ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଷ୍ଟାଡିୟମ ନିର୍ମାଣକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ବର୍ଷ ବର୍ଷ ଧରି ନିର୍ମାଣ ଚାଲିଥିଲେ ମଧ୍ୟ ଦୁଇଟି ଷ୍ଟାଡିୟମ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ଏହି କ୍ରୀଡ଼ା ଭିତ୍ତିଭୂମି ସ୍ଥାନୀୟ ଲୋକଙ୍କ କାମରେ ଆସିପାରୁନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।
କନ୍ଧା ଷ୍ଟାଡିୟମ ନିର୍ମାଣ ପାଇଁ ୨୦୧୬ ମସିହାରେ କାର୍ଯ୍ୟାଦେଶ ଜାରି ହୋଇଥିଲା। ପ୍ରାୟ ଏକ ଦଶନ୍ଧି ବିତିଯାଇଥିଲେ ମଧ୍ୟ ପ୍ରକଳ୍ପଟି ସମ୍ପୂର୍ଣ୍ଣ ହୋଇନଥିବା ଅଭିଯୋଗ ହୋଇଛି।
ଷ୍ଟାଡିୟମର ସୀମା ପାଚେରିର ପ୍ଲାଷ୍ଟର ଖସିବାକୁ ଲାଗିଛି। ଦର୍ଶକ ଗ୍ୟାଲେରୀର କିଛି ଅଂଶ ଭାଙ୍ଗିଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ପିଲାରରୁ ଲୁହା ରଡ୍ ବାହାରି ରହିଛି। ଖେଳପଡ଼ିଆରେ ଲମ୍ବା ଘାସ ଉଠିଥିବାରୁ ଏହା ଏବେ ଚରାଭୂମିର ରୂପ ନେଇଛି। ବର୍ଷା ସମୟରେ ପଡ଼ିଆରେ ପାଣି ଜମିବା ସହ ସୀମା ପାଚେରି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି।
ସେହିପରି ଦୁର୍ଗା ପଡ଼ିଆରେ ଆଉ ଏକ ଷ୍ଟାଡିୟମ ପ୍ରକଳ୍ପର ନିର୍ମାଣ ୨୦୨୨ରୁ ଆରମ୍ଭ ହୋଇଥିଲେ ମଧ୍ୟ ଏହା ମଧ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନଥିବା ଅଭିଯୋଗ ରହିଛି।
ଦୁଇଟି ଷ୍ଟାଡିୟମ ପ୍ରକଳ୍ପ ଅଧପନ୍ତରିଆ ହୋଇ ପଡ଼ିରହିଥିବାରୁ ସ୍ଥାନୀୟ ଯୁବକ, କ୍ରୀଡ଼ାବିତ୍ ଓ ସାଧାରଣ ଲୋକଙ୍କ ମଧ୍ୟରେ ନିରାଶା ପ୍ରକାଶ ପାଇଛି।
ସ୍ଥାନୀୟ ବାସିନ୍ଦା ପ୍ରଫୁଲ୍ଲ ଦାସଙ୍କ କହିବା ଅନୁଯାୟୀ, ଗତ ପ୍ରାୟ ୧୦ ବର୍ଷ ମଧ୍ୟରେ ଷ୍ଟାଡିୟମ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହୋଇପାରିନାହିଁ। କନ୍ଧା ଷ୍ଟାଡିୟମରେ ପାଣି ଜମୁଥିବା, ଘାସ ବଢ଼ିଯାଇଥିବା ଏବଂ ସୀମା ପାଚେରିର କିଛି ଅଂଶ କ୍ଷତିଗ୍ରସ୍ତ ହେଉଥିବା ନେଇ ସେ ଚିନ୍ତା ପ୍ରକାଶ କରିଛନ୍ତି।
ସ୍ଥାନୀୟ ଲୋକଙ୍କ ଦାବି, ଦୁଇଟି ଷ୍ଟାଡିୟମକୁ ଶୀଘ୍ର ପୁନରୁଦ୍ଧାର କରି ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଖୋଲାଯାଉ। ଏହାଦ୍ୱାରା ଚାନ୍ଦବାଲି ଅଞ୍ଚଳର ଯୁବକ ଓ କ୍ରୀଡ଼ାବିତ୍ମାନେ ଉପକୃତ ହୋଇପାରିବେ।
ଚାନ୍ଦବାଲି ଏନଏସିର ନିର୍ବାହୀ ଅଧିକାରୀ ଅଭାସ ପାଣିଗ୍ରାହୀ କହିଛନ୍ତି ଯେ, ତାଙ୍କ ଜାଣିବା ଅନୁଯାୟୀ କନ୍ଧା ଷ୍ଟାଡିୟମରେ ଆଲୋକ ବ୍ୟବସ୍ଥା କରାଯାଇଛି ଏବଂ ସୀମା ପାଚେରି ନିର୍ମାଣ ହୋଇଛି। ଷ୍ଟାଡିୟମଗୁଡ଼ିକୁ କାର୍ଯ୍ୟକ୍ଷମ କରି ସ୍ଥାନୀୟ ଲୋକଙ୍କ ବ୍ୟବହାରରେ ଆଣିବା ଆବଶ୍ୟକ ବୋଲି ସେ କହିଛନ୍ତି।
ତେବେ ଷ୍ଟାଡିୟମ ସମ୍ପର୍କିତ ସମସ୍ୟାଗୁଡ଼ିକ ନେଇ ତାଙ୍କ ପାଖକୁ କୌଣସି ଲିଖିତ ଅଭିଯୋଗ ଆସିନଥିବା ସେ କହିଛନ୍ତି। ଲିଖିତ ଭାବେ ସମସ୍ୟା ଜଣାଇଲେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି NAC ଅଧିକାରୀ ସୂଚନା ଦେଇଛନ୍ତି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ସହ ଜଡ଼ିତ କିଛ...
ନୂଆଦିଲ୍ଲୀ: ରୁଷିଆରୁ ତେଲ ଓ ଗ୍ୟାସ କିଣୁଥିବା ଦେଶଗୁଡ଼ିକ...
ଭାରତରେ ନିର୍ବାଚନୀ ଭୋଟର ତାଲିକା ସଂଶୋଧନ ଓ SIR ପ୍ରକ୍ରିୟ...
ୟୁକ୍ରେନ୍‌ ଯୁଦ୍ଧରେ ଯୋଗାଯୋଗ ଓ ଡ୍ରୋନ୍ ଅପରେସନ୍ ପା...
ଭାରତ-କାନାଡା ସମ୍ପର୍କରେ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି।...
ମତଦାତା ତାଲିକାର Special Intensive Revision (SIR) ଏବ...
ଭାରତର ଯୁବ ପ୍ରତିବାଦ ଓ **Cockroach Janta Party (CJP)...
ନୂଆଦିଲ୍ଲୀ, ଅକ୍ଟୋବର ୧୬:କକରୋଚ୍ ଜନତା ପାର୍ଟି (CJP)ର ପ୍...