ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ଓ ଏହା ପରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ଓ ଭୂସ୍ଖଳନ ହୋଇ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହା ପରେ ପ୍ରଭାବିତ ଅଞ୍ଚଳରେ ରାସ୍ତାଘାଟ, ପାନୀୟ ଜଳ ପ୍ରକଳ୍ପ ଓ ଅନ୍ୟାନ୍ୟ ଗ୍ରାମୀଣ ଭିତ୍ତିଭୂମିର ପୁନରୁଦ୍ଧାର କାମକୁ ତ୍ୱରାନ୍ୱିତ କରାଯାଇଛି। ଏହି କାର୍ଯ୍ୟରେ ଅଧିକ ଲୋକବଳ ଓ ସମ୍ବଳ ନିୟୋଜନ କରିବା ସହ କାମର ନିୟମିତ ତଦାରଖ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ।
ରବିବାର ଲୋକସେବା ଭବନରେ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍, ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ହୋଇଥିଲା। ଏଥିରେ ବିଭିନ୍ନ ବିଭାଗର ଅଧିକାରୀମାନେ ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳ ଯୋଗାଣ, ନଳକୂପ ମରାମତି, ରାସ୍ତାଘାଟ ଓ ଅନ୍ୟାନ୍ୟ ଭିତ୍ତିଭୂମିର ସ୍ଥିତି ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।
ଏହା ପୂର୍ବରୁ ମନ୍ତ୍ରୀ କନ୍ଧମାଳ ଜିଲ୍ଲାର ବାତ୍ୟା ଓ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ରାଇକିଆ ବ୍ଲକ୍ର ମାଣିକେଶ୍ୱର ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଗାଁଗୁଡ଼ିକରେ କ୍ଷତିଗ୍ରସ୍ତ ରାସ୍ତା ଓ ଯୋଗାଯୋଗ ବ୍ୟବସ୍ଥା ଦେଖିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। କ୍ଷତିଗ୍ରସ୍ତ ଘର ଓ ଆହତ ଲୋକଙ୍କ ପରିବାରକୁ ଭେଟି ସେମାନଙ୍କ ସମସ୍ୟା ମଧ୍ୟ ବୁଝିଥିଲେ।
ବୈଠକରେ ଦିଆଯାଇଥିବା ସୂଚନା ଅନୁସାରେ, ବାତ୍ୟା ଓ ବନ୍ୟାରେ କ୍ଷତିଗ୍ରସ୍ତ ୨,୫୯୩ଟି ନଳକୂପର ମରାମତି ଓ ବିଶୋଧନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ସେହିପରି କ୍ଷତିଗ୍ରସ୍ତ ୩୯୩ଟି ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ ୧୬୨ଟିକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଛି। ଏହା ବ୍ୟତୀତ ୨୨୭ଟି ପାଇପ୍ ଜଳ ଯୋଗାଣ ଉତ୍ସର ବିଶୋଧନ କରାଯାଇଛି।
ପାନୀୟ ଜଳର ଗୁଣବତ୍ତା ଯାଞ୍ଚ ପାଇଁ ୭୪୬ଟି ନଳକୂପ ଜଳ ନମୁନା ଓ ୧୮୫ଟି ପାଇପ୍ ଜଳ ନମୁନା ପରୀକ୍ଷା କରାଯାଇଛି। ଲୋକଙ୍କୁ ସୁରକ୍ଷିତ ପାଣି ଯୋଗାଇବା ପାଇଁ ଜଳ ଉତ୍ସର ନିୟମିତ ଯାଞ୍ଚ ଓ ବିଶୋଧନ ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।
ପ୍ରଭାବିତ ଅଞ୍ଚଳରେ ଯେପରି ପାନୀୟ ଜଳର ଅଭାବ ନହୁଏ, ସେଥିପାଇଁ ୨୩୫ଟି ପାଣି ଟ୍ୟାଙ୍କର, ୮୦ଟି ଟ୍ରାକ୍ଟରରେ ସଂଯୁକ୍ତ ସିନଟେକ୍ସ ଟାଙ୍କି ଏବଂ ୧୬ଟି ସ୍ୱତନ୍ତ୍ର ଜଳ ଯୋଗାଣ ଟ୍ରାକ୍ଟର ନିୟୋଜିତ କରାଯାଇଛି।
ଗଞ୍ଜାମ ଜିଲ୍ଲାରେ ୮ଟି ମୋବାଇଲ୍ ଜଳ ବିଶୋଧନ ୟୁନିଟ୍ କାର୍ଯ୍ୟକ୍ଷମ ହୋଇଥିବାବେଳେ ଆଉ ୪ଟି ୟୁନିଟ୍ ନିୟୋଜନ ପାଇଁ ପ୍ରସ୍ତୁତି ଚାଲିଛି। ଏହି ୟୁନିଟ୍ ମାଧ୍ୟମରେ ୨ ଲକ୍ଷ ୭୬ ହଜାର ୫୦୦ଟି ପାଣି ବୋତଲ ଓ ୧ ଲକ୍ଷ ୬୨ ହଜାର ୫୦୦ଟି ପାଣି ପାଉଚ୍ ବଣ୍ଟନ କରାଯାଇଛି। ଆବଶ୍ୟକତା ପଡ଼ିଲେ ତୁରନ୍ତ ବଣ୍ଟନ ପାଇଁ ଆଉ ୨ ଲକ୍ଷ ୬୦ ହଜାର ପାଣି ବୋତଲ ଓ ପାଉଚ୍ ମହଜୁଦ ରଖାଯାଇଛି।
ଏହା ସହିତ ଜଳ ଉତ୍ସର ବିଶୋଧନ ପାଇଁ ୧,୦୩୬ ବସ୍ତା ବ୍ଲିଚିଂ ପାଉଡର ମହଜୁଦ ରଖାଯାଇଛି।
ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଅନେକ ଗାଁର ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହୋଇଛି। ଏଭଳି ଗାଁଗୁଡ଼ିକୁ ଶୀଘ୍ର ଯାତାୟାତ ସୁବିଧା ଯୋଗାଇବା ପାଇଁ କ୍ଷତିଗ୍ରସ୍ତ ଗ୍ରାମୀଣ ରାସ୍ତା, ସେତୁ ଓ ଅନ୍ୟାନ୍ୟ ଭିତ୍ତିଭୂମିର ମରାମତି କାମ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଯେଉଁଠାରେ ପାଇପ୍ ଜଳ ଯୋଗାଣ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି, ସେଠାରେ ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ ସୁରକ୍ଷିତ ପାଣି ଯୋଗାଇବାକୁ କୁହାଯାଇଛି। ଆବଶ୍ୟକ ସ୍ଥଳେ ଅଧିକ କର୍ମଚାରୀ ଓ ଯନ୍ତ୍ରପାତି ନିୟୋଜନ କରି କାମ ଶୀଘ୍ର ସାରିବାକୁ ମନ୍ତ୍ରୀ ଅଧିକାରୀଙ୍କୁ କହିଛନ୍ତି।
ପୁନରୁଦ୍ଧାର କାମରେ ଯେପରି ବିଳମ୍ବ ନହୁଏ, ସେଥିପାଇଁ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରଖିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କାମର ଅଗ୍ରଗତି ନିୟମିତ ଯାଞ୍ଚ କରିବା, ତୃଣମୂଳ ସ୍ତରରେ ଦେଖାଦେଉଥିବା ସମସ୍ୟାର ତୁରନ୍ତ ସମାଧାନ କରିବା ଏବଂ ପ୍ରଭାବିତ ଲୋକଙ୍କ ପାଖରେ ଆବଶ୍ୟକ ସହାୟତା ପହଞ୍ଚାଇବାକୁ ସେ ଗୁରୁତ୍ୱ ଦେଇଛନ୍ତି।
ବାତ୍ୟା ଓ ବନ୍ୟା ପରେ ଜନଜୀବନକୁ ସ୍ୱାଭାବିକ କରିବା ସହ ଭବିଷ୍ୟତରେ ଏଭଳି ବିପର୍ଯ୍ୟୟର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ରଖିବାକୁ ମଧ୍ୟ ମନ୍ତ୍ରୀ ଅଧିକାରୀଙ୍କୁ କହିଛନ୍ତି।
ଦେଶରେ ଗବେଷଣା ଓ ନୂତନ ଉଦ୍ଭାବନକୁ ଉତ୍ସାହିତ କରିବା ଲକ୍ଷ୍...
‘ଅରାଜକତା ହଟାଅ, ଗଣତନ୍ତ୍ର ବଞ୍ଚାଅ’ ସ୍ଲୋଗା...
ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ଫଳାଫଳ ପରେ ଭାରତୀୟ ସେୟ...
ଶେୟାର ବଜାରରେ ଏକ ଛୋଟ SME IPOକୁ ନେଇ ଏବେ ଜୋରଦାର ଚର୍ଚ୍...
ବିହାର ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀର ୨୦୨୭ ବାର୍ଷିକ ପରୀ...
ପୃଥିବୀ ପରେ ଏବେ ଚନ୍ଦ୍ରକୁ ନେଇ ଆରମ୍ଭ ହେବାକୁ ଯାଉଛି ନୂଆ...
ମହଙ୍ଗା ବିମାନ ଇନ୍ଧନ ଏବେ ଭାରତୀୟ ବିମାନ ଚଳାଚଳ କ୍ଷେତ୍ର...
ଗବେଷଣା ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ନୂଆ ସହଯୋଗ ଉଚ୍ଚଶିକ...