କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ଆମୁଣି ଗ୍ରାମରେ ଶୁକ୍ରବାର ସକାଳେ ଜଣେ ମହିମା ଆଲେଖ ସନ୍ନ୍ୟାସୀଙ୍କ ମୃତଦେହ ଉଦ୍ଧାର ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତକ ହେଲେ ଶ୍ରୀକାନ୍ତ ମହାକୁଡ଼, ଯିଏ ବିନିଡା ସ୍ଥିତ ଆଲେଖ ମହିମା ମଠ ସହ ଜଡିତ ଥିଲେ ଏବଂ ସେଠାରେ ନିୟମିତ ଭାବେ ଧାର୍ମିକ କାର୍ଯ୍ୟକ୍ରମ ସମ୍ପାଦନ କରୁଥିଲେ।
ପ୍ରାଥମିକ ସୂଚନା ଅନୁସାରେ, ଶୁକ୍ରବାର ସକାଳ ପ୍ରାୟ ୫.୩୦ରୁ ୬ଟା ମଧ୍ୟରେ ଶ୍ରୀକାନ୍ତ ଗାଁ ପୋଖରୀକୁ ସ୍ନାନ କରିବା ପାଇଁ ଯାଇଥିଲେ। କିଛି ଘଣ୍ଟା ପରେ ପୋଖରୀ ନିକଟରେ ତାଙ୍କର ରକ୍ତାକ୍ତ ମୃତଦେହ ପଡ଼ିଥିବା ଅବସ୍ଥାରେ ମିଳିଥିଲା। ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଚିହ୍ନ ଥିବାରୁ ପଥରରେ ଆକ୍ରମଣ କରି ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ।
ମୃତକଙ୍କ ପରିବାର ପକ୍ଷରୁ ଏହା କୌଣସି ଆକସ୍ମିକ ଘଟଣା ନୁହେଁ ବୋଲି ଦାବି କରାଯାଇଛି। ଶ୍ରୀକାନ୍ତଙ୍କ ପୁଅ ଖଗେଶ୍ୱର ମହାକୁଡ଼ଙ୍କ ଅଭିଯୋଗ ଅନୁସାରେ, ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ସହ ତାଙ୍କ ବାପାଙ୍କର ସମ୍ପତ୍ତିକୁ ନେଇ ବିବାଦ ରହିଥିଲା ଏବଂ ସେହି ବ୍ୟକ୍ତି ବାରମ୍ବାର ହତ୍ୟା ଧମକ ଦେଉଥିଲେ।
ପରିବାର ଲୋକଙ୍କ କହିବା ଅନୁସାରେ, କିଛି ଦିନ ପୂର୍ବରୁ ଉଭୟଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ବିବାଦ ହୋଇଥିଲା। ସନ୍ଦିଗ୍ଧ ବ୍ୟକ୍ତି ଶ୍ରୀକାନ୍ତଙ୍କୁ ପୋଖରୀ ନିକଟରେ ହତ୍ୟା କରିବାକୁ ଧମକ ଦେଇଥିବା ମଧ୍ୟ ଅଭିଯୋଗ କରାଯାଇଛି। ପରିବାର ପକ୍ଷରୁ ପୋଲିସ ଓ ପ୍ରଶାସନ ନିକଟରେ ନ୍ୟାୟ ଦାବି କରାଯାଇଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଶ୍ରୀକାନ୍ତ ମହାକୁଡ଼ ଅଞ୍ଚଳରେ ଜଣେ ପରିଚିତ ଧାର୍ମିକ ବ୍ୟକ୍ତିତ୍ୱ ଥିଲେ। ଏପରି ନିର୍ମମ ହତ୍ୟା ଘଟଣା ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରିଦେଇଛି।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ପୋଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ସହ ଘଟଣାସ୍ଥଳରୁ ବିଭିନ୍ନ ପ୍ରମାଣ ସଂଗ୍ରହ କରୁଛି।
ପରିବାର ପକ୍ଷରୁ ସମ୍ପତ୍ତି ବିବାଦକୁ ହତ୍ୟାର କାରଣ ବୋଲି ଦର୍ଶାଯାଇଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ କାରଣକୁ ନିଶ୍ଚିତ କରିନାହିଁ। ସମସ୍ତ ସମ୍ଭାବ୍ୟ ଦିଗକୁ ନେଇ ତଦନ୍ତ ଜାରି ରହିଛି।
ଖବର ଲେଖାଯିବା ସୁଦ୍ଧା ଏହି ଘଟଣାରେ କାହାକୁ ଗିରଫ କରାଯାଇନଥିବା ବେଳେ ପୋଲିସର ତଦନ୍ତ ଜାରି ରହିଛି।
ଅନ୍ତର୍ଜାତୀୟ ଛାତ୍ରଙ୍କ ଭିସା ବ୍ୟବସ୍ଥାର ଦୁରୁପଯୋଗ ରୋକିବ...
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ମଧ୍ୟରେ ପାକିସ୍ତାନ କ୍ରିକେ...
ଜଳନ୍ଧର କମିଶନରେଟ୍ ପୋଲିସ ଆମେରିକାରSupplemental Nutrit...
ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏବେ ଦଳର ଚୟନ କମିଟି ଏ...