ପାଲେଷ୍ଟାଇନର ନୂଆ ଶିକ୍ଷାବର୍ଷ ଆରମ୍ଭ ହେବା ସହ ଅଧିକୃତ ୱେଷ୍ଟ ବ୍ୟାଙ୍କର ଅଲ୍-ମୁଘାୟିର ଗାଁରେ ପିଲାଙ୍କ ସୁରକ୍ଷାକୁ ନେଇ ଭୟ ଆହୁରି ବଢିଛି। ଗାଁରେ ବସ୍ତିବାସୀଙ୍କ ଆକ୍ରମଣ ଓ ଇସ୍ରାଏଲୀ ସେନାର ଅଭିଯାନ ମଧ୍ୟରେ ସ୍କୁଲକୁ ପିଲାଙ୍କୁ ପଠାଇବାକୁ ନେଇ ଅନେକ ଅଭିଭାବକ ଚିନ୍ତିତ ଅଛନ୍ତି।
ଅଲ୍-ମୁଘାୟିର ବୟଜ୍ ସ୍କୁଲର ପ୍ରଧାନଶିକ୍ଷକ ବାସାମ ଅଲ୍-ଆସାଫ୍ କହିଛନ୍ତି,“ଆମେ ଭୟଭୀତ। ଛାତ୍ରମାନେ ଭୟଭୀତ ଏବଂ ସେମାନଙ୍କ ଅଭିଭାବକମାନେ ମଧ୍ୟ ଭୟଭୀତ।”ପିଲାଙ୍କ ସୁରକ୍ଷା ପାଇଁ ସ୍କୁଲ ପରିସରରେ ନୂଆ କଣ୍ଟାତାର ବାଡ଼ ଲଗାଯାଇଛି ଏବଂ ଗେଟ୍କୁ ମଜବୁତ କରାଯାଇଛି।
ଚଳିତ ବର୍ଷ ଅଲ୍-ମୁଘାୟିରରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୩ ଜଣ ସ୍କୁଲ ଛାତ୍ର ଥିବା କୁହାଯାଇଛି। ଏପ୍ରିଲରେ ୧୪ ବର୍ଷୀୟ ଛାତ୍ର ଅୱସ୍ ଅଲ୍-ନାସାନ୍ ସ୍କୁଲ ଗେଟ୍ ବାହାରେ ଜଣେ ବସ୍ତିବାସୀଙ୍କ ଗୁଳିରେ ନିହତ ହୋଇଥିଲେ।
ସେହି ଘଟଣାକୁ ମନେ ପକାଇ ଇଂରାଜୀ ଶିକ୍ଷକ ୱାହିଦ୍ ଅବୁ ନାଏମ୍ କହିଛନ୍ତି ଯେ, କିଛି ଛାତ୍ର ଦୌଡ଼ି ଆସି ସ୍କୁଲ କାନ୍ଥ ନିକଟରେ ବସ୍ତିବାସୀ ଥିବା ଜଣାଇଥିଲେ। ଛାତ୍ରମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସମୟରେ ଗୁଳି ଚାଲିଥିବା ଏବଂ ପରେ ଛାତ୍ର ଅୱସ୍ଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିଥିବା ସେ କହିଛନ୍ତି। ଘଟଣା ସମୟରେ ସ୍କୁଲ କୋଠାରେ ମଧ୍ୟ ଗୁଳି ବାଜିଥିବା ଏବଂ ଛାତ୍ରମାନେ ଶ୍ରେଣୀଗୃହରେ ଲୁଚି ରହିଥିବା ସେ ଦାବି କରିଛନ୍ତି।
ଘଟଣା ସମ୍ପର୍କରେ ଇସ୍ରାଏଲୀ ସେନା କହିଥିଲା ଯେ ଜଣେ ରିଜର୍ଭ ସୈନିକଙ୍କ ସମେତ “ସାଧାରଣ ନାଗରିକ” ଯାଉଥିବା ଏକ କାର୍ ଉପରକୁ ପଥର ଫିଙ୍ଗାଯାଇଥିଲା। ଏହାପରେ ରିଜର୍ଭ ସୈନିକ ଗାଡ଼ିରୁ ଓହ୍ଲାଇ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ଗୁଳି ଚଳାଇଥିବା ସେନା କହିଥିଲା। ପରେ ଇସ୍ରାଏଲୀ ଗଣମାଧ୍ୟମ ଅନୁସାରେ, ଉକ୍ତ ରିଜର୍ଭ ସୈନିକଙ୍କୁ ଡ୍ୟୁଟିରୁ ନିଲମ୍ବିତ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା।
ଗ୍ରୀଷ୍ମ ଋତୁରେ ମଧ୍ୟ ହିଂସା ଥମିନଥିଲା। ବସ୍ତିବାସୀଙ୍କ ଆକ୍ରମଣ ଓ ଗାଁରେ ହୋଇଥିବା ଅଭିଯାନ ସମୟରେ ଆଉ ଦୁଇ ଜଣ ସ୍କୁଲ ଛାତ୍ର ଏବଂ ସ୍କୁଲ ଛାଡ଼ିଥିବା ୧୯ ବର୍ଷୀୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାଗୁଡ଼ିକରେ ଇସ୍ରାଏଲୀ ସେନା ନିଜ ବଳ “ହିଂସାତ୍ମକ ଦଙ୍ଗା”ରେ ସାମିଲ ଲୋକଙ୍କ ବିରୋଧରେ ପ୍ରତିକ୍ରିୟା କରିଥିବା କହିଥିଲା।
ସ୍କୁଲର ତିନିଟି ଡେସ୍କ ଏବେ ଖାଲି ପଡ଼ିଛି। ଏହି ପରିସ୍ଥିତିରେ ନୂଆ ଶିକ୍ଷାବର୍ଷରେ ପିଲାଙ୍କୁ ସ୍କୁଲ ପଠାଇବାକୁ କିଛି ଅଭିଭାବକ ଦ୍ୱିଧାରେ ଥିଲେ।
ଗାଁଟି ରାମଲ୍ଲାହର ଉତ୍ତର-ପୂର୍ବରେ ଅବସ୍ଥିତ ଏକ ଦୁର୍ଗମ ଅଞ୍ଚଳ। ଏହାର ଚାରିପାଖରେ ଇହୁଦୀ ବସ୍ତିର ଅନେକ ଆଉଟପୋଷ୍ଟ ବଢ଼ୁଥିବା ବେଳେ, ଇସ୍ରାଏଲୀ ସେନା ପ୍ରାୟତଃ ଗାଁ ପ୍ରବେଶପଥକୁ ବନ୍ଦ କରି ଅସ୍ଥାୟୀ ଚେକପୋଷ୍ଟ ବସାଉଥିବା କୁହାଯାଇଛି।
ପିଲାମାନଙ୍କୁ ନେଇ ଅଭିଭାବକଙ୍କ ଭୟ କମାଇବା ପାଇଁ ସ୍କୁଲ ପରିସର ଚାରିପଟେ ଲମ୍ବା କଣ୍ଟାତାର ବାଡ଼ ଲଗାଯାଇଛି। ସ୍କୁଲ ବାହାର ରାସ୍ତାରେ ଆମ୍ବୁଲାନ୍ସ ଟିମ୍କୁ ମଧ୍ୟ ରଖାଯାଇଛି। ଏହାସହ କିଛି ଅଭିଭାବକ ସ୍କୁଲ ସମୟ ସାରା ବାହାରେ ରହି ପିଲାଙ୍କ ସୁରକ୍ଷା ଉପରେ ନଜର ରଖିବାକୁ ସ୍ୱେଚ୍ଛାରେ ଆଗକୁ ଆସିଛନ୍ତି।
ଆମେରିକାରେ ଚାକିରି କରିବା ସହିତ ନିଜ ପ୍ରତିଭାକୁ side bus...
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...
ଭାରତୀୟ ଅର୍ଥନୀତି ପାଇଁ ଆସିଛି ଭଲ ଖବର।୨୦୨୬-୨୭ ଆର୍ଥିକ ବ...
ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...
ଘରୋଇ LPG ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି।ଘରୋଇ LPG refi...
ତାମିଲନାଡୁର ଶାସକ ମେଣ୍ଟ ଏବେ ନିଜର ଏକ ସ୍ୱତନ୍ତ୍ର ରାଜନୈତ...
ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...
ଆମେରିକା ଓ କାନାଡା ମଧ୍ୟରେ ଚାଲିଥିବାଟାରିଫ୍ ଯୁଦ୍ଧଏବେ ଏର...