ଓଡ଼ିଶାରେ ଆଉ ଏକ ଘୁଷ କାଣ୍ଡର ପର୍ଦାଫାଶ କରିଛି ଭିଜିଲାନ୍ସ । ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (CDM&PHO) କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟରତ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ (NHM)ର ଜୁନିୟର ଇଞ୍ଜିନିୟର ସୁମନ୍ତ ନାୟକଙ୍କୁ ବୁଧବାର ଭିଜିଲାନ୍ସ ଅଧିକାରୀମାନେ ଘୁଷ ନେଉଥିବାବେଳେ କାବୁ କରିଛନ୍ତି ।
ଅଭିଯୋଗ ଅନୁଯାୟୀ, ଜଣେ ଠିକାଦାର ସୁନ୍ଦରଗଡ଼ ଜିଲ୍ଲାର ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ କର୍ମଚାରୀ କ୍ୱାର୍ଟରର ମରାମତି ଏବଂ ପୁନର୍ନିର୍ମାଣ କାମ ସମ୍ପୂର୍ଣ୍ଣ କରିଥିଲେ । କାମ ସରିଥିଲେ ମଧ୍ୟ ତାଙ୍କର ଇନିସିଆଲ ସିକ୍ୟୁରିଟି ଡିପୋଜିଟ୍ (ISD) ରାଶି ମୁକ୍ତି ପାଇଁ ଫାଇଲକୁ ଜୁନିୟର ଇଞ୍ଜିନିୟର ଜାଣିଶୁଣି ଅଟକାଇ ରଖିଥିବା ଅଭିଯୋଗ ହୋଇଛି ।
ଠିକାଦାରଙ୍କ ଅଭିଯୋଗ ଅନୁସାରେ, ଫାଇଲ କ୍ଲିୟାର କରିବା ପାଇଁ ସୁମନ୍ତ ନାୟକ ୫ ହଜାର ଟଙ୍କା ଘୁଷ ଦାବି କରିଥିଲେ । ବାରମ୍ବାର ଅନୁରୋଧ ସତ୍ୱେ ଟଙ୍କା ମୁକ୍ତି ନହେବାରୁ ଠିକାଦାର ଭିଜିଲାନ୍ସ ଶରଣାପନ୍ନ ହୋଇଥିଲେ ।
ଏହାପରେ ଭିଜିଲାନ୍ସ ଟିମ୍ ଯୋଜନାବଦ୍ଧ ଭାବେ ଟ୍ରାପ୍ ଅପରେସନ୍ କରି ସୁମନ୍ତ ନାୟକଙ୍କୁ ତାଙ୍କ କାର୍ଯ୍ୟାଳୟ ଭିତରେ ଘୁଷ ନେଉଥିବାବେଳେ ଧରିଥିଲେ । ତାଙ୍କ ନିକଟରୁ ୫ ହଜାର ଟଙ୍କା ଜବତ କରାଯାଇଛି ।
ଘଟଣା ପରେ ଭିଜିଲାନ୍ସ ପକ୍ଷରୁ ଅଭିଯୁକ୍ତଙ୍କ ସମ୍ପତ୍ତି ତଦନ୍ତ ପାଇଁ ତିନୋଟି ସ୍ଥାନରେ ଏକାସାଥିରେ ଚଢ଼ାଉ କରାଯାଇଛି । ଏନେଇ ରାଉରକେଲା ଭିଜିଲାନ୍ସ ଥାନାରେ ପ୍ରିଭେନ୍ସନ୍ ଅଫ୍ କରପ୍ସନ୍ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।
ଜେଲ୍‌ରେ ଥିବା ଜମ୍ମୁ-କଶ୍ମୀର ଲିବରେସନ୍ ଫ୍ରଣ୍ଟ (JK...
କୋଲକାତାର କ୍ୟାମାକ୍ ଷ୍ଟ୍ରିଟ୍‌ରେ ଥିବା ତୃଣମୂଳ କଂଗ...
ଜମ୍ମୁ-କଶ୍ମୀରରେ କଶ୍ମୀରୀ ପଣ୍ଡିତ କର୍ମଚାରୀଙ୍କୁ ଧମକ ମିଳ...
ଦିଲ୍ଲୀ ଜଳ ବୋର୍ଡ (DJB)ର ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ...