ପାକିସ୍ତାନର ଜେଲ୍ରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପରେ ପୁଣି ଜେଲ୍କୁ ପଠାଇ ଦିଆଯାଇଛି। ଶୁକ୍ରବାର ସକାଳ ପ୍ରାୟ ୫ଟାରେ ତାଙ୍କୁ ଆଡିଆଲା ଜେଲ୍କୁ ଫେରାଇ ନିଆଯାଇଥିବା ପାକିସ୍ତାନ ସରକାର କହିଛି।
ପାକିସ୍ତାନ ସୁପ୍ରିମକୋର୍ଟ ମଙ୍ଗଳବାର ଇମ୍ରାନ ଖାନ୍ଙ୍କୁ ୪୮ ଘଣ୍ଟା ମଧ୍ୟରେ ଇସ୍ଲାମାବାଦର ନିର୍ଦ୍ଦିଷ୍ଟ ଏକ ଘରୋଇ ହସ୍ପିଟାଲକୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଆଦେଶ ଦେଇଥିଲେ। ତାଙ୍କ ସ୍ୱାସ୍ଥ୍ୟ ନେଇ ପରିବାର ଓ ଓକିଲମାନେ ଦୀର୍ଘଦିନ ଧରି ଚିନ୍ତା ପ୍ରକାଶ କରୁଥିଲେ। କୋର୍ଟ ତାଙ୍କୁ ପରିବାର ସହ ଦେଖା କରିବାର ଅନୁମତି ଦେବାକୁ ମଧ୍ୟ କହିଥିଲେ।
ଇମ୍ରାନ ଖାନ୍ଙ୍କୁ ପ୍ରଥମେ ଶିଫା ଇଣ୍ଟରନ୍ୟାସନାଲ୍ ହସ୍ପିଟାଲକୁ ନେବା ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ହସ୍ପିଟାଲ ଚାରିପାଖରେ ବ୍ୟାରିକେଡ୍ ଲଗାଯିବା ସହ ପୋଲିସ ଗାଡ଼ି ଓ ସୁରକ୍ଷାବାହିନୀ ମୁତୟନ ହୋଇଥିଲେ। ତେବେ ସରକାରଙ୍କ କହିବା ଅନୁସାରେ, PTI କର୍ମୀମାନଙ୍କ ଉପସ୍ଥିତି ଯୋଗୁଁ ସୁରକ୍ଷା ପରିସ୍ଥିତି ଜଟିଳ ହେବାରୁ ଇମ୍ରାନଙ୍କୁ ଶିଫା ବଦଳରେ ସରକାରୀ Pakistan Institute of Medical Sciences (PIMS)କୁ ନିଆଯାଇଥିଲା।
ପାକିସ୍ତାନର ସୂଚନାମନ୍ତ୍ରୀ ଅତାଉଲ୍ଲାହ ତାରାର କହିଛନ୍ତି, ଇମ୍ରାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରେ ଚକ୍ଷୁ ବିଶେଷଜ୍ଞ, କାର୍ଡିଓଲୋଜିଷ୍ଟ ଓ ଫିଜିସିଆନ୍ଙ୍କ ସମେତ ଯୋଗ୍ୟ ଡାକ୍ତରମାନେ ସାମିଲ ଥିଲେ। ପରୀକ୍ଷା ପରେ ତାଙ୍କୁ ‘ମେଡିକାଲି ଫିଟ୍’ ବୋଲି ଘୋଷଣା କରାଯାଇଥିବା ସେ କହିଛନ୍ତି। ଇମ୍ରାନଙ୍କ ଭଉଣୀ ଡା. ଉଜମା ଖାନ୍ ସମଗ୍ର ଡାକ୍ତରୀ ପରୀକ୍ଷା ସମୟରେ ଉପସ୍ଥିତ ଥିଲେ।
ତେବେ ଇମ୍ରାନ ଖାନ୍ଙ୍କ ପାର୍ଟି Pakistan Tehreek-e-Insaf (PTI) ସରକାରଙ୍କ ଏହି ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଛି। ଦଳର ସୂଚନା ସଚିବ ଶେଖ୍ ୱାକାସ୍ ଆକ୍ରମ୍ ପଚାରିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପ୍ରକୃତ ଅର୍ଥରେ ପାଳନ କରାଗଲା କି, ନା କେବଳ ପ୍ରଚାର ପାଇଁ ଏକ ଔପଚାରିକ ପଦକ୍ଷେପ ନିଆଗଲା। ଇମ୍ରାନଙ୍କ ପରିବାର ମଧ୍ୟ ଏହି ଘଟଣାକୁ ନେଇ ସରକାରଙ୍କୁ ସମାଲୋଚନା କରିଛି।
ଇମ୍ରାନ ଖାନ୍ଙ୍କ ଓକିଲମାନେ ତାଙ୍କ ଦୃଷ୍ଟିଶକ୍ତି ସମେତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଥିବା ଦାବି କରିଆସୁଛନ୍ତି। ଚଳିତ ବର୍ଷ ଫେବ୍ରୁଆରୀରେ ତାଙ୍କ ଓକିଲ ଦାବି କରିଥିଲେ ଯେ ଡାହାଣ ଆଖିର ଦୃଷ୍ଟିଶକ୍ତି ମାତ୍ର ୧୫ ପ୍ରତିଶତ ରହିଛି। ତେବେ ଏହି ଅଭିଯୋଗକୁ ପାକିସ୍ତାନ ସରକାର ଖଣ୍ଡନ କରିଥିଲା।
ଇମ୍ରାନ ଖାନ୍ ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ। ୨୦୨୩ ଅଗଷ୍ଟରୁ ସେ ଜେଲ୍ରେ ଅଛନ୍ତି। ତାଙ୍କ ବିରୋଧରେ ୧୦୦ରୁ ଅଧିକ ମାମଲା ରହିଛି, ଯେଉଁଥିରେ ରାଜ୍ୟ ଗୁପ୍ତ ତଥ୍ୟ ପ୍ରଘଟ ଠାରୁ ଆରମ୍ଭ କରି ସରକାରୀ ଉପହାର ବିକ୍ରି ଭଳି ଅଭିଯୋଗ ରହିଛି। ଇମ୍ରାନ ଏହି ମାମଲାଗୁଡ଼ିକୁ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି ଦାବି କରିଆସୁଛନ୍ତି।
ଇମ୍ରାନ ଓ ତାଙ୍କ ପତ୍ନୀ ବୁଶ୍ରା ବିବିଙ୍କୁ ୨୦୨୫ରେ ୧୭ ବର୍ଷ ଲେଖାଏଁ ଜେଲ୍ ଦଣ୍ଡ ମଧ୍ୟ ଦିଆଯାଇଥିଲା। ତାଙ୍କ ଗିରଫ ଓ ଜେଲ୍ ଦଣ୍ଡକୁ ନେଇ ପାକିସ୍ତାନରେ ବଡ଼ ଧରଣର ବିରୋଧ ପ୍ରଦର୍ଶନ ହୋଇଥିଲା। କଠୋର ସରକାରୀ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଇମ୍ରାନ ଖାନ୍ ପାକିସ୍ତାନ ରାଜନୀତିରେ ଏବେ ମଧ୍ୟ ଏକ ପ୍ରଭାବଶାଳୀ ଚେହେରା ଭାବେ ରହିଛନ୍ତି।
ଉତ୍ତରପ୍ରଦେଶରେ ବନ୍ୟା ପରିସ୍ଥିତି ଯୋଗୁଁ ୧୩ଟି ଜିଲ୍ଲାର ୧...
ତିରୁମାଳାର ଘଞ୍ଚ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ବନ୍ୟଜନ୍ତୁ...
ଭୁବନେଶ୍ୱର:ଓଡ଼ିଶାରେ ଆଗାମୀ ୫ ଦିନ ପାଗ ଅସ୍ଥିର ରହିବା ସମ...
ସୁନା ଓ ରୁପା ଦର ପୁଣି ଥରେ ଚର୍ଚ୍ଚାରେ। ଚଳିତ ସପ୍ତାହରେ ଉ...
ଦିଲ୍ଲୀରେ ପ୍ରଦର୍ଶନକାରୀଙ୍କ ଉପରେ କଥିତ ପେଲେଟ୍ ଗନ୍ ବ୍ୟବ...
ଗୁଜରାଟର ଭାବନଗର ଜିଲ୍ଲାରେ ବିଷାକ୍ତ ମଦ ପିଇ ମୃତ୍ୟୁ ଘଟଣା...
ଭାରତ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଦୌଡ଼ରେ ପଛରେ ପଡ...
ନୂଆଦିଲ୍ଲୀ: ଟାଟା ସନ୍ସର ପରବର୍ତ୍ତୀ ଅଧ୍ୟକ୍ଷ ଚୟନ ପ୍ରକ୍ର...
ଲଗାତାର କ୍ଷତିର ଧାରା ପରେ ଶୁକ୍ରବାର ଭାରତୀୟ ଶେୟର ବଜାରର...
ଦିଲ୍ଲୀରେ ଯାତାୟାତ ବ୍ୟବସ୍ଥାକୁ ନେଇ ଆସିଛି ବଡ଼ ପରିବର୍ତ୍...