ଜୟପୁର: ଦୀର୍ଘଦିନର ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ଜୟପୁର-ନବରଙ୍ଗପୁର ନୂତନ ରେଳପଥ ପ୍ରକଳ୍ପ କାମ ଆଗକୁ ବଢ଼ିଛି। ଏହି ରେଳପଥ ପାଇଁ ପ୍ରାୟ ୫୦୦ ଏକର ଜମି ଅଧିଗ୍ରହଣ କରାଯାଇ ରେଳ ବିଭାଗକୁ ହସ୍ତାନ୍ତର ହୋଇଥିବା ନେଇ ସୂଚନା ମିଳିଛି। ଏହାସହ ଆସନ୍ତା ଜାନୁଆରୀରୁ ରେଳପଥ ନିର୍ମାଣ କାମ ଆରମ୍ଭ ହେବାର ଯୋଜନା ରହିଛି।
ପ୍ରକଳ୍ପ ପାଇଁ ଜମି ହସ୍ତାନ୍ତର ପ୍ରକ୍ରିୟାର ଶେଷ ପର୍ଯ୍ୟାୟରେ ଜୟପୁର ବ୍ଲକ୍ ଅନ୍ତର୍ଗତ ଜୟନ୍ତଗିରିର ୧୦୭ ଏକର ଜମି ରେଳ ବିଭାଗକୁ ହସ୍ତାନ୍ତର କରିଛି ଜୟପୁର ତହସିଲ। ଏହାପରେ ଜୟପୁର-ନବରଙ୍ଗପୁର ରେଳପଥ ପାଇଁ ଜମି ହସ୍ତାନ୍ତର ପ୍ରକ୍ରିୟା ପ୍ରାୟ ସମ୍ପୂର୍ଣ୍ଣ ହୋଇଥିବା କୁହାଯାଇଛି।
ରିପୋର୍ଟ ଅନୁଯାୟୀ, ନବରଙ୍ଗପୁର ଜିଲ୍ଲାର ୬ଟି ପଞ୍ଚାୟତ ମଧ୍ୟରୁ ୫ଟି, ବୋରିଗୁମ୍ମାର ୧୩ଟି ପଞ୍ଚାୟତ ଏବଂ ଜୟପୁରର ୮ଟି ପଞ୍ଚାୟତ ମଧ୍ୟରୁ ୬ଟିରେ ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ହୋଇ ରେଳ ବିଭାଗକୁ ହସ୍ତାନ୍ତର ହୋଇଛି। ମୋଟ ଆବଶ୍ୟକ ଜମିର ପ୍ରାୟ ୯୦ ପ୍ରତିଶତ ହସ୍ତାନ୍ତର ହୋଇଥିବା ସୂଚନା ଦିଆଯାଇଛି। ଅବଶିଷ୍ଟ ୩ଟି ପଞ୍ଚାୟତରେ ଜମି ହସ୍ତାନ୍ତରକୁ ନେଇ ବିରୋଧ ଥିବାରୁ ସେଠାରେ ଆଇନ ଅନୁଯାୟୀ ଜମି ଅଧିଗ୍ରହଣ ପ୍ରକ୍ରିୟା ଆଗକୁ ବଢ଼ାଯିବ ବୋଲି ଜୟପୁର ତହସିଲଦାର ତଥା ନୋଡାଲ ଅଧିକାରୀ ସୂଚନା ଦେଇଛନ୍ତି।
ରେଳପଥ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ ହୋଇସାରିଛି। ଆସନ୍ତା ମାସରେ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ହେବା ପରେ ଜାନୁଆରୀରୁ ନିର୍ମାଣ କାମ ଆରମ୍ଭ ହେବା ନେଇ ରିପୋର୍ଟରେ କୁହାଯାଇଛି। ରେଳ ବିଭାଗ ପକ୍ଷରୁ ଆସନ୍ତା ୪ରୁ ୫ ବର୍ଷ ମଧ୍ୟରେ ପ୍ରକଳ୍ପ ଶେଷ କରିବାର ଲକ୍ଷ୍ୟ ରହିଛି।
ଜୟପୁର-ନବରଙ୍ଗପୁର ରେଳପଥ ପ୍ରକଳ୍ପର ଲମ୍ବ ପ୍ରାୟ ୪୪.୧୪ କିଲୋମିଟର ଏବଂ ଏହାର ଅନୁମୋଦିତ ଖର୍ଚ୍ଚ ପ୍ରାୟ ୭୪୭.୯୧ କୋଟି ଟଙ୍କା। ଏହି ରେଳପଥ ନବରଙ୍ଗପୁରକୁ ଜୟପୁର ମାଧ୍ୟମରେ ରାଜ୍ୟର ଅନ୍ୟ ରେଳ ନେଟୱର୍କ ସହ ଯୋଡ଼ିବ। ଏହା ଦ୍ୱାରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକଙ୍କ ଯାତାୟାତ, ବ୍ୟବସାୟ, କୃଷିଜାତ ଦ୍ରବ୍ୟ ପରିବହନ ଓ ନିଯୁକ୍ତି ସୁଯୋଗ ବଢ଼ିବା ଆଶା କରାଯାଉଛି।
ନବରଙ୍ଗପୁର ଜିଲ୍ଲାରେ ରେଳ ସଂଯୋଗ ପାଇଁ ଦୀର୍ଘ ବର୍ଷ ଧରି ଦାବି ହୋଇଆସୁଥିଲା। ଜମି ହସ୍ତାନ୍ତର ପ୍ରକ୍ରିୟା ଆଗେଇବା ପରେ ଏବେ ରେଳପଥ ନିର୍ମାଣକୁ ନେଇ ଅଞ୍ଚଳବାସୀଙ୍କ ଆଶା ବଢ଼ିଛି।
ଦୀପାବଳି ପରେ ପୁଣି ତେଜିବ କଂଗ୍ରେସର ଆନ୍ଦୋଳନ! CEC ଜ୍ଞାନ...
ଲକ୍ଷ୍ନୌ: ଅଯୋଧ୍ୟାରେ ଦଶମ ଦୀପୋତ୍ସବ ପାଳନ ପାଇଁ ପ୍ରସ୍ତୁତ...
କଂଗ୍ରେସକୁ ଚାନ୍ଦା ଝଟକା! ₹୫୧୭ କୋଟିରୁ ଖସି ₹...
ନୂଆ ଟେକ୍ନୋଲୋଜି ଓ ସ୍ୱାସ୍ଥ୍ୟକୁ ଏକାଠି କରିବା ଉଦ୍ଦେଶ୍ୟର...
ଦେଶରେ ବଢ଼ୁଥିବା ତାପମାତ୍ରା ଏବେ କେବଳ ସାଧାରଣ ଜନଜୀବନକୁ...
କୋଲକାତା: ପଶ୍ଚିମବଙ୍ଗରେ ପୋଲିସ କର୍ମଚାରୀଙ୍କ ସଂଖ୍ୟା ଓ ଜ...
ବାୟୁ ପ୍ରଦୂଷଣର ପ୍ରଭାବ କେବଳ ବାହାରେ ରହିବା ପର୍ଯ୍ୟନ୍ତ ସ...
ସକାଳୁ ଦାନ୍ତ ଘଷିବା ବେଳେ ଅସାବଧାନତା ଯୋଗୁଁ ଜଣେ ବ୍ୟକ୍ତି...