ଇସଲାମାବାଦ/ରାୱଲପିଣ୍ଡି: ପାକିସ୍ତାନରେ ଜଣେ ମହିଳା ସାମ୍ବାଦିକଙ୍କ ହତ୍ୟା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଟିଭି ଆଙ୍କର ତଥା ସାମ୍ବାଦିକ ରାବିଆ ଅହସାନଙ୍କୁ ତାଙ୍କ ନିଜ ଘରେ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାରେ ପୁଲିସ ତାଙ୍କ ସ୍ୱାମୀ ଅହସନ ତାହିରଙ୍କୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ନଭେମ୍ବର ୮ ତାରିଖ ରବିବାର ରାୱଲପିଣ୍ଡିର ଗୁଲଶନ ଆବାଦ ଅଞ୍ଚଳରେ ଥିବା ନିଜ ବାସଭବନରେ ରାବିଆଙ୍କୁ ଗୁଳି ମାଡ଼ ହୋଇଥିଲା। ଘଟଣା ସମୟରେ ତାଙ୍କ ମାଆ ଓ ଭଉଣୀ ଘରର ଲନ୍ରେ ଥିଲେ। ଗୁଳି ଶବ୍ଦ ଶୁଣି ତାଙ୍କ ଭଉଣୀ ଘର ଭିତରକୁ ଯାଇଥିଲେ। ସେଠାରେ ରାବିଆଙ୍କୁ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିବା ଦେଖିଥିଲେ। ସେହି ସମୟରେ ତାଙ୍କ ସ୍ୱାମୀଙ୍କ ହାତରେ ପିସ୍ତଲ ଥିବା ଏଫ୍ଆଇଆର୍ରେ ଉଲ୍ଲେଖ ରହିଛି।
ପୁଲିସର ପ୍ରାଥମିକ ଯାଞ୍ଚରେ ରାବିଆଙ୍କ ଶରୀରରେ ଗୁଳି ଆଘାତ ଚିହ୍ନ ମିଳିଥିଲା। ଘଟଣାସ୍ଥଳରୁ ଏକ ୩୦ ବୋର୍ ପିସ୍ତଲ ଓ ଗୁଳି ଜବତ କରାଯାଇଛି। ଏହାସହ ପଞ୍ଜାବ ଫରେନ୍ସିକ୍ ସାଇନ୍ସ ଏଜେନ୍ସିର ଟିମ୍ ଘଟଣାସ୍ଥଳରୁ ବିଭିନ୍ନ ପ୍ରମାଣ ସଂଗ୍ରହ କରିଛି। ଅଭିଯୁକ୍ତ ସ୍ୱାମୀ ପିସ୍ତଲର ବୈଧ ଲାଇସେନ୍ସ ଦେଖାଇପାରିନଥିବା ନେଇ ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି।
ଅନ୍ୟପଟେ, ପୁଲିସର ପ୍ରାଥମିକ ପଚରାଉଚରା ସମୟରେ ସ୍ୱାମୀ ଅହସନ ତାହିର ଗୁଳିଟି ଅସାବଧାନତାବଶତଃ ଚାଲିଯାଇଥିବା ଦାବି କରିଥିବା ସୂଚନା ମିଳିଛି। ତେବେ ଏହି ଦାବିର ସତ୍ୟତା ଯାଞ୍ଚ କରୁଛି ପୁଲିସ। ରାବିଆଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ରାୱଲପିଣ୍ଡିର ସଦର ବେରୁନି ଥାନାରେ ପାକିସ୍ତାନ ପେନାଲ୍ କୋଡ୍ର ଧାରା ୩୦୨ ଅନୁଯାୟୀ ହତ୍ୟା ମାମଲା ରୁଜୁ ହୋଇଛି। ଏବେ ପୁଲିସ ହତ୍ୟାର କାରଣ ଓ ଘଟଣା ପଛର ପ୍ରକୃତ ସତ୍ୟ ଜାଣିବା ପାଇଁ ତଦନ୍ତ ଜାରି ରଖିଛି।
୪୧ ବର୍ଷୀୟା ରାବିଆ ଅହସାନ ପାକିସ୍ତାନର ୯୨ ନ୍ୟୁଜ୍ ସହ ଜଡ଼ିତ ଥିଲେ। ସେ ଜଣେ ଟିଭି ଆଙ୍କର ଓ କାର୍ଯ୍ୟକ୍ରମ ଉପସ୍ଥାପିକା ଭାବେ ପରିଚିତ ଥିଲେ। ତାଙ୍କର ଦୁଇଜଣ ଝିଅ ଅଛନ୍ତି। ଏହି ଘଟଣା ପରେ ପାକିସ୍ତାନର ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି।
ପାକିସ୍ତାନର ପ୍ରଥମ ମହିଳା ଆସିଫା ଭୁଟ୍ଟୋ-ଜର୍ଦାରୀ ମଧ୍ୟ ଏହି ହତ୍ୟା ଘଟଣାକୁ ନିନ୍ଦା କରିଛନ୍ତି। ଘଟଣାର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେବାକୁ ସେ ଆହ୍ୱାନ ଦେଇଛନ୍ତି। ତେବେ ଏହି ଘଟଣାରେ ପୁଲିସ ତଦନ୍ତ ଜାରି ରହିଥିବାରୁ ହତ୍ୟାର ପ୍ରକୃତ କାରଣ ସମ୍ପର୍କରେ ଅଧିକ ତଥ୍ୟ ଆସିବା ବାକି ରହିଛି।
ସ୍ୱର୍ଗକୁ ଯିବାକୁ ହେଲେ ବି ଶତ୍ରୁଙ୍କୁ କ୍ଷମା କରିପାରିବେନ...
ନୂଆ ଟେକ୍ନୋଲୋଜି ଓ ସ୍ୱାସ୍ଥ୍ୟକୁ ଏକାଠି କରିବା ଉଦ୍ଦେଶ୍ୟର...
ବାୟୁ ପ୍ରଦୂଷଣର ପ୍ରଭାବ କେବଳ ବାହାରେ ରହିବା ପର୍ଯ୍ୟନ୍ତ ସ...
ସେୟାର ବଜାରରେ ସାମାନ୍ୟ ଉତ୍ସାହ! ୧୦୭ ପଏଣ୍ଟ ବଢ଼ିଲା ସେନସ...
ମୁମ୍ବାଇ: ଭାରତୀୟ ଆର୍ଥିକ ବଜାରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ...
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ...
ଭିକ୍ଷାବୃତ୍ତିରୁ ୭.୫ କୋଟିର ସମ୍ପତ୍ତି! ‘ବିଶ୍ୱର ସ...
ନୂଆଦିଲ୍ଲୀ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ...