Passengers stranded at German railway stations after a nationwide train network outage caused by a technical failure.

ଜର୍ମାନୀରେ ଠପ୍ ହେଲା ଟ୍ରେନ୍ ସେବା: ଯାନ୍ତ୍ରିକ ତ୍ରୁଟିରେ ରାତି ଅଧରେ ଫସିଲେ ହଜାର ହଜାର ଯାତ୍ରୀ

ଜର୍ମାନୀରେ ଏକ ଗୁରୁତର ଯାନ୍ତ୍ରିକ ତ୍ରୁଟି କାରଣରୁ ସମଗ୍ର ଦେଶର ରେଳ ସେବା କିଛି ସମୟ ପାଇଁ ଠପ୍ ହୋଇଯାଇଥିଲା। ଡିଜିଟାଲ୍ ଯୋଗାଯୋଗ ବ୍ୟବସ୍ଥାରେ ସମସ୍ୟା ସୃଷ୍ଟି ହେବାରୁ ସୁରକ୍ଷା ଦୃଷ୍ଟିରୁ ଟ୍ରେନ୍ ଚଳାଚଳ ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ହଜାର ହଜାର ଯାତ୍ରୀ ଷ୍ଟେସନରେ ଫସି ରହିଥିଲେ ଏବଂ ବିଭିନ୍ନ ସହରରେ ଟ୍ରାଫିକ୍ ଜାମ୍ ପରିସ୍ଥିତି ସୃଷ୍ଟି ହୋଇଥିଲା।

ୟୁରୋପର ସର୍ବବୃହତ ଅର୍ଥନୀତି ଭାବେ ପରିଚିତ ଜର୍ମାନୀରେ ବୁଧବାର ବିଳମ୍ବିତ ରାତିରେ ଏକ ବଡ଼ ରେଳ ସଙ୍କଟ ଦେଖିବାକୁ ମିଳିଛି। ଏକ ଗମ୍ଭୀର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦେଶବ୍ୟାପୀ ଟ୍ରେନ୍ ଚଳାଚଳ କିଛି ସମୟ ପାଇଁ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଏହାର ପ୍ରଭାବରେ ହଜାର ହଜାର ଯାତ୍ରୀ ରେଳ ଷ୍ଟେସନରେ ଅଟକି ରହିଥିବା ବେଳେ ରାସ୍ତାରେ ମଧ୍ୟ ଭୟଙ୍କର ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଥିଲା।

ଜର୍ମାନୀର ଜାତୀୟ ରେଳ ପରିଚାଳନା ସଂସ୍ଥା ଡଚେ ବାହନ୍ (Deutsche Bahn) ଅନୁସାରେ, ରାତିରେ ହଠାତ୍ ଟ୍ରେନ୍ ନେଟୱାର୍କର ଏକ ମୁଖ୍ୟ ଡିଜିଟାଲ୍ ଯୋଗାଯୋଗ ବ୍ୟବସ୍ଥାରେ ତ୍ରୁଟି ଦେଖାଦେଇଥିଲା। ଫଳରେ ବର୍ଲିନ୍, ମ୍ୟୁନିଚ୍, ଫ୍ରାଙ୍କଫର୍ଟ ସମେତ ଦେଶର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକରେ ଯାତ୍ରୀମାନଙ୍କ ଭିଡ଼ ବଢ଼ିଯାଇଥିଲା।

ରେଳ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ଜିଏସଏମ୍-ଆର୍ (GSM-R) ଡିଜିଟାଲ୍ କମ୍ୟୁନିକେସନ୍ ସିଷ୍ଟମ୍ରେ ତ୍ରୁଟି ହେବାରୁ ଟ୍ରେନ୍ ଓ ନିୟନ୍ତ୍ରଣ କେନ୍ଦ୍ର ମଧ୍ୟରେ ସଠିକ୍ ଯୋଗାଯୋଗ ସମ୍ଭବ ହେଉନଥିଲା। ଏହି ବ୍ୟବସ୍ଥା ରେଳ ସୁରକ୍ଷା ପାଇଁ ଅତ୍ୟନ୍ତ ଜରୁରୀ ହୋଇଥିବାରୁ କୌଣସି ଦୁର୍ଘଟଣା ଏଡ଼ାଇବାକୁ ତୁରନ୍ତ ସାରା ଦେଶରେ ଟ୍ରେନ୍ ସେବା ବନ୍ଦ କରାଯାଇଥିଲା।

ପରିସ୍ଥିତିର ଗମ୍ଭୀରତାକୁ ଦେଖି ଡଚେ ବାହନ୍ ଯାତ୍ରୀମାନଙ୍କ ପାଇଁ ବିଶେଷ ସହାୟତା ବ୍ୟବସ୍ଥା କରିଥିଲା। ପ୍ରଭାବିତ ଯାତ୍ରୀମାନଙ୍କୁ ହୋଟେଲ ଭାଉଚର, ଟ୍ୟାକ୍ସି ସୁବିଧା ଏବଂ ଷ୍ଟେସନରେ ରହିଥିବା ଟ୍ରେନ୍ କୋଚ୍ରେ ରାତ୍ରି ବିଶ୍ରାମର ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା। କମ୍ପାନି ଯାତ୍ରୀମାନଙ୍କ ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲା।

ଡଚେ ବାହନ୍ର କାର୍ଯ୍ୟନିର୍ବାହୀ ଏଭଲିନ୍ ପାଲା କହିଛନ୍ତି ଯେ, ବୈଷୟିକ ଦଳ ଜରୁରୀକାଳୀନ ବ୍ୟାକଅପ୍ ସିଷ୍ଟମ୍ ବ୍ୟବହାର କରି ସମସ୍ୟାର ସମାଧାନ କରିଥିଲେ। ରାତି ପ୍ରାୟ ୧ଟା ବେଳେ ମୁଖ୍ୟ ତ୍ରୁଟିର ସମାଧାନ ହୋଇଥିବା ଘୋଷଣା କରାଯାଇଥିଲା ଏବଂ ପରେ ଧୀରେ ଧୀରେ ଟ୍ରେନ୍ ଚଳାଚଳ ପୁନର୍ବାର ଆରମ୍ଭ ହୋଇଥିଲା।

ତେବେ ରେଳ କର୍ତ୍ତୃପକ୍ଷ ସତର୍କ କରାଇଛନ୍ତି ଯେ ସମ୍ପୂର୍ଣ୍ଣ ସେବା ସ୍ୱାଭାବିକ ହେବାକୁ କିଛି ସମୟ ଲାଗିପାରେ ଏବଂ ଆଗାମୀ କିଛି ଘଣ୍ଟା ପର୍ଯ୍ୟନ୍ତ ବିଳମ୍ବ କିମ୍ବା ଆଂଶିକ ବାଧା ଦେଖାଯାଇପାରେ।

ଏହି ଘଟଣା ଜର୍ମାନୀର ପୁରୁଣା ରେଳ ଭିତ୍ତିଭୂମି ଏବଂ ଡିଜିଟାଲ୍ ବ୍ୟବସ୍ଥା ଉପରେ ପୁଣିଥରେ ପ୍ରଶ୍ନ ଉଠାଇଛି। ରିପୋର୍ଟ ଅନୁସାରେ, ଗତ କିଛି ଦଶନ୍ଧି ଧରି ପର୍ଯ୍ୟାପ୍ତ ନିବେଶର ଅଭାବ ଯୋଗୁଁ ରେଳ ନେଟୱାର୍କ ପୁରୁଣା ହୋଇଯାଇଛି। ଏହି କାରଣରୁ ବାରମ୍ବାର ବିଳମ୍ବ ଓ ଯାନ୍ତ୍ରିକ ତ୍ରୁଟି ଦେଖାଯାଉଛି। ଏବେ ଜର୍ମାନ ସରକାର ରେଳ ଭିତ୍ତିଭୂମିର ଆଧୁନିକୀକରଣ ପାଇଁ ବ୍ୟାପକ ନିବେଶ ଯୋଜନା ଉପରେ କାମ କରୁଛନ୍ତି।

Breaking News
+