଜଣେ ପୋଲିସ ଅଧିକାରୀ, ଦୁଇ ନାବାଳକ ଶ୍ରମିକ ଓ ଜଣେ IT କର୍ମଚାରୀ ଅଛନ୍ତି। ଏହି ଘଟଣାଗୁଡ଼ିକ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ତାମିଲନାଡୁର ଥେନି ଜିଲ୍ଲାରେ ସ୍ପେଶାଲ୍ ସବ୍-ଇନ୍ସପେକ୍ଟର (SSI) ସେନ୍ଥିଲ କୁମାରଙ୍କୁ ଆକ୍ରମଣ କରି ହତ୍ୟା କରାଯାଇଛି। ରାସ୍ତା ମଝିରେ ବାଣ ଫୁଟାଇବା ସହ ସୋସିଆଲ୍ ମିଡିଆ ପାଇଁ ରିଲ୍ସ କରୁଥିବା କିଛି ଯୁବକଙ୍କୁ ସେ ବାରଣ କରିଥିଲେ। ଏହାଦ୍ୱାରା ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହେଉଥିଲା।
ଏହି କଥାକୁ ନେଇ ଯୁବକମାନଙ୍କ ସହ ତାଙ୍କର ବଚସା ହୋଇଥିଲା। ପରେ ଯୁବକମାନେ ତାଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ଆହତ ସେନ୍ଥିଲ କୁମାରଙ୍କ ସୋମବାର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଯୁବକଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଚଳାଇଛି।
ଚେନ୍ନାଇର ବ୍ୟାସରପାଡ଼ି ଅଞ୍ଚଳରେ ଧନୁଷ ନାମକ ଜଣେ ଯୁବକଙ୍କୁ ଏକ ଗୋଷ୍ଠୀ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ହତ୍ୟା କରିଛି। ଧନୁଷ ଜଣେ ଅଟୋ ଚାଳକ ଥିଲେ। ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ପୁରୁଣା ଶତ୍ରୁତା ଏହି ଆକ୍ରମଣର କାରଣ ହୋଇଥାଇପାରେ।
ନିଜ ଭାଇଙ୍କୁ ଆକ୍ରମଣ କରିଥିବା ଲୋକଙ୍କୁ ପଚାରିବା ପାଇଁ ଧନୁଷ ସେଠାକୁ ଯାଇଥିଲେ। ଏହି ସମୟରେ ପ୍ରାୟ ୬ ଜଣଙ୍କ ଏକ ଗୋଷ୍ଠୀ ତାଙ୍କ ଉପରେ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଷ୍ଟାନଲି ସରକାରୀ ହସ୍ପିଟାଲକୁ ନିଆଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା। ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଦୁଇଟି ସ୍ୱତନ୍ତ୍ର ଟିମ୍ ଗଠନ କରିଛି।
ତିରୁଚିରାପଲ୍ଲୀ ଜିଲ୍ଲାର ସମୟପୁରମ୍ ଅଞ୍ଚଳରେ ଦୁଇ ଜଣ ୧୭ ବର୍ଷୀୟ ଦିନମଜୁରିଆଙ୍କୁ ହତ୍ୟା କରାଯାଇଛି। ରାତିରେ ପୁଲ୍ଲମ୍ବାଡ଼ି କେନାଲ ନିକଟରେ ଅଜଣା ଆକ୍ରମଣକାରୀମାନେ ସେମାନଙ୍କୁ ଅଟକାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି। ଅଭିଯୁକ୍ତଙ୍କୁ ଚିହ୍ନଟ ଓ ଗିରଫ କରିବା ପାଇଁ ପୋଲିସ ତିନୋଟି ସ୍ୱତନ୍ତ୍ର ଟିମ୍ ନିୟୋଜିତ କରିଛି।
ସେହି ଜିଲ୍ଲାର ଅନ୍ୟ ଏକ ଘଟଣାରେ ଚେନ୍ନାଇରେ କାମ କରୁଥିବା ଜଣେ ୨୦ ବର୍ଷୀୟ IT କର୍ମଚାରୀଙ୍କୁ ମଧ୍ୟ ହତ୍ୟା କରାଯାଇଛି। ଦୀପାବଳି ଛୁଟିରେ ଘରକୁ ଆସିଥିବା ଏହି ଯୁବକ ସାଙ୍ଗମାନଙ୍କ ସହ ବାଣ ଫୁଟାଉଥିବା ବେଳେ ବାଣ କେଉଁ ଦିଗକୁ ଫୁଟାଯାଉଛି, ତାହାକୁ ନେଇ ସ୍ଥାନୀୟ ଲୋକଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏହି ବିବାଦ ହିଂସାତ୍ମକ ରୂପ ନେବା ପରେ ତାଙ୍କ ଛାତିରେ ଲୁହା ଜାତୀୟ ଏକ ଉପକରଣରେ ଆଘାତ କରାଯାଇଥିଲା।
କୁଡ୍ଡାଲୋର ଜିଲ୍ଲାରେ ପୃଥିବୀରାଜ ନାମକ ଜଣେ ଅପରାଧିକ ରେକର୍ଡ ଥିବା ବ୍ୟକ୍ତିଙ୍କୁ ବିୟର ବୋତଲରେ ଆକ୍ରମଣ କରି ହତ୍ୟା କରାଯାଇଛି। ଅରୁଳରାସନଙ୍କ ସହ ହୋଇଥିବା ବିବାଦ ପରେ ଏହି ଘଟଣା ଘଟିଥିବା ପୋଲିସ କହିଛି। ଅଭିଯୁକ୍ତଙ୍କୁ ଧରିବା ସମୟରେ ପୋଲିସ ତାଙ୍କ ଗୋଡ଼ରେ ଗୁଳି କରିଥିଲା ଏବଂ ପରେ ତାଙ୍କୁ ଗିରଫ କରିଥିଲା।
ପେରାମ୍ବଲୁର ଜିଲ୍ଲାରେ ଆର୍. ରବି (୫୦) ନାମକ ଜଣେ ବ୍ୟକ୍ତି ଦୀପାବଳି ଉତ୍ସବ ପାଳନ ପାଇଁ ସାଙ୍ଗମାନଙ୍କ ସହ ବାହାରକୁ ଯାଇଥିଲେ। ସୋମବାର ଭୋର ସମୟରେ ତାଙ୍କ ମୃତଦେହ ଏକ ମନ୍ଦିର ନିକଟରୁ ମିଳିଥିଲା। ସେହିପରି ଅରୁପ୍ପୁକୋଟ୍ଟାଇ ନିକଟରେ ରାତିରେ ହୋଇଥିବା ଗଣ୍ଡଗୋଳରେ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ଶିବଗଙ୍ଗା ଜିଲ୍ଲାରୁ ମଧ୍ୟ ଦୁଇଟି ହତ୍ୟା ଘଟଣା ରିପୋର୍ଟ ହୋଇଛି।
ପୋଲିସର କହିବା ଅନୁସାରେ, ଅଧିକାଂଶ ଘଟଣା ପଛରେ ମଦ୍ୟପାନ, ଉତ୍ତେଜିତ ଆଚରଣ, ପୁରୁଣା ଶତ୍ରୁତା ଏବଂ ସାମାନ୍ୟ କଥାକୁ ନେଇ ବିବାଦ ରହିଛି। ବିଶେଷକରି ସର୍ବସାଧାରଣ ରାସ୍ତାରେ ବାଣ ଫୁଟାଇବା କିମ୍ବା ଘର ଆଡ଼କୁ ବାଣ ଫୁଟାଇବାକୁ ନେଇ ହୋଇଥିବା ଯୁକ୍ତିତର୍କ ଭୟଙ୍କର ଆକ୍ରମଣର ରୂପ ନେଇଥିଲା।
ଦୀପାବଳି ସୁରକ୍ଷା ପାଇଁ ଚେନ୍ନାଇରେ ୧୮ ହଜାରରୁ ଅଧିକ ପୋଲିସ କର୍ମଚାରୀ ମୁତୟନ ହୋଇଥିଲେ। ତଥାପି କିଛି ସ୍ଥାନରେ ପୁରୁଣା ଶତ୍ରୁତା ଓ ବ୍ୟକ୍ତିଗତ ବିବାଦରୁ ଏଭଳି ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତଙ୍କୁ ଧରିବା ଏବଂ ଘଟଣାଗୁଡ଼ିକର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।
ଭାରତରେ ରହି ନୂଆ ପାସପୋର୍ଟ ପାଇଁ ଆବେଦନ କଲେ ଶେଖ୍ ହସିନା!...
ଇନ୍ଦ୍ରଙ୍କ ଅହଂକାର ଭାଙ୍ଗିଥିଲେ ଶ୍ରୀକୃଷ୍ଣ! ଗୋବର୍ଦ୍ଧନ ପ...
ନୂଆଦିଲ୍ଲୀ: ଦେଶର ଭୋଟର ତାଲିକାକୁ ନେଇ ପୁଣି ଥରେ ରାଜନୈତି...
ଇସଲାମାବାଦ/ରାୱଲପିଣ୍ଡି: ପାକିସ୍ତାନରେ ଜଣେ ମହିଳା ସାମ୍ବା...
ନୂଆଦିଲ୍ଲୀ: ପ୍ରକୃତିର ଋତୁଚକ୍ରରେ ଧୀରେ ଧୀରେ ପରିବର୍ତ୍ତନ...
ନୋଏଡା: ଉତ୍ତରପ୍ରଦେଶର ଜେୱରସ୍ଥିତ ନୋଏଡା ଅନ୍ତର୍ଜାତୀୟ ବି...
ଦରମାର ୯୦% ଦାନ, ପୁରୁଣା କାର୍ରେ ଯାତ୍ରା! ଏମିତି ଥିଲେ ବି...
ନୂଆଦିଲ୍ଲୀ: ଭାରତୀୟ ରେଳ ଯାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର...