ଗୋଆର ପୋରଭୋରିମ୍ରେ ଏକ କ୍ୟାସିନୋ ନିର୍ଦ୍ଦେଶକଙ୍କ ଉପରେ ଗୁଳିମାଡ଼ ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଶୁକ୍ରବାର ରାତି ପ୍ରାୟ ୯ଟା ୧୫ ମିନିଟ୍ ସମୟରେ ନିଓ ମାଜେଷ୍ଟିକ୍ କ୍ୟାସିନୋର ନିର୍ଦ୍ଦେଶକ ଶ୍ରୀନିବାସ ନାୟକଙ୍କୁ ଦୁଇ ଜଣ ଅଜଣା ଦୁର୍ବୃତ୍ତ ଗୁଳିମାଡ଼ କରିଥିଲେ।
ପୋଲିସର ସୂଚନା ଅନୁସାରେ, ନାୟକ ତାଙ୍କ ସୁରକ୍ଷାକର୍ମୀଙ୍କ ସହ କାର୍ ନିକଟକୁ ଯାଉଥିବା ବେଳେ କ୍ୟାସିନୋ ପଛପଟେ ଲୁଚିଥିବା ଦୁଇ ଆକ୍ରମଣକାରୀ ହଠାତ୍ ଗୁଳି ଚଳାଇଥିଲେ। ନାୟକଙ୍କ ସୁରକ୍ଷାକର୍ମୀମାନେ ପାଲଟା ଗୁଳି ଚଳାଇବାରୁ ଆକ୍ରମଣକାରୀମାନେ ସେଠାରୁ ଖସି ପଳାଇଥିଲେ।
ଘଟଣା ପରେ ଦୁଇ ଅଭିଯୁକ୍ତ ଭିନ୍ନ ଦିଗରେ ଦୌଡ଼ି ପଳାଇବା ପରେ ନିକଟରେ ରଖାଯାଇଥିବା ଏକ ବାଇକ୍ରେ ଚଢ଼ି ଫେରାର ହୋଇଥିବା ପୋଲିସ କହିଛି। ଏହି ଘଟଣାରେ ଶ୍ରୀନିବାସ ନାୟକ ଓ ତାଙ୍କ ସୁରକ୍ଷାକର୍ମୀମାନେ ଅକ୍ଷତ ଅଛନ୍ତି।
ଘଟଣାର ଖବର ପାଇବା ପରେ ପୋଲିସର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ। ସେଠାରୁ ଗୁଳିର ଖୋକା ଜବତ କରାଯାଇଛି। ଏହାସହ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି।
ଗୋଆ ଡିଜିପି ଆଲୋକ କୁମାରଙ୍କ ଅନୁସାରେ, ଏପର୍ଯ୍ୟନ୍ତ କୌଣସି ଅଭିଯୁକ୍ତ ଗିରଫ ହୋଇନାହାନ୍ତି। ଆକ୍ରମଣକାରୀଙ୍କୁ ଚିହ୍ନଟ ଓ ଗିରଫ କରିବା ପାଇଁ ଏକାଧିକ ପୋଲିସ ଟିମ୍ ଗଠନ କରାଯାଇଛି।
ଗୁଳିମାଡ଼ ପଛରେ ଥିବା ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ କରୁଛି। ଟେକ୍ନିକାଲ୍ ଡାଟା, ସିସିଟିଭି ଫୁଟେଜ୍ ଓ ଅନ୍ୟାନ୍ୟ ପ୍ରମାଣକୁ ଆଧାର କରି ଆକ୍ରମଣକାରୀଙ୍କୁ ଧରିବାକୁ ଉଦ୍ୟମ ଚାଲିଛି।
ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି ଯେ ଘଟଣାରେ ସମ୍ପୃକ୍ତ ଲୋକଙ୍କୁ ଶୀଘ୍ର ଗିରଫ କରାଯିବ ଏବଂ କାହାକୁ ଛଡ଼ାଯିବ ନାହିଁ। ଅନ୍ୟପକ୍ଷରେ, ଘଟଣାଟି ପୋରଭୋରିମ୍ ପୋଲିସ ଷ୍ଟେସନ୍ ନିକଟରେ ଘଟିଥିବାରୁ ଗୋଆର ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି।
ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆହୁରି...
ଚୌଦ୍ୱାର ସର୍କଲ୍‌ ଜେଲ୍‌ର ଅଧୀକ୍ଷକ ସୁଜିତ କୁମ...
ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଧୀନ ଡଙ୍ଗାମରା ଗାଁ...
ଓଡ଼ିଶାର ପାରାଦୀପ ମାଛଧରା ବନ୍ଦରରେ ଶନିବାର ଭୟାବହ ଅଗ୍ନିକ...