ମହାନଦୀର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ଆଜିଠୁ ଜମିବ ମୁକ୍ତାକାଶ ବାଣିଜ୍ୟର ମହାଆସର। ଗୁଞ୍ଜରିତ ହେବ ବୋଇତ ବନ୍ଦାଣର ଗାଥା। ଓଡ଼ିଆ ଜାତିର ନୌବାଣିଜ୍ୟ ଗୌରବ, ସାମୁଦ୍ରିକ ପରମ୍ପରା ଓ ସମୃଦ୍ଧ ଐତିହ୍ୟର ପ୍ରତୀକ ଐତିହାସିକ କଟକ ବାଲିଯାତ୍ରା ଆଜିଠୁ ଆରମ୍ଭ ହେଉଛି। ଚଳିତ ବର୍ଷ ପ୍ରଥମଥର ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ମହାମେଳାର ଉଦ୍ଘାଟନ କରିବେ।
ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଆଠ ଦିନ ଧରି ମହାନଦୀ ପଠାର ତଳପଡ଼ିଆ ଓ ଉପର ପଡ଼ିଆରେ ଏହି ମେଳା ଅନୁଷ୍ଠିତ ହେବ।
ଚଳିତ ବର୍ଷ ପ୍ରାୟ ୬୦ ଏକର ଅଞ୍ଚଳରେ ବାଲିଯାତ୍ରା ଆୟୋଜନ କରାଯାଇଛି। ଏଠାରେ ୧,୮୦୦ରୁ ଅଧିକ ଷ୍ଟଲ୍ ଖୋଲିବ। ଉପର ପଡ଼ିଆରେ ୧.୯୩ ଲକ୍ଷ ବର୍ଗଫୁଟ ଅଞ୍ଚଳରେ ୫୯୧ଟି ଷ୍ଟଲ୍ ପାଇଁ ବ୍ୟବସ୍ଥା ହୋଇଛି। ଏହି ପଡ଼ିଆକୁ ୧୧ଟି ବ୍ଲକ୍ରେ ବିଭକ୍ତ କରାଯାଇଛି। ଏଠାରେ ୧୨୦ଟି ଖାଦ୍ୟ ଷ୍ଟଲ୍, ୧୫ ହଜାର ବର୍ଗଫୁଟର ମନୋରଞ୍ଜନ ଜୋନ୍ ଓ ବିଭିନ୍ନ ସରକାରୀ ବିଭାଗର ପ୍ରଦର୍ଶନୀ ରହିବ।
ସେହିପରି ତଳ ପଡ଼ିଆରେ ୧,୦୦୦ରୁ ଅଧିକ ଷ୍ଟଲ୍ ଖୋଲିବ। ଓରମାସ୍ ପକ୍ଷରୁ ପ୍ରାୟ ୫୦୦ଟି ଷ୍ଟଲ୍ରେ ରାଜ୍ୟର ହସ୍ତତନ୍ତ, ହସ୍ତଶିଳ୍ପ, ଗ୍ରାମୀଣ ଉତ୍ପାଦ ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କ ସାମଗ୍ରୀ ପ୍ରଦର୍ଶିତ ଓ ବିକ୍ରି କରାଯିବ।
ଜିଲ୍ଲା ପ୍ରଶାସନର ଆକଳନ ଅନୁସାରେ, ଆଠ ଦିନରେ ପ୍ରାୟ ୮୦ ଲକ୍ଷ ଲୋକ ବାଲିଯାତ୍ରା ପରିଦର୍ଶନ କରିପାରନ୍ତି। ଏହି ମେଳାରେ ପ୍ରାୟ ୩୫୦ କୋଟି ଟଙ୍କାର ବ୍ୟବସାୟ ହେବା ନେଇ ପ୍ରଶାସନ ଆଶା ରଖିଛି। ଆୟୋଜନ ପାଇଁ ମୋଟ ୧୭ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବାବେଳେ ରାଜ୍ୟ ସରକାର ୧୦ କୋଟି ଟଙ୍କା ଅନୁଦାନ ଦେବେ।
ଚଳିତ ବର୍ଷ ବାଲିଯାତ୍ରାର ସବୁଠୁ ବଡ଼ ଆକର୍ଷଣ ହେବ ରାଷ୍ଟ୍ରପତିଙ୍କ ଗସ୍ତ। ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ‘କଳିଙ୍ଗ ତରଙ୍ଗିଣୀ’ ବୋଟ୍ରେ ସିଲଭର ସିଟି ବୋଟ୍ କ୍ଲବ୍ରୁ ଗଡ଼ଗଡ଼ିଆ ଘାଟକୁ ଯିବେ ରାଷ୍ଟ୍ରପତି। ତାଙ୍କ ସହ ଝିଅ, ସୁରକ୍ଷା ଓ ଚିକିତ୍ସା ଦଳକୁ ମିଶାଇ ପ୍ରାୟ ୧୫ ଜଣ ରହିବେ। ରାଷ୍ଟ୍ରପତିଙ୍କ ବୋଟ୍କୁ ସାତଟି ସୁରକ୍ଷା ବୋଟ୍ ଘେରି ରହିବ।
ଜଳପଥରେ ସୁରକ୍ଷା ପାଇଁ ନୌସେନା, ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ପକ୍ଷରୁ ବ୍ୟବସ୍ଥା କରାଯିବ। ବାଲିଯାତ୍ରା ପଡ଼ିଆରେ ପହଞ୍ଚିବା ପରେ ରାଷ୍ଟ୍ରପତି ପ୍ରଥମେ ‘କଟକ ଇନ୍ କଟକ’ ପ୍ୟାଭିଲିୟନ୍ର ଉଦ୍ଘାଟନ କରିବେ। ପରେ ଓରମାସ୍ ଷ୍ଟଲ୍ ପରିଦର୍ଶନ କରି ଗଣକବି ବୈଷ୍ଣବ ପାଣି ମଞ୍ଚରେ ମୁଖ୍ୟ ଉଦ୍ଘାଟନୀ ସମାରୋହରେ ଯୋଗଦେବେ।
ଏଥର ବାଲିଯାତ୍ରାରେ ‘କଟକ ଇନ୍ କଟକ’ ପ୍ୟାଭିଲିୟନ୍ ଅନ୍ୟତମ ମୁଖ୍ୟ ଆକର୍ଷଣ ହେବ। ଏଠାରେ ପ୍ରାଚୀନ କଳିଙ୍ଗ, ଇଣ୍ଡୋନେସିଆ ଓ ବାଲି ଦ୍ୱୀପ ମଧ୍ୟରେ ରହିଥିବା ଐତିହାସିକ, ସାଂସ୍କୃତିକ ଓ ବାଣିଜ୍ୟିକ ସମ୍ପର୍କକୁ ଜୀବନ୍ତ ଭାବେ ପ୍ରଦର୍ଶନ କରାଯିବ। ଏଥିସହ ଇଣ୍ଡୋନେସିଆର ଏକ ପ୍ରତିନିଧି ଦଳ ମଧ୍ୟ ବାଲିଯାତ୍ରାରେ ଯୋଗଦେବେ।
ବାଲିଯାତ୍ରାର ଦୁଇଟି ସାଂସ୍କୃତିକ ମଞ୍ଚ—ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ରାଜ୍ୟ ଓ ଜାତୀୟ ସ୍ତରର କଳାକାରମାନେ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିବେ। ନଭେମ୍ବର ୨୬ରେ ବଲିଉଡ୍ କଣ୍ଠଶିଳ୍ପୀ ପାପୋନଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ରହିଛି।
ମେଳାରେ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ପ୍ରାୟ ୭୦ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୪୦୦ ପୋଲିସ ଅଧିକାରୀ ମୁତୟନ ହେବେ। ପଡ଼ିଆରେ ୩୮ଟି ୱାଚ୍ ଟାୱାର, ୩୮ଟି ପୋଲିସ ସହାୟତା କେନ୍ଦ୍ର, ୧,୨୦୦ ସିସିଟିଭି କ୍ୟାମେରା ଓ ୧୦୦ଟି ଏଆଇ ଆଧାରିତ କ୍ୟାମେରା ଲଗାଯିବ।
ଏଥିସହ ନଭେମ୍ବର ୨୨ରୁ ଡିସେମ୍ବର ୩ ପର୍ଯ୍ୟନ୍ତ ବାଲିଯାତ୍ରା ପଡ଼ିଆର ପାଞ୍ଚ କିଲୋମିଟର ପରିଧିକୁ ଡ୍ରୋନ୍ ନିଷିଦ୍ଧ ଅଞ୍ଚଳ ଘୋଷଣା କରାଯାଇଛି।
ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଇତିହାସ ଓ ସାମୁଦ୍ରିକ ପରମ୍ପରାକୁ ମନେ ପକାଇ ଆଜିଠୁ କଟକରେ ଆରମ୍ଭ ହେଉଛି ଏହି ଭବ୍ୟ ମହୋତ୍ସବ।
ଟେଷ୍ଟ କ୍ରିକେଟ୍‌ରେ ସଫଳ ହେବା ପାଇଁ କେବଳ ଭଲ ବ୍ୟାଟ...
ବକ୍ସ ଅଫିସ୍‌ରେ ଧମାକା କରୁଛି ନିତେଶ ତିୱାରୀଙ୍କ ନିର...
ନୂଆଦିଲ୍ଲୀ: IPL ୨୦୨୭ରେ ଖେଳାଳି ଭାବେ ନୁହେଁ, ବରଂ ମେଣ୍ଟ...
ନୂଆଦିଲ୍ଲୀ: ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ‘ରାମା...
ମୁମ୍ବାଇ:OTT ପ୍ରେମୀ ଓ ଅଜୟ ଦେବଗନଙ୍କ ପ୍ରଶଂସକଙ୍କ ପାଇଁ...
ମୁମ୍ବାଇ:ସିନେମା ହଲ୍ରେ ଜାରି ରହିଛି ‘ରାମାୟଣ&rsqu...
ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୭ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ...
ଭାରତୀୟ କ୍ରିକେଟ୍‌ର ଅନ୍ୟତମ ସଫଳ ଅଧିନାୟକ ମହେନ୍ଦ୍ର...