ଭୁବନେଶ୍ୱରରେ ଅନଲାଇନ୍ କ୍ୟାବ୍ ଓ ବାଇକ୍-ଟ୍ୟାକ୍ସି ସେବା ଯୋଗାଉଥିବା Ola, Uber ଓ Rapido ଡ୍ରାଇଭରଙ୍କ ଆନ୍ଦୋଳନ ବୁଧବାର ତୃତୀୟ ଦିନରେ ତୀବ୍ର ହୋଇଛି। ଅଧିକ ପାରିଶ୍ରମିକ ଓ ସାମାଜିକ ସୁରକ୍ଷା ଦାବିରେ ଡ୍ରାଇଭରମାନେ ଗତ ତିନି ଦିନ ଧରି ଆନ୍ଦୋଳନ କରୁଛନ୍ତି।
ଲୋୟର PMGରେ ବୁଧବାର ବହୁ ସଂଖ୍ୟାରେ ଡ୍ରାଇଭର ଏକାଠି ହୋଇ ଦାବି ଉଠାଇଥିଲେ। ଆନ୍ଦୋଳନ ଯୋଗୁଁ PMG ଛକରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ପର୍ଯ୍ୟନ୍ତ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ରେଳ ଷ୍ଟେସନରୁ ବିମାନବନ୍ଦର ଦିଗକୁ ଯାଉଥିବା ରାସ୍ତାରେ ମଧ୍ୟ ଗୁରୁତର ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଥିଲା।
ଏହାର ପ୍ରଭାବରେ ରେଳ ଷ୍ଟେସନ ଓ ବିମାନବନ୍ଦର ଯାଉଥିବା ଯାତ୍ରୀମାନେ ମଧ୍ୟ ଅସୁବିଧାରେ ପଡ଼ିଥିଲେ। ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେବାରୁ ରାଜଧାନୀରେ ଟ୍ରାଫିକ୍ ଚାପ ବଢ଼ିଥିଲା।
ଆନ୍ଦୋଳନ ସମୟରେ ଡ୍ୟୁଟିରେ ଥିବା ପୋଲିସ ଉପରକୁ ପଥରମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏହାସହ ଏକ ‘ଆମ ବସ୍’କୁ ମଧ୍ୟ ପଥରମାଡ଼ କରି ଗୁରୁତର ଭାବେ କ୍ଷତିଗ୍ରସ୍ତ କରାଯାଇଥିବା ଅଭିଯୋଗ ରହିଛି।
ଘଟଣାକୁ ନେଇ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଆନ୍ଦୋଳନ ସମୟରେ ବିଶୃଙ୍ଖଳା ସୃଷ୍ଟି କରୁଥିବା କିଛି ଆନ୍ଦୋଳନକାରୀଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି।
ଭୁବନେଶ୍ୱର DCP ଜଗମୋହନ ମୀନା କହିଛନ୍ତି ଯେ ଆନ୍ଦୋଳନ ନାମରେ ଗାଡ଼ି ବ୍ୟବହାର କରି ବିଶୃଙ୍ଖଳା ସୃଷ୍ଟି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଭଳି ଘଟଣାରେ ଗାଡ଼ି ଜବତ କରାଯିବା ସହ FIR ରୁଜୁ ଏବଂ ଗିରଫ କରାଯାଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି।
DCPଙ୍କ କହିବା ଅନୁସାରେ, ଡ୍ରାଇଭରମାନେ ଘରୋଇ କମ୍ପାନୀ ସହ ଜଡ଼ିତ ଏବଂ ସେମାନଙ୍କ ଚୁକ୍ତିଭିତ୍ତିକ ବିଷୟରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପର ସୁଯୋଗ ସୀମିତ। ଏକ ଦିନ ପାଇଁ ପ୍ରତିବାଦ କରିବାକୁ ଅନୁମତି ଥିବା ସତ୍ତ୍ୱେ ପରବର୍ତ୍ତୀ ଦିନଗୁଡ଼ିକରେ ଜାଣିଶୁଣି ଲୋକଙ୍କୁ ଅସୁବିଧାରେ ପକାଯାଉଥିବା ସେ ଅଭିଯୋଗ କରିଛନ୍ତି।
ତେବେ ଡ୍ରାଇଭରମାନେ ନିଜ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ କହିଛନ୍ତି। ତୃତୀୟ ଦିନରେ ପହଞ୍ଚିଥିବା ଏହି ଆନ୍ଦୋଳନ ଯୋଗୁଁ ଭୁବନେଶ୍ୱରରେ ଯାତାୟାତ ଓ ଜନଜୀବନ ଉପରେ ଚାପ ବଢ଼ିଛି।
ବନ୍ୟାର ଭୟାବହତାରୁ ନେପାଳ ମୁକୁଳିନଥିବା ବେଳେ ଏବେ ଭୂକମ୍ପ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ଭାରତରେ ଆୟୋଜିତ ହେବାକୁ ଥିବା ୧୮ତମ BRICS ସମ୍ମିଳନୀ ପୂର୍...
ବିଶ୍ୱର ମାନଚିତ୍ରକୁ ନେଇ ଆସିଛି ଏକ ବଡ଼ ଚର୍ଚ୍ଚା। ପ୍ରାୟ...
ଭାରତରେ ସାଟେଲାଇଟ୍ ବ୍ରଡବ୍ୟାଣ୍ଡ୍ ବା ମହାକାଶ ଇଣ୍ଟରନେଟ୍...