କଳାହାଣ୍ଡି: ପଶ୍ଚିମ ଓଡ଼ିଶାର ପ୍ରମୁଖ କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ଗାଁଠୁ ସହର ସବୁଠି ଉତ୍ସାହର ମାହୋଲ। ଲଗ୍ନ ଧାର୍ଯ୍ୟ ହେବା ପରେ ଜୟପାଟଣା, ଧର୍ମଗଡ଼ ସମେତ ବିଭିନ୍ନ ଅଞ୍ଚଳରେ ପର୍ବ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି।
ଘରଦ୍ୱାର ଲିପାପୋଛାଠାରୁ ଆରମ୍ଭ କରି ନୂଆ ଧାନ ସଂଗ୍ରହ ପର୍ଯ୍ୟନ୍ତ ବିଭିନ୍ନ କାମରେ ବ୍ୟସ୍ତ ଅଛନ୍ତି ଲୋକେ। ମହିଳାମାନେ ଘର ସଫାସୁତରା କରୁଥିବା ବେଳେ କିଏ କୁରେଇ ପତ୍ର ସଂଗ୍ରହ କରୁଛନ୍ତି, ଆଉ କିଏ ଜାଳେଣି କାଠ ଓ ନୂଆ ଧାନ ଯୋଗାଡ଼ କରୁଛନ୍ତି।
ନୂଆଖାଇ ପାଇଁ ହାଟବଜାରରେ ମଧ୍ୟ ଭିଡ଼ ବଢ଼ିଛି। ନୂଆ ଚୂଡ଼ା, ଗୁଡ଼, ଘିଅ, ମାଟି ପାତ୍ର, ନୂଆ ବସ୍ତ୍ର ସମେତ ବିଭିନ୍ନ ସାମଗ୍ରୀ କିଣିବାରେ ଲୋକେ ବ୍ୟସ୍ତ ଅଛନ୍ତି। ଧର୍ମଗଡ଼ ସହରର ଦୋକାନ ବଜାରରେ ମଧ୍ୟ ନୂଆଖାଇ ପାଇଁ ଚାହିଦା ବଢ଼ିଥିବା ଦେଖିବାକୁ ମିଳୁଛି।
ନୂଆଖାଇରେ ନୂଆ ମାଟି ପାତ୍ରରେ ନୂଆ ଚାଉଳରେ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରି ଇଷ୍ଟଦେବଙ୍କୁ ନୈବେଦ୍ୟ ଅର୍ପଣ କରିବାର ପରମ୍ପରା ରହିଛି। ଏହାପରେ ପରିବାରର ସମସ୍ତେ ଏକାଠି ବସି ନୂଆ ଖାଇଥାନ୍ତି।
ମାଟି ହାଣ୍ଡିର ଚାହିଦା ବଢ଼ିଥିବାରୁ କୁମ୍ଭାର ପରିବାରଗୁଡ଼ିକ ମଧ୍ୟ ଏବେ ବ୍ୟସ୍ତ। କୁମ୍ଭାର ଚକ ଘୁରୁଛି ଏବଂ କାରିଗରଙ୍କ ହାତରେ ମାଟି ନେଉଛି ନୂଆ ରୂପ। କେଉଁଠି ମାଟି ହାଣ୍ଡି ତିଆରି ହେଉଛି, ତ ଆଉ କେଉଁଠି ତେଲେନ, ଦୀପ ଓ ବିଭିନ୍ନ ପାରମ୍ପରିକ ମାଟିପାତ୍ର ପ୍ରସ୍ତୁତ ହେଉଛି।
ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ପାଇଁ ଲୋକକଳାକାରମାନେ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବଜାସାଲ, ବନାବାଡ଼ି, ଢାପ୍, ଘୁଡ଼କା ସହ କଳାହାଣ୍ଡି ମାଟିର ଗର୍ବ ବୀରବାଦ୍ୟ ‘ଘୁମୁରା’ ଦଳଗୁଡ଼ିକ ଅଭ୍ୟାସରେ ଲାଗିପଡ଼ିଛନ୍ତି।
ଅନ୍ୟପଟେ କଳାହାଣ୍ଡି ଜିଲ୍ଲା ପଥରଲା ପଞ୍ଚାୟତର ଦୁଇଟି ଗାଁ ଏବଂ କେସିଙ୍ଗା ଏନ୍ଏସିର ପଲକାପଡ଼ାବାସୀ ପରମ୍ପରା ଅନୁଯାୟୀ ନୂଆଖାଇ ପାଳନ କରିଛନ୍ତି। ପ୍ରତିପଦା ତିଥିରେ ନୂଆ ଧାନରୁ ପ୍ରସ୍ତୁତ ନବାନ୍ନ ଗ୍ରାମ୍ୟ ଦେବତାଙ୍କ ନିକଟରେ ଅର୍ପଣ କରାଯାଇଥିଲା। ପରେ ସମସ୍ତେ ଏକାଠି ନୂଆ ଖାଇ ପରସ୍ପର ମଧ୍ୟରେ ଖୁସି ବାଣ୍ଟିଥିଲେ।
ନୂଆଖାଇ କେବଳ ନୂଆ ଅନ୍ନ ଖାଇବାର ପର୍ବ ନୁହେଁ; ଏହା ଭାଇଚାରା, ସମ୍ପର୍କ, ପରମ୍ପରା ଓ ସାମାଜିକ ଏକତାର ପ୍ରତୀକ ଭାବେ ପଶ୍ଚିମ ଓଡ଼ିଶାରେ ପାଳିତ ହୋଇଆସୁଛି।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆୟର୍ଲାଣ୍ଡ ଗସ...
Fixed Deposit କିମ୍ବା ସଞ୍ଚୟ ଯୋଜନାରେ ଟଙ୍କା ରଖିବାବେଳେ...
ଆନ୍ଧ୍ରପ୍ରଦେଶ ରାଜନୀତିରେ ପୁଣିଥରେ YS ଜଗନ ମୋହନ ରେଡ୍ଡୀଙ...
ନୂଆଦିଲ୍ଲୀ:ବିଶ୍ୱର ଇନ୍ଧନ ଓ ସାମୁଦ୍ରିକ ବାଣିଜ୍ୟ ବ୍ୟବସ୍ଥ...