ନୂଆଦିଲ୍ଲୀ: ଆମ ରୋଷେଇ ଘରେ ପ୍ରତିଦିନ ବ୍ୟବହାର ହେଉଥିବା ଲୁଣ ହିଁ ହୋଇପାରେ ଅନେକ ରୋଗର ଏକ ପ୍ରମୁଖ କାରଣ। ଅଧିକ ଲୁଣ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ, ହୃଦ୍ରୋଗ ଓ ଷ୍ଟ୍ରୋକ୍ର ଆଶଙ୍କା ବଢ଼ିଥାଏ। ତେବେ ସାଧାରଣ ଲୁଣ ବଦଳରେ ପୋଟାସିୟମ୍ଯୁକ୍ତ ଲୁଣ ବ୍ୟବହାର କଲେ ଭାରତରେ ପ୍ରତିବର୍ଷ ପ୍ରାୟ ୪ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଯାଇପାରିବ ବୋଲି ଏକ ନୂଆ ବିଶ୍ୱସ୍ତରୀୟ ଗବେଷଣାରେ ଦାବି କରାଯାଇଛି।
କ'ଣ କହୁଛି ନୂଆ ଗବେଷଣା?
'Nature Health' ପତ୍ରିକାରେ ନଭେମ୍ବର ୪ ତାରିଖରେ ପ୍ରକାଶିତ ଏହି ଗବେଷଣାକୁ The George Institute for Global Health ସହ ଜଡ଼ିତ ଗବେଷକମାନେ କରିଛନ୍ତି। ୧୯୩ଟି ଦେଶରେ ସାଧାରଣ ଲୁଣ ବଦଳରେ କମ୍ ସୋଡିୟମ୍ ଓ ଅଧିକ ପୋଟାସିୟମ୍ ଥିବା ଲୁଣ ବ୍ୟବହାରର ସମ୍ଭାବ୍ୟ ସ୍ୱାସ୍ଥ୍ୟ ପ୍ରଭାବକୁ ଏଥିରେ ଅଧ୍ୟୟନ କରାଯାଇଛି।
ଗବେଷଣାର ଆକଳନ ଅନୁସାରେ, ଭାରତରେ ଏହି ପରିବର୍ତ୍ତନ ଦ୍ୱାରା ପ୍ରତିବର୍ଷ ୩,୯୯,୮୮୪ ଜଣଙ୍କ ମୃତ୍ୟୁକୁ ରୋକାଯାଇପାରେ। ଏଥିସହ ହୃଦ୍ରୋଗ ଓ କ୍ରୋନିକ୍ କିଡ୍ନୀ ରୋଗର ପ୍ରାୟ ୧୫.୨୮ ଲକ୍ଷ ନୂଆ ମାମଲାକୁ ମଧ୍ୟ ରୋକିବା ସମ୍ଭବ ବୋଲି ଆକଳନ ହୋଇଛି।
କେମିତି କାମ କରେ ପୋଟାସିୟମ୍ଯୁକ୍ତ ଲୁଣ?
ସାଧାରଣ ଲୁଣରେ ମୁଖ୍ୟତଃ ସୋଡିୟମ୍ କ୍ଲୋରାଇଡ୍ ଥାଏ। କିନ୍ତୁ ପୋଟାସିୟମ୍ଯୁକ୍ତ ଲୁଣରେ ସାଧାରଣ ଲୁଣର କିଛି ଅଂଶକୁ ପୋଟାସିୟମ୍ କ୍ଲୋରାଇଡ୍ରେ ବଦଳାଯାଇଥାଏ। ଏହାଦ୍ୱାରା ଶରୀରକୁ ଯାଉଥିବା ସୋଡିୟମ୍ର ପରିମାଣ କମିବା ସହ ପୋଟାସିୟମ୍ର ପରିମାଣ ବଢ଼ିଥାଏ।
ଅଧିକ ସୋଡିୟମ୍ ଶରୀରରେ ଜଳୀୟ ଅଂଶକୁ ଧରି ରଖି ରକ୍ତଚାପ ବଢ଼ାଇଥାଏ। ଅନ୍ୟପଟେ ପୋଟାସିୟମ୍ ରକ୍ତଚାପ ନିୟନ୍ତ୍ରଣରେ ସହାୟତା କରେ। ତେଣୁ ଏହି ଲୁଣ ବ୍ୟବହାର ଦ୍ୱାରା ହୃଦ୍ଘାତ, ଷ୍ଟ୍ରୋକ୍ ଓ କିଡ୍ନୀ ରୋଗର ଆଶଙ୍କା କମିପାରେ।
ଭାରତରେ କାହିଁକି ଅଧିକ ଲାଭ ହୋଇପାରେ?
ଗବେଷଣା ଅନୁସାରେ, ଭାରତରେ ଦୈନିକ ହାରାହାରି ଲୁଣ ଖାଇବାର ପରିମାଣ ପ୍ରାୟ ୯ ଗ୍ରାମ। ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ପରାମର୍ଶିତ ୫ ଗ୍ରାମ ସୀମାଠାରୁ ପ୍ରାୟ ଦୁଇଗୁଣ। ଆଚାର, ପାମ୍ପଡ଼, ଚଟଣି, ପ୍ୟାକେଟ୍ ଖାଦ୍ୟ ଓ ଦୈନନ୍ଦିନ ରୋଷେଇରେ ଅଧିକ ଲୁଣ ବ୍ୟବହାର ଏହାର ଏକ ପ୍ରମୁଖ କାରଣ।
ICMR-INDIAB ଅଧ୍ୟୟନ ଅନୁସାରେ, ଭାରତର ପ୍ରାୟ ୩୧.୫ କୋଟି ଲୋକ ଉଚ୍ଚ ରକ୍ତଚାପରେ ପୀଡ଼ିତ। ଏଭଳି ସ୍ଥିତିରେ ଲୁଣର ବ୍ୟବହାରରେ ପରିବର୍ତ୍ତନ ଜନସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇପାରେ।
ସମସ୍ତଙ୍କ ପାଇଁ ସୁରକ୍ଷିତ ନୁହେଁ ଏହି ଲୁଣ
ପୋଟାସିୟମ୍ଯୁକ୍ତ ଲୁଣ ସମସ୍ତଙ୍କ ପାଇଁ ଉପଯୋଗୀ ନୁହେଁ। ବିଶେଷକରି ଗୁରୁତର କିଡ୍ନୀ ରୋଗରେ ପୀଡ଼ିତ ବ୍ୟକ୍ତି ଏବଂ ଶରୀରରେ ପୋଟାସିୟମ୍ ବଢ଼ାଇପାରୁଥିବା କିଛି ଔଷଧ ଖାଉଥିବା ଲୋକଙ୍କ ରକ୍ତରେ ପୋଟାସିୟମ୍ ବିପଜ୍ଜନକ ସ୍ତରକୁ ବଢ଼ିପାରେ। ଏହାକୁ ହାଇପରକାଲେମିଆ କୁହାଯାଏ।
WHOର ପରାମର୍ଶ ଅନୁସାରେ, ଗର୍ଭବତୀ ମହିଳା, ଶିଶୁ ଏବଂ ଯେଉଁମାନଙ୍କ ଶରୀରରୁ ପୋଟାସିୟମ୍ ବାହାର କରିବାରେ ସମସ୍ୟା ରହିଛି, ସେମାନଙ୍କ ପାଇଁ ଏହି ଲୁଣର ବ୍ୟବହାର ଉପଯୁକ୍ତ ନୁହେଁ।
ତେଣୁ ସାଧାରଣ ଲୁଣ ବଦଳରେ ପୋଟାସିୟମ୍ଯୁକ୍ତ ଲୁଣ ବ୍ୟବହାର କରିବା ପୂର୍ବରୁ ନିଜ ସ୍ୱାସ୍ଥ୍ୟାବସ୍ଥା ଅନୁସାରେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।
AIର ଭରସା କେବଳ ସଠିକ୍ ଉତ୍ତରରେ ନୁହେଁ, ସୁରକ୍ଷା ଓ ନିରପେ...
‘ଅରାଜକତା ହଟାଅ, ଗଣତନ୍ତ୍ର ବଞ୍ଚାଅ’ ସ୍ଲୋଗା...
ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ବ...
ଦେଶରେ ଗବେଷଣା ଓ ନୂତନ ଉଦ୍ଭାବନକୁ ଉତ୍ସାହିତ କରିବା ଲକ୍ଷ୍...
ନିତେଶ ତିୱାରୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ: ର...
ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ନଭେମ୍ବର ୫ ତାରିଖରେ ପରଦାକୁ...
ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ:...
ପଶୁଚିକିତ୍ସା ଇଣ୍ଟର୍ନଙ୍କ ଷ୍ଟାଇପେଣ୍ଡ୍ରେ ୭ ହଜାର ଟଙ୍କା...