ପଞ୍ଜାବ ରାଜନୀତିରେ ଆସିବାକୁ ଯାଉଛି ବଡ଼ ପରିବର୍ତ୍ତନ। ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ପୁଣି ଏକାଠି ହେବାକୁ ଯାଉଛନ୍ତି ବିଜେପି ଓ ଶିରୋମଣି ଅକାଳୀ ଦଳ (SAD)।ପ୍ରାୟ ୬ ବର୍ଷର ବ୍ୟବଧାନ ପରେ ଉଭୟ ଦଳ ନିଜର ପୁରୁଣା ମେଣ୍ଟକୁ ପୁନର୍ଜୀବିତ କରିବାକୁ ଯାଉଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ନଭେମ୍ବର ୨୪ ତାରିଖ ମଙ୍ଗଳବାର ଅପରାହ୍ଣ ପ୍ରାୟ ୧ଟାରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ଅକାଳୀ ଦଳର ସଭାପତି ସୁଖବୀର ସିଂହ ବାଦଲ ଯୋଗଦେବାର ସୂଚନା ରହିଛି। ଏହି ସମ୍ମିଳନୀରେ ମେଣ୍ଟ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା ହେବାର ସମ୍ଭାବନା ଅଛି।
ବିଜେପି ଓ ଅକାଳୀ ଦଳ ଦୀର୍ଘ ସମୟ ଧରି ମେଣ୍ଟରେ ରହିଥିଲେ। କିନ୍ତୁ କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନକୁ ବିରୋଧ କରି ୨୦୨୦ ସେପ୍ଟେମ୍ବର ୨୭ ତାରିଖରେ ଶିରୋମଣି ଅକାଳୀ ଦଳ ଏନଡିଏ ମେଣ୍ଟରୁ ଓହରି ଯାଇଥିଲା। ଏହା ସହ ଦଳର ନେତ୍ରୀ ହରସିମରତ କୌର ବାଦଲ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ମଧ୍ୟ ଇସ୍ତଫା ଦେଇଥିଲେ।
ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଏହି ତିନୋଟି କୃଷି ଆଇନ ପ୍ରତ୍ୟାହାର କରିଥିଲେ। ତଥାପି ଦୁଇ ଦଳ ମଧ୍ୟରେ ପୁରୁଣା ସମ୍ପର୍କ ଫେରିନଥିଲା। ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନରେ ଉଭୟ ଦଳ ଅଲଗା ଅଲଗା ଲଢ଼ିଥିଲେ।
ପଞ୍ଜାବ ବିଧାନସଭାର ମୋଟ ୧୧୭ଟି ଆସନ ମଧ୍ୟରୁ ୨୦୨୨ ନିର୍ବାଚନରେ ଶିରୋମଣି ଅକାଳୀ ଦଳ ମାତ୍ର ୩ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୨ଟି ଆସନ ହାସଲ କରିଥିଲା। ଏବେ ୨୦୨୭ ନିର୍ବାଚନକୁ ଆଖିରେ ରଖି ଉଭୟ ଦଳ ପୁଣି ଏକାଠି ହେବାକୁ ଯାଉଥିବାରୁ ରାଜ୍ୟର ରାଜନୈତିକ ଚିତ୍ର ବଦଳିବା ନେଇ ଆଲୋଚନା ଆରମ୍ଭ ହୋଇଛି।
ମେଣ୍ଟ ଘୋଷଣା ସହିତ ଦୁଇ ଦଳ ମଧ୍ୟରେ ଆସନ ବଣ୍ଟନ କିପରି ହେବ, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ। ପୂର୍ବରୁ ମେଣ୍ଟ ସମୟରେ ବିଜେପି ୧୧୭ଟି ଆସନରୁ ୨୩ଟିରେ ଏବଂ ଅକାଳୀ ଦଳ ୯୪ଟି ଆସନରେ ନିର୍ବାଚନ ଲଢ଼ୁଥିଲା। ଏଥର ବିଜେପି ଅଧିକ ଆସନ ଦାବି କରିପାରେ ବୋଲି ଚର୍ଚ୍ଚା ହେଉଛି।
ଅନ୍ୟପଟେ, ଅକାଳୀ ଦଳ ନିଜର ପାରମ୍ପରିକ ଭୋଟ୍ ବ୍ୟାଙ୍କ ଓ ଗ୍ରାମାଞ୍ଚଳରେ ପ୍ରଭାବ ବଜାୟ ରଖିବାକୁ ଚେଷ୍ଟା କରିବ। ଏହି ମେଣ୍ଟ ଯଦି ଆନୁଷ୍ଠାନିକ ରୂପ ନିଏ, ତେବେ ୨୦୨୭ ପଞ୍ଜାବ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସର ରଣନୀତି ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ।
ବାତ୍ୟା ଅକଭାନ୍‌ର ପ୍ରଭାବ ସମ୍ପୂର୍ଣ୍ଣ ଟଳିନଥିବା ବେ...
ନୂଆଦିଲ୍ଲୀ:ଭାରତ ଓ ନେପାଳ ମଧ୍ୟରେ ରେଳ ସଂଯୋଗ କ୍ଷେତ୍ରରେ...
ନୂଆଦିଲ୍ଲୀ: ଭାରତ ଓ ନେପାଳ ମଧ୍ୟରେ ସମ୍ପର୍କକୁ ଆହୁରି ମଜଭ...
ବାତ୍ୟା ଆକଭାନ୍ର ପ୍ରଭାବ ପରେ ଓଡ଼ିଶାର ପାଣିପାଗରେ ଦେଖାଦେ...
ନୂଆଦିଲ୍ଲୀ: ଭାରତ ଓ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ...
ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବା...
ନୂଆଦିଲ୍ଲୀ:ଭାରତ ଓ ନେପାଳ ମଧ୍ୟରେ ବନ୍ଧୁତା ଓ ଦ୍ୱିପାକ୍ଷି...
ଓଡ଼ିଶାର ବାତ୍ୟା ଇତିହାସରେ ନଭେମ୍ବର ମାସର ଏକ ସ୍ୱତନ୍ତ୍ର...