ବାଲେଶ୍ୱର ଜିଲ୍ଲା ଭୋଗରାଇରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ୍କୁ ନେଇ ରହସ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ବନ୍ୟଜନ୍ତୁଙ୍କୁ ସମ୍ଭାବ୍ୟ ଚୋରାଚାଲାଣ ଘଟଣାର ତଦନ୍ତକୁ ଓଡ଼ିଶା STF ଜୋରଦାର କରିଛି।
ତଦନ୍ତର ଅଂଶ ଭାବେ STF ଟିମ୍ ପଶ୍ଚିମବଙ୍ଗର ଦିଘା ଯାଇ ତଦନ୍ତ କରିଛି। ଓରାଙ୍ଗଉଟାନ୍ଗୁଡ଼ିକୁ ଜଳପଥ ଦେଇ ଓଡ଼ିଶାକୁ ଅଣାଯାଇଥିଲା କି ନାହିଁ, ଏନେଇ ମଧ୍ୟ ଖୋଳତାଡ଼ ଚାଲିଛି। ଏଥିପାଇଁ ଦିଘା ମେରାଇନ୍ ପୁଲିସ ଷ୍ଟେସନ୍ ସମ୍ପର୍କରେ ମଧ୍ୟ ଯାଞ୍ଚ କରାଯାଇଛି।
ସୂଚନା ଅନୁସାରେ, ଚୋରାଚାଲାଣ ବଜାରରେ ପ୍ରତ୍ୟେକ ଓରାଙ୍ଗଉଟାନ୍ର ମୂଲ୍ୟ ପ୍ରାୟ ୨୦ରୁ ୨୫ ଲକ୍ଷ ଟଙ୍କା ହୋଇପାରେ। ତେଣୁ ଏହା ପଛରେ ଏକ ବଡ଼ ବନ୍ୟଜନ୍ତୁ ଚୋରାଚାଲାଣ ରାକେଟ୍ ଥିବା ସନ୍ଦେହକୁ ମଧ୍ୟ ତଦନ୍ତକାରୀମାନେ ଗୁରୁତ୍ୱ ଦେଉଛନ୍ତି।
ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ ବ୍ୟୁରୋ (WCCB) ଓ ପୁଲିସ ମିଳିତ ଭାବେ ବିଭିନ୍ନ ବିମାନବନ୍ଦର ଓ ରେଳ ଷ୍ଟେସନ୍ର CCTV ଫୁଟେଜ୍ ଯାଞ୍ଚ କରୁଛନ୍ତି। ଏପର୍ଯ୍ୟନ୍ତ ୪୦ରୁ ଅଧିକ CCTV ଫୁଟେଜ୍ ଯାଞ୍ଚ କରାଯାଇଥିବା ଜଣାପଡ଼ିଛି।
ଏହି ତଦନ୍ତରେ ଏକ କଳା ରଙ୍ଗର ଥାର୍ ଗାଡ଼ି ମଧ୍ୟ ସନ୍ଦେହର ଘେରକୁ ଆସିଛି। ଓରାଙ୍ଗଉଟାନ୍ଗୁଡ଼ିକୁ ଦିଘାରୁ ଭୋଗରାଇ ଅଣାଯାଇଥିଲା କି ନାହିଁ ଏବଂ ପରେ ସେମାନଙ୍କୁ ଜଙ୍ଗଲରେ କିଏ ଛାଡ଼ି ଚାଲିଯାଇଥିଲା, ତାହା ଜାଣିବାକୁ ତଦନ୍ତ ଚାଲିଛି।
ଏଥିସହ ଘଟଣାରେ କୌଣସି ବନ ବିଭାଗ କର୍ମଚାରୀଙ୍କ ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ କରାଯାଉଛି।
ଭୋଗରାଇରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ୍ର ରକ୍ତ ଓ DNA ନମୁନା ସଂଗ୍ରହ କରାଯିବ। OUAT ଅଧୀନ ସେଣ୍ଟର ଫର୍ ୱାଇଲ୍ଡଲାଇଫ୍ ହେଲ୍ଥ କମିଟିର ପରାମର୍ଶ ଅନୁସାରେ ଏହି ପରୀକ୍ଷା କରାଯିବ।
ପରୀକ୍ଷା ମାଧ୍ୟମରେ ଓରାଙ୍ଗଉଟାନ୍ଗୁଡ଼ିକର କୌଣସି ସଂକ୍ରମଣ ଅଛି କି ନାହିଁ, ସେମାନେ ଏକେ ମା’ର ସନ୍ତାନ କି ନୁହନ୍ତି, ସେମାନଙ୍କ ପ୍ରକୃତ ବୟସ ଏବଂ କେଉଁ ପ୍ରଜାତିର ତାହା ଜାଣିବାକୁ ଚେଷ୍ଟା କରାଯିବ। ସେମାନଙ୍କ ଶରୀରରେ କୃମି ଥିବା ମଧ୍ୟ ଜଣାପଡ଼ିଛି।
ପଶୁ ବିଶେଷଜ୍ଞ ସୁରେଶ ପଟ୍ଟନାୟକଙ୍କ ମତରେ, ଜଙ୍ଗଲରୁ ମିଳିଥିବା ଏହି ଓରାଙ୍ଗଉଟାନ୍ଗୁଡ଼ିକୁ ଚୋରାଚାଲାଣ କରି ଓଡ଼ିଶାକୁ ଅଣାଯାଇଥିବାର ଦୃଢ଼ ସନ୍ଦେହ ରହିଛି। ଜଳପଥରେ ଟ୍ରଲର୍ ଚଳାଉଥିବା ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହାୟତା ନିଆଯାଇଥାଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି।
ତାଙ୍କ କହିବା ଅନୁସାରେ, ଓରାଙ୍ଗଉଟାନ୍ଗୁଡ଼ିକୁ ଓଡ଼ିଶା ଆଣିବା ପରେ ଚୋରାଚାଲାଣକାରୀ ରାସ୍ତା ହରାଇଥାଇପାରନ୍ତି କିମ୍ବା ପଶୁଗୁଡ଼ିକୁ ସମ୍ଭାଳି ନପାରି ଜଙ୍ଗଲରେ ଛାଡ଼ି ଦେଇଥାଇପାରନ୍ତି।
ଓରାଙ୍ଗଉଟାନ୍ମାନଙ୍କୁ ସ୍ଥାୟୀ ଭାବେ ନନ୍ଦନକାନନରେ ରଖିବା ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣ (CZA) ନିକଟରୁ ଅନୁମତି ମଗାଯାଇଛି।
ପୂର୍ବତନ ପୁଲିସ ଅଧିକାରୀ ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ, ଭାରତର ମୂଳ ପ୍ରଜାତି ନଥିବା ଓରାଙ୍ଗଉଟାନ୍ଗୁଡ଼ିକ ଏତେ ଦୂର ଚୋରାଚାଲାଣ ହୋଇ ଓଡ଼ିଶାରେ ପହଞ୍ଚିବା ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନ ଉଠାଇଛି।
ବାଲେଶ୍ୱର ଅଞ୍ଚଳ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଚୋରାଚାଲାଣର ଏକ ମାର୍ଗ ଭାବେ ଚର୍ଚ୍ଚାରେ ଥିବାରୁ ଏହି ଘଟଣା ପଛରେ ଆନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରାଚାଲାଣ ରାକେଟ୍ର ସମ୍ପୃକ୍ତି ରହିଥାଇପାରେ ବୋଲି ସେ ଆଶଙ୍କା କରିଛନ୍ତି।
ତଦନ୍ତରେ ସନ୍ଦେହ ଘେରରେ ଥିବା କଳା ଥାର୍ ଗାଡ଼ିକୁ ନେଇ ତୁରନ୍ତ ଖୋଳତାଡ଼ କରିବା ସହ ରାତି ସମୟର CCTV ଫୁଟେଜ୍ ଉପରେ ଅଧିକ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ଏହା ସହ ଘଟଣାରେ ସ୍ଥାନୀୟ ଲୋକଙ୍କ ସମ୍ପୃକ୍ତି ଥିବା ସମ୍ଭାବନାକୁ ମଧ୍ୟ ତଦନ୍ତ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...
ପାକିସ୍ତାନରେ ନୂଆ ପ୍ରଦେଶ ଗଠନ ଓ ପ୍ରଦେଶ ବିଭାଜନକୁ ନେଇ ର...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...
ଆମେରିକାର ରିପବ୍ଲିକାନ୍‌ ପାର୍ଟି ପ୍ରଥମଥର ପାଇଁ ମିଡ...
ପୃଥିବୀରେ ବଢ଼ୁଥିବା ତାପମାତ୍ରାକୁ ନେଇ ପୁଣି ଚିନ୍ତା ବଢ଼ି...
ନେପାଳରେ ପ୍ରାକୃତିକ ବିପର୍ଯ୍ୟୟର ଭୟ ଏବେ ବି ଟଳିନାହିଁ। ଅ...