ୱାଶିଂଟନ୍: ଇରାନକୁ ନେଇ ଆମେରିକାର ରଣନୀତିରେ ବଡ଼ ପରିବର୍ତ୍ତନ । ଇରାନ ଉପରେ ପୁଣି ସାମରିକ ଆକ୍ରମଣ କରିବା କିମ୍ବା ନିଜ ସର୍ତ୍ତରେ ଶାନ୍ତି ଚୁକ୍ତି ନକରି ଏବେ ଆର୍ଥିକ ଚାପ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ରଣନୀତି ଜରିଆରେ ଇରାନର ଅର୍ଥନୀତିକୁ ଦୁର୍ବଳ କରି ତେହେରାନକୁ ଆମେରିକାର ସର୍ତ୍ତ ମାନିବାକୁ ବାଧ୍ୟ କରିବା ଲକ୍ଷ୍ୟ ରଖାଯାଇଛି ।
ସମ୍ବାଦ ୱେବସାଇଟ୍ Axiosର ରିପୋର୍ଟ ଅନୁସାରେ, ମଙ୍ଗଳବାର G7 ଦେଶର ବୈଦେଶିକ ମନ୍ତ୍ରୀଙ୍କ ସହ ବୈଠକରେ ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ଟ୍ରମ୍ପଙ୍କ ଏହି ରଣନୀତି ବିଷୟରେ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ଟ୍ରମ୍ପଙ୍କ ପାଖରେ କେବଳ ଯୁଦ୍ଧ କିମ୍ବା ଶାନ୍ତି ଚୁକ୍ତି ଦୁଇଟି ବିକଳ୍ପ ନାହିଁ । ଏହା ବ୍ୟତୀତ ଆଉ ଏକ ରାସ୍ତା ରହିଛି, ଯାହା ହେଉଛି ଇରାନ ଉପରେ ଚାପ ବଜାୟ ରଖିବା ।
ରୁବିଓ କହିଛନ୍ତି, ଆମେରିକା କୌଣସି ଅଯୌକ୍ତିକ ଚୁକ୍ତି କରିବାକୁ ଚାହୁଁନାହିଁ । ବର୍ତ୍ତମାନ ଯେଉଁ ରଣନୀତି ଚାଲିଛି, ତାହାକୁ ଜାରି ରଖି ଇରାନ ଉପରେ ଅଧିକ ଆର୍ଥିକ ଚାପ ପକାଯିବ । ଏଥିପାଇଁ ଆମେରିକା କୌଣସି ନିର୍ଦ୍ଦିଷ୍ଟ ସମୟସୀମାରେ ବାନ୍ଧି ହେବାକୁ ଚାହୁଁନାହିଁ ।
ଆକ୍ରମଣ ବଦଳରେ ଆର୍ଥିକ ଅବରୋଧକୁ ଗୁରୁତ୍ୱ
ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ପଛରେ ଅନେକ କାରଣ ରହିଛି । ଇରାନ ବିରୋଧରେ ପୁଣି ସାମରିକ କାର୍ଯ୍ୟାନୁଷ୍ଠାନ କଲେ ଯୁଦ୍ଧ ଆହୁରି ଲମ୍ବା ହେବାର ଆଶଙ୍କା ରହିଛି । ଅନ୍ୟପଟେ ଆମେରିକାର ସର୍ତ୍ତ ନମାନି ଇରାନ ସହ ଚୁକ୍ତି କରିବାକୁ ମଧ୍ୟ ଟ୍ରମ୍ପ ପ୍ରସ୍ତୁତ ନୁହନ୍ତି ।
ସୋମବାର କତାରର ପ୍ରଧାନମନ୍ତ୍ରୀ ଶେଖ୍ ମହମ୍ମଦ ବିନ୍ ଅବଦୁଲରହମାନ ଅଲ୍ ଥାନିଙ୍କ ସହ ସାକ୍ଷାତ ପରେ ଟ୍ରମ୍ପ ଇରାନ ଉପରେ ନୂଆ ଆକ୍ରମଣର ସମ୍ଭାବନା କମ୍ ବୋଲି ସଙ୍କେତ ଦେଇଥିଲେ । ତାଙ୍କ ମତରେ, ଏବେ ତୁରନ୍ତ ଆଉ ଏକ ସାମରିକ ଆକ୍ରମଣର ଆବଶ୍ୟକତା ଦେଖାଯାଉନାହିଁ ।
ଏହା ବଦଳରେ ଇରାନ ଉପରେ ଆର୍ଥିକ କଟକଣା ଓ ନୌସେନା ଅବରୋଧ ଜାରି ରଖିବା ସହ 'Iron Gate' ନାମକ ଏକ ନୂଆ ଅଭିଯାନ ଆରମ୍ଭ କରିବାକୁ ଆମେରିକା ଯୋଜନା କରୁଛି । ଏହି ଅଭିଯାନ ଜରିଆରେ ଇରାନ ଉନ୍ନତ ଅସ୍ତ୍ରଶସ୍ତ୍ର ଓ ପ୍ରଯୁକ୍ତିବିଦ୍ୟା ପରିବହନ ପାଇଁ ବ୍ୟବହାର କରୁଥିବା ଅଭିଯୋଗ ଥିବା ସ୍ଥଳପଥଗୁଡ଼ିକୁ ବନ୍ଦ କରିବା ଲକ୍ଷ୍ୟ ରହିଛି ।
ଟ୍ରମ୍ପଙ୍କୁ ସମର୍ଥନ କରୁଛନ୍ତି ରୁବିଓ ଓ ଅନ୍ୟ ଅଧିକାରୀ
Axiosର ରିପୋର୍ଟ ଅନୁସାରେ, ଟ୍ରମ୍ପଙ୍କ ଜାତୀୟ ସୁରକ୍ଷା ଟିମ୍ର କିଛି ପ୍ରମୁଖ ସଦସ୍ୟ ଯୁଦ୍ଧ ପୁଣି ଆରମ୍ଭ କରିବା ବିରୋଧରେ ମତ ଦେଇଥିଲେ । ଏହି ଗୋଷ୍ଠୀରେ ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ, ଅର୍ଥମନ୍ତ୍ରୀ ସ୍କଟ୍ ବେସେଣ୍ଟ, CIA ନିର୍ଦ୍ଦେଶକ ଜନ୍ ରାଟକ୍ଲିଫ୍ ଏବଂ ଟ୍ରମ୍ପଙ୍କ ପରାମର୍ଶଦାତା ତଥା ଜ୍ୱାଇଁ ଜାରେଡ୍ କୁଶନର ରହିଛନ୍ତି ।
ଏହି ଅଧିକାରୀମାନଙ୍କ ମତରେ, ଇରାନର ବର୍ତ୍ତମାନର ଆଲୋଚନା ପ୍ରସ୍ତାବ ଆମେରିକାର ସ୍ୱାର୍ଥ ପାଇଁ ଉପଯୋଗୀ ନୁହେଁ । ତେଣୁ ଯୁଦ୍ଧକୁ ପୁଣି ଆରମ୍ଭ କରିବା ପରିବର୍ତ୍ତେ ଆର୍ଥିକ ଚାପ ବଢ଼ାଇବା ଅଧିକ ଉପଯୋଗୀ ହେବ ବୋଲି ସେମାନେ ମତ ଦେଇଥିଲେ ।
ଇରାନ ସହ ତୁରନ୍ତ ଚୁକ୍ତି ହେବା ନେଇ ରୁବିଓଙ୍କ ସନ୍ଦେହ
ଇରାନ ସହ ଶୀଘ୍ର କୌଣସି କୂଟନୈତିକ ଚୁକ୍ତି ହେବା ନେଇ ମାର୍କୋ ରୁବିଓ ବିଶେଷ ଆଶାବାଦୀ ନୁହନ୍ତି । ତାଙ୍କ କହିବା ଅନୁସାରେ, ଇରାନ ଚୁକ୍ତି କରିବାକୁ ଇଚ୍ଛା ପ୍ରକାଶ କରୁଥିଲେ ମଧ୍ୟ ଗମ୍ଭୀର ପ୍ରସ୍ତାବ ଦେଉନାହିଁ ।
ରୁବିଓଙ୍କ ମତରେ, ଆର୍ଥିକ ଚାପ ବଢ଼ିବା ସହ ଇରାନର ଅର୍ଥନୀତି ଆହୁରି ଦୁର୍ବଳ ହେବ। ଏହାର ପ୍ରଭାବ ଦେଶର ଶାସକ ଗୋଷ୍ଠୀ ଉପରେ ପଡ଼ିବ ଏବଂ ଶେଷରେ ଆମେରିକାର ସର୍ତ୍ତ ଉପରେ ପୁନର୍ବିଚାର କରିବାକୁ ଇରାନ ବାଧ୍ୟ ହୋଇପାରେ ।
ସେ କହିଛନ୍ତି, ଶେଷରେ ଲୋକଙ୍କୁ ଖାଇବାକୁ ତ ହେବ। ଅର୍ଥନୈତିକ ବାସ୍ତବତାକୁ ଇରାନର କଠୋରପନ୍ଥୀ ନେତୃତ୍ୱ ମଧ୍ୟ ଅଣଦେଖା କରିପାରିବ ନାହିଁ ।
ଆମେରିକାର ରଣନୀତିକୁ ନେଇ ସହଯୋଗୀ ଦେଶଙ୍କ ଚିନ୍ତା
ଅନ୍ୟପଟେ ଆମେରିକାର ଏହି ଦୀର୍ଘକାଳୀନ ଆର୍ଥିକ ଅବରୋଧ ରଣନୀତିକୁ ନେଇ କିଛି ସହଯୋଗୀ ଦେଶ ଚିନ୍ତା ପ୍ରକାଶ କରିଛନ୍ତି। ତୁର୍କୀ, ଇରାକ ଓ ପାକିସ୍ତାନ ଭଳି ଦେଶ ଏହି ନୀତିକୁ ନେଇ ଆଶଙ୍କାରେ ଥିବା ଜଣେ ଆମେରିକୀୟ ଅଧିକାରୀ Axiosକୁ କହିଛନ୍ତି ।
ଏହି ଦେଶଗୁଡ଼ିକର ଚିନ୍ତା ହେଉଛି, ଆମେରିକା ଯଦି ଆର୍ଥିକ ଅବରୋଧକୁ ଦୀର୍ଘ ସମୟ ଧରି ଜାରି ରଖେ, ତେବେ ଇରାନ ସହ ଶାନ୍ତି ଆଲୋଚନା ଆହୁରି ଜଟିଳ ହୋଇପାରେ ।
ଏବେ ଟ୍ରମ୍ପଙ୍କ ଏହି ନୂଆ ରଣନୀତି ଇରାନକୁ ଆଲୋଚନା ଟେବୁଲକୁ ଆଣିବ ନା ମଧ୍ୟପ୍ରାଚ୍ୟରେ ଉତ୍ତେଜନାକୁ ଆହୁରି ବଢ଼ାଇବ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।
କୋଲକାତା: ୧୩ ବର୍ଷ ପୁରୁଣା ଏକ ମାମଲାକୁ ନେଇ ପଶ୍ଚିମବଙ୍ଗର...
ଲକ୍ଷ୍ନୌ: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ...
ଲିଙ୍କନ୍‌: ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରି...
ସିଡନୀ: ଅଷ୍ଟ୍ରେଲିଆ କ୍ରିକେଟ୍‌ର ସବୁଠାରୁ ବିବାଦୀୟ...
ନୂଆଦିଲ୍ଲୀ: IPL ୨୦୨୭ ପୂର୍ବରୁ କ୍ରିକେଟ୍ ଜଗତରେ ବଡ଼ ଧମା...
ନୂଆଦିଲ୍ଲୀ:ଉତ୍ତରପ୍ରଦେଶରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ...
ନୂଆଦିଲ୍ଲୀ: ଦେଶର ଭୋଟର ତାଲିକାକୁ ନେଇ ପୁଣି ଥରେ ରାଜନୈତି...
ନୂଆଦିଲ୍ଲୀ: ଭାରତୀୟ ଚେସ୍ ଜଗତ ପାଇଁ ଆସିଛି ଏକ ବଡ଼ ଖୁସି...