ଶ୍ରୀକ୍ଷେତ୍ର ପୁରୀର ବଡ଼ଦେଉଳରେ ଚାଲିଥିବା ଶ୍ରୀକୃଷ୍ଣ ଲୀଳା ଅବସରରେ ଶନିବାର ନନ୍ଦୋତ୍ସବ ଓ ବିଜୁଳି କନ୍ୟା ନୀତି ପାଳନ କରାଯିବ। ଏହି ଅବସରରେ ଶ୍ରୀମନ୍ଦିରରେ ଏକାଧିକ ପାରମ୍ପରିକ ନୀତିକାନ୍ତି ଓ ସ୍ୱତନ୍ତ୍ର ପୂଜାବିଧି ଅନୁଷ୍ଠିତ ହେବ।
ସକାଳେ ରାମ ଓ କୃଷ୍ଣଙ୍କୁ ଜଗମୋହନରେ ରଖାଯାଇଥିବା ଝୁଲଣକୁ ବିଜେ କରାଯିବ। ପରେ ସନ୍ଧ୍ୟା ସମୟରେ ରାମକୃଷ୍ଣ ଓ ମଦନମୋହନଙ୍କୁ ଖଟକୁ ଆଣାଯାଇ ତିନି ଦିଅଁଙ୍କ ସ୍ୱତନ୍ତ୍ର ପୂଜାନୀତି ସମ୍ପନ୍ନ କରାଯିବ। ଏହା ପରେ ଦିଅଁମାନଙ୍କୁ ଡମ୍ବରୁ ଉପରେ ବିଜେ କରାଯିବ ଏବଂ ବିଜୁଳି କନ୍ୟା ନୀତି ଆରମ୍ଭ ହେବ।
ଏହି ନୀତିର ଅଂଶ ଭାବେ ଭଣ୍ଡାର ଘରୁ ଦୁର୍ଗାଦେବୀଙ୍କୁ ଅଣାଯିବ। ମା’ ସୁଭଦ୍ରାଙ୍କ ବାଡ଼ରୁ ଦୁର୍ଗାଦେବୀଙ୍କୁ ଆଜ୍ଞାମାଳ ପ୍ରଦାନ କରାଯିବ। ପରେ ତାଙ୍କୁ ଜଗମୋହନ ସମ୍ମୁଖରେ ଥିବା ଖଟ ଉପରେ ବିଜେ କରାଯାଇ ନିର୍ଦ୍ଧାରିତ ନୀତି ସମ୍ପନ୍ନ କରାଯିବ। ନୀତି ଶେଷ ହେବା ପରେ ଦୁର୍ଗାଦେବୀ ପୁଣି ଭଣ୍ଡାର ଘରକୁ ବାହୁଡ଼ା ବିଜେ କରିବେ।
ଏହା ସହ ଲକ୍ଷ୍ମୀ ମନ୍ଦିର ଜଗମୋହନରେ ମଧ୍ୟ ଏହି ଅବସରରେ ସ୍ୱତନ୍ତ୍ର ନୀତି ପାଳନ କରାଯିବ।
ଏହା ପୂର୍ବରୁ ଶୁକ୍ରବାର ରାତିରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ନୀତି ସମ୍ପନ୍ନ ହୋଇଥିଲା। ପାରମ୍ପରିକ ନୀତି ଅନୁସାରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦେବକୀ ରୂପରେ ପ୍ରତୀକାତ୍ମକ ଭାବେ ପୂଜା କରାଯାଇଥିଲା। ରାତିରେ ଠାକୁରମାନଙ୍କୁ ସ୍ୱତନ୍ତ୍ର ବେଶ ଓ ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ କରାଯାଇଥିବା ବେଳେ ପରେ ଧୋ ପଖାଳ ନୀତି ଓ ଅନ୍ୟାନ୍ୟ ପୂଜାବିଧି କରାଯାଇଥିଲା।
ଏହି ଅବସରରେ ରୂପାର ପଦ୍ମପାଖୁଡ଼ା ଆକୃତିର ଏକ ମଣ୍ଡଳ ପ୍ରସ୍ତୁତ କରାଯାଇଥିଲା। ଏହାର ପାଖୁଡ଼ାରେ ଦେବକୀ, ବସୁଦେବ, ନନ୍ଦ, ଯଶୋଦା, ଲକ୍ଷ୍ମୀ, ଉଗ୍ରସେନ, ବଳଭଦ୍ର, ଋଷି ଗର୍ଗ୍ୟ ଓ କୃଷ୍ଣଙ୍କ ନାମ ଅଙ୍କିତ ଥିଲା। ପରେ ଦକ୍ଷିଣ ଘରୁ ମଦନମୋହନଙ୍କୁ ଆଣି ସିଂହାସନରେ ବିଜେ କରାଯାଇଥିଲା। ଦେବକୀ ଓ ବସୁଦେବଙ୍କ ପାରମ୍ପରିକ ବେଶରେ ଦୁଇ ସେବାୟତ ଯୋଗଦେଇ ଚକଡ଼ାରେ କୃଷ୍ଣ ଜନ୍ମ ନୀତି ସମ୍ପନ୍ନ କରିଥିଲେ।
‘ଆମେ ଚନ୍ଦ୍ରର ଅନ୍ୟ ପାର୍ଶ୍ୱରେ ପହଞ୍ଚିବାର ଗର୍ବ କ...
କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଶୁକ୍ରବା...
ପଶ୍ଚିମବଙ୍ଗରେ ଡେଙ୍ଗୁ ରୋକିବା ପାଇଁ ସ୍କୁଲ୍‌ ଛାତ୍ର...
Byju’sର ପ୍ୟାରେଣ୍ଟ କମ୍ପାନୀ **Think and Learn...
ଉତ୍ତରପ୍ରଦେଶର ସାହାରନପୁରରେ ମସଜିଦ ଭଙ୍ଗାକୁ ନେଇ ରାଜନୈତି...
ଶିକ୍ଷକ ଦିବସ ଅବସରରେ କେରଳର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ନେଇ...
ଆମେରିକା-ଚୀନ୍ ବାଣିଜ୍ୟ ସମ୍ପର୍କ ମଧ୍ୟରେ ଆଉ ଏକ ବଡ଼ କୂଟନ...
ଭାରତର ନୂଆ GDP ତଥ୍ୟକୁ ନେଇ ଚାଲିଥିବା ବିତର୍କ ଧୀରେ ଧୀରେ...