ଦକ୍ଷିଣ ଆମେରିକୀୟ ଦେଶ ଗୁଆନାରେ ଏକ ହୃଦୟବିଦାରକ ସାମୁଦ୍ରିକ ଦୁର୍ଘଟଣା ଘଟିଛି। ୧୩୩ ଜଣ ଯାତ୍ରୀ ଓ କର୍ମଚାରୀଙ୍କୁ ନେଇ ଯାଉଥିବା ‘ଏମ୍ଭି ବାରିମା’ ନାମକ ଫେରୀ ମଝି ସମୁଦ୍ରରେ ଓଲଟି ପଡ଼ିବା ପରେ ବଡ଼ ଧରଣର ଉଦ୍ଧାର ଅଭିଯାନ ଚାଲିଛି।
ଅଧିକାରୀମାନଙ୍କ ସୂଚନା ଅନୁଯାୟୀ, ଫେରୀରେ ୧୧୬ ଜଣ ଯାତ୍ରୀ ଏବଂ ୧୭ ଜଣ କର୍ମଚାରୀ ଥିଲେ। ଏପର୍ଯ୍ୟନ୍ତ ୬୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଅବଶିଷ୍ଟ ୬୬ ଜଣଙ୍କ ସନ୍ଧାନରେ ଉଦ୍ଧାରକାରୀ ଦଳ ଅଭିଯାନ ଜାରି ରଖିଛି। ଏପର୍ଯ୍ୟନ୍ତ କେତେ ଜଣଙ୍କର ମୃତ୍ୟୁ ହୋଇଛି ସେନେଇ ସରକାର ପକ୍ଷରୁ କୌଣସି ଆଧିକାରିକ ସୂଚନା ଦିଆଯାଇନାହିଁ।
ଗୁଆନାର ପ୍ରଧାନମନ୍ତ୍ରୀ ମାର୍କ ଫିଲିପ୍ସ କହିଛନ୍ତି ଯେ, ଫେରୀଟି ରାଜଧାନୀ ଜର୍ଜଟାଉନ୍ରୁ ପୋର୍ଟ କାଇଟୁମା ଅଭିମୁଖେ ଯାତ୍ରା କରୁଥିବା ବେଳେ ପୋମେରୁନ୍ ନଦୀ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଉଦ୍ଧାର ହୋଇଥିବା ୬୭ ଜଣଙ୍କ ମଧ୍ୟରେ ୧୫ ଜଣ ଶିଶୁ ଅଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣ ପୁଅ ଓ ୯ ଜଣ ଝିଅ ଥିବାବେଳେ, ଅନ୍ୟମାନଙ୍କ ମଧ୍ୟରେ ୪୧ ଜଣ ପୁରୁଷ ଏବଂ ୧୧ ଜଣ ମହିଳା ଅଛନ୍ତି। ନିଖୋଜ ଯାତ୍ରୀମାନଙ୍କୁ ଖୋଜିବା ପାଇଁ ସମୁଦ୍ରରେ ବ୍ୟାପକ ସନ୍ଧାନ ଅଭିଯାନ ଚାଲିଛି।
ଗୁଆନାର ମନ୍ତ୍ରୀ ଜୁଆନ ଏଡଗିଲ୍ ସୂଚନା ଦେଇଛନ୍ତି ଯେ, ସ୍ଥାନୀୟ ସମୟ ରବିବାର ରାତି ପ୍ରାୟ ୧୧ଟା ୧ ମିନିଟରେ ଫେରୀଟି ଓଲଟି ପଡ଼ିଥିଲା। ସରକାରୀ ଓ ବେସରକାରୀ ଡଙ୍ଗା ସହାୟତାରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା।
ସେ କହିଛନ୍ତି ଯେ, ଫେରୀରେ ୨୫୦ଟି ଲାଇଫ୍ ଜ୍ୟାକେଟ୍, ଦୁଇଟି ଲାଇଫ୍ ରାଫ୍ଟ ଏବଂ ଆହୁରି ଛଅଟି ଜରୁରୀକାଳୀନ ଉଦ୍ଧାର ସାମଗ୍ରୀ ଥିଲା। ତଥାପି ଏଭଳି ବଡ଼ ଦୁର୍ଘଟଣା କିପରି ଘଟିଲା, ସେନେଇ ତଦନ୍ତ ଆରମ୍ଭ ହୋଇଛି।
ଭେସେଲ୍ ଫାଇଣ୍ଡର ସୂଚନା ଅନୁଯାୟୀ, ୪୦ ମିଟର ଲମ୍ବର ଏହି ଫେରୀ ୧୯୩୯ ମସିହାରେ ନିର୍ମାଣ ହୋଇଥିଲା। ଏଥିରେ ୩୦୦ରୁ ଅଧିକ ଯାତ୍ରୀ ବହନ କରିବାର ଲାଇସେନ୍ସ ଥିଲା ଏବଂ ଦୁର୍ଘଟଣା ସମୟରେ ଏହା ନିର୍ଦ୍ଧାରିତ କ୍ଷମତାଠାରୁ କମ୍ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିଲା।
ବାତ୍ୟା ‘ମୁରାସୁ’ର ପ୍ରଭାବରେ ଓଡ଼ିଶାର ବିଭି...
ଦୁର୍ବଳ ହେଲା ବାତ୍ୟା ମୁରାସୁ, ଓଡ଼ିଶାରେ ଆହୁରି ୨ ଦିନ ବର...
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସ...
ନବରଙ୍ଗପୁର: ମଶାଣିରେ ଅମାନବୀୟ ଓ ଚାଞ୍ଚଲ୍ୟକର ଘଟଣା। ସମାଧ...
ନୂଆଦିଲ୍ଲୀ: ଦୃଢ଼ ଇଚ୍ଛାଶକ୍ତି, ମେଧା ଓ କଠିନ ପରିଶ୍ରମ ମଣ...
ଭୁବନେଶ୍ୱର:ଦିନରେ ପୁଲିସ ଡ୍ରାଇଭର, ଆଉ ସନ୍ଧ୍ୟା ହେଲେ ଚେନ...
Joint CSIR-UGC NET December 2026 ପରୀକ୍ଷାକୁ ନେଇ ଆଶା...
ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରୁ ଓଡ଼ିଶା ଏବେ...