ଜେରୁଜେଲମ୍: ଇସ୍ରାଏଲର ରାଜନୀତିରେ ନୂଆ ଝଡ଼ । କାମଚଳା ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ ନେତା ଗାଡି ଇସେନକୋଟ୍ । ନେତନ୍ୟାହୁ ଆଉ ଗୋଟିଏ ମିନିଟ୍ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ପଦରେ ରହିବାକୁ ଯୋଗ୍ୟ ନୁହନ୍ତି ବୋଲି ସେ କହିଛନ୍ତି। ଏହାସହ ନୂଆ ସଂସଦ (Knesset)ର ଶପଥ ଗ୍ରହଣ ଅବସରରେ ନେତନ୍ୟାହୁ ଦେଇଥିବା ଭାଷଣକୁ ସେ ବିଭାଜନକାରୀ, ଘୃଣାଭରା ଓ ଲଜ୍ଜାଜନକ ବୋଲି ଅଭିହିତ କରିଛନ୍ତି ।
ନଭେମ୍ବର ୧୦ ତାରିଖରେ ଇସ୍ରାଏଲର ୨୬ତମ କ୍ନେସେଟ୍ର ଶପଥ ଗ୍ରହଣ ଅବସରରେ ନେତନ୍ୟାହୁ ଏକ ଜାତୀୟ ଏକତା ସରକାର ଗଠନ ପାଇଁ ଆହ୍ୱାନ ଦେଇଥିଲେ । କିନ୍ତୁ ଆରବ ସମର୍ଥିତ ରାଜନୈତିକ ଦଳଗୁଡ଼ିକର ସମର୍ଥନରେ ସରକାର ଗଠନ କରିବାକୁ ଚାହୁଁଥିବା ବିରୋଧୀ ନେତାମାନଙ୍କୁ ସେ ସମାଲୋଚନା କରିଥିଲେ ।
ଏହାର ଜବାବରେ ଗାଡି ଇସେନକୋଟ୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମ Xରେ ଲେଖିଥିଲେ ଯେ, ନେତନ୍ୟାହୁଙ୍କ ଭାଷଣ ତାଙ୍କୁ ଆହୁରି ନିଶ୍ଚିତ କରିଦେଇଛି ଯେ ସେ ଆଉ ଗୋଟିଏ ମିନିଟ୍ ପାଇଁ ମଧ୍ୟ ପଦରେ ରହିବାକୁ ଯୋଗ୍ୟ ନୁହନ୍ତି । ତାଙ୍କର ଶାସନ ଇସ୍ରାଏଲକୁ ବିଭାଜିତ କରିବା ସହ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ଇସେନକୋଟ୍ ଅଭିଯୋଗ କରିଛନ୍ତି ।
ଲିକୁଡ୍ ପାର୍ଟି ସହ ବୈଠକ ବାତିଲ
ନେତନ୍ୟାହୁଙ୍କ ଭାଷଣ ପରେ ଇସେନକୋଟ୍ଙ୍କ ୟାଶାର୍ (Yashar) ପାର୍ଟି ଏକ ବଡ଼ ନିଷ୍ପତ୍ତି ନେଇଛି । ନେତନ୍ୟାହୁଙ୍କ ଲିକୁଡ୍ ପାର୍ଟି ସହ ସରକାର ଗଠନ ନେଇ ହେବାକୁ ଥିବା ଆଲୋଚନା ବୈଠକକୁ ବାତିଲ କରିଦେଇଛି ଦଳ ।
ପୂର୍ବରୁ ବୁଧବାର ଦୁଇ ଦଳର ଆଲୋଚନାକାରୀ ଟିମ୍ ମଧ୍ୟରେ ବୈଠକ ହେବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ନେତନ୍ୟାହୁଙ୍କ ଭାଷଣ ଓ ସଂସଦର ଶପଥ ଗ୍ରହଣ ସମାରୋହରେ ତାଙ୍କ ଆଚରଣକୁ ନେଇ ଇସେନକୋଟ୍ ଏହି ବୈଠକ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ୟାଶାର୍ ପାର୍ଟି ଅଭିଯୋଗ କରିଛି ଯେ, ନେତନ୍ୟାହୁ ଦେଶର ଏକତା ଅପେକ୍ଷା ନିଜର ରାଜନୈତିକ ସ୍ୱାର୍ଥ ଓ କ୍ଷମତା ବଞ୍ଚାଇବାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଅନ୍ୟପଟେ ଲିକୁଡ୍ ପାର୍ଟି ଏହି ନିଷ୍ପତ୍ତିକୁ ଆଶ୍ଚର୍ଯ୍ୟଜନକ କହିବା ସହ ଜାତୀୟ ଏକତା ପାଇଁ ଆଲୋଚନା ଜାରି ରଖିବାକୁ ପ୍ରସ୍ତୁତ ଥିବା କହିଛି ।
ଆରବ ଦଳକୁ ନେଇ ନେତନ୍ୟାହୁଙ୍କ ବୟାନରେ ବିବାଦ
ସଂସଦରେ ଭାଷଣ ଦେବା ସମୟରେ ନେତନ୍ୟାହୁ ଆରବ ସମର୍ଥିତ ଜଏଣ୍ଟ ଲିଷ୍ଟ ଓ ରାମ୍ (Ra’am) ଦଳକୁ ଟାର୍ଗେଟ୍ କରିଥିଲେ। ଏହି ଦଳଗୁଡ଼ିକର ସମର୍ଥନ ନେଇ ସରକାର ଗଠନ କରିବା ଇସ୍ରାଏଲର ସୁରକ୍ଷା ପାଇଁ ବିପଦଜନକ ବୋଲି ସେ କହିଥିଲେ । ଏପରିକି ଇହୁଦୀ ରାଷ୍ଟ୍ରର ବିନାଶ ଚାହୁଁଥିବା ଲୋକଙ୍କ ଉପରେ ନିର୍ଭର କରି ସରକାର ଗଠନ କରାଯିବା ଉଚିତ୍ ନୁହେଁ ବୋଲି ମତ ରଖିଥିଲେ ।
ଏହାକୁ ନେଇ ଆରବ ନେତା ଓ ବିରୋଧୀ ଦଳଗୁଡ଼ିକ ନେତନ୍ୟାହୁଙ୍କୁ ସମାଲୋଚନା କରିଛନ୍ତି। ଅନ୍ୟପଟେ ଲିକୁଡ୍ ପାର୍ଟି କହିଛି ଯେ, ଆତଙ୍କବାଦକୁ ସମର୍ଥନ କରୁଥିବା ଗୋଷ୍ଠୀଙ୍କ ସହ ମେଣ୍ଟ କରିବା ଠିକ୍ ନୁହେଁ ।
ନୂଆ ସରକାର ଗଠନ ପାଇଁ ଇସେନକୋଟ୍ଙ୍କ ଉଦ୍ୟମ
ଇସ୍ରାଏଲର ରାଷ୍ଟ୍ରପତି ଇସାକ୍ ହର୍ଜୋଗ୍ ଗାଡି ଇସେନକୋଟ୍ଙ୍କୁ ନୂଆ ସରକାର ଗଠନ ପାଇଁ ଦାୟିତ୍ୱ ଦେଇଛନ୍ତି। ଅକ୍ଟୋବର ୨୭ରେ ହୋଇଥିବା ନିର୍ବାଚନ ପରେ ୧୨୦ ସଦସ୍ୟ ବିଶିଷ୍ଟ ସଂସଦରେ କୌଣସି ଦଳ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ପାଇନାହିଁ ।
ନେତନ୍ୟାହୁଙ୍କ ଲିକୁଡ୍ ମେଣ୍ଟକୁ ୫୩ଟି ଆସନ ମିଳିଥିବା ବେଳେ ଇସେନକୋଟ୍ଙ୍କ ୟାଶାର୍ ମେଣ୍ଟକୁ ୪୮ଟି ଆସନ ମିଳିଛି। ଅନ୍ୟପଟେ ଆରବ ସମର୍ଥିତ ଦଳଗୁଡ଼ିକ ପାଖରେ ୧୯ଟି ଆସନ ରହିଛି । ସରକାର ଗଠନ ପାଇଁ ଅତି କମ୍ରେ ୬୧ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ ।
ଇସେନକୋଟ୍ଙ୍କ ପାଖରେ ସରକାର ଗଠନ ପାଇଁ ୬ ସପ୍ତାହ ସମୟ ରହିଛି । ଯଦି ସେ ଏହି ସମୟ ମଧ୍ୟରେ ସରକାର ଗଠନ କରିବାରେ ବିଫଳ ହୁଅନ୍ତି, ତେବେ ରାଷ୍ଟ୍ରପତି ପୁଣି ଥରେ ନେତନ୍ୟାହୁଙ୍କୁ ସୁଯୋଗ ଦେଇପାରନ୍ତି ।
ନେତନ୍ୟାହୁଙ୍କ ବିରୋଧରେ ନୂଆ ରାଜନୈତିକ ଚାଲ୍
ନୂଆ ସଂସଦରେ ଇସେନକୋଟ୍ଙ୍କ ମେଣ୍ଟ ନିଜର ରାଜନୈତିକ ଏଜେଣ୍ଡା ଆଗକୁ ବଢ଼ାଇଛି। ୨୦୨୩ ଅକ୍ଟୋବର ୭ରେ ହମାସ୍ ଆକ୍ରମଣ ସମ୍ପର୍କରେ ସରକାରୀ ତଦନ୍ତ କମିଶନ ଗଠନ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ଉପରେ ସୀମା ନିର୍ଦ୍ଧାରଣ ଏବଂ ନ୍ୟାୟପାଳିକାର କ୍ଷମତା ସମ୍ପର୍କିତ ପୂର୍ବ ନିଷ୍ପତ୍ତିରେ ପରିବର୍ତ୍ତନ ଆଣିବାକୁ ବିଲ୍ ଆଗତ କରାଯାଇଛି ।
ଏହାସହ ନେତନ୍ୟାହୁଙ୍କ ସମର୍ଥିତ ସଂସଦ ବାଚସ୍ପତି ଆମିର ଓହାନାଙ୍କୁ ବଦଳାଇବା ପାଇଁ ମଧ୍ୟ ବିରୋଧୀ ମେଣ୍ଟ ଉଦ୍ୟମ ଆରମ୍ଭ କରିଛି। ଏହି ପଦ ପାଇଁ ୟାଶାର୍ ଦଳର ମତାନ୍ କାହାନାଙ୍କ ନାମ ପ୍ରସ୍ତାବ ଦିଆଯାଇଛି ।
ବର୍ତ୍ତମାନ ନୂଆ ସରକାର ଗଠନ ନହେବା ପର୍ଯ୍ୟନ୍ତ ନେତନ୍ୟାହୁ ଓ ତାଙ୍କ କ୍ୟାବିନେଟ୍ କାମଚଳା ସରକାର ଭାବେ କାର୍ଯ୍ୟ ଜାରି ରଖିବେ । ତେଣୁ ଇସ୍ରାଏଲରେ କ୍ଷମତା ପରିବର୍ତ୍ତନକୁ ନେଇ ରାଜନୈତିକ ଅନିଶ୍ଚିତତା ଏବେ ବି ଜାରି ରହିଛି ।
ନଭେମ୍ବର ୧୩ରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ଭୁବନେ...
ନୂଆଦିଲ୍ଲୀ: ବାବ୍ରି ମସଜିଦ୍ ବିବାଦରୁ ବାଟଲା ହାଉସ୍ ଏନକାଉ...
ଭୁବନେଶ୍ୱର: ଆଜିକାଲି ଅନେକ ଲୋକ ନିଜ ସ୍ୱାସ୍ଥ୍ୟ ସମ୍ପର୍କର...
ଜାନୁଆରୀ ୨୧ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା ଭ...
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ବନ୍ୟା ପରିସ୍ଥିତିକୁ ନେଇ ର...
ନୂଆଦିଲ୍ଲୀ: କ୍ୟାନ୍ସର ଚିକିତ୍ସା କରାଉଥିବା ରୋଗୀ ଓ ସେମାନ...
ନୂଆଦିଲ୍ଲୀ: ଡାକ୍ତର ହେବାର ସ୍ୱପ୍ନ ଦେଖୁଥିବା NEET ଉତ୍ତୀ...
SOAରେ ମାଣ୍ଡିଆ ଦିବସ ପାଳନ ଭୁବନେଶ୍ୱର: ଓଡ଼ିଶାର ପାରମ...