ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନିଙ୍କ କ୍ରିକେଟ୍ ଜୀବନର ଏକ ଯୁଗର ଅନ୍ତ ଘଟିଛି। ଚେନ୍ନାଇ ସୁପର କିଙ୍ଗ୍ସର ହଳଦିଆ ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଉଥିବା ମାହିଙ୍କୁ ଆଉ ଖେଳାଳି ଭାବେ ଦେଖିବାକୁ ମିଳିବ ନାହିଁ। ନଭେମ୍ବର ୧୭, ୨୦୨୬ରେ CSK ପକ୍ଷରୁ ଧୋନିଙ୍କ ଖେଳାଳି ଜୀବନରୁ ଅବସର ଓ ୨୦୨୭ IPLରୁ ମେଣ୍ଟର ଭାବେ ନୂଆ ଦାୟିତ୍ୱ ନେବା ନେଇ ଘୋଷଣା କରାଯାଇଛି।
ଧୋନିଙ୍କ ଶେଷ ମ୍ୟାଚ୍ ୨୦୨୫ IPLରେ CSKର ଅନ୍ତିମ ମ୍ୟାଚ୍ ଥିଲା। ସେ ୨୦୨୬ ସିଜିନ୍ରେ ଖେଳିନଥିଲେ। ଏବେ ତାଙ୍କର ଖେଳାଳି ଜୀବନ ଶେଷ ହୋଇଥିଲେ ମଧ୍ୟ ଚେନ୍ନାଇ ଦଳ ସହ ତାଙ୍କର ସମ୍ପର୍କ ଶେଷ ହେବ ନାହିଁ।
ଚେନ୍ନାଇ ପାଇଁ ଧୋନି କେବଳ ଜଣେ କ୍ରିକେଟର ନୁହନ୍ତି
ଧୋନିଙ୍କ ସହ ଚେନ୍ନାଇ ସହରର ସମ୍ପର୍କ କେତେ ଗଭୀର, ତାହା ଜଣାପଡ଼େ ତାଙ୍କ ପ୍ରଶଂସକଙ୍କ କାହାଣୀରୁ। ଚେପକ୍ ଷ୍ଟାଡିୟମ୍ ନିକଟରେ ମହମ୍ମଦ ଆରିଫ୍ ନାମକ ଜଣେ ବ୍ୟକ୍ତି ପ୍ରାୟ ଏକ ଦଶନ୍ଧି ତଳେ ଧୋନିଙ୍କ ପ୍ରତି ଭଲପାଇବାରୁ 'ଧୋନି ସ୍ପୋର୍ଟସ୍' ନାମରେ ଏକ ଦୋକାନ ଖୋଲିଥିଲେ। ତାଙ୍କର ଆଶା ଥିଲା ଯେ, କେବେ ନା କେବେ ଧୋନି ନିଜେ ତାଙ୍କ ଦୋକାନକୁ ଆସିବେ ।
ସେହିପରି ଚେନ୍ନାଇର କ୍ରାଉନ୍ ପ୍ଲାଜା ହୋଟେଲର ଦକ୍ଷିଣ ଭାରତୀୟ ରେଷ୍ଟୁରାଣ୍ଟରେ କାମ କରୁଥିବା ଏମ୍.ଡି. ସୁରେଶ ବର୍ଷ ବର୍ଷ ଧରି ଧୋନିଙ୍କ ପସନ୍ଦର ଫିଲ୍ଟର କଫି ପ୍ରସ୍ତୁତ କରୁଥିଲେ। CSK ଦଳ ନିଜ ଘରୋଇ ମ୍ୟାଚ୍ ସମୟରେ ପ୍ରାୟ ଏକ ଦଶନ୍ଧି ଧରି ଏହି ହୋଟେଲରେ ରହୁଥିଲା।
କେରଳର ମାଲାପୁରମ୍ରୁ ଆସି ଚେନ୍ନାଇରେ ରହୁଥିବା ନବୀଲ୍ ଭି.ପି. ମଧ୍ୟ ଧୋନିଙ୍କ ଜଣେ ବଡ଼ ପ୍ରଶଂସକ। ସେ ଅଲ୍ କେରଳ ଧୋନି ଫ୍ୟାନ୍ସ ଆସୋସିଏସନ୍ ଓ ହ୍ୱିସଲ୍ ପୋଡୁ ଆର୍ମି ସହ ଜଡ଼ିତ ଥିଲେ। ଧୋନିଙ୍କ ଜନ୍ମଦିନରେ ଅନେକ ସାମାଜିକ ସେବା କାର୍ଯ୍ୟକ୍ରମର ଆୟୋଜନରେ ମଧ୍ୟ ସେ ସାମିଲ ହେଉଥିଲେ ।
୨୦୨୦ରେ ଧୋନିଙ୍କୁ ଭେଟିବା ପାଇଁ ସେ ଶିମଲାରୁ ଦିଲ୍ଲୀ ଯାଇଥିଲେ। ବିମାନବନ୍ଦରରେ ଧୋନିଙ୍କୁ ଭେଟି ନିଜର ସାମାଜିକ କାର୍ଯ୍ୟର ଫାଇଲ୍ ଦେଖାଇଥିଲେ। ଧୋନି ତାଙ୍କ କଥା ଶୁଣିବା ସହ କାନ୍ଧରେ ହାତ ରଖି ଉତ୍ସାହିତ କରିଥିଲେ। ଏହି ମୁହୂର୍ତ୍ତକୁ ନବୀଲ୍ ନିଜ ଜୀବନର ଅମୂଲ୍ୟ ସ୍ମୃତି ଭାବେ ସାଇତି ରଖିଥିଲେ ।
୫ ଥର IPL ଚାମ୍ପିୟନ୍, ୧୦ ଥର ଫାଇନାଲ୍
୨୦୦୮ର ପ୍ରଥମ IPL ନିଲାମରେ ଚେନ୍ନାଇ ସୁପର କିଙ୍ଗ୍ସ ଧୋନିଙ୍କୁ ୧.୫ ନିୟୁତ ଡଲାର, ଅର୍ଥାତ୍ ପ୍ରାୟ ୬ କୋଟି ଟଙ୍କାରେ କିଣିଥିଲା। ସେହି ନିଲାମର ସବୁଠାରୁ ଦାମୀ ଖେଳାଳି ଥିଲେ ଧୋନି।
ତାଙ୍କ ନେତୃତ୍ୱରେ CSK ୨୦୧୦, ୨୦୧୧, ୨୦୧୮, ୨୦୨୧ ଓ ୨୦୨୩ରେ IPL ଟ୍ରଫି ଜିତିଥିଲା। ଧୋନି ମୋଟ ୨୩୫ଟି IPL ମ୍ୟାଚ୍ରେ CSKର ଅଧିନାୟକତ୍ୱ କରିଥିଲେ। ସେଥିରୁ ୧୩୬ଟି ମ୍ୟାଚ୍ରେ ଦଳ ବିଜୟୀ ହୋଇଥିଲା। ତାଙ୍କ ନେତୃତ୍ୱରେ ଦଳ ୧୦ ଥର ଫାଇନାଲ୍ରେ ପହଞ୍ଚିଥିଲା।
CSK ପାଇଁ ୧୮ଟି IPL ସିଜିନ୍ରେ ୨୪୮ଟି ମ୍ୟାଚ୍ ଖେଳି ଧୋନି ୪,୮୬୫ ରନ୍ ସଂଗ୍ରହ କରିଥିଲେ। ତାଙ୍କ ଅବଦାନ କେବଳ ବ୍ୟାଟିଂରେ ସୀମିତ ନଥିଲା। ଜଣେ ଉଇକେଟ୍ କିପର୍ ଭାବେ ମଧ୍ୟ ସେ ଅନେକ ରେକର୍ଡ କରିଥିଲେ ।
ଶେଷ ଓଭରରେ ଧୋନିଙ୍କ ଜଲୱା
ଧୋନିଙ୍କ ବ୍ୟାଟିଂର ସବୁଠାରୁ ବଡ଼ ଶକ୍ତି ଥିଲା ମ୍ୟାଚ୍ର ଶେଷ ଓଭରଗୁଡ଼ିକରେ ଚାପ ମଧ୍ୟରେ ଖେଳକୁ ବଦଳାଇଦେବାର କ୍ଷମତା।
୨୦୦୮ରୁ ୨୦୨୫ ମଧ୍ୟରେ IPLର ୧୬ରୁ ୨୦ ଓଭର ମଧ୍ୟରେ ସେ ୩,୪୬୮ ରନ୍ କରିଥିଲେ। ଏହି ସମୟରେ ତାଙ୍କ ଷ୍ଟ୍ରାଇକ୍ ରେଟ୍ ୧୭୫ ଥିବାବେଳେ ୨୦୮ଟି ଛକା ମାରିଥିଲେ। କେବଳ ୨୦ତମ ଓଭରରେ ୨୪୩.୨ ଷ୍ଟ୍ରାଇକ୍ ରେଟ୍ରେ ୮୪୪ ରନ୍ କରିଥିଲେ।
୨୦୧୮ରେ RCB ବିପକ୍ଷରେ ୨୦୬ ରନ୍ର ଲକ୍ଷ୍ୟ ପିଛା କରିବା ସମୟରେ CSK ୭୪/୪ ସ୍ଥିତିରେ ଥିଲା। ଧୋନି ଓ ଅମ୍ବାତି ରାୟୁଡୁଙ୍କ ୧୦୧ ରନ୍ର ଭାଗୀଦାରି ମ୍ୟାଚ୍ର ମୋଡ଼ ବଦଳାଇଥିଲା। ଧୋନି ମାତ୍ର ୩୪ ବଲ୍ରେ ଅପରାଜିତ ୭୦ ରନ୍ କରି ଦଳକୁ ଜିତାଇଥିଲେ ।
ସେହିପରି ୨୦୨୧ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ କ୍ୱାଲିଫାୟର୍ରେ ମାତ୍ର ୬ଟି ବଲ୍ରେ ଅପରାଜିତ ୧୮ ରନ୍ କରି CSKକୁ ଫାଇନାଲ୍ରେ ପହଞ୍ଚାଇଥିଲେ।
ଏବେ ମେଣ୍ଟର ଭୂମିକାରେ ନୂଆ ଅଧ୍ୟାୟ
ଧୋନିଙ୍କ ଖେଳାଳି ଜୀବନ ଶେଷ ହୋଇଥିଲେ ମଧ୍ୟ CSK ସହ ତାଙ୍କ ସମ୍ପର୍କ ଜାରି ରହିବ। ୨୦୨୭ IPLରେ ସେ ମେଣ୍ଟର ଭାବେ ଦଳକୁ ମାର୍ଗଦର୍ଶନ କରିବେ ।
ଧୋନିଙ୍କ ୭ ନମ୍ବର ଜର୍ସି ଆଉ ମଇଦାନରେ ଖେଳାଳି ଭାବେ ଦେଖାଯିବ ନାହିଁ। କିନ୍ତୁ ତାଙ୍କ ଛକା, ଶେଷ ଓଭରର ରୋମାଞ୍ଚ, ହଳଦିଆ ପତାକା ଓ ଚେପକ୍ ଷ୍ଟାଡିୟମ୍ରେ ଗୁଞ୍ଜରିତ 'ଧୋନି... ଧୋନି...' ଶବ୍ଦ ପ୍ରଶଂସକଙ୍କ ମନରେ ସବୁଦିନ ପାଇଁ ରହିବ ।
ଚେନ୍ନାଇ ସୁପର କିଙ୍ଗ୍ସ ଏବେ ନୂଆ ଅଧ୍ୟାୟ ଆରମ୍ଭ କରିବ। ହେଲେ ଦଳର ପରିଚୟ ଗଢ଼ିଥିବା ମାହିଙ୍କ ଅବଦାନ ସବୁଦିନ ପାଇଁ ଅମର ହୋଇ ରହିବ ।
ବଡ଼ୋଦରା: ପୁଣି ଥରେ ନ୍ୟାୟ ପାଇଁ ଲଢ଼େଇ କରିବେ ବିଲକିସ୍ ବ...
SBI Clerk Prelims Result 2026: ରେଜଲ୍ଟକୁ ଅପେକ୍ଷା, ଆ...
ନୂଆଦିଲ୍ଲୀ: ଜନ୍ତର ମନ୍ତରରେ ପ୍ରତିବାଦ କରିବାକୁ ଅନୁମତି ନ...
ଶ୍ରୀମନ୍ଦିର ଆସୁଥିବା ଭକ୍ତଙ୍କୁ ଟାର୍ଗେଟ୍‌ କରୁଛନ୍ତ...
ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣି ଆତଙ୍କବାଦୀ ଓ ସୁରକ୍ଷାକ...
NRI ନାବିକଙ୍କ ପାଇଁ NPS KYC ନିୟମରେ କୋହଳ ନୂଆଦିଲ୍ଲୀ...
ସରକାରୀ ନିଯୁକ୍ତି ପରୀକ୍ଷାରେ ପ୍ରଯୁକ୍ତିର ବଡ଼ ବ୍ୟବହାର...
ନୂଆଦିଲ୍ଲୀ: ଭାରତର ଆର୍ଥିକ ସ୍ଥିତି, ବେକାରୀ ସମସ୍ୟା ଓ ଶି...