ଗଜପତି: ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ଓ ପ୍ରକଳ୍ପ ହାତକୁ ନେଉଛନ୍ତି। କିନ୍ତୁ ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକ୍ରେ ଏହାର ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ୧୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ହସ୍ପିଟାଲ ୩ ବର୍ଷରୁ ଅଧିକ ସମୟ ପରେ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଫଳରେ ଉନ୍ନତ ଚିକିତ୍ସା ସୁବିଧା ନପାଇ ରୋଗୀମାନେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରୁଛନ୍ତି।
ଗୁମ୍ମା ବ୍ଲକ୍ରେ ଥିବା ୨୦ ଶଯ୍ୟା ବିଶିଷ୍ଟ କମ୍ୟୁନିଟି ହେଲ୍ଥ ସେଣ୍ଟର (CHC)କୁ ୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ଉନ୍ନୀତ କରିବା ପାଇଁ ୨୦୨୨ ମସିହାରେ ତତ୍କାଳୀନ ରାଜ୍ୟ ସରକାର ପ୍ରାୟ ୧୦ କୋଟି ଟଙ୍କା ମଞ୍ଜୁର କରିଥିଲେ।
୨୦୨୩ ମସିହାରେ ଏହାର ନିର୍ମାଣ କାମ ଆରମ୍ଭ ହୋଇଥିଲା। କିନ୍ତୁ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ନୂଆ ହସ୍ପିଟାଲ କୋଠା ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଫଳରେ ରୋଗୀମାନେ ପୂର୍ବରୁ ଥିବା ସୀମିତ ସୁବିଧା ଉପରେ ନିର୍ଭର କରୁଛନ୍ତି।
ଗୁମ୍ମା ବ୍ଲକ୍ରେ ଆବଶ୍ୟକ ଡାକ୍ତର ଓ ଚିକିତ୍ସା ସୁବିଧା ନଥିବାରୁ ସାଧାରଣ ରୋଗରେ ପୀଡ଼ିତ ଲୋକଙ୍କୁ ମଧ୍ୟ ଆନ୍ଧ୍ରପ୍ରଦେଶ ଯିବାକୁ ପଡ଼ୁଥିବା ଅଭିଯୋଗ ହୋଇଛି।
ସ୍ଥାନୀୟ ବାସିନ୍ଦା ଶ୍ରୀମତୀ ସବରଙ୍କ କହିବା ଅନୁସାରେ, ନୂଆ ହସ୍ପିଟାଲ କୋଠା ନିର୍ମାଣ କାମ ଆରମ୍ଭ ହେବାର ବହୁ ବର୍ଷ ବିତିଯାଇଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ହୋଇନାହିଁ। ବିଶେଷକରି ଗର୍ଭବତୀ ମହିଳାମାନେ ଅନେକ ସମସ୍ୟାର ସାମ୍ନା କରୁଛନ୍ତି। ଭଲ ଡାକ୍ତର ଓ ଆବଶ୍ୟକ ସୁବିଧା ନଥିବାରୁ କେତେକ ମହିଳା ଚିକିତ୍ସା ପାଇଁ ଆନ୍ଧ୍ରପ୍ରଦେଶ ଯିବାକୁ ପସନ୍ଦ କରୁଛନ୍ତି।
ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦା ବେୟାଜ ବାବର୍ତ୍ତୀ କହିଛନ୍ତି, ଗୁମ୍ମା ବ୍ଲକ୍ରେ କେତେକ ବିଭାଗରେ ଡାକ୍ତର ନାହାନ୍ତି। ଫଳରେ ରୋଗୀମାନଙ୍କୁ ଅନ୍ୟତ୍ର ରେଫର୍ କରାଯାଉଛି। ଏଥିପାଇଁ ଅନେକ ରୋଗୀ ଆନ୍ଧ୍ରପ୍ରଦେଶ ଯାଉଛନ୍ତି। ଏହାଦ୍ୱାରା ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ କାର୍ଡର ସୁବିଧା ମଧ୍ୟ ସେମାନେ ପାଇବାରୁ ବଞ୍ଚିତ ହେଉଛନ୍ତି।
ହସ୍ପିଟାଲରେ ପର୍ଯ୍ୟାପ୍ତ ସ୍ଥାନ ଓ ଅପେକ୍ଷା କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ରୋଗୀଙ୍କ ସହ ଆସୁଥିବା ସମ୍ପର୍କୀୟମାନେ ମଧ୍ୟ ଅସୁବିଧା ଭୋଗୁଛନ୍ତି। ଅନେକ ସମୟରେ ସେମାନଙ୍କୁ ହସ୍ପିଟାଲ ବାରଣ୍ଡାରେ କିମ୍ବା ଖୋଲା ଆକାଶ ତଳେ ରାତି କାଟିବାକୁ ପଡ଼ୁଛି।
ଏହି ପ୍ରକଳ୍ପର ନିର୍ମାଣ ଦାୟିତ୍ୱ NBCC ସଂସ୍ଥାକୁ ଦିଆଯାଇଥିବା ବେଳେ ଏହାର ମନ୍ଥର କାର୍ଯ୍ୟଶୈଳୀ ଯୋଗୁଁ ନିର୍ମାଣ କାମ ବିଳମ୍ବ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ସ୍ଥାନୀୟ ବାସିନ୍ଦା ଅଟଳ କୁମାର ଲିମ୍ମା କହିଛନ୍ତି, ଜରୁରୀକାଳୀନ ରୋଗୀମାନେ ପ୍ରଥମେ ପାରଳାଖେମୁଣ୍ଡି ଯାଉଛନ୍ତି। ସେଠାରୁ ଅନ୍ୟତ୍ର ରେଫର୍ ହେଲେ ଆନ୍ଧ୍ରପ୍ରଦେଶ ଯିବାକୁ ପଡ଼ୁଛି। ତେଣୁ ନୂଆ ହସ୍ପିଟାଲ କୋଠାର ନିର୍ମାଣ କାମ ଶୀଘ୍ର ଶେଷ କରିବାକୁ ସେ ପ୍ରଶାସନକୁ ଅନୁରୋଧ କରିଛନ୍ତି।
ଏହି ଅଭିଯୋଗ ଉପରେ ଗଜପତି ଜିଲ୍ଲାର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ (CDMO) ଡାକ୍ତର ମଞ୍ଜୁରାଣୀ ଜେନା କହିଛନ୍ତି ଯେ ନିର୍ମାଣକାରୀ ସଂସ୍ଥା ଖୁବ୍ଶୀଘ୍ର କାମ ସମ୍ପୂର୍ଣ୍ଣ କରି ନୂଆ ହସ୍ପିଟାଲ କୋଠା ହସ୍ତାନ୍ତର କରିବାକୁ ଆଶ୍ୱାସନା ଦେଇଛି।
କୋଠାରେ ବିଦ୍ୟୁତ୍ ସଂଯୋଗ ସମ୍ପର୍କିତ କିଛି ସମସ୍ୟା ରହିଛି। ଏନେଇ ସମ୍ପୃକ୍ତ ବିଭାଗକୁ ଲିଖିତ ଭାବେ ଜଣାଇ ଦିଆଯାଇଛି ବୋଲି ସେ କହିଛନ୍ତି।
ଗଜପତି ଜିଲ୍ଲାରେ ଡାକ୍ତରଙ୍କ ଅଭାବ ଏକ ବଡ଼ ସମସ୍ୟା ବୋଲି CDMO ସ୍ୱୀକାର କରିଛନ୍ତି। ତାଙ୍କ କହିବା ଅନୁସାରେ, ଏହି ସମସ୍ୟା କେବଳ ଗୁମ୍ମା CHCରେ ସୀମିତ ନୁହେଁ, ସମଗ୍ର ଜିଲ୍ଲାରେ ଡାକ୍ତରଙ୍କ ଅଭାବ ରହିଛି।
ଜିଲ୍ଲାରେ ମୋଟ ୩୯୫ ଜଣ ଡାକ୍ତରଙ୍କ ଆବଶ୍ୟକତା ଥିବାବେଳେ ବର୍ତ୍ତମାନ ପ୍ରାୟ ୧୫୦ ଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି। ଏହି ସ୍ଥିତିରେ ଗୁମ୍ମା ହସ୍ପିଟାଲର ନିର୍ମାଣ କାମ ଶୀଘ୍ର ଶେଷ କରିବା ସହ ଡାକ୍ତର ନିଯୁକ୍ତି ଓ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ଅକ୍ଟୋବର ମାସର ଶେଷ ସପ୍ତାହରୁ ନଭେମ୍ବର ମାସର ଆରମ୍ଭ ପର୍ଯ୍...
ମଧୁମେହ ବା ଡାଇବେଟିସ୍‌ ଏକ ଏପରି ରୋଗ, ଯାହା ସବୁବେଳ...
♈ ମେଷ ରାଶି (Aries) ଏହି ସପ୍ତାହ ମେଷ ରାଶିର ବ୍ୟକ୍ତ...
ବାୟୁ ପ୍ରଦୂଷଣ ଏବେ ଭାରତ ପାଇଁ ଏକ ବଡ଼ ଜନସ୍ୱାସ୍ଥ୍ୟ ସଙ୍କ...
♈ ମେଷ ରାଶି (Aries) ଏହି ସପ୍ତାହ ମେଷ ରାଶିର ବ୍ୟକ୍ତ...
ଚର୍ମକୁ ଗୋରା ଓ ସୁନ୍ଦର କରିବାର ଦାବି କରୁଥିବା କିଛି ବ୍ୟୁ...
♈ ମେଷ ରାଶି (Aries) ଏହି ସପ୍ତାହ ମେଷ ରାଶିର ବ୍ୟକ୍ତ...
ଟିବି ମୃତ୍ୟୁହାର ହ୍ରାସରେ ଭାରତର ବଡ଼ ସଫଳତା ଯକ୍ଷ୍ମା...