ନୂଆଦିଲ୍ଲୀ: ବିଦେଶର ଉଦାର ଆଇନର ସୁଯୋଗ ନେଇ ଭାରତରେ ହୋଇଥିବା ବିବାହକୁ ଛାଡ଼ପତ୍ର ମାଧ୍ୟମରେ ଶେଷ କରିଦେବା ଏତେ ସହଜ ନୁହେଁ । ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଭାରତରେ ବିବାହ କରିଥିବା ବ୍ୟକ୍ତି ବିଦେଶୀ କୋର୍ଟରୁ ଛାଡ଼ପତ୍ର ପାଇଲେ ମଧ୍ୟ ତାହା ଭାରତୀୟ ଆଇନ ଅନୁସାରେ ସ୍ୱତଃ ବୈଧ ହେବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।
ବିଶେଷକରି, ଭାରତୀୟ ଆଇନରେ ଯେଉଁ କାରଣକୁ ଛାଡ଼ପତ୍ରର ଆଧାର ଭାବେ ସ୍ୱୀକୃତି ଦିଆଯାଇନାହିଁ, ସେହି କାରଣ ଦର୍ଶାଇ ବିଦେଶୀ କୋର୍ଟରୁ ଛାଡ଼ପତ୍ର ନେଲେ ତାହା ଭାରତରେ ଗ୍ରହଣୀୟ ହେବ ନାହିଁ। ଏଭଳି ଛାଡ଼ପତ୍ର ଆଧାରରେ ପ୍ରଥମ ବିବାହ ଶେଷ ହୋଇଛି ବୋଲି ଦାବି କରି ଦ୍ୱିତୀୟ ବିବାହ କଲେ ବହୁବିବାହ ଅଭିଯୋଗରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ ।
ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ର ଏବଂ ଜଷ୍ଟିସ୍ ଶ୍ରୀ ଚନ୍ଦ୍ରଶେଖରଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଏକ ମାମଲାରେ ଜଣେ ବ୍ୟକ୍ତି ଭାରତରେ ହିନ୍ଦୁ ରୀତିନୀତି ଅନୁସାରେ ପ୍ରଥମ ବିବାହ କରିଥିଲେ । ପରେ ପତ୍ନୀଙ୍କ ବିରୋଧ ସତ୍ତ୍ୱେ ବିଦେଶୀ କୋର୍ଟରୁ ବିବାହର ଅପରିବର୍ତ୍ତନୀୟ ଭାଙ୍ଗିବା (Irretrievable Breakdown of Marriage) ଆଧାରରେ ଛାଡ଼ପତ୍ର ହାସଲ କରିଥିଲେ। ଏହାପରେ ସେ ଦ୍ୱିତୀୟ ବିବାହ କରିଥିଲେ ।
କୋର୍ଟ କହିଛନ୍ତି, ବିବାହର ଅପରିବର୍ତ୍ତନୀୟ ଭାଙ୍ଗିବା ଭାରତୀୟ ଆଇନରେ ଛାଡ଼ପତ୍ରର ଏକ ସ୍ୱତନ୍ତ୍ର ଆଇନଗତ ଆଧାର ନୁହେଁ। ତେଣୁ ଏହି ଆଧାରରେ ବିଦେଶୀ କୋର୍ଟ ଦେଇଥିବା ଛାଡ଼ପତ୍ର ଭାରତୀୟ ଆଇନ ଅନୁସାରେ ବୈଧ ନୁହେଁ । ବିଦେଶୀ କୋର୍ଟଙ୍କ ରାୟ ଭାରତର ସିଭିଲ୍ ପ୍ରୋସିଜର କୋଡ୍ର ଧାରା ୧୩ ଅନୁସାରେ ନିର୍ଦ୍ଧାରିତ ସର୍ତ୍ତ ପୂରଣ କରିବା ଆବଶ୍ୟକ ।
ଏପରିକି ଦ୍ୱିତୀୟ ବିବାହ ବିଦେଶରେ ହୋଇଥିଲେ ମଧ୍ୟ ବ୍ୟକ୍ତିଙ୍କ ପ୍ରଥମ ବିବାହ ଯଦି ଭାରତୀୟ ଆଇନ ଅନୁସାରେ ବଳବତ୍ତର ରହିଛି, ତେବେ ବହୁବିବାହ ଅଭିଯୋଗରୁ ସେ ଖସିପାରିବେ ନାହିଁ। ପରେ ସେ ବିଦେଶୀ ନାଗରିକତା ଗ୍ରହଣ କରିଥିଲେ ମଧ୍ୟ ଏହି ଆଇନଗତ ଦାୟିତ୍ୱ ଶେଷ ହେବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।
ଏହି ମାମଲାରେ ସୁପ୍ରିମକୋର୍ଟ ସ୍ୱାମୀଙ୍କ ବିରୋଧରେ ବହୁବିବାହ ସମ୍ପର୍କିତ ଅପରାଧିକ କାର୍ଯ୍ୟାନୁଷ୍ଠାନ ଜାରି ରଖିବାକୁ ଅନୁମତି ଦେଇଥିବା ବେଳେ ତାଙ୍କ ପିତାମାତା ଓ ଦ୍ୱିତୀୟ ପତ୍ନୀଙ୍କ ବିରୋଧରେ ଥିବା ଅପରାଧିକ ମାମଲାକୁ ରଦ୍ଦ କରିଛନ୍ତି।
ଏହି ରାୟ ଭାରତରେ ବିବାହ କରି ବିଦେଶରେ ଛାଡ଼ପତ୍ର ନେବାକୁ ଚାହୁଁଥିବା ଦମ୍ପତିଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ବାର୍ତ୍ତା ଦେଇଛି।
ଗଜପତି: ମଦ ବ୍ୟବସାୟକୁ କେନ୍ଦ୍ର କରି ବଚସା ଓ ପରେ ହତ୍ୟା ସ...
ଧାନ ଆଣିବାକୁ ଯାଇ ଆଉ ଫେରିଲେନି ରାମଲାଲ ବରଗଡ଼: ଜମିଜମ...
ଭୁବନେଶ୍ୱର/ବାଲେଶ୍ୱର: ଲାଞ୍ଚ ଅଭିଯୋଗରେ ଭିଜିଲାନ୍ସ ହାତରେ...
ଲକ୍ଷ୍ନୌ: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ...
ଇସଲାମାବାଦ: ପାକିସ୍ତାନରେ ହୋଇଥିବା ଉପନିର୍ବାଚନରେ ମୁମ୍ବା...
ବିଜେପି ଉପରେ ବର୍ଷିଲେ ଅବଧେଶ ପ୍ରସାଦ ଅଯୋଧ୍ୟା: ଉତ୍ତର...
୧୨ ବର୍ଷୀୟା ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲା: ପୋଲିସ ଏନ...
ପୌର ନିର୍ବାଚନ ପାଇଁ ମାଣିକ ସାହାଙ୍କ ଘରକୁ ଘର ପ୍ରଚାର...