ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ପଞ୍ଚୁକର ଶେଷ ଦିନରେ ଶ୍ରୀକ୍ଷେତ୍ର ପୁରୀ ଚଳଚଞ୍ଚଳ ହୋଇଉଠିଛି। ମହୋଦଧି କୂଳଠାରୁ ଆରମ୍ଭ କରି ପଞ୍ଚତୀର୍ଥ ପୁଷ୍କରିଣୀ ପର୍ଯ୍ୟନ୍ତ ସବୁଠି ଭକ୍ତଙ୍କ ଭିଡ଼ ଲାଗିଛି। ଭୋରରୁ ଶ୍ରଦ୍ଧାଳୁମାନେ ପବିତ୍ର ବୁଡ଼ ପକାଇବା ସହ ପାରମ୍ପରିକ ବୋଇତ ବନ୍ଦାଣ କରିଛନ୍ତି।
ହାତରେ କଦଳୀ ପଟୁକାରେ ତିଆରି ଡଙ୍ଗା, ସେଥିରେ ଫୁଲ, ଦୀପ ଓ ପଇସା ରଖି ଭକ୍ତମାନେ ମହୋଦଧିରେ ଭସାଇଛନ୍ତି। ‘ଆ କା ମା ବୈ’ ଧ୍ୱନିରେ ମୁଖରିତ ହୋଇଛି ସମୁଦ୍ର କୂଳ। ଏହି ପରମ୍ପରା ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ଇତିହାସ ଓ ସାଧବମାନଙ୍କ ସାମୁଦ୍ରିକ ଯାତ୍ରାର ସ୍ମୃତିକୁ ମନେ ପକାଇଥାଏ।
କେବଳ ମହୋଦଧି ନୁହେଁ, ପୁରୀର ପଞ୍ଚତୀର୍ଥ ପୁଷ୍କରିଣୀ ଇନ୍ଦ୍ରଦ୍ୟୁମ୍ନ, ମାର୍କଣ୍ଡେୟ, ଶ୍ୱେତଗଙ୍ଗା ଓ ନରେନ୍ଦ୍ରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ସୂର୍ଯ୍ୟୋଦୟ ପୂର୍ବରୁ ବୁଡ଼ ପକାଇ ଭକ୍ତମାନେ ପୂଜାର୍ଚ୍ଚନା କରିଛନ୍ତି।
କାର୍ତ୍ତିକ ମାସରେ ହବିଷ୍ୟ ବ୍ରତ ପାଳନ କରୁଥିବା ହବିଷ୍ୟାଳୀମାନଙ୍କ ପାଇଁ ମଧ୍ୟ ଆଜି ଏକ ବିଶେଷ ଦିନ। ମାସେ ଧରି ବ୍ରତ ପାଳନ କରିଥିବା ହବିଷ୍ୟାଳୀମାନେ ଆଜି ବ୍ରତ ଉଦ୍ଯାପନ କରି ନିଜ ଘରକୁ ଫେରିବେ।
କାର୍ତ୍ତିକ ପୂର୍ଣ୍ଣିମାର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ, ଯାହାକୁ ସୁନାବେଶ ମଧ୍ୟ କୁହାଯାଏ। ଏହି ଦିନ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥ, ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ସୁନା ଅଳଙ୍କାରରେ ସଜ୍ଜିତ ହୋଇ ରତ୍ନସିଂହାସନରେ ବିରାଜମାନ କରିବେ।
ଏହି ଦୁର୍ଲଭ ବେଶ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତ ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି। ମହାପ୍ରଭୁଙ୍କ ଏହି ରାଜକୀୟ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।
ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ମାର୍କେଟ ଛକଠାରୁ ଛାୟା ପ୍ରଦ ବ୍ୟାରିକେଡ୍ ଦେଇ ଭକ୍ତମାନେ ସିଂହଦ୍ୱାର ମାଧ୍ୟମରେ ମନ୍ଦିରକୁ ପ୍ରବେଶ କରିବେ। ଦର୍ଶନ ପରେ ଅନ୍ୟ ତିନୋଟି ଦ୍ୱାର ଦେଇ ବାହାରକୁ ଯିବେ। ଭିଡ଼ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୪୦ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ହୋଇଛନ୍ତି।
କାର୍ତ୍ତିକ ପୂର୍ଣ୍ଣିମାର ଏହି ପବିତ୍ର ଅବସରରେ ବୋଇତ ବନ୍ଦାଣ ପରମ୍ପରା ଓ ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।
ଲକ୍ଷ୍ନୌ:ଦେଶରେ ଚାକିରି ଓ ନିଯୁକ୍ତିର ଧାରା ବଦଳୁଛି। ଆଗାମ...
ନୂଆଦିଲ୍ଲୀ:ଭାରତ ଓ ନେପାଳ ମଧ୍ୟରେ ରେଳ ସଂଯୋଗ କ୍ଷେତ୍ରରେ...
ନାଗରକୋଏଲ:ତାମିଲନାଡୁର ନାଗରକୋଏଲ ରେଳ ଷ୍ଟେସନରେ ଏକ ଅତ୍ୟନ...
ନୂଆଦିଲ୍ଲୀ: ଆପଣ ଅଫିସ୍ କିମ୍ବା ଅନ୍ୟ କାହାର କମ୍ପ୍ୟୁଟରରେ...
ଦେଶର ଶିକ୍ଷା ବ୍ୟବସ୍ଥାରେ ମୁଖସ୍ଥ ବିଦ୍ୟା ବଦଳରେ ବୁଝିବା...
ମ୍ୟାନେଜମେଣ୍ଟ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରସ୍ତୁତ ହେଉ...
ଭାରତର ସେମିକଣ୍ଡକ୍ଟର ଶିଳ୍ପକୁ ଆହୁରି ମଜବୁତ କରିବା ସହ ଏହ...
ଭାରତୀୟ ରାଜନୀତିରେ ଦଳବଦଳ ଏକ ପୁରୁଣା ସମସ୍ୟା। ନିର୍ବାଚନର...