ନୂଆଦିଲ୍ଲୀ: ଆମେରିକାର ବଡ଼ ଟେକ୍ କମ୍ପାନୀ Microsoftରେ ଚାକିରି କରୁଥିଲେ। ଭଲ ଦରମା ଓ ଉଜ୍ଜ୍ୱଳ କ୍ୟାରିୟରର ସୁଯୋଗ ମଧ୍ୟ ଥିଲା। କିନ୍ତୁ H-1B ଭିସା ଆବେଦନ ଖାରଜ ହେବା ପରେ ତାଙ୍କୁ ଆମେରିକା ଛାଡ଼ି ଭାରତ ଫେରିବାକୁ ପଡ଼ିଥିଲା। ହେଲେ ଏହି ଘଟଣା ତାଙ୍କ ଜୀବନରେ ଏକ ନୂଆ ମୋଡ଼ ଆଣିଥିଲା। ଭାରତ ଫେରି ସେ ଏମିତି ଏକ ବ୍ୟବସାୟ ଆରମ୍ଭ କଲେ, ଯାହା ପରବର୍ତ୍ତୀ ସମୟରେ ପରିଚିତ ଇ-କମର୍ସ ପ୍ଲାଟଫର୍ମ Snapdealରେ ପରିଣତ ହେଲା। ସେ ହେଉଛନ୍ତି କୁନାଲ ବାହଲ ।
କୁନାଲ ବାହଲ ୨୦୦୬ ଅକ୍ଟୋବରରେ Microsoftରେ ଫୁଲ୍ ଟାଇମ୍ କର୍ମଚାରୀ ଭାବେ ଯୋଗ ଦେଇଥିଲେ। ଏହା ପୂର୍ବରୁ ସେ କମ୍ପାନୀରେ ଇଣ୍ଟର୍ନସିପ୍ ମଧ୍ୟ କରିଥିଲେ। ସେ ଆମେରିକାର University of Pennsylvaniaରୁ ପାଠପଢ଼ା ଶେଷ କରିଥିଲେ ।
୨୦୦୭ ମସିହା ଜୁନ୍ କିମ୍ବା ଜୁଲାଇ ମାସରେ ତାଙ୍କ H-1B ଭିସା ଆବେଦନ ଖାରଜ ହୋଇଯାଇଥିଲା। ସେତେବେଳେ ଆମେରିକାରେ ତାଙ୍କ ଅସ୍ଥାୟୀ କାର୍ଯ୍ୟ ଅନୁମତିର ସମୟ ମଧ୍ୟ ଶେଷ ହେବାକୁ ଯାଉଥିଲା।
ଏକ ବଡ଼ ଟେକ୍ କମ୍ପାନୀରେ ଚାକିରି କରୁଥିବା ସତ୍ତ୍ୱେ ଭିସା ଖାରଜ ହେବା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା।
ଭିସା ଖାରଜ ହେବା ପରେ Microsoftର ଟିମ୍ ସହ ଆଲୋଚନା କରିଥିଲେ କୁନାଲ। କମ୍ପାନୀ ତାଙ୍କୁ ଭାରତ ଫେରି ଏହାର ଭାରତୀୟ କାର୍ଯ୍ୟାଳୟରୁ କାମ ଜାରି ରଖିବାକୁ ପରାମର୍ଶ ଦେଇଥିଲା। ଏହା ସହ ୧୨ ମାସ ପରେ ପୁଣି ଥରେ H-1B ଭିସା ପାଇଁ ଆବେଦନ କରିବାର ସୁଯୋଗ ମଧ୍ୟ ଥିଲା।
କିନ୍ତୁ କୁନାଲ କେବଳ ନିଜର କର୍ପୋରେଟ୍ କ୍ୟାରିୟର ଜାରି ରଖିବା ପାଇଁ ଭାରତ ଫେରିବାକୁ ଚାହୁଁନଥିଲେ। ସେ ଏହି ପରିସ୍ଥିତିକୁ ନିଜର ବ୍ୟବସାୟ ଆରମ୍ଭ କରିବାର ସୁଯୋଗ ଭାବେ ଦେଖିଥିଲେ ।
କୁନାଲ ନିଜ ସ୍କୁଲ୍ ବନ୍ଧୁ ରୋହିତ ବଂଶଲଙ୍କ ସହ ଯୋଗାଯୋଗ କରିଥିଲେ। ଦୁହେଁ ମିଶି ୨୦୦୭ ସେପ୍ଟେମ୍ବରରେ ଏକ କମ୍ପାନୀ ଆରମ୍ଭ କରିଥିଲେ। ପ୍ରାରମ୍ଭରେ ସେମାନେ କୁପନ୍ ବୁକ୍ ବ୍ୟବସାୟ ଆରମ୍ଭ କରିଥିଲେ ।
ପରବର୍ତ୍ତୀ ସମୟରେ ଏହି ବ୍ୟବସାୟ ଏକ ଇ-କମର୍ସ ପ୍ଲାଟଫର୍ମ Snapdealରେ ପରିଣତ ହୋଇଥିଲା। କୁନାଲ ବାହଲ ପରେ ନିବେଶ ସଂସ୍ଥା Titan Capitalର ମଧ୍ୟ ସହ-ପ୍ରତିଷ୍ଠାତା ହୋଇଥିଲେ ।
Business Insiderକୁ ଦେଇଥିବା ଏକ ସାକ୍ଷାତକାରରେ କୁନାଲ ନିଜର ଏହି ଅନୁଭୂତି ବିଷୟରେ କହିଛନ୍ତି।
ଏପଟେ ଆମେରିକାରେ କାର୍ଯ୍ୟରତ IBM ମଧ୍ୟ ନିଜର କନସଲ୍ଟିଂ ବ୍ୟବସାୟର ଅଧିକାଂଶ ପଦବୀ ପାଇଁ H-1B ଭିସା ଓ ଗ୍ରୀନ୍ କାର୍ଡ ସ୍ପନ୍ସରସିପ୍ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।
Bloombergର ରିପୋର୍ଟ ଅନୁଯାୟୀ, ଏହି ନିଷ୍ପତ୍ତି ଯୋଗୁଁ ପ୍ରଭାବିତ କର୍ମଚାରୀମାନଙ୍କୁ ଆମେରିକା ବାହାରୁ ଚାକିରି ଜାରି ରଖିବା କିମ୍ବା ୨୦୨୬ ଶେଷ ସୁଦ୍ଧା କମ୍ପାନୀ ଛାଡ଼ିବାର ବିକଳ୍ପ ଦିଆଯାଇଛି।
IBM କହିଛି ଯେ ପରିବର୍ତ୍ତିତ ନିଯୁକ୍ତି ଆବଶ୍ୟକତା ଓ ଦକ୍ଷ ପେଶାଦାରଙ୍କ ଉପଲବ୍ଧତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। କମ୍ପାନୀ ଅନୁଯାୟୀ, ଗତ କିଛି ବର୍ଷ ଧରି ଉଚ୍ଚଦକ୍ଷତା ସମ୍ପନ୍ନ ବିଦେଶୀ କର୍ମଚାରୀଙ୍କ ପାଇଁ ଇମିଗ୍ରେସନ୍ କାର୍ଯ୍ୟକ୍ରମର ବ୍ୟବହାର ହ୍ରାସ ପାଉଛି।
ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଅଧୀନରେ ଆମେରିକାରେ ନିଯୁକ୍ତି ଭିତ୍ତିକ ଇମିଗ୍ରେସନ୍ ବ୍ୟବସ୍ଥା ଉପରେ ଯାଞ୍ଚ ଓ ନିୟନ୍ତ୍ରଣ ବଢ଼ିଛି। ଅକ୍ଟୋବର ମାସରେ କଥିତ ଉଲ୍ଲଂଘନ ଅଭିଯୋଗରେ Microsoft ଓ Adobeର ଗ୍ରୀନ୍ କାର୍ଡ ଲେବର୍ ସାର୍ଟିଫିକେସନ୍ ପ୍ରକ୍ରିୟାରେ ମଧ୍ୟ ଅସ୍ଥାୟୀ ନିଲମ୍ବନ ହୋଇଥିଲା।
PERM ନାମରେ ପରିଚିତ Permanent Labour Certification ପ୍ରକ୍ରିୟା ଆମେରିକାରେ ବିଦେଶୀ କର୍ମଚାରୀଙ୍କ ପାଇଁ ଗ୍ରୀନ୍ କାର୍ଡ ପାଇବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ପ୍ରକ୍ରିୟାରେ ନିଯୁକ୍ତିଦାତାଙ୍କୁ ସାଧାରଣତଃ ପ୍ରମାଣ କରିବାକୁ ପଡ଼େ ଯେ ସମ୍ପୃକ୍ତ ପଦବୀ ପାଇଁ ଯୋଗ୍ୟ ଓ ଉପଲବ୍ଧ ଆମେରିକୀୟ କର୍ମଚାରୀ ନାହାନ୍ତି।
ଭିସା ପ୍ରତ୍ୟାଖ୍ୟାନରୁ ଆରମ୍ଭ ହୋଇଥିବା କୁନାଲ ବାହଲଙ୍କ ଏହି ଯାତ୍ରା ଆଜି ଅନେକ ଯୁବ ଉଦ୍ୟୋଗୀଙ୍କ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ ହୋଇଛି।
ଭିଡିଓ ସୁଟିଂ ବେଳେ ଭୟଙ୍କର ଅଘଟଣ ସୋସିଆଲ୍ ମିଡିଆରେ ଅଧ...
ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟକୁ ନେଇ ବଡ଼ ଚିନ୍ତା: ‘ଜ...
ଡେରାଡୁନ୍: ରାଜନୀତିରେ କେବଳ ପ୍ରତିପକ୍ଷର ଦୁର୍ବଳତା ଜାଣିଲ...
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ବଣ୍ଟନକୁ ନ...
ନୂଆଦିଲ୍ଲୀ:ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)...
ରାମ୍ପ୍‌ରେ ଓଡ଼ିଶାର ଇକତ୍‌ ଶାଢ଼ିର ଜଲୱା ଭ...
ଭାସ୍କର ରାଓଙ୍କୁ ପୁଣି ଝଟକା, ଜାମିନ ଆବେଦନ ଖାରଜ ରାୟଗ...
ନୂଆଦିଲ୍ଲୀ/ହାଇଦ୍ରାବାଦ:ଭାରତର ନିର୍ବାଚନୀ ବ୍ୟବସ୍ଥା ଓ &l...