Residents of Mantriguda village in Nabarangpur allege exclusion from housing schemes due to village name confusion

ଏକେ ନାମର ଦୁଇ ଗାଁର ପ୍ରଶାସନିକ ଗୋଳମାଳ: ଆବାସ ଯୋଜନାରୁ ବଞ୍ଚିତ ନବରଙ୍ଗପୁରର ମନ୍ତ୍ରୀଗୁଡ଼ା ଗ୍ରାମବାସୀ

ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ୍‌ ଅଧୀନ ମନ୍ତ୍ରୀଗୁଡ଼ା ଗ୍ରାମର ଲୋକମାନେ ଅଭିଯୋଗ କରିଛନ୍ତି ଯେ, ଏକେ ନାମର ଦୁଇଟି ଗାଁ ଥିବାରୁ ସରକାରୀ ଆବାସ ଯୋଜନାର ସୁବିଧା ବର୍ଷବର୍ଷ ଧରି ସେମାନଙ୍କ ପାଖକୁ ପହଞ୍ଚିନାହିଁ।

ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ୍ ଅଧୀନ ମନ୍ତ୍ରୀଗୁଡ଼ା ଗ୍ରାମରେ ଦୀର୍ଘ ବର୍ଷ ଧରି ସରକାରୀ ଆବାସ ଯୋଜନାର ସୁବିଧା ନମିଳିବାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏକେ ନାମର ଦୁଇଟି ଗାଁ ଥିବାରୁ ପ୍ରଶାସନିକ ଗୋଳମାଳ ସୃଷ୍ଟି ହୋଇ ସରକାରୀ ସୁବିଧା ଅନ୍ୟ ଗ୍ରାମକୁ ଚାଲିଯାଉଛି।

ସୂଚନା ଅନୁଯାୟୀ, ନବରଙ୍ଗପୁର ବ୍ଲକ୍ରେ ମଧ୍ୟ ମନ୍ତ୍ରୀଗୁଡ଼ା ନାମର ଏକ ଗ୍ରାମ ଅଛି। ସରକାରୀ ଯୋଜନାର ସୁବିଧା ସେହି ଗ୍ରାମକୁ ମିଳୁଥିବାବେଳେ ନନ୍ଦାହାଣ୍ଡି ବ୍ଲକ୍ର ମନ୍ତ୍ରୀଗୁଡ଼ା ଗ୍ରାମ ବର୍ଷବର୍ଷ ଧରି ଅବହେଳିତ ହୋଇ ରହିଯାଇଛି।

ବ୍ଲକ୍ ମୁଖ୍ୟାଳୟରୁ ମାତ୍ର ଏକ କିଲୋମିଟର ଦୂରରେ ଥିବା ସତ୍ତ୍ୱେ ଏହି ଗ୍ରାମର ଅନେକ ପରିବାର ଏବେବି ଛାଳିଆ, ଟିଣ୍ ଓ ଆସବେଷ୍ଟସ୍ ଘରରେ ବସବାସ କରୁଛନ୍ତି। ପ୍ରାୟ ୫୦୦ ଲୋକଙ୍କ ବସୋବାସ ଥିବା ଏହି ଗ୍ରାମର ଅଧିକାଂଶ ଲୋକ ଦିନମଜୁରିଆ ଭାବେ କାମ କରି ଜୀବିକା ନିର୍ବାହ କରନ୍ତି।

ଗ୍ରାମର ସରୋଜିନୀ ହରିଜନ କହିଛନ୍ତି, “୩୦ ବର୍ଷ ହେଲା ଆମକୁ ଘର ମିଳିନାହିଁ। ଗରିବ ଲୋକଙ୍କ ପାଇଁ ସରକାର କିଛି କରୁନାହାନ୍ତି। ସମଗ୍ର ଗାଁ ଏହି ସମସ୍ୟାରେ ଭୁଗୁଛି।”

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଯେତେବେଳେ ନନ୍ଦାହାଣ୍ଡି ବ୍ଲକ୍ ପାଇଁ ଆବାସ ଯୋଜନାର ଟାର୍ଗେଟ ଆସୁଥିଲା, ସେହି ସୁବିଧା ଭୁଲବଶତଃ ନବରଙ୍ଗପୁର ବ୍ଲକ୍ର ଅନ୍ୟ ମନ୍ତ୍ରୀଗୁଡ଼ା ଗ୍ରାମକୁ ଯାଇଥିଲା।

ୱାର୍ଡ ସଦସ୍ୟ ଉଧବ ଭତ୍ରା ଅଭିଯୋଗ କରିଛନ୍ତି ଯେ, ଇନ୍ଦିରା ଆବାସ ଯୋଜନା ହେଉ କି ପ୍ରଧାନମନ୍ତ୍ରୀ ଆବାସ ଯୋଜନା—କୌଣସି ଯୋଜନାରେ ଗ୍ରାମବାସୀ ସୁବିଧା ପାଇନାହାନ୍ତି। ସେ କହିଛନ୍ତି ଯେ, ଏନେଇ କଲେକ୍ଟର ଓ ବିଡିଓଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନାହିଁ।

ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ନନ୍ଦାହାଣ୍ଡି ବିଡିଓ ଖିରୋଦ ଚନ୍ଦ୍ର ସାହୁ କହିଛନ୍ତି ଯେ, ଗ୍ରାମରେ ସର୍ଭେ କାମ ସମ୍ପୂର୍ଣ୍ଣ ହୋଇସାରିଛି। ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନ ସମୟରେ ଯୋଗ୍ୟ ହିତାଧିକାରୀମାନେ ଯେପରି ବଞ୍ଚିତ ନହେବେ, ସେଥିପାଇଁ ପ୍ରାଥମିକତା ଦିଆଯିବ ବୋଲି ସେ ଆଶ୍ୱାସନ ଦେଇଛନ୍ତି।

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+