ନବରଙ୍ଗପୁର: ମଶାଣିରେ ଅମାନବୀୟ ଓ ଚାଞ୍ଚଲ୍ୟକର ଘଟଣା। ସମାଧି ଖୋଳି ଜଣେ ଯୁବତୀଙ୍କ ମୃତଦେହରୁ ମୁଣ୍ଡ କାଟି ନେଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏଭଳି ଘଟଣା ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ର ନରସିଂହଗୁଡ଼ା ଗାଁରେ ଘଟିଛି। ତନ୍ତ୍ରବିଦ୍ୟା କିମ୍ବା ଗୁପ୍ତ ପୂଜାପାଠ ପାଇଁ ଏଭଳି କାଣ୍ଡ ଘଟାଯାଇଥିବା ନେଇ ଗାଁରେ ଚର୍ଚ୍ଚା ଜୋର ଧରିଛି।
ସୂଚନା ଅନୁସାରେ, ପ୍ରାୟ ୪୨ ଦିନ ତଳେ ଗାଁର ଜଣେ ୨୭ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ହୋଇଥିଲା। ଦେହରେ ହାଡ଼ଫୁଟି ହୋଇଥିବା ଏବଂ ତାଙ୍କ ଦେହରେ ଭଗବାନ ଆସିଥିବା ଭଳି ସ୍ଥାନୀୟ ବିଶ୍ୱାସ ଯୋଗୁଁ ପରିବାର ଲୋକେ ଶବଦାହ ନକରି ମୃତଦେହକୁ ମାଟି ତଳେ ସମାଧି ଦେଇଥିଲେ।
ସ୍ଥାନୀୟ ବିଶ୍ୱାସ ଅନୁସାରେ, ତାନ୍ତ୍ରିକମାନେ କୌଣସି ଅଘଟଣ ଘଟାଇପାରନ୍ତି ବୋଲି ଆଶଙ୍କା କରି ପରିବାର ଲୋକେ ପ୍ରଥମ ୨୧ ଦିନ ପର୍ଯ୍ୟନ୍ତ ମଶାଣିକୁ ଜଗି ରହିଥିଲେ। ହେଲେ ୪୨ ଦିନ ପରେ ସାମ୍ନାକୁ ଆସିଛି ଏକ ଭୟାନକ ଦୃଶ୍ୟ।
ସମାଧି ଖୋଳା, ମୃତଦେହରୁ ମୁଣ୍ଡ ଗାଏବ:
ଗାଁଲୋକେ ସକାଳେ ଶୌଚ ପାଇଁ ଯାଇଥିବା ସମୟରେ ସମାଧି ଖୋଳା ହୋଇଥିବା ଦେଖିଥିଲେ। ଏହାପରେ ନିକଟକୁ ଯାଇ ଦେଖିବାରୁ ଘଟଣାର ଭୟାବହତା ସାମ୍ନାକୁ ଆସିଥିଲା। ସମାଧି ଭିତରେ ଦୁଇଟି କୁକୁଡ଼ା ବଳି ଦିଆଯାଇଥିବା ଚିହ୍ନ ଏବଂ ଚାରିପାଖରେ ପୂଜାପାଠ ସାମଗ୍ରୀ ପଡ଼ିଥିବା ଦେଖିବାକୁ ମିଳିଥିଲା। ସବୁଠାରୁ ଚିନ୍ତାଜନକ କଥା ହେଉଛି, ମୃତଦେହରୁ ମୁଣ୍ଡ ଗାଏବ ଥିଲା।
ଏହି ଘଟଣା ପଛରେ କେହି ଦୁର୍ବୃତ୍ତ ତନ୍ତ୍ରବିଦ୍ୟା କିମ୍ବା ଗୁପ୍ତ ପୂଜାପାଠ ଉଦ୍ଦେଶ୍ୟରେ ଏଭଳି କାଣ୍ଡ ଘଟାଇଥିବା ଗାଁଲୋକେ ସନ୍ଦେହ କରୁଛନ୍ତି। ତେବେ ଏହା ପଛରେ ପ୍ରକୃତ କାରଣ କ'ଣ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।
ନ୍ୟାୟ ଦାବି କଲେ ପରିବାର ଲୋକେ:
ଘଟଣା ପରେ ପରିବାର ଲୋକେ ପୁଣି ମୃତଦେହକୁ ସମାଧି ଦେଇଛନ୍ତି ଏବଂ ଏହି ଅମାନବୀୟ କାଣ୍ଡ ଘଟାଇଥିବା ଦୁର୍ବୃତ୍ତଙ୍କୁ ଚିହ୍ନଟ କରି ନ୍ୟାୟ ଦେବାକୁ ଦାବି କରିଛନ୍ତି।
ଏହି ଘଟଣା ଅନେକ ପ୍ରଶ୍ନ ଛିଡ଼ା କରିଛି। କିଏ ଓ କେଉଁ ଉଦ୍ଦେଶ୍ୟରେ ରାତି ଅଧିଆ ସମାଧି ଖୋଳିଲା? ଏହା ପଛରେ ତନ୍ତ୍ରବିଦ୍ୟା ରହିଛି ନା ଅନ୍ୟ କୌଣସି କାରଣ? ଜଣେ ମୃତ ବ୍ୟକ୍ତିଙ୍କ ଶରୀର ସହ ଏଭଳି ଅମାନବୀୟ କାର୍ଯ୍ୟ କରିଥିବା ଦୁର୍ବୃତ୍ତ କିଏ?
ଏବେ ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆଣିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।
ୱାଶିଂଟନ୍: ଆମେରିକାର ରାଜନୀତିରେ ବଡ଼ ପରିବର୍ତ୍ତନ। ୨୦୨୬...
ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ଓ ଉତ୍ତେଜନା ମଧ୍ୟରେ...
ଛଟ୍ ପୂଜା ୨୦୨୬କୁ ନଜରରେ ରଖି ବିହାରର ପାଟନାରେ ଗଙ୍ଗା ଘାଟ...
ୱାଶିଂଟନ୍: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ପରେ ଡେମୋକ୍...
ସରକାରୀ ସ୍କୁଲରେ ଶିକ୍ଷାର ମାନ ବୃଦ୍ଧି ପାଇଁ ଏକ ନୂଆ ମଡେଲ...
ଭାରତରେ ଅବସର ପରବର୍ତ୍ତୀ ଜୀବନଶୈଳୀକୁ ନେଇ ଲୋକଙ୍କ ଚିନ୍ତା...
ଆଳୁ ଚାଷୀଙ୍କ ଦୁଃଖ ଦୂର କରିବାକୁ ପଶ୍ଚିମବଙ୍ଗ ସରକାରଙ୍କ ବ...
ୟୁରୋପ: ୟୁରୋପରେ ବିମାନ ଯାତ୍ରାକୁ ନେଇ ଦେଖାଦେଇଛି ଆତଙ୍କ।...