ବାଲେଶ୍ୱର ଜିଲ୍ଲାର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଦୁର୍ଲଭ ଓରାଙ୍ଗଉଟାକୁ ଭୁବନେଶ୍ୱରର ନନ୍ଦନକାନନ ଜୁଲୋଜିକାଲ ପାର୍କକୁ ଅଣାଯାଇଛି। ମଙ୍ଗଳବାର ଏହି ୫ଟି ଓରାଙ୍ଗଉଟାକୁ ନନ୍ଦନକାନନକୁ ସ୍ଥାନାନ୍ତର କରାଯାଇଥିବା ବେଳେ ପ୍ରାଥମିକ ଭାବେ ସେମାନଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯାଇଛି।
ଭୋଗରାଇ ବ୍ଲକ୍ର ଜଙ୍ଗଲରୁ ଏହି ଓରାଙ୍ଗଉଟାଗୁଡ଼ିକୁ ଉଦ୍ଧାର କରାଯାଇଥିଲା। ନନ୍ଦନକାନନରେ ସେମାନଙ୍କର ଆବଶ୍ୟକ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ବନ ବିଭାଗ ଏବଂ ଭେଟେରିନାରୀ ଟିମ୍ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବେ।
ଏହି ଘଟଣାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠିଛି। ଓରାଙ୍ଗଉଟା ଓଡ଼ିଶାର ସ୍ୱାଭାବିକ ବନ୍ୟପ୍ରାଣୀ ନୁହେଁ। ତେଣୁ ଏତେ ଦୂର ଜଙ୍ଗଲ ଭିତରକୁ ଏହି ଦୁର୍ଲଭ ପ୍ରାଣୀମାନେ କିପରି ଆସିଲେ, ତାହା ଏବେ ତଦନ୍ତର ବିଷୟ ପାଲଟିଛି।
ବାଲେଶ୍ୱର ଡିଭିଜନାଲ ଫରେଷ୍ଟ ଅଫିସର ଇନ୍ଦଲକର ପ୍ରତିକ ପ୍ରକାଶଙ୍କ ସୂଚନା ଅନୁସାରେ, ଓରାଙ୍ଗଉଟାଗୁଡ଼ିକୁ ପରିବହନ କିମ୍ବା ବେଆଇନ ଚାଲାଣ କରାଯାଉଥିବା ନେଇ ଏପର୍ଯ୍ୟନ୍ତ କୌଣସି ଠୋସ୍ ପ୍ରମାଣ ମିଳିନାହିଁ। ତେବେ ବନ୍ୟପ୍ରାଣୀ ଚୋରାଚାଲାଣର ସମ୍ଭାବନାକୁ ମଧ୍ୟ ତଦନ୍ତରୁ ବାଦ୍ ଦିଆଯାଇନାହିଁ।
ଓରାଙ୍ଗଉଟାମାନଙ୍କର ପ୍ରାକୃତିକ ବାସସ୍ଥାନ ହେଉଛି ଟ୍ରପିକାଲ୍ ରେନ୍ଫରେଷ୍ଟ। ତେଣୁ ସେମାନେ ସ୍ୱାଭାବିକ ଭାବେ ବାଲେଶ୍ୱର ଜଙ୍ଗଲକୁ ଆସିଥିବା ସମ୍ଭାବନା ନାହିଁ ବୋଲି ଅଧିକାରୀ କହିଛନ୍ତି। ଏଥିରୁ ମାନବୀୟ ହସ୍ତକ୍ଷେପର ସମ୍ଭାବନା ରହିଥିବା ଅନୁମାନ କରାଯାଉଛି।
ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟା ମଧ୍ୟରେ ୨ଟି ମାଈ ଓ ୩ଟି ଅଣ୍ଡିରା ରହିଛି। ସମସ୍ତଙ୍କ ବୟସ ଏକ ବର୍ଷରୁ କମ୍। ପ୍ରଥମେ ସେମାନଙ୍କୁ ଉଦୟପୁର ସେକ୍ସନ୍ ଅଫିସ୍କୁ ନେଇ ଯାଇ ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ ମୂଲ୍ୟାଙ୍କନ କରାଯାଇଥିଲା। ଏଥିରେ ଭେଟେରିନାରୀ ଟିମ୍, ବାୟୋଲଜିଷ୍ଟ ଏବଂ ବୈଜ୍ଞାନିକମାନେ ସାମିଲ ହୋଇଥିଲେ।
ଘଟଣାର ତଦନ୍ତ ପାଇଁ ଜଙ୍ଗଲ ଏବଂ ଆଖପାଖ ଅଞ୍ଚଳର CCTV ଫୁଟେଜ୍ ଯାଞ୍ଚ କରାଯାଉଛି। ଏହା ସହ କମ୍ବିଂ ଅପରେସନ୍ ଓ ବିଭିନ୍ନ ଏଜେନ୍ସି ସହ ସମନ୍ୱୟ କରି ତଦନ୍ତ ଚାଲିଛି। ପୋଲିସ, Wildlife Crime Control Bureau (WCCB) ଏବଂ STF ସହ ମଧ୍ୟ ଯୋଗାଯୋଗ ରଖାଯାଇଛି।
ବନ ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ, ଓରାଙ୍ଗଉଟାଗୁଡ଼ିକ ବାଲେଶ୍ୱରକୁ ସ୍ଥଳପଥ କିମ୍ବା ଜଳପଥ ଦେଇ ଆସିଥାଇପାରନ୍ତି। ତେବେ ସେମାନେ କେଉଁଠାରୁ ଏବଂ କିପରି ଓଡ଼ିଶାରେ ପହଞ୍ଚିଲେ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
ବର୍ତ୍ତମାନ ୫ଟି ଓରାଙ୍ଗଉଟାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ରହିଛି। ନନ୍ଦନକାନନରେ ସେମାନଙ୍କୁ କିଛି ସମୟ କ୍ୱାରେଣ୍ଟାଇନ୍ରେ ରଖାଯିବ। ପରବର୍ତ୍ତୀ ସମୟରେ ସେମାନଙ୍କ ଯତ୍ନ, ସୁରକ୍ଷା ଓ ପୁନର୍ବାସନ ନେଇ ନିଷ୍ପତ୍ତି ନିଆଯିବ।
ନୂଆଦିଲ୍ଲୀ:ଘର କିଣିବା ପାଇଁ ସମ୍ପୂର୍ଣ୍ଣ ଟଙ୍କା ଦେବା ପରେ...
ମୁମ୍ବାଇ:ଭାରତର ଫିନ୍ଟେକ୍ କ୍ଷେତ୍ରର ସଫଳତା କେବଳ ଡିଜିଟ...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...
ନୂଆଦିଲ୍ଲୀ:କେବଳ ପ୍ରଶ୍ନର ଉତ୍ତର ଦେବା ନୁହେଁ, ଏବେ ଆପଣଙ୍...
ଆମେରିକାରେ ଚାକିରି କରିବା ସହିତ ନିଜ ପ୍ରତିଭାକୁ side bus...