୨୦୨୭ରେ ଆସିବ ଭାରତର ପ୍ରଥମ ଡେଙ୍ଗୁ ଟିକା! Qdengaକୁ ନେଇ ଆଶା ସହ ବଢ଼ିଲା ଚିନ୍ତା

୨୦୨୭ର ପ୍ରଥମାର୍ଦ୍ଧରେ ଭାରତର ଘରୋଇ ବଜାରରେ ଉପଲବ୍ଧ ହୋଇପାରେ ଜାପାନୀ ଔଷଧ କମ୍ପାନୀ Takedaର ଡେଙ୍ଗୁ ଟିକା Qdenga। ୪ରୁ ୬୦ ବର୍ଷ ବୟସ୍କଙ୍କ ପାଇଁ ଅନୁମୋଦିତ ଏହି ଟିକା ଡେଙ୍ଗୁ ମୁକାବିଲାରେ ନୂଆ ଆଶା ସୃଷ୍ଟି କରିଛି।
 India's first dengue vaccine expected to launch in 2027.
India's first dengue vaccine expected to launch in 2027.

ଭାରତରେ ଡେଙ୍ଗୁ ରୋଗର ମୁକାବିଲା ପାଇଁ ଏକ ନୂଆ ଆଶା ସୃଷ୍ଟି ହୋଇଛି। ଜାପାନର ପ୍ରମୁଖ ଔଷଧ ନିର୍ମାତା କମ୍ପାନୀ Takeda ପକ୍ଷରୁ ପ୍ରସ୍ତୁତ ଡେଙ୍ଗୁ ଟିକା ‘Qdenga’ ୨୦୨୭ ମସିହାର ପ୍ରଥମାର୍ଦ୍ଧରେ ଭାରତର ଘରୋଇ ବଜାରରେ ଉପଲବ୍ଧ ହେବାର ଆଶା ରହିଛି। ଭାରତରେ ଏହି ଟିକାର ବିକ୍ରି ଓ ବିତରଣ ପାଇଁ Takeda ସହ Dr Reddy’s Laboratories ହାତ ମିଳାଇଛି। କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (CDSCO) ଜୁଲାଇ ମାସରେ ୪ରୁ ୬୦ ବର୍ଷ ବୟସ୍କଙ୍କ ପାଇଁ ଏହି ଟିକାକୁ ଅନୁମତି ଦେଇଛି।

ବିଶ୍ୱରେ ଦ୍ରୁତଗତିରେ ବଢ଼ୁଥିବା ମଶାବାହିତ ରୋଗ ମଧ୍ୟରୁ ଡେଙ୍ଗୁ ଅନ୍ୟତମ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ତଥ୍ୟ ଅନୁସାରେ, ୨୦୨୪ରେ ସାରା ବିଶ୍ୱରେ ୧ କୋଟି ୪୧ ଲକ୍ଷ ଡେଙ୍ଗୁ ମାମଲା ରେକର୍ଡ ହୋଇଥିଲା। ଏହା ଏଯାବତ୍‌ ସର୍ବାଧିକ ରିପୋର୍ଟ ହୋଇଥିବା ସଂଖ୍ୟା। ୧୦୦ରୁ ଅଧିକ ଦେଶରେ ଏହି ରୋଗ ବ୍ୟାପିଥିଲା।

ଭାରତରେ ମଧ୍ୟ ଡେଙ୍ଗୁର ପ୍ରକୋପ ଚିନ୍ତାଜନକ ରହିଛି। ୨୦୨୦ରେ ୪୪,୫୮୫ଟି ମାମଲା ରେକର୍ଡ ହୋଇଥିବାବେଳେ ୨୦୨୧ରେ ଏହା ବୃଦ୍ଧି ପାଇ ୧,୯୩,୨୪୫ରେ ପହଞ୍ଚିଥିଲା। ୨୦୨୪ରେ ୨,୩୩,୫୧୯ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବାବେଳେ ୨୯୭ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୨୫ ନଭେମ୍ବର ସୁଦ୍ଧା ୧,୧୩,୪୪୦ଟି ମାମଲା ଓ ୯୪ଟି ମୃତ୍ୟୁ ରେକର୍ଡ ହୋଇଥିଲା। ତେବେ ବାସ୍ତବ ସଂକ୍ରମଣ ସଂଖ୍ୟା ସରକାରୀ ତଥ୍ୟଠାରୁ ଅଧିକ ହୋଇପାରେ ବୋଲି କିଛି ଅଧ୍ୟୟନରେ ଆକଳନ କରାଯାଇଛି।

ଏଭଳି ସ୍ଥିତିରେ ଡେଙ୍ଗୁ ଟିକା ଆସିବା ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି। କିନ୍ତୁ ଏହାର ବ୍ୟବହାରକୁ ନେଇ କେତେକ ଡାକ୍ତର ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଟିକା କେତେ ଦିନ ପର୍ଯ୍ୟନ୍ତ ସୁରକ୍ଷା ଦେବ, ଡେଙ୍ଗୁ ଭାଇରସ୍‌ର ସମସ୍ତ ପ୍ରକାର ବିରୋଧରେ ଏହାର ପ୍ରଭାବ କେତେ ଏବଂ ପୂର୍ବରୁ ଡେଙ୍ଗୁ ହୋଇଥିବା ବ୍ୟକ୍ତିଙ୍କ ଶରୀରରେ ଏହା କିପରି କାମ କରିବ, ସେନେଇ ଅଧିକ ତଥ୍ୟ ଆବଶ୍ୟକ ବୋଲି ସେମାନେ କହିଛନ୍ତି।

ଡେଙ୍ଗୁ ଭାଇରସ୍‌ର ଚାରି ପ୍ରକାର, ଚ୍ୟାଲେଞ୍ଜ ବଡ଼

ଡେଙ୍ଗୁ ମୁଖ୍ୟତଃ ସଂକ୍ରମିତ ଏଡିସ୍‌ ଏଜିପ୍ଟି (Aedes aegypti) ମଶା କାମୁଡ଼ିବା ଦ୍ୱାରା ବ୍ୟାପିଥାଏ। ଏହି ଭାଇରସ୍‌ର DENV-1, DENV-2, DENV-3 ଓ DENV-4 ନାମରେ ଚାରିଟି ପ୍ରମୁଖ ପ୍ରକାର ରହିଛି। ଗୋଟିଏ ପ୍ରକାରରେ ସଂକ୍ରମିତ ହେଲେ ଅନ୍ୟ ପ୍ରକାର ବିରୋଧରେ ସ୍ଥାୟୀ ସୁରକ୍ଷା ମିଳେ ନାହିଁ। ତେଣୁ ଜଣେ ବ୍ୟକ୍ତି ଏକାଧିକ ଥର ଡେଙ୍ଗୁରେ ଆକ୍ରାନ୍ତ ହୋଇପାରନ୍ତି।

ପ୍ରଥମ ଥର ସଂକ୍ରମଣ ହେଲେ ଲକ୍ଷଣ ସାମାନ୍ୟ ରହିପାରେ କିମ୍ବା ଜଣା ମଧ୍ୟ ପଡ଼ିନପାରେ। କିନ୍ତୁ ପରବର୍ତ୍ତୀ ସମୟରେ ଅନ୍ୟ ଏକ ପ୍ରକାର ଭାଇରସ୍‌ ଦ୍ୱାରା ସଂକ୍ରମଣ ହେଲେ କେତେକ କ୍ଷେତ୍ରରେ ଗୁରୁତର ଡେଙ୍ଗୁ ହେବାର ଆଶଙ୍କା ବଢ଼ିପାରେ। ଏହି କାରଣରୁ ଡେଙ୍ଗୁ ଟିକା ପ୍ରସ୍ତୁତି ଏକ ଜଟିଳ ପ୍ରକ୍ରିୟା।

ଭାରତର ବିଭିନ୍ନ ଅଞ୍ଚଳରେ ଡେଙ୍ଗୁ ଭାଇରସ୍‌ର ଭିନ୍ନ ଭିନ୍ନ ପ୍ରକାର ସକ୍ରିୟ ରହୁଛି। ସମୟ ସହିତ ଏହାର ପ୍ରାଧାନ୍ୟ ମଧ୍ୟ ବଦଳୁଛି। ଏହାକୁ ନେଇ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସଞ୍ଜୀବ ବାଗାଇ କହିଛନ୍ତି ଯେ, ବର୍ଷର କେଉଁ ସମୟରେ ଭାରତର କେଉଁ ଅଞ୍ଚଳରେ କେଉଁ ଭାଇରସ୍‌ ପ୍ରକାର ପ୍ରମୁଖ ରହିବ, ତାହା ନିଶ୍ଚିତ ଭାବେ କହିବା କଷ୍ଟକର। ଏକାଧିକ ଭାଇରସ୍‌ ପ୍ରକାରର ସହ-ସଂକ୍ରମଣ ଓ ଭାଇରସ୍‌ର ଜିନ୍‌ଗତ ପରିବର୍ତ୍ତନ ମଧ୍ୟ ଟିକାର ପ୍ରଭାବ ଆକଳନକୁ ଜଟିଳ କରୁଛି।

Qdenga ଏକ ଟେଟ୍ରାଭାଲେଣ୍ଟ ଟିକା। ଅର୍ଥାତ୍‌ ଏହା ଡେଙ୍ଗୁ ଭାଇରସ୍‌ର ଚାରିଟି ପ୍ରକାର ବିରୋଧରେ ସୁରକ୍ଷା ଦେବା ପାଇଁ ପ୍ରସ୍ତୁତ। ଏହାର ମୂଳ ଗଠନରେ ଦୁର୍ବଳ କରାଯାଇଥିବା DENV-2 ଭାଇରସ୍‌ ବ୍ୟବହାର ହୋଇଛି ଏବଂ ଅନ୍ୟ ତିନୋଟି ପ୍ରକାରର ଭାଇରସ୍‌ର ପୃଷ୍ଠଭାଗୀୟ ପ୍ରୋଟିନ୍‌ ସମ୍ବନ୍ଧୀୟ ଜିନ୍‌ ଏଥିରେ ଯୋଡ଼ାଯାଇଛି। ତେବେ ଭାରତରେ ଭିନ୍ନ ଭିନ୍ନ ଭାଇରସ୍‌ ପ୍ରକାର ଥିବାରୁ ସମସ୍ତଙ୍କ କ୍ଷେତ୍ରରେ ସମାନ ସୁରକ୍ଷା ମିଳିବ କି ନାହିଁ, ତାହା ଉପରେ ଅଧିକ ନଜର ରଖିବା ଆବଶ୍ୟକ ବୋଲି ଡାକ୍ତର ବାଗାଇ ମତ ଦେଇଛନ୍ତି।

ଟିକାର ପ୍ରଭାବ କେତେ ଦିନ ରହିବ?

Qdengaର କ୍ଲିନିକାଲ୍‌ ପରୀକ୍ଷଣର ଫଳାଫଳ ଉତ୍ସାହଜନକ ରହିଛି। ନିର୍ମାତା କମ୍ପାନୀ ପକ୍ଷରୁ ପ୍ରକାଶିତ ଦୀର୍ଘକାଳୀନ ତଥ୍ୟ ଅନୁସାରେ, ଟିକା ନେବାର ୪.୫ ବର୍ଷ ପରେ ଡେଙ୍ଗୁ ସଂକ୍ରମଣ ବିରୋଧରେ ଏହାର ପ୍ରଭାବ ୬୧.୨ ପ୍ରତିଶତ ଏବଂ ଡେଙ୍ଗୁ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହେବାରୁ ସୁରକ୍ଷା ୮୪.୧ ପ୍ରତିଶତ ଥିବା ଦାବି କରାଯାଇଛି।

ତେବେ ଏହି ଟିକା ସମସ୍ତ ସଂକ୍ରମଣକୁ ରୋକିପାରିବ ନାହିଁ। ଏହାର ପ୍ରଭାବ ଭାଇରସ୍‌ର ପ୍ରକାର ଏବଂ ଜଣେ ବ୍ୟକ୍ତି ପୂର୍ବରୁ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ କି ନାହିଁ, ସେହି ଆଧାରରେ ଭିନ୍ନ ହୋଇପାରେ ।

ଡାକ୍ତର ବାଗାଇଙ୍କ ମତରେ, କେବଳ ଟିକାର ମୋଟ ପ୍ରଭାବଶୀଳତା ହାରକୁ ଦେଖି ନିଷ୍ପତ୍ତି ନେବା ଠିକ୍‌ ନୁହେଁ। ବର୍ଷ ପରେ ବର୍ଷ, ବିଶେଷକରି ତିନିରୁ ଚାରି ବର୍ଷ ପରେ ଏହାର ସୁରକ୍ଷା କେତେ ରହୁଛି, ତାହା ମଧ୍ୟ ଯାଞ୍ଚ କରିବା ଦରକାର ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ Qdengaକୁ ଉଚ୍ଚ ଡେଙ୍ଗୁ ସଂକ୍ରମଣ ଥିବା ଅଞ୍ଚଳରେ ୬ରୁ ୧୬ ବର୍ଷ ବୟସର ପିଲାଙ୍କ ପାଇଁ ସୁପାରିଶ କରିଛି। ତେବେ ପୂର୍ବରୁ ଡେଙ୍ଗୁ ସଂକ୍ରମଣ ହୋଇନଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ DENV-3 ଓ DENV-4 ବିରୋଧରେ ଟିକାର ସୁରକ୍ଷାକୁ ନେଇ ଅନିଶ୍ଚିତତା ରହିଥିବା କଥା ମଧ୍ୟ ସଂଗଠନ ଉଲ୍ଲେଖ କରିଛି। ଏଥିସହ କମ୍‌ କିମ୍ବା ମଧ୍ୟମ ସଂକ୍ରମଣ ଥିବା ଅଞ୍ଚଳରେ ଅଧିକ ତଥ୍ୟ ନ ମିଳିବା ପର୍ଯ୍ୟନ୍ତ ଏହାକୁ ନିୟମିତ ଭାବେ ଆରମ୍ଭ ନ କରିବାକୁ WHO ପରାମର୍ଶ ଦେଇଛି।

ଅନ୍ୟପକ୍ଷରେ, Takeda କହିଛି ଯେ ୨୦୨୨ରୁ ଏହି ଟିକା ଏସିଆ, ଲାଟିନ୍‌ ଆମେରିକା ଓ ୟୁରୋପର ୪୩ଟି ଦେଶରେ ଅନୁମୋଦନ ପାଇଛି। ବିଶ୍ୱସ୍ତରରେ ୩.୨ କୋଟିରୁ ଅଧିକ ଡୋଜ୍‌ ବିତରଣ କରାଯାଇଛି ବୋଲି କମ୍ପାନୀ ଦାବି କରିଛି। ବ୍ରାଜିଲ୍‌ର ଜାତୀୟ ଟିକାକରଣ କାର୍ଯ୍ୟକ୍ରମ ସମେତ ଆର୍ଜେଣ୍ଟିନା, କଲମ୍ବିଆ, ଇଣ୍ଡୋନେସିଆ ଓ ଥାଇଲ୍ୟାଣ୍ଡର ସାର୍ବଜନୀନ କାର୍ଯ୍ୟକ୍ରମରେ ମଧ୍ୟ ଏହା ସାମିଲ ହୋଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ADE ଆଶଙ୍କାକୁ ନେଇ ଚିନ୍ତା

ଡେଙ୍ଗୁ ଟିକାକୁ ନେଇ ବିଶେଷଜ୍ଞଙ୍କ ଆଉ ଏକ ପ୍ରମୁଖ ଚିନ୍ତା ହେଉଛି ‘ଆଣ୍ଟିବଡି-ଡିପେଣ୍ଡେଣ୍ଟ ଏନହାନ୍ସମେଣ୍ଟ’ (ADE)। ଏହି ପ୍ରକ୍ରିୟାରେ ପୂର୍ବ ସଂକ୍ରମଣରୁ ଶରୀରରେ ସୃଷ୍ଟି ହୋଇଥିବା କେତେକ ଆଣ୍ଟିବଡି ପରବର୍ତ୍ତୀ ସଂକ୍ରମଣକୁ ପୂର୍ଣ୍ଣ ଭାବେ ରୋକିବା ପରିବର୍ତ୍ତେ ଭାଇରସ୍‌କୁ କୋଷ ଭିତରକୁ ପ୍ରବେଶ କରିବାରେ ସହାୟତା କରିପାରେ। ଏହା ଫଳରେ କେତେକ ପରିସ୍ଥିତିରେ ରୋଗ ଗୁରୁତର ହେବାର ଆଶଙ୍କା ରହିଥାଏ।

ଡାକ୍ତର ବାଗାଇଙ୍କ ମତରେ, ଟିକା ଦେବା ପୂର୍ବରୁ ବ୍ୟକ୍ତିଙ୍କ ଶରୀରରେ ପୂର୍ବରୁ କେଉଁ ପ୍ରକାରର ପ୍ରତିରୋଧକ ଶକ୍ତି ରହିଛି, ତାହା ବୁଝିବା ଜରୁରୀ। ତେବେ COVID-19 କିମ୍ବା ଇନ୍‌ଫ୍ଲୁଏଞ୍ଜା ଭଳି ପୂର୍ବ ସଂକ୍ରମଣ ଯୋଗୁଁ Qdenga ନେବା ପରେ ADE ହେବ ବୋଲି କୌଣସି ନିଶ୍ଚିତ କ୍ଲିନିକାଲ୍‌ ପ୍ରମାଣ ନାହିଁ। ଏପରି ଦାବି ପାଇଁ ସ୍ୱତନ୍ତ୍ର ଅଧ୍ୟୟନ ଆବଶ୍ୟକ ।

ପାରାସ୍‌ ହେଲ୍ଥ, ପଞ୍ଚକୁଲାର ଇଣ୍ଟରନାଲ୍‌ ମେଡିସିନ୍‌ ନିର୍ଦ୍ଦେଶକ ଡାକ୍ତର ସୁମିତ ଜୈନ କହିଛନ୍ତି ଯେ, ଡେଙ୍ଗୁ ଟିକାକରଣରେ ADEକୁ ନେଇ ପୂର୍ବରୁ ଚିନ୍ତା ରହିଥିଲେ ମଧ୍ୟ ସମସ୍ତ ଟିକା ପାଇଁ ସମାନ ବିପଦ ରହିଛି ବୋଲି ଧରିନେବା ଠିକ୍‌ ନୁହେଁ।

ଏହାର ଉଦାହରଣ ହେଉଛି Sanofi କମ୍ପାନୀର Dengvaxia ଟିକା। ପୂର୍ବରୁ ଡେଙ୍ଗୁ ସଂକ୍ରମଣ ହୋଇଥିବା ପ୍ରମାଣ ଥିବା ବ୍ୟକ୍ତିଙ୍କ ପାଇଁ ଏହି ଟିକା ସୀମିତ ରହିଛି। କାରଣ, ପୂର୍ବରୁ ଡେଙ୍ଗୁ ହୋଇନଥିବା ବ୍ୟକ୍ତି ଟିକା ନେବା ପରେ ପରବର୍ତ୍ତୀ ସଂକ୍ରମଣରେ ଗୁରୁତର ରୋଗର ଆଶଙ୍କା ବଢ଼ିପାରେ। କିନ୍ତୁ Qdenga ଏକ ଭିନ୍ନ ଟିକା ଏବଂ ଏହାର ପରୀକ୍ଷଣ ଓ ସୁରକ୍ଷା ତଥ୍ୟକୁ ଅଲଗା ଭାବେ ବିଚାର କରିବା ଦରକାର।

ଟିକାର ମୂଲ୍ୟ ଓ ଉପଲବ୍ଧତା ଉପରେ ନଜର

ଭାରତରେ ଅଧିକାଂଶ ଡେଙ୍ଗୁ ସଂକ୍ରମଣ ଚିହ୍ନଟ ହୋଇନଥିବାରୁ ସମସ୍ତଙ୍କୁ ପୂର୍ବରୁ ଡେଙ୍ଗୁ ହୋଇଥିଲା କି ନାହିଁ, ତାହା ପରୀକ୍ଷା କରିବା ବ୍ୟବହାରିକ ନୁହେଁ ବୋଲି ପ୍ରତିରୋଧକ ସ୍ୱାସ୍ଥ୍ୟ ଓ ମେଟାବଲିକ୍‌ ରୋଗ ବିଶେଷଜ୍ଞ ଡାକ୍ତର ସତୀଶ କୁମାର କହିଛନ୍ତି। ଏହି ସମସ୍ୟା ବିଶେଷକରି Dengvaxia ଭଳି ଟିକା ପାଇଁ ଗୁରୁତ୍ୱପୂର୍ଣ୍ଣ, ଯେଉଁଥିରେ ପୂର୍ବ ସଂକ୍ରମଣର ପ୍ରମାଣ ଆବଶ୍ୟକ। କିନ୍ତୁ ଭାରତରେ Qdenga ଅନୁମୋଦନ ପାଇଁ ପୂର୍ବ ଡେଙ୍ଗୁ ସଂକ୍ରମଣର ପ୍ରମାଣ ବାଧ୍ୟତାମୂଳକ ନୁହେଁ।

Qdenga ଏକ ଲାଇଭ୍‌ ଆଟେନୁଏଟେଡ୍‌ ବା ଦୁର୍ବଳ କରାଯାଇଥିବା ଜୀବନ୍ତ ଭାଇରସ୍‌ ଆଧାରିତ ଟିକା। ଏହାର ଦୁଇଟି ଡୋଜ୍‌ ନେବାକୁ ପଡ଼ିଥାଏ ଏବଂ ଦୁଇ ଡୋଜ୍‌ ମଧ୍ୟରେ ତିନି ମାସର ବ୍ୟବଧାନ ରହିଥାଏ। ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା, କେତେକ ପ୍ରକାରର ରୋଗପ୍ରତିରୋଧକ କ୍ଷମତା ଦୁର୍ବଳ ଥିବା ବ୍ୟକ୍ତି ଏବଂ ରୋଗପ୍ରତିରୋଧକ ଶକ୍ତି ଦମନକାରୀ ଔଷଧ ନେଉଥିବା ଲୋକଙ୍କ ପାଇଁ ଏହା ଉପଯୁକ୍ତ ନୁହେଁ।

ଏହି ଟିକାର ଅନ୍ତିମ ମୂଲ୍ୟ କେତେ ରହିବ ଏବଂ ଘରୋଇ ବଜାର ବାହାରେ ସାଧାରଣ ଲୋକଙ୍କ ପାଇଁ କେବେ ଉପଲବ୍ଧ ହେବ, ତାହା ଏବେ ସ୍ପଷ୍ଟ ହୋଇନାହିଁ। ଡାକ୍ତର ସୁମିତ ଜୈନଙ୍କ ମତରେ, ଟିକାର ଉପକାରିତା ସହ ଏହାର ସୀମାବଦ୍ଧତା ସମ୍ପର୍କରେ ମଧ୍ୟ ଲୋକଙ୍କୁ ସଚେତନ କରିବା ଆବଶ୍ୟକ ।

ବିଶେଷଜ୍ଞମାନେ ସ୍ପଷ୍ଟ କରିଛନ୍ତି ଯେ, ଡେଙ୍ଗୁ ଟିକା ମଶା ନିୟନ୍ତ୍ରଣ, ଜମା ପାଣି ସଫା କରିବା ଓ ମଶା କାମୁଡ଼ାରୁ ସୁରକ୍ଷା ଭଳି ପ୍ରତିରୋଧକ ପଦକ୍ଷେପର ବିକଳ୍ପ ନୁହେଁ। ଏହା କେବଳ ଡେଙ୍ଗୁ ମୁକାବିଲାରେ ଏକ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଭାବେ କାମ କରିପାରିବ। ତେଣୁ ଟିକା ଉପଲବ୍ଧ ହେବା ପରେ ମଧ୍ୟ ଡାକ୍ତରଙ୍କ ପରାମର୍ଶ ଓ ସରକାରୀ ନିର୍ଦ୍ଦେଶାବଳୀ ଅନୁସାରେ ହିଁ ଏହା ନେବା ଉଚିତ ।

LIVE TV
LIVE
Latest News
ଦୁଇଟି ବାତ୍ୟା ପରେ ପୁଣି ଆଉ ଏକ ଆଶଙ୍କା! ସତ ହେଉଛି କି ପାଞ୍ଜି ଗଣନା?

ଦୁଇଟି ବାତ୍ୟା ପରେ ପୁଣି ଆଉ ଏକ...

ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ଓ ବର୍ଷାକୁ ନେଇ ପୁଣି ବଢ଼ି...

ଛତ୍ରପୁରରେ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ, ୨ ଲକ୍ଷ ଟଙ୍କାର ବାଣ ଜବତ; ଜଣେ ଗିରଫ

ଛତ୍ରପୁରରେ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ,...

ଛତ୍ରପୁର: ପାର୍ବଣ ଋତୁ ପୂର୍ବରୁ ବେଆଇନ ବାଣ କାରବାର ଉପରେ...

ଦୁର୍ବଳ ହେଲା ବାତ୍ୟା ମୁରାସୁ, ଓଡ଼ିଶାରେ ଆହୁରି ୨ ଦିନ ବର୍ଷା! ୮ ତାରିଖରୁ ବଦଳିବ ପାଗ

ଦୁର୍ବଳ ହେଲା ବାତ୍ୟା ମୁରାସୁ, ଓଡ଼ିଶାରେ ଆହୁରି...

ଦୁର୍ବଳ ହେଲା ବାତ୍ୟା ମୁରାସୁ, ଓଡ଼ିଶାରେ ଆହୁରି ୨ ଦିନ ବର...

ED ଚଢ଼ାଉ ବେଳେ ବଡ଼ ଖୁଲାସା! ଘରୁ ମିଳିଲା ହାତୀ ଦାନ୍ତ ଓ ହରିଣ ଶିଙ୍ଗ, ଗିରଫ ହେଲେ ଈଶ୍ୱର

ED ଚଢ଼ାଉ ବେଳେ ବଡ଼ ଖୁଲାସା! ଘରୁ...

ଭୁବନେଶ୍ୱର: ଆର୍ଥିକ ଠକେଇ ମାମଲାରେ ED ଚଢ଼ାଉ ଚାଲିଥିବା ବ...

ମାତ୍ର ୫୭.୬୪ କୋଟିର IPOକୁ ୫୩୬ ଗୁଣା ସବ୍‌ସ୍କ୍ରିପ୍‌ସନ୍‌! ୨୦,୩୬୮ କୋଟି ଟଙ୍କାର ବିଡ୍‌ ଲଗାଇଲେ ନିବେଶକ

ମାତ୍ର ୫୭.୬୪ କୋଟିର IPOକୁ ୫୩୬ ଗୁଣା...

ଶେୟାର ବଜାରରେ ଏକ ଛୋଟ SME IPOକୁ ନେଇ ଏବେ ଜୋରଦାର ଚର୍ଚ୍...

ମହଙ୍ଗା ବିମାନ ଇନ୍ଧନରେ ଉଡ଼ାଣ ସେବାକୁ ଝଟକା! ATF ଦର କମାଇବାକୁ ସରକାରଙ୍କୁ ଆଞ୍ଚଳିକ ଏୟାରଲାଇନ୍ସର ଦାବି

ମହଙ୍ଗା ବିମାନ ଇନ୍ଧନରେ ଉଡ଼ାଣ ସେବାକୁ ଝଟକା!...

ମହଙ୍ଗା ବିମାନ ଇନ୍ଧନ ଏବେ ଭାରତୀୟ ବିମାନ ଚଳାଚଳ କ୍ଷେତ୍ର...

ନବରଙ୍ଗପୁରରେ ଅଭାବନୀୟ କାଣ୍ଡ! ତନ୍ତ୍ରବିଦ୍ୟା ପାଇଁ ମଶାଣିରେ ବୀଭତ୍ସ କାଣ୍ଡ ! ସମାଧି ଖୋଳି ଶବରୁ କାଟିନେଲେ ମୁଣ୍ଡ

ନବରଙ୍ଗପୁରରେ ଅଭାବନୀୟ କାଣ୍ଡ! ତନ୍ତ୍ରବିଦ୍ୟା ପାଇଁ ମଶାଣିରେ...

ନବରଙ୍ଗପୁର: ମଶାଣିରେ ଅମାନବୀୟ ଓ ଚାଞ୍ଚଲ୍ୟକର ଘଟଣା। ସମାଧ...

ସେନ୍‌ସେକ୍ସରେ ୨,୦୦୦ ପଏଣ୍ଟର ବଡ଼ ଉଛାଳ! ୨୪,୫୦୦ ପାର୍‌ ହେଲା ନିଫ୍ଟି, ବଜାଜ୍ ଫାଇନାନ୍ସ ସେୟାରରେ ୮% ଲାଭ

ସେନ୍‌ସେକ୍ସରେ ୨,୦୦୦ ପଏଣ୍ଟର ବଡ଼ ଉଛାଳ! ୨୪,୫୦୦...

ଦୀପାବଳି ପରେ ଭାରତୀୟ ସେୟାର ବଜାରରେ ନିବେଶକଙ୍କ ପାଇଁ ଖୁସ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+