ମୁମ୍ବାଇ: ଭାରତୀୟ ସିନେମାର ଚର୍ଚ୍ଚିତ ଫିଲ୍ମ ‘ରାମାୟଣ’ର କ୍ରେଜ୍ ଏବେ ଦେଶ ବାହାରେ ମଧ୍ୟ ଦେଖିବାକୁ ମିଳୁଛି। ବିଶେଷକରି ଥାଇଲାଣ୍ଡରେ ଏହି ଫିଲ୍ମର ଜଣେ ଅଭିନେତାଙ୍କୁ ନେଇ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ରହିଛି। ସେ ହେଉଛନ୍ତି ଅଭିନେତା କୁନାଲ କପୁର। ଫିଲ୍ମରେ ଦେବରାଜ ଇନ୍ଦ୍ରଙ୍କ ଭୂମିକାରେ ତାଙ୍କର ଅଭିନୟ ଥାଇଲାଣ୍ଡର ପ୍ରଶଂସକଙ୍କୁ ଏତେ ପସନ୍ଦ ଆସିଛି ଯେ ସୋସିଆଲ ମିଡିଆରେ ତାଙ୍କୁ ନେଇ ପ୍ରଶଂସାର ସୁଅ ଛୁଟୁଛି।
ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ‘ରାମାୟଣ: ରାଇଜ୍ ଅଫ୍ ଏ ଲେଜେଣ୍ଡ’ରେ କୁନାଲ କପୁର ଦେବରାଜ ଇନ୍ଦ୍ରଙ୍କ ଚରିତ୍ରରେ ନଜର ଆସିଛନ୍ତି। ଯଦିଓ ଫିଲ୍ମରେ ତାଙ୍କର ଭୂମିକା ସୀମିତ, ତଥାପି ତାଙ୍କର ଭବ୍ୟ ଲୁକ୍ ଓ ଏଣ୍ଟ୍ରି ଦର୍ଶକଙ୍କ ମନରେ ଛାପ ଛାଡ଼ିଛି।
ଫିଲ୍ମରେ ଦେବରାଜ ଇନ୍ଦ୍ର ଏୟାରାବତ ନାମକ ଦିବ୍ୟ ହସ୍ତୀ ଉପରେ ବିରାଜମାନ ହୋଇ ପ୍ରବେଶ କରୁଥିବା ଦୃଶ୍ୟକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ସୁମାଳୀ ଓ ରାବଣଙ୍କ ସହ ଜଡ଼ିତ ଯୁଦ୍ଧ ଦୃଶ୍ୟ ସହ ଭଗବାନ ବିଷ୍ଣୁଙ୍କୁ ଅବତାର ଧାରଣ କରିବାକୁ ଅନୁରୋଧ କରୁଥିବା ଦୃଶ୍ୟରେ କୁନାଲଙ୍କୁ ଦେଖିବାକୁ ମିଳିଛି।
କୁନାଲଙ୍କ ଅଭିନୟ ଓ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ଅନେକ ଥାଇଲାଣ୍ଡର ପ୍ରଶଂସକ ସୋସିଆଲ ମିଡିଆରେ ତାଙ୍କ ଫଟୋ ଓ ଫିଲ୍ମର ଦୃଶ୍ୟ ସେୟାର କରୁଛନ୍ତି। ଜଣେ ପ୍ରଶଂସକ ତାଙ୍କୁ ସ୍ୱର୍ଗରୁ ଧରାପୃଷ୍ଠକୁ ଓହ୍ଲାଇ ଆସିଥିବା ଦେବତାଙ୍କ ସହ ତୁଳନା କରିଛନ୍ତି। ଆଉ ଜଣେ ତାଙ୍କୁ ଥାଇଲାଣ୍ଡବାସୀଙ୍କ ସ୍ୱପ୍ନର ଇନ୍ଦ୍ର ବୋଲି ଲେଖିଛନ୍ତି।
କେବଳ ପ୍ରଶଂସା ନୁହେଁ, ଅନେକ ଦର୍ଶକ କୁନାଲଙ୍କୁ ଥାଇଲାଣ୍ଡ ଆସିବାକୁ ମଧ୍ୟ ନିମନ୍ତ୍ରଣ ଦେଇଛନ୍ତି। ତାଙ୍କର ଦିବ୍ୟ ରୂପ ଓ ଆକର୍ଷଣୀୟ ବ୍ୟକ୍ତିତ୍ୱକୁ ନେଇ ଅନେକ ପୋଷ୍ଟ ଭାଇରାଲ ହେଉଛି।
ପ୍ରଶଂସକଙ୍କ ଏହି ଭଲପାଇବା ଦେଖି କୁନାଲ ମଧ୍ୟ ଖୁସି ପ୍ରକାଶ କରିଛନ୍ତି। ଜଣେ ଥାଇ ପ୍ରଶଂସକଙ୍କ ପୋଷ୍ଟର ଉତ୍ତର ଦେଇ ସେ ଲେଖିଛନ୍ତି, “ଥାଇଲାଣ୍ଡକୁ ମୁଁ ଭଲ ପାଏ। ମୋ ଭଉଣୀଙ୍କ ପରିବାର ସେଠାରେ ରହୁଛନ୍ତି। ଏହା ମୋ ପାଇଁ ଦ୍ୱିତୀୟ ଘର ଭଳି।”
କୁନାଲଙ୍କ ଏହି ଉତ୍ତର ପରେ ପ୍ରଶଂସକଙ୍କ ଉତ୍ସାହ ଆହୁରି ବଢ଼ିଯାଇଛି। କେତେକ ଦର୍ଶକ ତାଙ୍କୁ କେବଳ ଇନ୍ଦ୍ରଙ୍କ ଭୂମିକାରେ ନୁହେଁ, ବରଂ ଏହି ଚରିତ୍ରକୁ ନେଇ ଏକ ସ୍ୱତନ୍ତ୍ର ଫିଲ୍ମରେ ଦେଖିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି।
ନିତେଶ ତିୱାରୀଙ୍କ ଏହି ଦୁଇ ଭାଗ ବିଶିଷ୍ଟ ଫିଲ୍ମରେ ରଣବୀର କପୁର ଭଗବାନ ରାମ, ସାଇ ପଲ୍ଲବୀ ମା’ ସୀତା, ୟଶ ରାବଣ ଏବଂ ରବି ଦୁବେ ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରିଛନ୍ତି। କୁନାଲ କପୁର ଦେବରାଜ ଇନ୍ଦ୍ର ଭାବେ ଏହି ଫିଲ୍ମରେ ନଜର ଆସିଛନ୍ତି।
ଥାଇଲାଣ୍ଡରେ କୁନାଲଙ୍କୁ ମିଳୁଥିବା ଏହି ଅନ୍ତର୍ଜାତୀୟ ପ୍ରଶଂସା ଭାରତୀୟ ସିନେମାର ବଢ଼ୁଥିବା ଲୋକପ୍ରିୟତାକୁ ପୁଣିଥରେ ଦର୍ଶାଇଛି।
ଭାରତୀୟ ସେୟାର ବଜାରରେ ଶୁକ୍ରବାର (ନଭେମ୍ବର ୧୩) ଦେଖିବାକୁ...
କ୍ୟାନସର ଚିକିତ୍ସାରେ ନୂଆ ପ୍ରୟାସ, ଚର୍ଚ୍ଚାରେ ଭାରତୀୟ ଷ୍...
ବିଶ୍ୱର ଗଣତାନ୍ତ୍ରିକ ଶକ୍ତିଙ୍କୁ ଏକାଠି କରିବା ଲକ୍ଷ୍ୟ...
ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ପକେଟ୍ ଉପରେ ପୁଣି ପଡ଼ିପାରେ...
ନୂଆଦିଲ୍ଲୀ: ଡିଲିମିଟେସନ୍ ବିଲ୍କୁ ନେଇ ପୁଣିଥରେ ଜାତୀୟ ରା...
ବାୟୁ ପ୍ରଦୂଷଣ ଏବେ ଭାରତ ପାଇଁ ଏକ ବଡ଼ ଜନସ୍ୱାସ୍ଥ୍ୟ ସଙ୍କ...
ଭାରତ ଓ ଆମେରିକା ମଧ୍ୟରେ ବହୁ ପ୍ରତୀକ୍ଷିତ ବାଣିଜ୍ୟ ଚୁକ୍ତ...
ନୂଆ ମେଣ୍ଟକୁ ନେଇ ଉତ୍ତରପ୍ରଦେଶ ରାଜନୀତିରେ ଚର୍ଚ୍ଚା ଉ...