ଓଡ଼ିଶାର ସବୁଠାରୁ ବଡ଼ ରେଫରାଲ୍ ହସ୍ପିଟାଲ କଟକସ୍ଥିତ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ‘ମହାପ୍ରୟାଣ’ ସେବାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଶବବାହୀ ଗାଡ଼ିର ଅଭାବ ଯୋଗୁଁ ଅନେକ ଗରିବ ପରିବାର ମୃତଦେହ ଘରକୁ ନେବା ପାଇଁ ବେସରକାରୀ ଆମ୍ବୁଲାନ୍ସ ଭଡ଼ା କରିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହୋଇଛି।
ରୋଗୀଙ୍କ ସମ୍ପର୍କୀୟମାନଙ୍କ ଅଭିଯୋଗ ଅନୁଯାୟୀ, ହସ୍ପିଟାଲରେ ମାତ୍ର ଦୁଇଟି ‘ମହାପ୍ରୟାଣ’ ଗାଡ଼ି ରହିଛି। ସେଥିମଧ୍ୟରୁ ଗୋଟିଏ ଦୀର୍ଘ ମାସ ଧରି ଅଚଳ ଅବସ୍ଥାରେ ପଡ଼ି ରହିଥିବା ବେଳେ ଅନ୍ୟଟି ସୀମିତ କ୍ଷମତାରେ ଚାଲୁଛି। ଫଳରେ ମୃତକଙ୍କ ପରିବାର ଲୋକମାନେ ଶୋକାକୁଳ ଅବସ୍ଥାରେ ଶବ ପରିବହନ ପାଇଁ ହଇରାଣ ହେଉଛନ୍ତି।
ରୋଗୀଙ୍କ ସମ୍ପର୍କୀୟ ଦେବାଶିଷ ରାଉତ କହିଛନ୍ତି ଯେ, ଅନେକ ଲୋକ ହସ୍ପିଟାଲରେ ମାଗଣା ଶବବାହୀ ଗାଡ଼ି ସେବା ଥିବା ସମ୍ପର୍କରେ ମଧ୍ୟ ଜାଣିନାହାନ୍ତି। ପ୍ରତିଦିନ ହଜାର ହଜାର ଲୋକ ଚିକିତ୍ସା ପାଇଁ ଏସ୍ସିବିକୁ ଆସୁଥିବା ବେଳେ ଅନେକ ରୋଗୀଙ୍କ ମୃତ୍ୟୁ ମଧ୍ୟ ଘଟୁଛି। ତଥାପି ମାତ୍ର ଦୁଇଟି ଗାଡ଼ି ଉପଲବ୍ଧ ରହିବା ଚିନ୍ତାର ବିଷୟ ବୋଲି ସେ କହିଛନ୍ତି।
ସମାଜସେବୀ ସୁରେଶ ମହାନ୍ତି ମଧ୍ୟ ଏହି ପ୍ରସଙ୍ଗରେ ଚିନ୍ତା ପ୍ରକାଶ କରି କହିଛନ୍ତି ଯେ, କେବଳ ଭିତ୍ତିଭୂମିର ବିକାଶ କଲେ ହେବ ନାହିଁ, ଆବଶ୍ୟକ ସେବାଗୁଡ଼ିକୁ ମଧ୍ୟ ସୁଦୃଢ଼ କରିବା ଆବଶ୍ୟକ। ଯଦି ସର୍ବାଧିକ ମୃତ୍ୟୁ ଘଟୁଥିବା ହସ୍ପିଟାଲରେ ପର୍ଯ୍ୟାପ୍ତ ଶବବାହୀ ଗାଡ଼ି ନଥାଏ, ତେବେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏହାକୁ ‘AIIMS Plus’ କରିବାର ଲକ୍ଷ୍ୟର ବିଶେଷ ଅର୍ଥ ରହିବ ନାହିଁ।
ନିକଟରେ ବ୍ରହ୍ମପୁରର ଜଣେ ଗରିବ ରୋଗୀଙ୍କ ମୃତ୍ୟୁ ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ସେମାନେ ‘ମହାପ୍ରୟାଣ’ ଗାଡ଼ି ପାଇଁ ଅନୁରୋଧ କରିଥିଲେ ମଧ୍ୟ ସନ୍ଧ୍ୟା ପୂର୍ବରୁ ଗାଡ଼ି ମିଳିନଥିଲା। ଫଳରେ ବାଧ୍ୟ ହୋଇ ବେସରକାରୀ ଆମ୍ବୁଲାନ୍ସ ଭଡ଼ା କରି ମୃତଦେହକୁ ଘରକୁ ନେଇଯାଇଥିଲେ।
ଏନେଇ ଏସ୍ସିବି ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଡା. ଜ୍ୟୋତିଷ ଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ଘଟଣା ସମ୍ପର୍କରେ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି। ଦୁଇଟି ଶବବାହୀ ଗାଡ଼ି ମଧ୍ୟରୁ ଗୋଟିଏ ଅଚଳ ହୋଇଥିବା ବେଳେ ତାହାର ମରାମତି ପାଇଁ ଅନୁମୋଦନ ଅପେକ୍ଷା କରାଯାଉଛି। ଭବିଷ୍ୟତରେ ଏଭଳି ସମସ୍ୟା ଦେଖାଦେଲେ ଅତିରିକ୍ତ ଗାଡ଼ି ଓ ଡ୍ରାଇଭର ବ୍ୟବସ୍ଥା କରିବାକୁ ବିଚାର କରାଯିବ।
ନିତେଶ ତିୱାରୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ: ର...
ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ:...
ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ନଭେମ୍ବର ୫ ତାରିଖରେ ପରଦାକୁ...
ସ୍ପେନ୍‌ରେ ଘଟିଥିବା ଭୟାବହ ହାଇସ୍ପିଡ୍ ଟ୍ରେନ୍ ଦୁର୍...
ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ବ...
କେନ୍ଦ୍ରାପଡ଼ା: ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘା...
ଅକ୍ଟୋବର ମାସର ଶେଷ ସପ୍ତାହରୁ ନଭେମ୍ବର ମାସର ଆରମ୍ଭ ପର୍ଯ୍...
♈ ମେଷ ରାଶି (Aries) ଏହି ସପ୍ତାହ ମେଷ ରାଶିର ବ୍ୟକ୍ତ...