ଅନୁଗୁଳ/ଚେନ୍ନାଇ:ତାମିଲନାଡୁରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଆଉ ଜଣେ ଓଡ଼ିଆ ମହିଳାଙ୍କ ମୃତ୍ୟୁ ହେବା ପରେ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ମୃତକ ହେଲେ ଅନୁଗୁଳ ଜିଲ୍ଲା ଖମାର ଥାନା ଅଧୀନ ଆଲୁରୀ ପଞ୍ଚାୟତର ଅନ୍ଧାରୀ ସାହିର ବୁଧୁବାରୀ ନାୟକ, ଯିଏ ଜୁଆଙ୍ଗ ଜନଜାତି ସମ୍ପ୍ରଦାୟର ସଦସ୍ୟ ଥିଲେ।
ଗୁରୁତର ଅବସ୍ଥାରେ ସେ ତାମିଲନାଡୁର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ରବିବାର ପ୍ରାଣ ହରାଇଥିଲେ। ଏହି ଦୁର୍ଘଟଣା ଏକ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ କାରଖାନାରେ ଘଟିଥିଲା, ଯେଉଁଠାରେ ଓଡ଼ିଶାର ଅନେକ ଶ୍ରମିକ କାର୍ଯ୍ୟରତ ଥିଲେ।
ସୂଚନା ଅନୁସାରେ, କିଛି ଦଲାଲ ଓ ଠିକାଦାର ଜୁଆଙ୍ଗ ଜନଜାତିର ମହିଳା ଓ ନାବାଳିକା ଝିଅମାନଙ୍କୁ ଟାର୍ଗେଟ୍ କରି ତାମିଲନାଡୁକୁ କାମ ପାଇଁ ପଠାଉଥିଲେ। ପରିବାର ଲୋକଙ୍କୁ ସାମାନ୍ୟ ଅର୍ଥ ଦେଇ ସେମାନଙ୍କୁ ଅନ୍ୟ ରାଜ୍ୟକୁ ନେଇଯାଇଥିବା ଅଭିଯୋଗ ହୋଇଛି।
ଗ୍ୟାସ୍ ଲିକ୍ ଶ୍ରମିକମାନଙ୍କ ରହୁଥିବା କୋଠରୀ ନିକଟରେ ଘଟିଥିଲା, ଯାହା ଫଳରେ ସେମାନେ ବିଷାକ୍ତ ଗ୍ୟାସର ସଂସ୍ପର୍ଶରେ ଆସିଥିଲେ। ଘଟଣା ପରେ ତାମିଲନାଡୁ ପୋଲିସ ଚାରିଜଣଙ୍କୁ ଅଟକ ରଖି ପଚରାଉଚରା କରିଛି। ସେମାନଙ୍କ ମଧ୍ୟରେ ସ୍ଥାନୀୟ ଦଲାଲ ଶ୍ରୀକାନ୍ତ ଜୁଆଙ୍ଗ ଓ ଠିକାଦାର ରାଜେଶ ମଧ୍ୟ ଅଛନ୍ତି।
ଘଟଣାର ପ୍ରତ୍ୟକ୍ଷଦର୍ଶୀ ଶ୍ରମିକ ଅନନ୍ତ ଜୁଆଙ୍ଗ କହିଛନ୍ତି ଯେ, ଗ୍ୟାସ୍ ଲିକ୍ ଶ୍ରମିକମାନଙ୍କ ରହୁଥିବା କକ୍ଷ ବାହାରେ ଘଟିଥିଲା ଏବଂ ଏହାର ପ୍ରଭାବରେ ଅନେକେ ଅସୁସ୍ଥ ହୋଇପଡ଼ିଥିଲେ।
ମୃତକଙ୍କ ସ୍ୱାମୀ ସୁମନ୍ତ ଜୁଆଙ୍ଗ କହିଛନ୍ତି ଯେ ତାଙ୍କ ସ୍ତ୍ରୀ ଓ ଭଉଣୀ ଉଭୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଭଉଣୀ ସୁସ୍ଥ ହୋଇଥିଲେ ମଧ୍ୟ ତାଙ୍କ ସ୍ତ୍ରୀ ଚାରି ଦିନ ଧରି ଅଚେତ ଅବସ୍ଥାରେ ରହିବା ପରେ ପ୍ରାଣ ହରାଇଥିଲେ।
ଏହି ଘଟଣା ପରେ ଓଡ଼ିଶା ସରକାର ତାମିଲନାଡୁରେ ଫସି ରହିଥିବା ଶ୍ରମିକମାନଙ୍କୁ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ଉଦ୍ୟମ ଆରମ୍ଭ କରିଥିଲେ। ମୋଟ ୫୮ ଜଣ ଶ୍ରମିକ, ଯେଉଁମାନଙ୍କ ମଧ୍ୟରେ ୨୩ ଜଣ ମହିଳା ଓ ୩୫ ଜଣ ପୁରୁଷ ଅଛନ୍ତି, ସେମାନଙ୍କୁ ଓଡ଼ିଶାକୁ ଫେରାଇ ଅଣାଯାଇଛି। ସେମାନେ ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳ ସମେତ ବିଭିନ୍ନ ଜିଲ୍ଲାର ବାସିନ୍ଦା।
ଅନ୍ୟପଟେ, ଆଦିବାସୀ ଶ୍ରମିକ ଚାଲାଣ ନେଇ ଶ୍ରମ ବିଭାଗର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଅଭିଯୋଗ ହୋଇଛି ଯେ ଆଦିବାସୀ ଅଞ୍ଚଳରୁ ବେଆଇନ ଭାବେ ଶ୍ରମିକ ଚାଲାଣ ହେଉଥିବା ସତ୍ତ୍ୱେ ବିଭାଗ ପକ୍ଷରୁ କୌଣସି ଅଭିଯୋଗ କିମ୍ବା ଏଫଆଇଆର୍ ରୁଜୁ କରାଯାଇନଥିଲା। ଏହି ଘଟଣା ପରେ ଶ୍ରମିକ ଚାଲାଣ ଚକ୍ର ଓ ପ୍ରଶାସନିକ ତଦାରଖକୁ ନେଇ ନୂଆ ପ୍ରଶ୍ନ ସୃଷ୍ଟି ହୋଇଛି।
ଗୁରୁଗ୍ରାମରDLF Primus ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟ କଡ...
ମହାରାଷ୍ଟ୍ରର ପୁଣେ ଓ ପିମ୍ପ୍ରି-ଚିଞ୍ଚୱାଡ ଅଞ୍ଚଳରେ ରବିବା...
ଟାଟା ମାଲିକାନାଧୀନJaguar Land Rover (JLR)ବ୍ରିଟେନ୍ରେ...
ବୀମା ପଲିସି କିଣିବା ପରେ ଅନେକ ଲୋକଙ୍କ ପାଇଁ ସବୁଠୁ ବଡ଼ ସ...
ମାରୁତି ସୁଜୁକି କାର୍ କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍...
ଦିଲ୍ଲୀର ସତ୍ୟ ନିକେତନରେ ‘Hostel Daze’ ନା...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...