ବିଜ୍ଞାନ ଓ ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ହାସଲ କରିଛି ଆଉ ଏକ ବଡ଼ ସଫଳତା। ଦେଶର ପ୍ରଥମ 8K ରିଜୋଲ୍ୟୁସନ୍ LED ଡୋମ୍ ପ୍ଲାନେଟୋରିୟମ୍ର ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କର୍ଣ୍ଣାଟକର ମହୀଶୂରଠାରେ ନିର୍ମିତ ଏହି ଅତ୍ୟାଧୁନିକ ପ୍ଲାନେଟୋରିୟମ୍ର ନାମ ରହିଛି 'COSMOS-Mysuru'। ଏହା ଭାରତରେ ଖଗୋଳ ବିଜ୍ଞାନ ଶିକ୍ଷା ଓ ଗବେଷଣାକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି।
କ'ଣ ରହିଛି ଏହି ପ୍ଲାନେଟୋରିୟମ୍ର ବିଶେଷତ୍ୱ?
ଭାରତୀୟ ଖଗୋଳଭୌତିକ ବିଜ୍ଞାନ ପ୍ରତିଷ୍ଠାନ (Indian Institute of Astrophysics – IIA) ଦ୍ୱାରା ବିକଶିତ ଏହି ପ୍ଲାନେଟୋରିୟମ୍ରେ 8K ରିଜୋଲ୍ୟୁସନ୍ର LED ଡୋମ୍ ଟେକ୍ନୋଲୋଜି ବ୍ୟବହାର କରାଯାଇଛି। ବିଶ୍ୱର ଅଳ୍ପ କେତୋଟି ପ୍ଲାନେଟୋରିୟମ୍ ମଧ୍ୟରେ ଏହା ଅନ୍ୟତମ, ଯେଉଁଠାରେ ଏଭଳି ଉଚ୍ଚମାନର LED ଡୋମ୍ ବ୍ୟବସ୍ଥା ରହିଛି।
ପାରମ୍ପରିକ ପ୍ଲାନେଟୋରିୟମ୍ରେ ପ୍ରୋଜେକ୍ସନ୍ ସିଷ୍ଟମ୍ ବ୍ୟବହାର ହେଉଥିବା ବେଳେ ଏଠାରେ LED ଡୋମ୍ ଟେକ୍ନୋଲୋଜି ମାଧ୍ୟମରେ ସମ୍ପୂର୍ଣ୍ଣ ଡୋମ୍ରେ ଉଚ୍ଚ ରିଜୋଲ୍ୟୁସନ୍ର ଚିତ୍ର ପ୍ରଦର୍ଶିତ ହୋଇପାରିବ। ଏହାଦ୍ୱାରା ଦର୍ଶକମାନେ ବ୍ରହ୍ମାଣ୍ଡ, ଗ୍ରହ, ନକ୍ଷତ୍ର ଓ ବିଭିନ୍ନ ମହାଜାଗତିକ ଘଟଣାକୁ ଏକ ନିଆରା ଅନୁଭୂତି ସହ ଦେଖିପାରିବେ ।
୩ ବର୍ଷରେ ୪୦ ହଜାରରୁ ଅଧିକ ଲୋକଙ୍କୁ ମିଳିଛି ଖଗୋଳ ବିଜ୍ଞାନର ଶିକ୍ଷା
ଏହି ପ୍ଲାନେଟୋରିୟମ୍ର ନିର୍ମାଣ କେବଳ ଏକ ନୂଆ ପ୍ରଯୁକ୍ତିର ଉପଲବ୍ଧି ନୁହେଁ, ବରଂ ମହୀଶୂର ଓ ଏହାର ଆଖପାଖ ଗ୍ରାମାଞ୍ଚଳରେ ଖଗୋଳ ବିଜ୍ଞାନ ପ୍ରତି ଆଗ୍ରହ ବଢ଼ାଇବା ପାଇଁ ତିନି ବର୍ଷ ଧରି ଚାଲିଥିବା ଏକ ବଡ଼ ଅଭିଯାନର ଫଳ ।
ଭାରତୀୟ ଖଗୋଳଭୌତିକ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ଗତ ତିନି ବର୍ଷ ମଧ୍ୟରେ ୧୫୦ରୁ ଅଧିକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହାଦ୍ୱାରା ୪୦ ହଜାରରୁ ଅଧିକ ଲୋକ ଉପକୃତ ହୋଇଛନ୍ତି।
ଏହି କାର୍ଯ୍ୟକ୍ରମରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ସ୍କୁଲ୍ଗୁଡ଼ିକରେ ବିଭିନ୍ନ ଶିକ୍ଷାମୂଳକ ଅଧିବେଶନ, ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପାଇଁ କର୍ମଶାଳା, ସାଧାରଣ ସଭା, ବୈଷୟିକ ଆଲୋଚନା ଏବଂ ଅନଲାଇନ୍ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହା ସହ କନ୍ନଡ଼ ଓ ଇଂରାଜୀ ଭାଷାରେ ୬୦ରୁ ଅଧିକ ରେଡିଓ କାର୍ଯ୍ୟକ୍ରମ ମଧ୍ୟ ପ୍ରସାରଣ କରାଯାଇଥିଲା।
କେବଳ ଦର୍ଶନ ନୁହେଁ, ଗବେଷଣା ଓ ପ୍ରଶିକ୍ଷଣର ମଧ୍ୟ ହେବ କେନ୍ଦ୍ର
COSMOS-Mysuru ଏବେ କେବଳ ମହାକାଶ ସମ୍ପର୍କିତ ଦୃଶ୍ୟ ଦେଖିବାର କେନ୍ଦ୍ର ହୋଇ ରହିବ ନାହିଁ। ଏହାକୁ ଖଗୋଳ ବିଜ୍ଞାନ ଶିକ୍ଷା ଓ ଗବେଷଣାର ଏକ ପ୍ରମୁଖ କେନ୍ଦ୍ର ଭାବେ ବିକଶିତ କରିବାକୁ ଯୋଜନା ରହିଛି।
ଏଠାରେ ଛାତ୍ରଛାତ୍ରୀଙ୍କ ପାଇଁ ଏକାଡେମିକ୍ ପ୍ରଶିକ୍ଷଣ କର୍ମଶାଳା, ତଥ୍ୟ ବିଶ୍ଳେଷଣ କାର୍ଯ୍ୟକ୍ରମ ଏବଂ ମହାକାଶ ପର୍ଯ୍ୟବେକ୍ଷଣ ସମ୍ପର୍କିତ ଶିକ୍ଷା ପ୍ରଦାନ କରାଯିବ। LED ଡୋମ୍କୁ ଏକ ଶିକ୍ଷାଦାନ ଉପକରଣ ଭାବେ ବ୍ୟବହାର କରି ଜଟିଳ ବୈଜ୍ଞାନିକ ବିଷୟକୁ ସହଜରେ ବୁଝାଇବାକୁ ଉଦ୍ୟମ କରାଯିବ ।
ଏହାଦ୍ୱାରା ପାରମ୍ପରିକ ଶ୍ରେଣୀଗୃହ ଶିକ୍ଷା ବାହାରେ ଛାତ୍ରଛାତ୍ରୀଙ୍କୁ ପ୍ରାୟୋଗିକ ଓ ଅନୁଭୂତିଭିତ୍ତିକ ଶିକ୍ଷା ମିଳିପାରିବ ।
ଅତ୍ୟାଧୁନିକ 8K LED ଡୋମ୍ ପ୍ରଯୁକ୍ତି ଏବଂ ତିନି ବର୍ଷର ଶିକ୍ଷାମୂଳକ ଅଭିଯାନକୁ ଆଧାର କରି COSMOS-Mysuru ଭାରତରେ ଖଗୋଳ ବିଜ୍ଞାନ ଶିକ୍ଷା, ବୈଜ୍ଞାନିକ ଚିନ୍ତାଧାରା ଓ ମହାକାଶ ସମ୍ପର୍କିତ ଜ୍ଞାନ ପ୍ରସାରର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ହେବାକୁ ଯାଉଛି।
ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ISROର ନୂଆ ପ୍ରଯୁକ୍ତି...
ଫୁଜୈରାରେ ମୃତ୍ୟୁର ତାଣ୍ଡବ, ୨୩ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ...
UAE ଉପକୂଳ ନିକଟରେ ତେଲ ଟ୍ୟାଙ୍କର୍‌କୁ ଟାର୍ଗେଟ୍&zw...
ବେଙ୍ଗାଲୁରୁ: ସନ୍ତାନ ନଥିବା କଥାକୁ ନେଇ ବାରମ୍ବାର ଅପମାନ...
କୋଲକାତାରେ ଆୟୋଜିତ ହେବ ୧୯ତମ ପ୍ରବାସୀ ଭାରତୀୟ ଦିବସ ନ...
କାଜିରଙ୍ଗା ନିକଟରେ ମୃତ୍ୟୁର ତାଣ୍ଡବ, ଟ୍ରକ୍-ମିନିବସ୍ ଧକ୍...
ନିର୍ବାଚନୀ ପରାଜୟ ପରେ ଦୁଇ ନେତାଙ୍କ ରାଜନୈତିକ ସ୍ଥିତି ଦୁ...
ମାଲାତ୍ୟାରେ ଖସିଲା ସାମରିକ ହେଲିକପ୍ଟର, ଚାରି ଯବାନଙ୍କ ମୃ...