ଭୁବନେଶ୍ୱର: ରାଜ୍ୟର ଦୁଗ୍ଧ ଚାଷୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଚାଷୀଙ୍କଠାରୁ ଓମଫେଡ୍ କିଣୁଥିବା କ୍ଷୀରର ଦର ଲିଟର ପିଛା ୨ ଟଙ୍କା ବଢ଼ାଇବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ସେପ୍ଟେମ୍ବର ୧୧ ତାରିଖରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ। ଏହାଦ୍ୱାରା ରାଜ୍ୟର ୩ ଲକ୍ଷରୁ ଅଧିକ ଦୁଗ୍ଧ ଚାଷୀ ସିଧାସଳଖ ଉପକୃତ ହେବେ।
ତେବେ କ୍ଷୀର କିଣା ଦର ବଢ଼ିଲେ ମଧ୍ୟ ଗ୍ରାହକଙ୍କ ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ। ଓମଫେଡ୍ କ୍ଷୀର ଓ ଅନ୍ୟ ଦୁଗ୍ଧଜାତ ଦ୍ରବ୍ୟର ଖୁଚୁରା ମୂଲ୍ୟ ବର୍ତ୍ତମାନ ଦରରେ ହିଁ ରହିବ। ଅର୍ଥାତ୍, ଅତିରିକ୍ତ ୨ ଟଙ୍କାର ଲାଭ ସିଧାସଳଖ ଦୁଗ୍ଧ ଉତ୍ପାଦକଙ୍କୁ ମିଳିବ।
ବର୍ତ୍ତମାନ ଦୁଗ୍ଧ ଉତ୍ପାଦନ ଖର୍ଚ୍ଚ ବଢ଼ିଥିବାରୁ ଚାଷୀମାନେ ଦୀର୍ଘଦିନ ଧରି କ୍ଷୀର କିଣା ଦର ବୃଦ୍ଧି ପାଇଁ ଦାବି କରୁଥିଲେ। ଗୋଖାଦ୍ୟ, ଚାରା, ପରିବହନ ଓ ଅନ୍ୟାନ୍ୟ ଉତ୍ପାଦନ ଖର୍ଚ୍ଚ ବଢ଼ିବା ଚାଷୀଙ୍କ ଉପରେ ଆର୍ଥିକ ଚାପ ବଢ଼ାଇଛି। କ୍ଷୀର ଉତ୍ପାଦନରେ ବ୍ୟବହୃତ ମକା, ଡି-ଅଏଲ୍ଡ୍ ରାଇସ୍ ବ୍ରାନ୍ (DORB), ରାଇସ୍ ପଲିସ୍ ଓ ସୋରିଷ ପିଡ଼ିଆ ଭଳି ଗୋଖାଦ୍ୟ କଞ୍ଚାମାଲର ଦର ମଧ୍ୟ ୨୫ ପ୍ରତିଶତରୁ ଅଧିକ ବଢ଼ିଥିବା କୁହାଯାଇଛି।
ଏହାସହ ରାଜ୍ୟରେ ଦୁଗ୍ଧ ସମବାୟ ନେଟୱର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ୧,୨୦୦ଟି ନୂଆ ଦୁଗ୍ଧ ସମବାୟ ସମିତି ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏଥିପାଇଁ ନିର୍ମାଣ କାମ ଆରମ୍ଭ ହୋଇଥିବା ଏବଂ ଖୁବଶୀଘ୍ର ଏହି ସମିତିଗୁଡ଼ିକ କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଇଛି।
ବର୍ତ୍ତମାନ ଓଡ଼ିଶାରେ ୪,୬୧୬ଟି ପ୍ରାଥମିକ ଦୁଗ୍ଧ ସମବାୟ ସମିତି ମାଧ୍ୟମରେ ଓମଫେଡ୍ କ୍ଷୀର ସଂଗ୍ରହ କରୁଛି। ଏହି ସମିତିଗୁଡ଼ିକ ମାଧ୍ୟମରେ ୩ ଲକ୍ଷରୁ ଅଧିକ ଦୁଗ୍ଧ ଚାଷୀଙ୍କଠାରୁ ଦୈନିକ ୭ ଲକ୍ଷରୁ ଅଧିକ ଲିଟର କ୍ଷୀର ସଂଗ୍ରହ କରାଯାଉଛି।
ପଶୁ ସମ୍ପଦ ବିକାଶ ବିଭାଗର ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ, ବିଭିନ୍ନ ସମୟରେ ବନ୍ୟା ଓ ଅନ୍ୟାନ୍ୟ କାରଣରୁ କ୍ଷୀର ସଂଗ୍ରହ ଓ ପରିବହନ ଖର୍ଚ୍ଚ ବଢ଼ିଛି। ଏହାସହ ଡିଜେଲ୍ ଦର ଓ ଗୋଖାଦ୍ୟର ମୂଲ୍ୟ ବୃଦ୍ଧି ଯୋଗୁଁ ଦୁଗ୍ଧ ଚାଷୀଙ୍କ ଉତ୍ପାଦନ ଖର୍ଚ୍ଚ ବଢ଼ିଥିବାରୁ ଚାଷୀଙ୍କ ଦାବିକୁ ବିଚାର କରି ଲିଟର ପିଛା ୨ ଟଙ୍କା ବୃଦ୍ଧି ନିଷ୍ପତ୍ତି ନିଆଯାଇଛି।
ଘରୋଇ LPG ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି।ଘରୋଇ LPG refi...
ଗୁଜରାଟର ଜାମନଗରସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କର ରଣଜିତସାଗର ରୋ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ଆମେରିକାରେ ଚାକିରି କରିବା ସହିତ ନିଜ ପ୍ରତିଭାକୁ side bus...
ଆମେରିକା ଓ କାନାଡା ମଧ୍ୟରେ ଚାଲିଥିବାଟାରିଫ୍ ଯୁଦ୍ଧଏବେ ଏର...
ଭାରତୀୟ ଅର୍ଥନୀତି ପାଇଁ ଆସିଛି ଭଲ ଖବର।୨୦୨୬-୨୭ ଆର୍ଥିକ ବ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁମ୍ବାଇ ଗସ୍ତ ପୂର୍ବର...
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...
ବାଲେଶ୍ୱର ଜିଲ୍ଲାରେ ସାମାଜିକ ସୁରକ୍ଷା ଭତ୍ତା ପାଣ୍ଠି ହେର...