ସୁବର୍ଣ୍ଣପୁର, ୨୬ ଜୁନ୍: ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଯାଲୋଏ ପଞ୍ଚାୟତର ତୁଳସୀଟିକ୍ରା ଗାଁରେ ଶୁକ୍ରବାର ବଜ୍ରପାତ ଯୋଗୁଁ ଏକ ଛଣଛପର ଘର ସମ୍ପୂର୍ଣ୍ଣ ଜଳି ଛାରଖାର ହୋଇଯାଇଛି। ତେବେ ଘର ଭିତରେ ଥିବା ପରିବାରର ତିନିଜଣ ସଦସ୍ୟ ଅଳ୍ପକେ ପ୍ରାଣରକ୍ଷା କରିଛନ୍ତି।
ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ନରେ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହେଉଥିବା ବେଳେ ତୁଳସୀଟିକ୍ରା ଗାଁର ଏକା ଦଣ୍ଡାଙ୍କ ଘର ଉପରେ ହଠାତ୍ ବଜ୍ରପାତ ହୋଇଥିଲା। ସେତେବେଳେ ଘର ଭିତରେ ଏକା ଦଣ୍ଡା, ତାଙ୍କ ପତ୍ନୀ କହର ଦଣ୍ଡା ଏବଂ ଝିଅ ରଶ୍ମିତା ଦଣ୍ଡା ଉପସ୍ଥିତ ଥିଲେ।
ବଜ୍ରପାତ ପରେ ଘରେ ତୁରନ୍ତ ନିଆଁ ଲାଗିଯାଇଥିଲା। ନିଆଁ ଲାଗିଥିବା ଜାଣି ପରିବାର ସଦସ୍ୟମାନେ ଭୟଭୀତ ହୋଇ ଘର ବାହାରକୁ ଦୌଡ଼ି ଆସିଥିଲେ। ଫଳରେ ସେମାନେ ଏକ ବଡ଼ ଅଘଟଣରୁ ରକ୍ଷା ପାଇଥିଲେ।
ପ୍ରବଳ ବର୍ଷା ସତ୍ତ୍ୱେ ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଛଣଛପର ଘରଟି ସମ୍ପୂର୍ଣ୍ଣ ଭାବେ ପୋଡ଼ି ଛାରଖାର ହୋଇଯାଇଥିଲା। ଘରେ ଥିବା ବିଭିନ୍ନ ସାମଗ୍ରୀ ମଧ୍ୟ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ସରପଞ୍ଚ ନିବେଦିତା ମିଶ୍ର ଘଟଣାସ୍ଥଳରେ ପହଞ୍ଚି ପରିବାରକୁ ପ୍ରାଥମିକ ସହାୟତା ଯୋଗାଇଥିଲେ। ସେ ଉଲୁଣ୍ଡା ତହସିଲଦାର ମମତା ମେହେରଙ୍କୁ ଫୋନ୍ ଯୋଗେ ଘଟଣା ସମ୍ପର୍କରେ ଅବଗତ କରାଇ ଆବଶ୍ୟକ ସରକାରୀ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି।
ସ୍ଥାନୀୟ ଲୋକମାନେ କ୍ଷତିଗ୍ରସ୍ତ ପରିବାରକୁ ଯଥାଶୀଘ୍ର ସରକାରୀ ସହାୟତା ଯୋଗାଇବା ପାଇଁ ଦାବି କରିଛନ୍ତି।
ଭାରତରେ ଅବସର ପରବର୍ତ୍ତୀ ଜୀବନଶୈଳୀକୁ ନେଇ ଲୋକଙ୍କ ଚିନ୍ତା...
ଛଟ୍ ପୂଜା ୨୦୨୬କୁ ନଜରରେ ରଖି ବିହାରର ପାଟନାରେ ଗଙ୍ଗା ଘାଟ...
ସରକାରୀ ସ୍କୁଲରେ ଶିକ୍ଷାର ମାନ ବୃଦ୍ଧି ପାଇଁ ଏକ ନୂଆ ମଡେଲ...
ଆଳୁ ଚାଷୀଙ୍କ ଦୁଃଖ ଦୂର କରିବାକୁ ପଶ୍ଚିମବଙ୍ଗ ସରକାରଙ୍କ ବ...