ଦିଲ୍ଲୀର କନ୍ନଟ୍ ପ୍ଲେସ୍ସ୍ଥିତ ରିଗାଲ୍ ସିନେମା ନିକଟରେ ‘ସଂସଦ ଚଲୋ’ ଶୋଭାଯାତ୍ରା ସମୟରେ ଘଟିଥିବା ହିଂସା, ପଥରମାଡ଼ ଏବଂ ଭଙ୍ଗାରୁଜା ଘଟଣାକୁ ନେଇ ଦିଲ୍ଲୀ ପୋଲିସ ମଙ୍ଗଳବାର ଏକ ମାମଲା ରୁଜୁ କରିଛି। ସୋମବାର ‘କୋକରୋଚ୍ ଜନତା ପାର୍ଟି’ (ସିଜେପି) ଏବଂ କେତେକ କୃଷକ ସଂଗଠନ ପକ୍ଷରୁ ଆୟୋଜିତ ଏହି ଶୋଭାଯାତ୍ରା ବେଳେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଉଠିଥିଲା।
ଅଭିଯୋଗ ଅନୁଯାୟୀ, ବିକ୍ଷୋଭକାରୀମାନେ ପୋଲିସ ଉପରକୁ ପଥରମାଡ଼ କରିବା ସହ ଅନେକ ପୋଲିସ ଗାଡ଼ିକୁ ଭଙ୍ଗାରୁଜା କରି କ୍ଷତିଗ୍ରସ୍ତ କରିଥିଲେ। ଏହି ହିଂସାକାଣ୍ଡରେ ୧୧୮ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।
ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ପକ୍ଷରୁ ସିସିଟିଭି ଫୁଟେଜ୍, ଭିଡିଓ ରେକର୍ଡିଂ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ପ୍ରମାଣ ସଂଗ୍ରହ କରାଯାଇ ତାହାର ଯାଞ୍ଚ କରାଯାଉଛି। ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଥିବାବେଳେ ଘଟଣାରେ ଜଡ଼ିତ ବ୍ୟକ୍ତିମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
ହିଂସାକାଣ୍ଡ ପରେ ଜାତୀୟ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ନୂଆଦିଲ୍ଲୀ, ସେଣ୍ଟ୍ରାଲ, ନର୍ଥ, ସାଉଥ୍ ଏବଂ ସାଉଥ୍-ଇଷ୍ଟ ଦିଲ୍ଲୀ ଭଳି ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଦିଲ୍ଲୀ ପୋଲିସ ଓ ପାରାମିଲିଟାରୀ ବାହିନୀର ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛି।
ଗୁରୁତ୍ୱପୂର୍ଣ୍ଣ ସରକାରୀ ସ୍ଥାନ, ଛକ ଏବଂ ସୀମାନ୍ତ ଅଞ୍ଚଳରେ ବହୁସ୍ତରୀୟ ବ୍ୟାରିକେଡ୍ ଲଗାଯାଇଥିବାବେଳେ ଯାନବାହନଗୁଡ଼ିକର କଡ଼ା ଯାଞ୍ଚ ଓ ନିୟମିତ ପାଟ୍ରୋଲିଂ କରାଯାଉଛି। ଏହାସହ ସୋସିଆଲ ମିଡିଆରେ କୌଣସି ପ୍ରକାରର ଗୁଜବ ପ୍ରଚାର ନ କରିବାକୁ ଦିଲ୍ଲୀ ପୋଲିସ ସାଧାରଣ ଲୋକଙ୍କୁ ନିବେଦନ କରିଛି।
ବାଲେଶ୍ୱର:ବିଚିତ୍ରପୁର ଜଙ୍ଗଲରୁ ୫ଟି ଓରାଙ୍ଗଉଟାନ୍ ମିଳିବା...
ପୁରୀ:ପୁରୀ ଜିଲ୍ଲାରେ ପୁଣି ମନ୍ଦିରରୁ ଚୋରି ଅଭିଯୋଗ ହୋଇଛି...
ସୋନପୁର:ସୋନପୁରରେ କ୍ୟାଟରିଂ କର୍ମଚାରୀଙ୍କ ମୃତ୍ୟୁକୁ ନେଇ...
ଭୁବନେଶ୍ୱର:ଓଡ଼ିଶାରେ ବୃହତ୍ ଶିଳ୍ପ ଓ ନିବେଶ ଆଣିବା ଲକ୍ଷ୍...