ରିଅଲ୍ ଇଷ୍ଟେଟ୍ (ରେଗୁଲେସନ୍ ଆଣ୍ଡ ଡେଭଲପମେଣ୍ଟ) ଆକ୍ଟ ବା ରେରା ଆଇନ ୫ ଅକ୍ଟୋବର ୨୦୧୬ରୁ କାର୍ଯ୍ୟକାରୀ ହେବା ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିବା ଆବାସିକ ପ୍ରକଳ୍ପଗୁଡ଼ିକର ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରକ୍ରିୟାକୁ ସହଜ କରିବା ପାଇଁ ଓଡ଼ିଶା ସରକାର ଏକ ସ୍ୱତନ୍ତ୍ର ଆଦେଶ ଜାରି କରିଛନ୍ତି।
ରାଜ୍ୟପାଳଙ୍କ ଆଦେଶକ୍ରମେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଏହି ବିଜ୍ଞପ୍ତି ଜାରି କରିଛନ୍ତି। ଏହା ମାଧ୍ୟମରେ ଘରକ୍ରେତା, ପ୍ରମୋଟର ଏବଂ ଜମିମାଲିକଙ୍କ ପାଇଁ ଦୀର୍ଘଦିନ ଧରି ଅଟକି ରହିଥିବା ପଞ୍ଜୀକରଣ ଓ ଦଲିଲପତ୍ର ସମ୍ବନ୍ଧୀୟ ଜଟିଳତା ଦୂର ହେବ ବୋଲି ଆଶା କରାଯାଉଛି।
ପୂର୍ବରୁ ୩ ଡିସେମ୍ବର ୨୦୨୫ରେ ଜାରି ହୋଇଥିବା ଏକ ଆଦେଶ ମାଧ୍ୟମରେ ବ୍ୟକ୍ତିଗତ ଆଲଟିମାନଙ୍କୁ ସୁବିଧା ମିଳିଥିଲା। କିନ୍ତୁ ପ୍ରମୋଟର ଏବଂ ଜମିମାଲିକଙ୍କ ନିକଟରେ ଥିବା ଅବିକ୍ରୀତ ୟୁନିଟ୍ଗୁଡ଼ିକର ପଞ୍ଜୀକରଣ ଅଟକି ରହିଥିଲା। ଏହି ନୂତନ ବ୍ୟବସ୍ଥା ଓଡ଼ିଶା ଆପାର୍ଟମେଣ୍ଟ (ଓନରସିପ୍ ଆଣ୍ଡ ମ୍ୟାନେଜମେଣ୍ଟ) ଆକ୍ଟ, ୨୦୨୩ର ଧାରା ୩୫ ଅନୁଯାୟୀ ସେହି ପୁରୁଣା ମାମଲାଗୁଡ଼ିକର ସମାଧାନ ପାଇଁ ଆଣାଯାଇଛି। ତେବେ ଏହା ଅନଧିକୃତ କିମ୍ବା ବେଆଇନ ନିର୍ମାଣକୁ ବୈଧତା ପ୍ରଦାନ କରିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।
ଏହି ସୁବିଧା ପାଇବା ପାଇଁ ପ୍ରକଳ୍ପଗୁଡ଼ିକୁ କିଛି କଠୋର ନିୟମ ପାଳନ କରିବାକୁ ପଡ଼ିବ। ୫ ଅକ୍ଟୋବର ୨୦୧୬ ପୂର୍ବରୁ ସମ୍ପୃକ୍ତ ଭବନର ଅତି କମରେ ୫୦ ପ୍ରତିଶତ ୟୁନିଟ୍ ପଞ୍ଜୀକୃତ ବିକ୍ରୟ ଦଲିଲ ମାଧ୍ୟମରେ ହସ୍ତାନ୍ତର ହୋଇଥିବା ଆବଶ୍ୟକ। ସେହିପରି ଭବନଟି ଓଡ଼ିଶା ଡେଭଲପମେଣ୍ଟ ଅଥରିଟି ଆକ୍ଟ, ୧୯୮୨ କିମ୍ବା ଓଡ଼ିଶା ଟାଉନ ପ୍ଲାନିଂ ଆଣ୍ଡ ଇମ୍ପ୍ରୁଭମେଣ୍ଟ ଟ୍ରଷ୍ଟ ଆକ୍ଟ, ୧୯୫୬ ଅନୁଯାୟୀ ଅନୁମୋଦିତ ଯୋଜନା ଅଧୀନରେ ଥିବା ଦରକାର।
ପ୍ରମୋଟର କିମ୍ବା ଜମିମାଲିକଙ୍କୁ ଅନୁମୋଦିତ ଲେଆଉଟ୍ ଯୋଜନାକୁ ପ୍ରକଳ୍ପ ସ୍ଥଳରେ ପ୍ରଦର୍ଶନ କରିବା ସହ ପଞ୍ଜୀକରଣ କର୍ତ୍ତୃପକ୍ଷଙ୍କ ନିକଟରେ ନିୟମାନୁସାରେ ଅନୁପାଳନ ସମ୍ପର୍କିତ ଏକ ଘୋଷଣାପତ୍ର ଦାଖଲ କରିବାକୁ ହେବ।
ଅବିକ୍ରୀତ ଆପାର୍ଟମେଣ୍ଟ ପଞ୍ଜୀକରଣ ପୂର୍ବରୁ ଆଲଟିମାନଙ୍କ ସଂଘଠନ (Association of Allottees) ଠାରୁ ଏନଓସି ନେବା ବାଧ୍ୟତାମୂଳକ କରାଯାଇଛି। ଏହା ମାଧ୍ୟମରେ ଅନୁମୋଦିତ ଯୋଜନା ଅନୁସାରେ ୟୁନିଟ୍ ନମ୍ବରିଂ ଯାଞ୍ଚ କରାଯିବ।
ସେହିପରି ପ୍ରତ୍ୟେକ ବିକ୍ରୟ ଦଲିଲରେ ସାଧାରଣ ସୁବିଧା କ୍ଷେତ୍ରରେ କ୍ରେତାଙ୍କ ଅନୁପାତିକ ଓ ଅବିଭକ୍ତ ଅଂଶୀଦାରିତ୍ୱ ଉଲ୍ଲେଖ ରହିବା ଆବଶ୍ୟକ। ଏହି ସମସ୍ତ ସାଧାରଣ କ୍ଷେତ୍ରର ମାଲିକାନା ଓଡ଼ିଶା ଆପାର୍ଟମେଣ୍ଟ (ଓନରସିପ୍ ଆଣ୍ଡ ମ୍ୟାନେଜମେଣ୍ଟ) ଆକ୍ଟ, ୨୦୨୩ ଅନୁଯାୟୀ ଆଲଟିମାନଙ୍କ ସଂଘଠନ ନିକଟରେ ରହିବ।
ପୁରୁଣା ଆଇନ ଅନୁସାରେ ଗଠିତ ହୋଇଥିବା ଆପାର୍ଟମେଣ୍ଟ ସୋସାଇଟିଗୁଡ଼ିକୁ ମଧ୍ୟ ନୂତନ ଆଇନର ଧାରା ୧୫ ଅନୁଯାୟୀ ଉପବିଧି ସଂଶୋଧନ କରିବା ପରେ ମାନ୍ୟତା ମିଳିବ।
Byju’sର ପ୍ୟାରେଣ୍ଟ କମ୍ପାନୀ **Think and Learn...
କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଶୁକ୍ରବା...
ଆମେରିକା-ଚୀନ୍ ବାଣିଜ୍ୟ ସମ୍ପର୍କ ମଧ୍ୟରେ ଆଉ ଏକ ବଡ଼ କୂଟନ...
ଭାରତର ନୂଆ GDP ତଥ୍ୟକୁ ନେଇ ଚାଲିଥିବା ବିତର୍କ ଧୀରେ ଧୀରେ...