ସୂଚନା ଅନୁଯାୟୀ, ସୋର ଥାନାରେ ପ୍ରାୟ ୨.୫ କୋଟି ଟଙ୍କାର ଏକ ସନ୍ଦେହଜନକ ଆର୍ଥିକ କାରବାରକୁ ନେଇ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଏହି ଟଙ୍କା ଏକ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆକାଉଣ୍ଟ ମାଧ୍ୟମରେ ଯାଇଥିବା ଜଣାପଡ଼ିଥିଲା।
ପୋଲିସର ସନ୍ଦେହ ଅନୁଯାୟୀ, ଏହି ଆକାଉଣ୍ଟଟି ମ୍ୟୁଲ୍ ଆକାଉଣ୍ଟ ଭାବେ ବ୍ୟବହାର ହୋଇଥିଲା। ସାଇବର ଅପରାଧୀମାନେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଖୋଲାଯାଇଥିବା ବ୍ୟାଙ୍କ ଆକାଉଣ୍ଟକୁ ଠକେଇର ଟଙ୍କା ଗ୍ରହଣ ଓ ଟ୍ରାନ୍ସଫର ପାଇଁ ବ୍ୟବହାର କରୁଥିବା ତଦନ୍ତକାରୀମାନେ ଅନୁମାନ କରୁଛନ୍ତି।
ପୋଲିସ ଅନୁଯାୟୀ, ଏହି ମାମଲାରେ ଗିରଫ ହୋଇଥିବା ତାମିଲନାଡୁର ହରିନାଥ କେ. ଦୀର୍ଘ ସମୟ ଧରି ଚୀନ୍ରେ ରହୁଥିଲେ। ତାଙ୍କ ନିଯୁକ୍ତିଦାତା ଚୀନ୍ରେ ରହୁଥିବା ଏବଂ ତାଙ୍କ ନିର୍ଦ୍ଦେଶରେ ହରିନାଥ ବାଲେଶ୍ୱରକୁ ଆସିଥିବା ତଦନ୍ତରେ ଜଣାପଡ଼ିଥିବା ପୋଲିସ କହିଛି।
ବାଲେଶ୍ୱର ଅତିରିକ୍ତ ଏସ୍ପି ପରେଶ କୁମାର ରାଉତଙ୍କ ସୂଚନା ଅନୁଯାୟୀ, ହରିନାଥ ବିଭିନ୍ନ ସ୍ଥାନକୁ ଯାଇ ମ୍ୟୁଲ୍ ଆକାଉଣ୍ଟ ପ୍ରସ୍ତୁତ କରିବା ଏବଂ ସେହି ଆକାଉଣ୍ଟ ମାଧ୍ୟମରେ କୋଟି କୋଟି ଟଙ୍କାର ସନ୍ଦେହଜନକ କାରବାର କରିବାରେ ସମ୍ପୃକ୍ତ ଥିବା ତଦନ୍ତକାରୀମାନେ ଜାଣିଛନ୍ତି।
ତଦନ୍ତ ଆଗକୁ ବଢ଼ିବା ପରେ ଆକାଉଣ୍ଟ ସହ ଜଡ଼ିତ ବ୍ୟକ୍ତିମାନଙ୍କ ସମ୍ପର୍କରେ ପୋଲିସ ସୂଚନା ପାଇଥିଲା। ଏହା ପରେ ଜାଜପୁର ଜିଲ୍ଲାର ଜେନାପୁର ଅଞ୍ଚଳରୁ ବସନ୍ତ କୁମାର ଜେନା ଓ ଝରଣା ଜେନାଙ୍କୁ ଗିରଫ କରାଯାଇଥିଲା। ଉଭୟ ସ୍ୱାମୀ-ସ୍ତ୍ରୀ ବୋଲି ଜଣାପଡ଼ିଛି।
ପୋଲିସ ସେମାନଙ୍କଠାରୁ ଦୁଇଟି ମୋବାଇଲ୍ ଫୋନ୍ ଜବତ କରିଛି। ଏହି ଡିଭାଇସ୍ଗୁଡ଼ିକରୁ ମିଳୁଥିବା ତଥ୍ୟ ଓ ଆର୍ଥିକ କାରବାରର ଡିଜିଟାଲ୍ ରେକର୍ଡକୁ ତଦନ୍ତର ଅଂଶ କରାଯାଉଛି।
ଏହି ଘଟଣାରେ ଆଉ କେତେଜଣଙ୍କ ସମ୍ପୃକ୍ତି ରହିଛି, ଠକେଇର ଟଙ୍କା କେଉଁଠାରୁ ଆସିଥିଲା ଏବଂ ଏହା କେଉଁ କେଉଁ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି—ସେନେଇ ତଦନ୍ତ ଚାଲିଛି। ପୋଲିସ ରାକେଟ୍ର ଅନ୍ୟ ସଦସ୍ୟ ଓ ଅନ୍ତର୍ରାଜ୍ୟ ଲିଙ୍କ୍ ଖୋଜୁଛି।
ବାଲେଶ୍ୱର ଓ ଭଦ୍ରକ ଅଞ୍ଚଳରେ ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟର ବ୍ୟବହାର ନେଇ ପୂର୍ବରୁ ମଧ୍ୟ ଚିନ୍ତା ପ୍ରକାଶ ପାଇଛି। ଏକ SBI ଅଧ୍ୟୟନରେ ଏହି ଦୁଇ ଜିଲ୍ଲାକୁ ଓଡ଼ିଶାର ମ୍ୟୁଲ୍ ଆକାଉଣ୍ଟ ହଟସ୍ପଟ୍ ଭାବେ ଚିହ୍ନଟ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ବିଦେଶରୁ ପରିଚାଳିତ ସାଇବର ଅପରାଧୀମାନେ କମିସନ୍ର ଲୋଭ ଦେଖାଇ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏଭଳି ଅପରାଧରେ ବ୍ୟବହାର କରୁଥିବା ଘଟଣା ପୂର୍ବରୁ ସାମ୍ନାକୁ ଆସିଛି।
ମ୍ୟୁଲ୍ ଆକାଉଣ୍ଟ ବିକ୍ରି କିମ୍ବା ଭଡ଼ାରେ ଦେବା ବିରୋଧରେ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (I4C) ମଧ୍ୟ ପୂର୍ବରୁ ସତର୍କ କରିଛି। ଏଭଳି ଆକାଉଣ୍ଟରେ ଅବୈଧ ଟଙ୍କା ଜମା ହେଲେ ଆକାଉଣ୍ଟଧାରୀ ମଧ୍ୟ ଆଇନଗତ ଅସୁବିଧାରେ ପଡ଼ିପାରନ୍ତି।
ପୋଲିସର ତଦନ୍ତ ଜାରି ରହିଥିବା ବେଳେ, ଏହି ଚୀନ୍-ଲିଙ୍କ୍ ଥିବା ସନ୍ଦେହଜନକ ସାଇବର ରାକେଟ୍ର ପୂରା ନେଟୱର୍କ ଓ ଆର୍ଥିକ କାରବାରର ଚେର କେତେ ଦୂର ପର୍ଯ୍ୟନ୍ତ ଲମ୍ବିଛି, ତାହା ଆଗାମୀ ତଦନ୍ତରୁ ସ୍ପଷ୍ଟ ହେବ।
ନୂଆଦିଲ୍ଲୀ: କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧ...
ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ Jio Platforms...
ନୂଆଦିଲ୍ଲୀ: ଜାତିସଂଘର ଜଣେ Special Rapporteurଙ୍କ ଆତଙ୍...
ଭାରତୀୟ ସ୍କ୍ୱାସ୍ ଖେଳାଳି ଅନାହତ ସିଂହ ପେସାଦାର କ୍ୟାରିୟର...
‘ରାମାୟଣ’ର ପ୍ରମୋସନ୍ ସମୟରେ ଦଶହରାର ବାର୍ତ୍...
ନୂଆଦିଲ୍ଲୀ: ନ୍ୟାୟିକ ହେପାଜତରୁ ମୁକ୍ତି ପାଇବାର ଦିନକ ପରେ...
ଜାପାନରେ ଚାଲିଥିବା ଏସିଆନ୍ ପାରା ଗେମ୍ସରେ ଭାରତୀୟ ପାରା ଆ...
ଭାରତୀୟ ପାରା ତୀରନ୍ଦାଜ ଶୀତଲଦେବୀଏସିଆନ୍ ପାରା ଗେମ୍...