ଗ୍ରାମୀଣ ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜିବିକା ମିଶନ (ଭିବି-ଜି ରାମ-ଜି) ଅଧିନିୟମକୁ ନେଇ କଂଗ୍ରେସ ବୁଧବାର କେନ୍ଦ୍ର ସରକାରଙ୍କ ବିରୋଧରେ କଡ଼ା ଆକ୍ରମଣ ଶାଣିଛି। ଦଳର ବରିଷ୍ଠ ନେତା ଜୟରାମ ରମେଶ ଅଭିଯୋଗ କରିଛନ୍ତି ଯେ ଏହି ନୂତନ ଆଇନ ମାଧ୍ୟମରେ ସରକାର ଗ୍ରାମୀଣ ଲୋକଙ୍କ "ରୋଜଗାର ଅଧିକାର" ଛଡ଼ାଇ ନେଇଛନ୍ତି।
ଜୟରାମ ରମେଶ କହିଛନ୍ତି ଯେ, ନୂତନ ଅଧିନିୟମ ରାଜ୍ୟ ସରକାରମାନଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପକାଉଛି ଏବଂ କାମ କରିବାର ସାମ୍ବିଧାନିକ ଅଧିକାରକୁ ଦୁର୍ବଳ କରୁଛି। ସେ ଜମ୍ମୁ-କାଶ୍ମୀରର ପୂର୍ବତନ ଅର୍ଥମନ୍ତ୍ରୀ ହସିବ ଦ୍ରାବୁଙ୍କ ଏକ ଲେଖା ସେୟାର କରି କହିଛନ୍ତି ଯେ, ଏହି ଆଇନ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (ମନରେଗା)ର ଅଧିକାର-ଭିତ୍ତିକ ଢାଞ୍ଚାକୁ ଭାଙ୍ଗି ଦେଇଛି।
କଂଗ୍ରେସ ନେତାଙ୍କ ମତରେ, ମନରେଗା ଏକ ଅଧିକାର-ଆଧାରିତ ଏବଂ ଚାହିଦା-ଭିତ୍ତିକ ଯୋଜନା ଥିଲା, ଯାହା ଅନୁଯାୟୀ ପ୍ରତ୍ୟେକ ଯୋଗ୍ୟ ଗ୍ରାମୀଣ ପରିବାରକୁ ଆଇନଗତ ଭାବେ ୧୦୦ ଦିନର ଅଣକୁଶଳୀ କାମର ନିଶ୍ଚିତତା ମିଳୁଥିଲା। କିନ୍ତୁ ନୂତନ ଆଇନ ଏହି ଅଧିକାରକୁ ଶେଷ କରିଦେଇଥିବା ଅଭିଯୋଗ କରାଯାଇଛି।
ଜୟରାମ ରମେଶ ଆହୁରି କହିଛନ୍ତି ଯେ, ଭିବି-ଜି ରାମ-ଜି ଅଧିନିୟମରେ ପ୍ରଯୁକ୍ତିର ବ୍ୟବହାର ଲୋକଙ୍କୁ ସୁବିଧା ଦେବା ପରିବର୍ତ୍ତେ ଅନେକ ହିତାଧିକାରୀଙ୍କୁ ଯୋଜନାରୁ ବାଦ ଦେବାର ଆଶଙ୍କା ସୃଷ୍ଟି କରୁଛି। ଏହା ସହ ଏହି ଆଇନ ମନରେଗା ପରି ବର୍ଷସାରା ରୋଜଗାର ସୁଯୋଗ ମଧ୍ୟ ପ୍ରଦାନ କରୁନାହିଁ।
କଂଗ୍ରେସ ଜୁଲାଇ ୧ରୁ କାର୍ଯ୍ୟକାରୀ ହୋଇଥିବା ଏହି ଆଇନକୁ ବାତିଲ କରିବା ସହ ପୂର୍ବବତ୍ ଏକ ସୁଦୃଢ଼ ମନରେଗା ବ୍ୟବସ୍ଥା ପୁନଃ ଲାଗୁ କରିବାକୁ ଦାବି କରିଛି। ଦଳର ଅଭିଯୋଗ ଅନୁଯାୟୀ, ନୂତନ ଆଇନରେ ମଜୁରୀ ହାର କମ୍ ରହିଛି ଏବଂ ଗ୍ରାମୀଣ ଶ୍ରମିକଙ୍କ ପାଇଁ ନ୍ୟାୟସଙ୍ଗତ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ ପାଇଁ ଅନୁପ ସତପଥୀ କମିଟିର ୨୦୧୯ ସୁପାରିଶକୁ ଲାଗୁ କରିବା ଉଚିତ।
ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାର ଜୁଲାଇ ୧ରୁ ସାରା ଦେଶରେ ଭିବି-ଜି ରାମ-ଜି ଅଧିନିୟମ କାର୍ଯ୍ୟକାରୀ କରିଛନ୍ତି। ଏହାକୁ ନେଇ ସରକାର ଓ ବିରୋଧୀ ଦଳ ମଧ୍ୟରେ ରାଜନୈତିକ ତର୍କ ତୀବ୍ର ହୋଇଛି।
CAT 2026 ପାଇଁ ପ୍ରସ୍ତୁତି ନେଉଥିବା MBA ଆଶାୟୀଙ୍କ ପାଇଁ...
ନାବାଳିକା ନିଖୋଜ ପରେ ମିଳିଥିଲା ମୃତଦେହ ରିପୋର୍ଟ ଅନୁଯ...
ପଶ୍ଚିମ ଓଡ଼ିଶାର ପ୍ରମୁଖ ଚିକିତ୍ସା ପ୍ରତିଷ୍ଠାନ ବୁର୍ଲା ଭ...
MIT ଓ IITକୁ ନେଇ ଏକ ଚର୍ଚ୍ଚା ପୁଣି ସାମ୍ନାକୁ ଆସିଛି&mda...
ଡର୍ମାଟୋଲୋଜିଷ୍ଟ ଡା. ଜୁଶ୍ୟା ଭାଟିଆ ସରିନ୍ ଭାରତୀୟ ତ୍ୱଚା...
SMA ଔଷଧକୁ ନେଇ କେରଳରେ ଚର୍ଚ୍ଚା ଓ ବିବାଦ ମଧ୍ୟରେ ସ୍ୱାସ୍...
ଭୁବନେଶ୍ୱର: ବିବାହର କିଛି ଦିନ ପରେ ଶ୍ୱଶୁର ଘରେ ଚୋରି ଅଭି...
ବିଦେଶରେ ପଢ଼ିବା ନେଇ ଭାରତୀୟ ଛାତ୍ରଛାତ୍ରୀଙ୍କ ଚିନ୍ତାଧାର...