ମୁମ୍ବାଇ: ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦର ଏବେ ନିଜ ବ୍ୟକ୍ତିଗତ ଜୀବନକୁ ସମୟ ଦେବାକୁ ଯାଉଛନ୍ତି। ବ୍ୟବସାୟୀ କାଭ୍ୟା ମାରନଙ୍କ ସହ ଗ୍ରୀସ୍ରେ ବିବାହ କରିବା ପରେ ସେ କାମରୁ କିଛି ଦିନ ବିରତି ନେବାକୁ ଯାଉଥିବା ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ସେ ୨୦୨୭ ଜାନୁଆରୀ ପର୍ଯ୍ୟନ୍ତ ନିଜର ବୃତ୍ତିଗତ କାମରୁ ଦୂରେଇ ରହିପାରନ୍ତି।
ଅନିରୁଦ୍ଧ ଓ କାଭ୍ୟା ମାରନ ନଭେମ୍ବର ୧୧ ତାରିଖରେ ଗ୍ରୀସ୍ରେ ଏକ ଘରୋଇ ସମାରୋହରେ ବିବାହ କରିଥିଲେ। ଏହି ବିବାହରେ ଉଭୟଙ୍କ ପରିବାର ସଦସ୍ୟ ଓ ନିକଟତମ ବନ୍ଧୁମାନେ ଯୋଗ ଦେଇଥିଲେ। ବିବାହ ପରେ ଅନିରୁଦ୍ଧ ନିଜ ପତ୍ନୀ ଓ ଶ୍ୱଶୁର କଳାନିଧି ମାରନଙ୍କ ସହ ଚେନ୍ନାଇ ଫେରିଛନ୍ତି।
‘ଭଲାଇ ପେଚୁ’ ନାମକ ୟୁଟ୍ୟୁବ୍ ଚ୍ୟାନେଲର ଉପସ୍ଥାପକ ଜେ. ବିସ୍ମି, ଆନ୍ଥାନନ ଓ ଶକ୍ତିଭେଲଙ୍କ ସୂଚନା ଅନୁସାରେ, ଅନିରୁଦ୍ଧ ଅକ୍ଟୋବର ପରେ ନୂଆ ପ୍ରୋଜେକ୍ଟ ଗ୍ରହଣ ନକରିବାକୁ ପୂର୍ବରୁ ନିଷ୍ପତ୍ତି ନେଇଥିଲେ। ଏନେଇ ସେ ଫିଲ୍ମ ନିର୍ମାତାମାନଙ୍କୁ ମଧ୍ୟ ଆଗୁଆ ଜଣାଇଥିବା କୁହାଯାଉଛି।
ଏହି ବିରତି ଯୋଗୁଁ କମଲ ହାସନଙ୍କ ଆଗାମୀ ଫିଲ୍ମ ‘ସଣ୍ଡିୟାର’ର ଟିଜର ରିଲିଜ୍ରେ ବିଳମ୍ବ ହୋଇଥିବା ଚର୍ଚ୍ଚା ହେଉଛି। ପ୍ରଥମେ ନଭେମ୍ବର ୭ ତାରିଖରେ କମଲ ହାସନଙ୍କ ଜନ୍ମଦିନ ଅବସରରେ ଟିଜର ରିଲିଜ୍ କରିବାକୁ ଯୋଜନା ଥିଲା। କିନ୍ତୁ ଅନିରୁଦ୍ଧ ଫିଲ୍ମର ବ୍ୟାକଗ୍ରାଉଣ୍ଡ ସ୍କୋର୍ ସମ୍ପୂର୍ଣ୍ଣ କରିପାରିନଥିବାରୁ ନିର୍ମାତାମାନେ କେବଳ ଫିଲ୍ମର ପ୍ରଥମ ଲୁକ୍ ପୋଷ୍ଟର ଜାରି କରିଥିଲେ।
ଅନିରୁଦ୍ଧଙ୍କ ବିରତି ପରେ ‘ସଣ୍ଡିୟାର’ ତାଙ୍କର ପ୍ରଥମ ବଡ଼ ପ୍ରୋଜେକ୍ଟ ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି। ତେବେ ଏହି ବିରତି କିମ୍ବା କାମକୁ ଫେରିବା ତାରିଖ ନେଇ ଅନିରୁଦ୍ଧଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ଘୋଷଣା ହୋଇନାହିଁ।
ଅନ୍ୟପଟେ, ଗ୍ରୀସ୍ରେ ବିବାହ ପରେ ଚେନ୍ନାଇରେ ନଭେମ୍ବର ୨୧ ତାରିଖରେ ଏକ ବଡ଼ ରିସେପ୍ସନ୍ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ସିନେମା, ରାଜନୀତି, ବ୍ୟବସାୟ ଓ କ୍ରିକେଟ୍ ଜଗତର ବହୁ ନାମୀଦାମୀ ବ୍ୟକ୍ତି ଯୋଗ ଦେଇପାରନ୍ତି।
ଅନିରୁଦ୍ଧଙ୍କ ବିରତି ଖବର ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସୁକତା ବଢ଼ାଇଥିବା ବେଳେ, ୨୦୨୭ରେ ସେ କେଉଁ ନୂଆ ସଙ୍ଗୀତ ଓ ଫିଲ୍ମ ପ୍ରୋଜେକ୍ଟ ସହ ଫେରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।
ବଙ୍ଗୋପସାଗରରେ ପୁଣି ଏକ ସମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତା...
ଭୋଗରାଇ: ପିଲାଦିନରୁ ହିଁ ପ୍ରତିଭାର ପରିଚୟ ଦେଉଛନ୍ତି ଓଡ଼ି...
ଭୁବନେଶ୍ୱର: ଶିଶୁଙ୍କ ସୁଖ, ସୁରକ୍ଷା ଓ ସର୍ବାଙ୍ଗୀନ ବିକାଶ...
ବ୍ରହ୍ମପୁର: ଦିନକୁ ଦିନ ବଢ଼ୁଥିବା ମଧୁମେହ ରୋଗକୁ ନେଇ ଲୋକ...